ମନ ପୋଡ଼ିଗଲେ ଜାଣୁଛି କିଏ
ମନ ପୋଡ଼ିଗଲେ ଜାଣୁଛି କିଏ
କୁକୁର ଟମିର ପ୍ୟାଡି ଓ ଆକ୍ୱାରିଅମ ମାଛ ମାନଙ୍କ ପାଇଁ ଖାଦ୍ୟ ଆଣିବାକୁ ମିଟୁ କୁ ପଠେଇ, ଗେଟ ଟା ଦେବାକୁ ଯାଏ ତ ପୁଣି ସେଇ ପିଲାଟା, ମାଆ ଆଜି ମତେ କିଛି କାମ ଦିଅନା, ଖୁବ ଜରୁରୀ ଥିଲା ପଇସା, କି କାମ ତତେ କୋଉଠୁ ଦେବି? , ତା ପରେ ତୁ ବହୁତ ପଇସା ମାଗୁଛୁ, ଅଳପ ଦିଟା ଅଳିଆ ପରିଷ୍କାର କରିବାକୁ ଏତେ ପଇସା କିଏ ଦେବ? , ମୁଁ ବେଶୀ ପଇସା ମାଗୁନି ମାଆ ତୁମେ ଯେତିକି ଦେବ, ସେଇ କୋଡିଏ ଟଙ୍କା ରେ ଚଳିଯିବ, ତ ନାହିଁ କିଛି କାମ ନାହିଁ ଯାଆ କହି ଗେଟ ବନ୍ଦ କରି ଫେରିଆସିଲା ବେଳକୁ ପୁଣି କିଏ ଡାକୁଛି l
ପଡ଼ୋଶିନୀଙ୍କ ମୁଁହ ଶୁଖି ଯାଇଛି କହିଲେ ସେଇ ପିଲାଟି ଆସିଥିଲାକି? , ହଁ ଆସିଥିଲା, କିଛି କାମ ନାହିଁ କହିବାରୁ ଫେରିଗଲାଣି, କାହିଁକି, ନାଇଁ କଥା କଣ କି ପିଲାଟାର ମାଆ, ଏଇ ସଙ୍ଗେ ସଙ୍ଗେ କରୋନାରେ ମରିଗଲା, ପିଲାଟା ଜାଣିନି, କେମିତି ସହିବ ବିଚରା, କାମ କରି ମାଆ ପୁଅ କୌଣସି ମତେ ଚଳି ଯାଉଥିଲେ ଯେ କରୋନା ଦାଉ ସାଧିଲା, ଆପଣ କେମିତି ଜାଣିଲେ, ନାଇଁ କଥା କଣ କି, କାଲି ସେହି ବାଳକଟି ଆସି ଅଳିଆରୁ ପାଇଥିବା ଝିଅର କାନଝୁମୁକା ପଟକ, ଦେଇଯାଇଥିଲା, ଯେଉଁଟା ହଜିଯାଇଛି ଭାବି ଆମେ ମନସ୍ତାପ କରୁଥିଲୁ, ହେଲେ ପ୍ରତିଦାନରେ, ବାଳକ ଟିକୁ କିଛି ଦେଇପାରିନଥିବାରୁ ତା ଘରେ ଆଜି ପହଂଚି, ଶୁଣିଲି ମାଆ ତାର ଆଉ କିଛି କହିପାରୁନଥିଲେ ପଡ଼ୋଶିନୀ ମିତା ମାଡାମ, ତ ମୋ ହୃଦୟ ଭିତରେ ବି ଶୁନ୍ୟରେ କିଛି କଟିଗଲା ଭଳି ଲାଗୁଥିଲା
ସେତିକି ବେଳକୁ ମିଟୁ ବଜାରରୁ ଫେରି କହିଲା, ଜାଣିଛ ମାଆ ଆମ ଘରକୁ ଯୋଉ ପିଲାଟି କାମ ପାଇଁ ଆସେ, ଆଜି ବଜାରରେ ତାକୁ ଅଜଣା ଗାଡି ମାଡିଯାଇ ତାର ମୃତ୍ୟୁ ହୋଇଯାଇଛି, ତା ଉପରକୁ ସମସ୍ତେ ପଇସା ପକାଉଥିଲେ ତ ମୁଁ ବି ପକେଇ ଦେଲି ଆଉ କିଛି ଆଣିନି, ମୁଁ ସ୍ଥାଣୁ ନିର୍ବାକ ହୋଇ ଚାହିଁଥିଲି, ହୃଦୟର ଶୁନ୍ୟତାରୁ ଲୁହ ପରିବର୍ତ୍ତେ ଲହୁ ବୋହୁଥିଲା ବୋଲି ମିଟୁ ବୁଝିନପାରି କହୁଥିଲା, ଦେଖ ମାଆ ମିତା ମାଉସୀ ମୋ କଥା ଶୁଣି କୁଆଡେ ଦୌଡୁଛନ୍ତି, ତାକୁ ଦେଖିବାକୁ ବୋଧେ, ହେଲେ ସେ କଣ ଆଉ ସେଠିଥିବ, ନେଇଯିବେଣି ତାକୁ, ତ ମୁଁ ବିସ୍ମୟ ରେ ଖାଲି ପଚାରିଥିଲି କୋଉଠିକୁ, ତ ମିଟୁ କହୁଥିଲା ମଶାଣୀକୁ, ଆଉ କୋଉଠିକୁ, ନାଇଁ ମୁଁ ଭାବୁଥିଲି ତା ମାଆ ପାଖକୁ, ମିଟୁ ଅବୁଝା ଆଖିରେ ମତେ ଚାହିଁ ଚାଲି ଯାଉଥିଲା l
