ମହିଳା ଦିବସ।
ମହିଳା ଦିବସ।


ଭାରତୀୟ ସଂସ୍କୃତି ଓ ପରମ୍ପରା ମୁଖ୍ୟତଃ ନାରୀ ମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛି। ବୈଦିକ ଯୁଗରୁ ସୃତି/ବେଦକୁ ମୁଖସ୍ଥ କରିଥିବା ମହନୀୟା ମହିୟସୀ ମହିଳା ଗାର୍ଗୀ, ମୈତ୍ରେୟୀଙ୍କ କଥା ନିଆଯାଉ କିମ୍ବା ପୁରାଣ ପୃଷ୍ଠାରୁ ଦୁର୍ଗା କାଳୀ ଭଳି ଶକ୍ତିଶାଳୀ ଦେବୀ ମାନଙ୍କ କଥା ବିଚାରକୁ ନିଆଯାଉ, ନାରୀ ବିନା ଭାରତୀୟ ସଂସ୍କୃତିକୁ ପରିକଳ୍ପନା କରିବା ବାହୁଲ୍ୟ ମାତ୍ର। ସାମାଜିକ, ଧାର୍ମିକ, ମାର୍ମିକ, ବୈଜ୍ଞାନିକ, ଐତିହାସିକ କ୍ଷେତ୍ରରେ ନାରୀ ହେଉଛି ସମାଜର ଏକ ନିର୍ଭରଯୋଗ୍ୟ ବଳିଷ୍ଠ ଅଙ୍ଗ। ସାମାଜିକ କ୍ଷେତ୍ରକୁ ପର୍ଯ୍ୟାଲୋଚନା କଲେ ସମାଜର ତଳ ସ୍ତରର ଲୋକମାନେ ବି ନିର୍ଭୟ ନିର୍ଦ୍ୱନ୍ଦ ଓ ନିଃସଙ୍କୋଚରେ କହି ପାରିବ ଯେ ଚାକିରୀ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ ଓ ପରିବାର ପରିଚାଳନା କ୍ଷେତ୍ରରେ ମହିଳାମାନେ ଆଗଧାଡ଼ିରେ ଅଛନ୍ତି।
ଧର୍ମ ଯେ କେବଳ ଅନ୍ଧବିଶ୍ୱାସରେ ବୁଡି ରହିଛି ଓ ସେଥିରେ ସମାଜ ସଂସ୍କାର ନାହିଁ, ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ। ଧାର୍ମିକ ପୃଷ୍ଠଭୂମିକୁ ବିଶ୍ଳେଷଣ କଲେ ଦଣାଯାଏ, ଆଜିର ସ୍ୱଚ୍ଛତା ଅଭିଯାନ ହିନ୍ଦୁଧର୍ମର ଆଦିଭୌତିକ ଯୁଗରୁ ପ୍ରଚଳିତ ହୋଇ ଆସୁଛି। ହିନ୍ଦୁଧର୍ମ ହେଉ ବା ଉତ୍କଳୀୟ ପରମ୍ପରା ହେଉ ସବୁ ପର୍ବ ପର୍ବାଣୀ ପୂର୍ବରୁ ଘର, ଦ୍ୱାର, ରାସ୍ତା ଘାଟ ତଥା ପରିପାର୍ସ୍ବୀକ ପରିବେଶ ସଫା ସୁତୁରା ରଖି ସରିଲା ପରେ ଧର୍ମୀୟ କାର୍ଯ୍ୟ ଆରମ୍ଭ କରାଯାଏ। ସଫା ସୁତୁରା ବସ୍ତ୍ର କିମ୍ବା ନବବସ୍ତ୍ର ପରିଧାନ ବ୍ୟତିରେକ କୌଣସି ଦେବକାର୍ଯ୍ୟ କରାଯାଏ ନାହିଁ। ଆଉ ଏସବୁ ଗୁରୁଦାୟିତ୍ୱ ଘରର କେବଳ ମହିଳାମାନେ ତୁଲାଇ ଥାଆନ୍ତି।
