Padmalaya Padhy

Inspirational

4  

Padmalaya Padhy

Inspirational

ମଲମ

ମଲମ

7 mins
234


ଅତସୀଙ୍କ ଘରେ ଦଶ ବର୍ଷ ହେଲାଣି ଗୋଲାପ କାମ କରି ଆସୁଛି l କାମବାଲୀ ତ ନୁହେଁ ଯେମିତି ସାନ ଭଉଣୀ l କାମ ସରିଲେ ଅତସୀ ନିଜେ ଚା ତିଆରି କରି ଗୋଲାପ ସହିତ ବାଲକୋନୀରେ ବସି ପିଇବେ ଓ ଦୁଇ ଜଣକ ଭିତରେ ପୃଥିବୀ ଯାକର ଆଲୋଚନା ହେବ l କିନ୍ତୁ ଅତସି ଗୋଟିଏ କଥା ବହୁତ ଚିଡ଼ନ୍ତି l କେହି ମିଛ କହିଲେ ତାଙ୍କୁ ପ୍ରବଳ ରାଗ ମାଡ଼େ l ଆଉ ଗୋଲାପ ହେଉଛି ମିଛର ଅବତାର l


ଅତସୀଙ୍କ ସ୍ୱାମୀ ପୁରୁଷୋତ୍ତମ ଗୋଟିଏ ବଡ କମ୍ପାନୀର ମାଲିକ ସାଙ୍ଗକୁ ତାଙ୍କ ଠାରେ ଉତ୍ତମ ଗୁଣ ଛଡା ସବୁ ପ୍ରକାର ଗୁଣ ଭରପୁର l ପ୍ରତିଦିନ ନିଶାରେ ଚୁର ହୋଇ ଘରକୁ ଫେରିବl , ଜୁଆ ଖେଳ, ଧୋକାବାଜି ଆହୁରି ବହୁତ ଗୁଣର ଅଧିକାରୀ ଥିଲେ ସେ l ସବୁ କଥା ଅତସୀଙ୍କ ଠାରୁ ଗୋଲାପ ଶୁଣିଛି l ଦୁଇଟି ସନ୍ତାନର ଜନନୀ ହୋଇ ମଧ୍ୟ ଅତସୀଙ୍କ ପୀଡା କାହିଁରେ କଣ l


ଗୋଲାପ କିନ୍ତୁ କହେ ତା ବରଟା ବହୁତ ଭଲ l ଗୋଲାପର ପିଲାଛୁଆ ହେଉ ନଥିଲେ ମଧ୍ୟ ଦିନେ ହେଲେ ତାକୁ ହୀନ କରି ଦେଖି ନାହିଁ l ଗୋଲାପକୁ ସବୁ ବେଳେ ମୁଣ୍ଡ ଉପରେ ବସାଇ ଥାଏ l

ଅତସୀ କେବେ ମଧ୍ୟ ଗୋଲାପର ସୁଖୀ ଦାମ୍ପତ୍ୟ ଜୀବନ ଦେଖି ହିଂସା କରି ନାହାନ୍ତି l ଯେ ଯାହାର ଭାଗ୍ୟ ଭୋଗୁଛନ୍ତି l ହିଂସା କଲେ କଣ କାହା ଭାଗ୍ୟ କିଏ ନେଇ ପାରିବ କି l ଖାଲି ଯାହା ଅଶାନ୍ତି ବଢିବା କଥା ସିନା l

ଗରିବ ଲୋକଙ୍କ ପାଖରେ ସମ୍ପର୍କଟା ହିଁ ବଡ଼, ହୃଦୟ ବିଶାଳ ତେଣୁ ସେମାନେ ସର୍ବଦା ସୁଖୀ l ଅର୍ଥ ରୁ ହିଁ ସକଳ ପ୍ରକାର ଅନର୍ଥ ହୁଏ ବୋଲି ଅତସୀ ଭାବନ୍ତି l

ସେଦିନ ଦୁଇ କେରା ପିତଳ ହାର ପିନ୍ଧି ଆସିଥିଲା ଗୋଲାପ l

--ମା ମ ! ଦେଖ ଏଇ ରୋଲ ଗୋଲ୍ଡ ଚେନଟା ସିଏ ଦେଇଛି ମୋତେ l କାଲି ମୋର ଜନ୍ମ ଦିନ ଥିଲା ତ !