ଭାରତ ବର୍ଷରେ ପରିବାର ଗୁଡିକ ପୁରୁଷ କୈନ୍ଦ୍ରିକ ହୋଇଥିବା ସତ୍ତ୍ୱେ ପରିବାରର ଯେକୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ବା ମାର୍ମିକ କାର୍ଯ୍ୟ ଗୁଡିକ ପରିବାରର ମହିଳା ମାନଙ୍କ ସମ୍ମତି କ୍ରମେ ସମ୍ପାଦିତ ହୋଇଥାଏ।
ସମୁଦ୍ର ଭିତରର ତତ୍ତ୍ୱ ଠାରୁ ପାଇଲଟ ପର୍ଯ୍ୟନ୍ତ, ଡାକ୍ତରୀ ବିଦ୍ୟା, ଯାନ୍ତ୍ରିକ ବିଦ୍ୟା ଠାରୁ ଅନ୍ତରୀକ୍ଷ ଯାତ୍ରା ପର୍ଯ୍ୟନ୍ତ ମହିଳା ମାନେ ଆଗରେ ଅଛନ୍ତି ଓ ଆଗାମୀ ଭବିଷ୍ୟତରେ ରହିବେ ମଧ୍ୟ। ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ସୂଚନା ପ୍ରୌଦ୍ୟୋଗିକ କ୍ଷେତ୍ରରେ ମହିଳା ମାନେ ଆଜି ବହୁତ ଆଗରେ ଅଛନ୍ତି।
ଇତିହାସ ପୃଷ୍ଠାକୁ ଫର୍ଦ୍ଦ ଫର୍ଦ୍ଦ କରି ଓଲଟାଇ ଦେଖିଲେ ମହିଳା ବା ନାରୀ ଜାତି ହିଁ ମହିମା ମଣ୍ଡିତ କାର୍ଯ୍ୟଧାରା ପାଇଁ ପ୍ରସଂଶାର ଚୂଡ଼ା ଦେଶରେ ବିରାଜମାନ। ବିରାଙ୍ଗନା ରାଣୀ ଲକ୍ଷ୍ମୀବାଇ, ଶୁକଦେଇଙ୍କ ଗାଥା ତାଙ୍କର ନିଜ ନିଜ ଶାଣିତ କ୍ଷୁଧିତ ରକ୍ତରଞ୍ଜିତ କୋଷମୁକ୍ତ ବିଜୟୀ ତରବାରି ହିଁ ଦେଇ ପାରିବ।
(ଶୁକଦେଇ, ବାଙ୍କୀ ଗଡର ରାଣୀ। ଖୋର୍ଦ୍ଧା ରାଜାଙ୍କ ଦ୍ୱାରା ଯୁଦ୍ଧରେ ବିରଗତି ପ୍ରାପ୍ତ ପରେ ବାଙ୍କୀ ଗଡର ରାଣୀ ନିଜ ବିରଙ୍ଗନାର ପରିଚୟ ଦେଇ ଖୋର୍ଦ୍ଧା ଗଡର ରାଜାଙ୍କୁ ପରାସ୍ତ କରିଥିଲେ। ଓ ପରେ ଯୁଦ୍ଧର ଭୟାବହତାବିଷୟରେ ବୁଝାଇ ଖୋରଧା ରାଜାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଥିଲେ।) ଧର୍ମୀୟ କ୍ଷେତ୍ରରେ ଜ୍ୟୋତିଲିଙ୍ଗ ତଥା ମନ୍ଦିର ମାନ ନିର୍ମାଣ କରି ରାଣୀ ଅହଲ୍ୟା ବାଇ ହୋଳକର ଯେଉଁ ଛାପ ଛାଡି ଯାଇଛନ୍ତି ତାହା ଅବର୍ଣ୍ଣନୀୟ। ତାଙ୍କ ଦ୍ୱାରା ନିର୍ମିତ ପରଳି ବୈଜନାଥ ମନ୍ଦିର ଶୈବ ଧର୍ମାବଲମ୍ବୀ ମାନଙ୍କ ପାଇଁ ଅମୂଲ୍ୟ ଦାନ। (ମହାରାଷ୍ଟ୍ର,ମରାଠାଵାଡା ରାଜ୍ୟର ମହାରାଣୀ) ମହିଳା ଶିକ୍ଷା ଓ ସଂସ୍କାର ପାଇଁ ସାବିତ୍ରୀ ବାଇ ଫୁଲେଙ୍କ (ମହାରାଷ୍ଟ୍ର, ବିରାର) ଅବଦାନ ଅତୁଳନୀୟ। କଳ୍ପନା ଚାଓଲା ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ଏକ ମାଇଲ ଖମ୍ବ।
ମହିଳା ମାନଙ୍କୁ ଯଦି ସ୍ୱାଧୀନତା ନ ଦେଇ ଅଙ୍କୁଶ ଲଗାଇ ସଙ୍କୁଚିତ କରାଜାଇଥାଆନ୍ତା ହୁଏତ ସେମାନେ ସମାଜର ମୁଖ୍ୟ ସ୍ରୋତରେ ଆଗକୁ ବଢି ଯାଇପାରି ନ ଥାଆନ୍ତେ। ଉପରୋକ୍ତ ସକାରାତ୍ମକ କାରଣ ଗୁଡିକ ଯୋଗୁଁ ଆମ ମହିଳା ସଂସ୍କୃତି ଓ ପରମ୍ପରା ମହାନ ଅଟେ।
ଉତ୍କଳୀୟ ଚିନ୍ତା ଚେତନା, ଜଗନ୍ନାଥ ସର୍ବସ୍ୱ ଓଡ଼ିଶାର ଭାବଧାରା ବହୁ ଆଗରେ। ଆମ ବଡ଼ଠାକୁର ଜଗତର ନାଥ ଜଗନ୍ନାଥ ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରା କରନ୍ତି। ବଳଭଦ୍ର ଜନ୍ମ ଦିନ ହିଁ ରାଖୀ ପୂର୍ଣ୍ଣିମା ତଥା ଭଉଣୀ ବା ମାତୃଜାତି ଉପରେ ପ୍ରାଧାନ୍ୟର ପର୍ବ ଓଡ଼ିଆ ଜାତି ପାଳନ କରିଥାଏ।
ରଜ ପର୍ବ ମହିଳା ମାନଙ୍କର ଓ ମହିଳା ମାନଙ୍କ ପାଇଁ। ଏଥିରେ ମାତୃଜାତିର ପ୍ରତୀକ ଭୁ-ମାତାକୁ କର୍ଷଣ କରାଯାଏ ନାହିଁ।
ରମାଦେବୀ, ନନ୍ଦିନୀ ଶତପଥୀ,ବସନ୍ତମଞ୍ଜରୀ ଦେବୀ,କୁନ୍ତଳା କୁମାରୀ ସାବତ, ମାଳତୀ ଚୌଧୁରୀ, ପ୍ରଭାତୀ ଦେବୀ ତଥା ଅର୍ଣ୍ଣପୁର୍ଣ୍ଣା ଦେବୀ ଭଳି ବୀର ରମଣୀ ମାନେ ଓଡିଶା ଇତିହାସ ପୃଷ୍ଠାକୁ ମଣ୍ଡନ କରିଯାଇଛନ୍ତି।