--ଭାଗ୍ୟ କରିଛୁ l ବହୁତ ଭଲ ପାଉଛି ତୋତେ ସିଏ l

--ହଁ ମା ! ଯାହା କୁହ ଆମ ବସ୍ତିରେ ଆଉ କାହା ବର ତା ସ୍ତ୍ରୀକୁ ଏମିତି ଗିଫ୍ଟ ଦେବାର ମୁଁ ଦେଖିନି l ରିକ୍ସା ଚଳାଇ ସେ ଯେତିକି ପାଏ ମୋ ଠୁ ବି କମ l ହେଲେ ବି ମୋତେ ଖୁସି କରିବାକୁ ସବୁ ବେଳେ ଲୋକଟା ଆଗଭର l


ଏହା କହି ଗୋଲାପ କାମ କରିବା ଆରମ୍ଭ କରିଥିଲା l ସେଦିନ ଚା ପିଇଲା ବେଳେ ଅତସୀ ଗମ୍ଭୀର ଥିଲେ l ଗୋଲାପ ଭାବିଲା ଅତସୀଙ୍କ ଦୁଃଖମୟ ଦାମ୍ପତ୍ୟ ଆଗରେ ଏ ସବୁ କହିବା ଠିକ ହେଲାନି ବୋଧହୁଏ l କହି ତ ଦେଇଛି ଆଉ କଣ ହେବ ଏବେ l ଛାଡ଼ ଆର ଥରକୁ ସତର୍କ ରହିବ l


ଅତସୀ କଣ ଚେଷ୍ଟା କରି ନାହାନ୍ତି କି ସ୍ୱାମୀଙ୍କ ସହ ଠିକଠାକ ସମ୍ପର୍କ ରହୁ ବୋଲି l ହେଲେ ଗୋଟିଏ ପକ୍ଷରୁ ଚେଷ୍ଟା ହେଲେ କେବେ ବି ସୁଫଳ ମିଳିବନି l ଦୁଇ ଆଡୁ ଉଦ୍ୟମ ହେବା ଆବଶ୍ୟକ l ଅତସୀ ବେଳେ ବେଳେ ଭାବନ୍ତି ଆଜି ପର୍ଯ୍ୟନ୍ତ ସେ ପୁରୁଷୋତ୍ତମଙ୍କ ସହ ଏତେ ବାଟ ଆସିଲେ କେମିତି l ଯେଉଁ ଲୋକ ଟଙ୍କା ବିଡ଼ାଏ ଫୋପାଡ଼ି ଦେଇ ପତି ଧର୍ମର ପାଳନ କରେ ତା ସହ ସୁଦୃଢ ସମ୍ପର୍କ ରଖିବା ଯାହା ସୂର୍ଯ୍ୟ ପଶ୍ଚିମରେ ଉଦୟ ହେବା ସେଇଆ l 


କୋଉ ଦିନ ଟିକେ ଅଧିକl ବଚସା ହେଲେ ପୁରୁଷୋତ୍ତମ ଜିନିଷ ପତ୍ର ଭଙ୍ଗା ରୁଜା କରନ୍ତି ଏବଂ ଅତସୀଙ୍କୁ ବାଡିଆ ପିଟା ମଧ୍ୟ କରିବାକୁ ପଛାନ୍ତି ନାହିଁ l ଭଙ୍ଗା ଜିନିଷକୁ ଉଠାଇ ନେଇ ମାଡ଼ର ଚି଼ହ୍ନ ଘୋଡାଇ ସାରି ସେ ଯାଆନ୍ତି ଗୋଲାପ ସାମ୍ନାକୁ l ଯେହେତୁ ମିଛକୁ ଘୃଣା କରନ୍ତି ତେଣୁ ଅନ୍ୟ ସ୍ତ୍ରୀ ଲୋକଙ୍କ ଭଳି ମାଡ଼ ଗାଳି ଖାଇ ତହିଁ ପର ଦିନ ମିଛ ସୁଖର ପ୍ରଲେପ ଦେଇ ସ୍ୱାମୀର ଗୁଣ ଗାନ ମଧ୍ୟ କରନ୍ତି ନାହିଁ l

ଦୁଃଖକୁ ଆଡେଇ ହୋଇ ରହିବାର ଅଭ୍ୟାସ ନଥିବାରୁ ଅତସୀଙ୍କ ମୁଖ ମଣ୍ଡଳରେ ସୁଖର ଛାପ ଟିକେ ବି ଦେଖିବାକୁ ମିଳେ ନାହିଁ l ସବୁ ବେଳେ ଦୁଃଖର ଛାଇ l ହସ କଥାରେ ମଧ୍ୟ ହସି ପାରନ୍ତି ନାହିଁ l


ସେଥର ଗୋଲାପ ଚାରିଦିନ ଛୁଟିରେ ରହିଗଲା l ବାଧ୍ୟ ହୋଇ ଅତସୀ ତା ଘରକୁ ବାହାରିଲେ l ଘରେ ପହଞ୍ଚି ଦେଖିଲେ ତା ଘରେ ତାଲା ଝୁଲୁଛି l ପାଖ ଲୋକ କହିଲେ ଗୋଲାପକୁ ତା ବର ସବୁବେଳେ ବଡିଆପିଟା କରୁ ଥିଲା ମାତ୍ର ସେଦିନ ସୀମା ଟପି ଯିବାରୁ ଗୋଲାପ ଘର ଛାଡି ବାପ ଘର ଗାଁକୁ ଚାଲି ଯାଇଛି l


ଅତସୀ କିଛି ନକହି ଫେରି ଆସିଲେ l ଗୋଲାପର ମିଛ କାହାଣୀ ମନେ ପକାଇ ତାଙ୍କ ଅନ୍ତରାତ୍ମା ଜଳି ଉଠୁଥାଏ l ଗୋଟେ ସପ୍ତାହ ପରେ ଗୋଲାପ ଫେରିଲା l ଅତସୀ କିଛି ନ ଶୁଣି ଆରମ୍ଭ କରିଦେଲେ l ଗୋଲାପର ଏତେ ସାହସ କେମିତି ହେଲା ଅନର୍ଗଳ ମିଛ କହିବାକୁ l ସେ କଣ ତାର ଦାମ୍ପତ୍ୟ ପ୍ରେମ ବିଷୟରେ ନିଜ ଆଡୁ ପଚାରୁ ଥିଲେ କି l ଏତେ ବଡ କାହାଣୀ ମାନ ରଚନା କରିବା କଣ ଦରକାର ଥିଲା l ଗୋଲାପର ପ୍ରତ୍ୟୁତ୍ତରରେ ଅତସୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l


ଗୋଲାପ କହିଥିଲା

-- ମୁଁ କଣ ଜାଣି ଶୁଣି କି ମିଛ କହୁଛି କି l ସେମିତି ନୁହେଁ ମ l ମୁଁ ତୁମଠୁ ଦୟା ପାଇବାକୁ ବି ମିଛ କହୁନି l ମୁଁ ଯାହା ଚାହେଁ ତାକୁ ପାଏନି ଓ ଯାହା ପାଏ ତାହା ସହି ହୁଏନି l ଏମିତି କିଛି କଥା ବାର୍ତ୍ତା କରି ଅନ୍ତତଃ ମନକୁ ତ ଶାନ୍ତି ମିଳୁଛି l

-- ତୁ ମିଛ କହି ଭୁଲ କରିଛୁ l ଏବେ ଆଉ ଏତେ ଜ୍ଞାନୀ ଭଳି ଭାଷଣ ଦେବl ବନ୍ଦ କର l

-- ଭାଷଣ ନୁହେଁ ମାଆ l ଚାହିଁବା ଜିନିଷ ନ ମିଳିଲେ କଣ ଇଚ୍ଛାଟା ମରିଯିବ ବୋଲି ଭାବୁଛ କି ? ତାହା କଳ୍ପନାରେ ହେଉ କି ସ୍ୱପ୍ନରେ ହେଉ ଆସିବ ହିଁ ଆସିବ l ସେଇଟା ହିଁ ମୁଁ ପାଟିରେ କହୁଛି ଓ ତୁମେ ଶୁଣୁଛ l ମୋର ସେଇ ଇଚ୍ଛା ଗୁଡିକ ତୁମ ପାଇଁ ମିଛ କାହାଣୀ ଆଉ ମୋ ପାଇଁ ସୁଖ ସ୍ୱପ୍ନ l 


ଅତସୀ ସ୍ତବ୍ଧ ହୋଇ ଶୁଣୁଥିଲେ l ଗୋଲାପ କହି ଚାଲିଥିଲା

--ସେ ଦିନ ମୋତେ ବରା ଖାଇବାକୁ ମନ ହେଉଥିଲା l କିନ୍ତୁ ପାଖରେ ପଇସା ନଥାଏ l କିଛି ନଖାଇ ଚାଲି ଆସିଲି l ମିଶ୍ର ବାବୁଙ୍କ ମା ଯେତେ ବେଳେ ପଚାରିଲେ ମୁଁ କଣ ଖାଇଛି ବୋଲି ମୁଁ କହିଲି ବରା ତରକାରୀ ଖାଇଛି l ସେଥିରେ ମୋ ଭୋକ ଅଧେ ଚାଲିଗଲା ଓ ମୁଁ ତୃପ୍ତ ହୋଇଗଲି l

--ଏଭଳି ନିଜକୁ ନିଜେ ଠକି ଚାଲିଛୁ ତୁ ? ଯେଉଁ ମିଛ କେବେ ବି ସତ ହେବନି ତାହା କହି ଲାଭ କଣ ? ହଉ ଏବେ ଯା କାମ କର l


ଗୋଲାପ ଗଲା ପରେ ଅତସୀ ଭାବିଲେ ଗୋଲାପ ଯାହା କହୁଛି ତାହା କଣ ସତ ହୋଇଥିବ ? ଯଦି ହୁଏ ଏବଂ ତାକୁ ଯଦି କାର୍ଯ୍ୟରେ ଲଗାଯାଏ ତେବେ………?


ସେଦିନ ପ୍ରଥମ ଥର ପାଇଁ ଅତସୀ ଦର୍ପଣ ଆଗରେ ନିଜକୁ ନିରେଖି ଦେଖୁଲେ l ଅନେକ ବର୍ଷ ହେଲା ଏତେ ନିଘାରେ ନିଜକୁ କେବେ ଦେଖି ନଥିଲେ l ମୁହଁରେ ବୟସର ଛାପ l ଚିନ୍ତାର କାୟା ବିସ୍ତାର ହୋଇ ଚାଲିଛି l


ଆଲମାରୀ ଖୋଲି ଗୋଟିଏ ଗୋଟିଏ ଶାଢ଼ୀ ବାହାର କରି ରଖିଲେ l କେଉଁଟା ଭାଇ ଦେଇଛି ତ କେଉଁଟା ମା ଆଡୁ ଆସିଛି l ପୁଣି ଗୋଟିଏ ଶାଢ଼ୀ ପୁଅ ସ୍କଲାରସିପ ପାଇ ଦେଇଛି l କେଉଁଟା ପୁଣି ସେ ନିଜେ କିଣିଛନ୍ତି ନିଜ ପସନ୍ଦରେ l ଏମିତି ଅନେକ ନୂଆ ଶାଢ଼ୀ ଅଛି ଯାହାକୁ ସେ ଛୁଇଁ ନାହାନ୍ତି l ସ୍ୱାମୀ କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ କିଛି ଦେଇ ନାହାନ୍ତି l ନିର୍ମମ ବାସ୍ତବତା ଭିତରେ ପାଣି ବାହାରେ ଥିବା ମାଛ ଭଳି ସେ ଛଟପଟ ହେଉଛନ୍ତି ସିନା ଖୁସି ହେବାକୁ ମନ ହିଁ ହେଉନି l


ଏମିତି ଦେଖୁ ଦେଖୁ ସେଥିରୁ ଗୋଟିଏ ନୂଆ ଶାଢ଼ୀ ବାହାର କରି ତହିଁ ପର ଦିନ ସକାଳୁ ପିନ୍ଧି ପକାଇଲେ ଯାହାକୁ ତାଙ୍କ ଭାଇ ସାବିତ୍ରୀ ପୂଜା ଦିନ ଦେଇଥିଲା l ଗୋଲାପ ଆସିଲା l

--ମା ! ଆଜି କଣ ନୂଆ ଶାଢ଼ୀ ? ଜନ୍ମ ଦିନ ନା ବିବାହ ବାର୍ଷିକୀ ତୁମର ? ଏ ରଙ୍ଗଟା ତୁମ ଉପରେ ବହୁତ ମାନୁଛି l ବେଶି ଦାମ ହୋଇଥିବ ତ l

-- ଆଜି ମୋର କିଛି ବି ପାଳନ କରିବାକୁ ନାହିଁ l ଦାମ କଥା ମୁଁ ବି ଜାଣେନି l ଏଇଟା ମୋତେ ବାବୁ ଗିଫ୍ଟ ଦେଇଥିଲେ l

-- ଯାହା କୁହ ମା ବାବୁଙ୍କ ପସନ୍ଦ ବହୁତ ବଢିଆ ହେଇଛି l

ଏତିକି କହି ଗୋଲାପ କାମରେ ଲାଗି ପଡିଲା l


ଗୋଲାପ ଗଲା ପରେ ଅତସୀ ଠିକ ଗୋଟିଏ ଅଭିସାରିକା ପରି ଅପେକ୍ଷା କରି ବସିଥିଲେ ପୁରୁଷୋତ୍ତମଙ୍କୁ l ସେ ଯେତେବେଳେ ଘରକୁ ଫେରିଲେ ସବୁ ଦିନ ଭଳି କିଛି ଗୋଟେ କାଣ୍ଡ ଆରମ୍ଭ କରିବା ଆଗରୁ ଅତସୀ ତାଙ୍କ ସାମ୍ନାକୁ ଚାଲିଗଲେ l

-- ଦେଖିଲ ! ତୁମେ ସେ ବର୍ଷ ମୋ ଜନ୍ମଦିନରେ ଯୋଉ ଶାଢ଼ୀ ଟି ଆଣିଥିଲ ଓ ପସନ୍ଦ ନ ହେବାରୁ ମୁଁ ତୁମ ସାଙ୍ଗରେ ଝଗଡା କରିଥିଲି ଆଜି ସେ ଶାଢ଼ୀଟା ପିନ୍ଧିଛି l କେମିତି ଲାଗୁଛି ଦେଖ ତ କାଇଁ l

-- ବାହା ହେଲାଠୁ ଝଗଡା କରିବା ଛଡା ତୁମେ ମୋତେ ଦେଇଛ ବା କଣ l ନା ନିଜେ ଶାନ୍ତିରେ ରହି ପାରିଲ ନା ମୋତେ ରହିବାକୁ ଦେଲ l ମୁଁ ବୋଲି ବେସରମ ଭଳିଆ ଏଠି ମାଟି କାମୁଡି ପଡି ରହିଛି l ଆଉ କେହି ହୋଇଥିଲେ କେବେଠାରୁ ଧକ୍କା ମାରି ତୁମକୁ ବାହାର କରିଥାନ୍ତା l


ଅତସୀ ଅତି କଷ୍ଟରେ ପାଟି ବନ୍ଦ କରି ନିଜକୁ ନିୟନ୍ତ୍ରଣରେ ରଖିବା ପରେ ପୁଣି ଆରମ୍ଭ କଲେ

-- ମୁଁ ଜାଣି ନଥିଲି ମ ତୁମ ପସନ୍ଦ ଏତେ ଭଲ ବୋଲି l ମୋତେ ପୁଣି ବହୁତ ଭଲ ମାନୁଛି ବୋଲି ଆପାର୍ଟମେଣ୍ଟର ସମସ୍ତେ କହୁଛନ୍ତି l ସତରେ କଣ ରଙ୍ଗଟା ମୋତେ ଏତେ ମାନୁଛି ? ତୁମେ କଣ ଗୋଟେ ଏମିତି ସେମିତି ନେଇ ଆସିଥିବ ବୋଲି ଭାବୁଥିଲି ନା l


ଅନେକ ବର୍ଷ ପରେ ପୁରୁଷୋତ୍ତମ ପ୍ରଥମ ଥର ପାଇଁ ଅତସୀଙ୍କୁ ଆପlଦମସ୍ତକ ଦେଖୁ ଥିଲେ l ନହେଲେ ତ କମ୍ପାନୀ କାମରୁ ଫୁରୁସତ ମିଳିଲେ ପିଆ ପର୍ବ ଓ ଘରକୁ ଆସିଲେ ଭଙ୍ଗା ରୁଜା କାମରୁ ବିରତି ମିଳୁ ନଥିଲା ତାଙ୍କୁ l ପ୍ରଥମ ଥର ପାଇଁ ସେଦିନ ପୁରୁଷୋତ୍ତମ ଘରକୁ ଫେରୁ ଫେରୁ ଗଣ୍ଡଗୋଳ ନ କରି ସିଧା ଯାଇ ଶୋଇ ପଡ଼ିଥିଲେ l


କେତେ ଦିନ ଏମିତି ଶାନ୍ତିରେ କଟି ଗଲା l ଗଣ୍ଡଗୋଳ କିଛିଟା କମି ଆସୁଥିଲା l ଏଇ କେତେ ଦିନ ହେଲା ଘରେ କିଛି ଭଙ୍ଗାରୁଜା ମଧ୍ୟ ହୋଇନାହିଁ l ଏହାର ଏକ ମାସ ପରେ ପୁଣି ଗୋଟିଏ ନୂଆ ଶାଢ଼ୀ କଢ଼ା ହେଲା l ପୁଋଷୋତ୍ତମ ଘରକୁ ଫେରୁ ଫେରୁ ଅତସୀ ଆରମ୍ଭ କଲେ

--ଏମିତି ଚାହୁଁଛ କଣ ମ ! ତୁମେ ସେଦିନ ମୋତେ ପାଞ୍ଚ ହଜାର ଟଙ୍କା ଦେଇ ସାଗୁଆ ରଙ୍ଗର ପାଟ ହିଁ ଆଣିବା ପାଇଁ କହି ନଥିଲ ? ସାଗୁଆ କାଳେ ତୁମର ଭାରି ପସନ୍ଦ l ମନେ ନାହିଁ କି ? ଘରକୁ ଆସୁ ଆସୁ ଦି ବିଡା ଫୋପାଡ଼ି ଦେଇଥିଲ ପରା l ଠିକ ଚାରି ହଜାର ସାତ ଶହ ସତୁରି ପଡିଲା l ତୁମେ ସେଦିନ ଡ୍ରିଙ୍କ କରି ମଧ୍ୟ ମୋ ଜନ୍ମ ଦିନ କଥା ଭୁଲି ନଥିଲ l

ପୁରୁଷୋତ୍ତମଙ୍କ କାହିଁ କିଛି ହେଲେ ମନେ ପଡ଼ୁ ନଥିଲା l ସେ କେବେ ଅତସୀଙ୍କୁ ଏତେ କଥା ପୁଣି କହିଥିଲେ ? ଅତସୀ କଣ କହୁଛନ୍ତି ସେ କିଛି ବି ବୁଝି ପାରୁ ନଥିଲେ l ତାଙ୍କ ସହ କଣ ସବୁ ଘଟୁଛି l


ଏମିତି ଛ ମାସ ଧରି ଅତସୀଙ୍କର କୃତଜ୍ଞତା ଜ୍ଞାପନ ପର୍ବ ଚାଲିଥିଲା ଓ ସାନ୍ଧ୍ୟ ଗଣ୍ଡଗୋଳଟି ପ୍ରାୟ ବନ୍ଦ ହୋଇ ଯାଇଥିଲା କହିଲେ ଚଳେ l ବେଳେ ବେଳେ ପୁରୁଷୋତ୍ତମ ନିଶାସକ୍ତ ନ ହୋଇ ଶୀଘ୍ର ଫେରି ଆସୁଥିଲେ ତାହା ପୁଣି କମ୍ପାନୀ ବିଷୟରେ ଅତସୀଙ୍କ ସହ କିଛି କଥା ହେବା ଆଳରେ !! ହଠାତ ଦିନେ ଅତସୀଙ୍କୁ କହିଲେ

--ଆଜି ସେ ଶାଢ଼ୀଟା ପିନ୍ଧିଲ ଯାହାକୁ ମୁଁ ସେଦିନ ଆଣିଥିଲି ଓ ଯେଉଁ ରଙ୍ଗଟା ତୁମକୁ ଭଲ ମାନୁଥିଲା ବୋଲି ସମସ୍ତେ କହୁଥିଲେ l


ଅତସୀ ଭାବିଲେ ଏବେ ଧରା ପଡି ଯିବେ ଯଦି ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବ l ତେଣୁ ନିଜକୁ ସମ୍ଭାଳି ନେଇ କହିଲେ

--ତୁମେ ଆଉ କେତୋଟି ମଧ୍ୟ ଆଣି ଦେଇଛ l ନ ଆଣିଲେ ମଧ୍ୟ ତୁମେ ଦେଇଥିବା ଉପହାର ଟଙ୍କାରେ ହିଁ ତ କିଣା ହୋଇଛି ନା ! ସେଥିପାଇଁ ସବୁ ଗୁଡିକ ମୋତେ ଭଲ ମାନେ l ନିଜେ ଆସି ଆଲମାରୀ ଦେଖି ପସନ୍ଦ କରିଯାଅ l ଆଜି ତୁମ ପସନ୍ଦର ହିଁ ପିନ୍ଧିବି ବୋଲି ଭାବିଛି l

--ତୁମେ ଯାହା ପିନ୍ଧିଲେ ବି ସୁନ୍ଦର ଦିଶିବ l ଆଉ ମୋ ପସନ୍ଦ କଥା କଣ କହୁଛ l ତୁମେ ବି ତ ମୋର ହିଁ ପସନ୍ଦ ନା !

ଅତସୀଙ୍କ ମୁଖ ମଣ୍ଡଳରେ ଇନ୍ଦ୍ରଧନୁର ସାତୋଟି ରଙ୍ଗ ଝଲସୁ ଥିଲା l


ସେ ଖାଲି ଭାବୁଥିଲେ ମିଛ କହିବା ମହା ପାପ l ହେଲେ ସେଥିରେ ଯଦି ଜୀବନର ଅଡୁଆ ଗଣ୍ଠିଟି ଫିଟିଯାଇ ସରଳ ରାସ୍ତାଟିଏ ଦିଶି ଯାଏ , ତେବେ ସେଇ ମିଛ ବୋଧହୁଏ ଖରାପ ନୁହେଁ ବରଂ ତାହା ଗୋଟେ ମଲମର କାମ ଦିଏ ଯାହା କ୍ଷତ ଟିକୁ ହୁଏତ ଭଲ କରିଦେଇ ପlରେ ନଚେତ ଗୋଲାପ ଭଳି ଅନ୍ତରର ଯନ୍ତ୍ରଣାକୁ କିଛି ସମୟ ପାଇଁ ହେଲେ ବି ଉପଶମ କରିଦିଏ l ସେଥିପାଇଁ ଗୋଲାପ ଆଗାମୀ କାଲିର ସ୍ୱପ୍ନ ବୁଣୁଛି ଓ ଆଶା ରଖୁଛି ଯେ ଏଇ ମିଛ ଦିନେ ଆଗକୁ ସତ ହେବ l ଆଉ ତାଙ୍କ ନିଜର ମିଛ ଯୋଗୁଁ ଗୋଟିଏ ବେକାବୁ ପୁରୁଷ ଘର ମୁହାଁ ହୋଇ ପାରୁଛି l


ପାଖରେ ଥିବା ଟି.ଭିରେ ଏକ ବିଜ୍ଞାପନ ଚାଲିଥିଲା ଯୋଉଠି ଟ୍ରାଫିକ ଯାମରେ ଫସିଥିବା ଅଭିଭାବକ ମାନଙ୍କର ଝଗଡା ହେଉଥିବl ଦେଖି ତାଙ୍କ ପିଲା ଦୁଇଟି ପରସ୍ପର ସହିତ ମିଛି ମିଛିକl ଝଗଡା କରି ପାଣି କାଦୁଅରେ ସ୍କୁଲ ଡ୍ରେସକୁ ମଇଳା କରିସାରି ବାପା ମାନଙ୍କୁ ଝଗଡା ରୁ ନିବର୍ତ୍ତାଇବାକୁ ନିଜ ଆଡେ ଦୃଷ୍ଟି ଆକର୍ଷଣ କରୁଥିଲେ l ପରିଶେଷରେ ବିଜ୍ଞାପନର ବାର୍ତ୍ତା ଥିଲା " ଦାଗ ଆଚ୍ଛେ ହେଁ " l



Rate this content
Log in

Similar oriya story from Inspirational