"ବିଶ୍ୱ ମହିଳା ଦିବସ" ଅବସରରେ ସବୁ ଯୁବବନ୍ଧୁ ମାନେ ଆତ୍ମୀୟ ଓ ଆନ୍ତରିକତାର ସହ ବଜ୍ର ଶପଥ ନେବା ଆବଶ୍ୟକ ଯେ, କୌଣସି ଦୁର୍ବଳ ମୁହୂର୍ତ୍ତରେ ଚରିତ୍ର ସ୍ଖଳନ ପୂର୍ବକ,ଅସୁୟା ଆକ୍ରୋଶ ଭାବ ନେଇ ନାରୀ ଜାତିକୁ ଅସମ୍ମାନୀତ କରିବେ ନାହିଁ। ଆମ ସଂସ୍କୃତି ଓ ପରମ୍ପରାକୁ ଅଧିକରୁ ଅଧିକ ମଝବୁତ କରିବାରେ ସଦୟ ସହଯୋଗ କରିବେ। ତେବେ ଯାଇ ବର୍ଷର ପ୍ରତି ମାସ, ମାସର ପ୍ରତି ପକ୍ଷ, ପକ୍ଷର ପ୍ରତି ସପ୍ତାହ ଆଉ ପ୍ରତି ସପ୍ତାହର ସାତ ଦିନ ଯାକ ଆମପାଇଁ ହେବ "ଆନ୍ତର୍ଜାତୀୟ ମହିଳା ଦିବସ।
ମାର୍ଚ୍ଚ ଆଠ ତାରିଖ ଆସିଲେ ସବୁ ଭଦ୍ର କୁକୁର ମଧୁର ସ୍ୱରରେ ଭୁକିବାକୁ ଲାଗନ୍ତି "ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଭିନନ୍ଦନ ଜଣାଉଛୁ।" ଏହା କେବଳ "ବିଷୋକୁମ୍ଭ ପୟୋ ମୁଖେ" ଭଳି।
ଅନେକ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅଛନ୍ତି ଖାଲି ନାରୀ ଉପରେ ଲମ୍ବା ଭାଷଣ ଦେଇ ନିଜକୁ ଆଦର୍ଶବାଦୀ ବୋଲି ସମାଜ ଆଗରେ ଦେଖେଇ ହୁଅନ୍ତି। ସେମାନେ ଚାହିଁଲେ କଣ ନାରୀ ସୁରକ୍ଷା ଓ ସ୍ବାଧୀନତାର ନୂତନ ବିଧେୟକ ଆଣି ପାରିବେ ନାହିଁ ନାରୀ ବିରୋଧରେ ହେଉଥିବା ଦୁଷ୍କର୍ମ, ଅଶାଳୀନତା, ଦୁର୍ବ୍ୟବହାର ଉପରେ ଲଗାମ ଲଗାଇ ପାରିବେ ନାହିଁ ଯଦି ନ ପାରିବେ ସେମାନେ ନିଶ୍ଚୟ ଅପଙ୍ଗ।
ଯଦି ପାରିବେ...
ଆଇନର ଗଳାବାଟଦେଇ ଲମ୍ବିତ ହୋଇ ପଡି ରହିଥିବା ନିର୍ଭୟା, ସସ୍ମିତା ବେବିନା ଭଳି ଘଟଣା ଗୁଡିକ ସମାଜକୁ କୋଉ ପ୍ରକାର ଦିଗଦର୍ଶନ ଦେଉଅଛି ମହିଳା ଦିବସରେ ଅଭିନନ୍ଦନ ଜଣାଇବା ଏହି ନେତା ମନ୍ତ୍ରୀଙ୍କ ପକ୍ଷେ ସଇତାନର ବେଦପାଠ ନୁହେଁ କି ସାମ୍ବାଦିକ ମାନେ ଯଦି ଦୈବାତ ପ୍ରଶ୍ନ ଟିଏ ପଚାରି ଦିଅନ୍ତି ଏହାର ଆଗାମୀ ପଦକ୍ଷେପ କଣ ଉତ୍ତର ମିଳେ, ଆଇନ ତା' ବାଟରେ ଯିବ।
ନିରପେକ୍ଷ ଓ ନିରଙ୍କୁଶ ଘୋଷିତ ହୋଇଥିବା ଭାରତୀୟ ଆଇନ ବ୍ୟବସ୍ଥା କେବେ ତା'ବାଟରେ ଯାଏ ପ୍ରଭୁତ୍ୱ କ୍ଷମତାରେ ଉଦ୍ବେଳିତ ହୋଇଥିବା ରାଜନୈତିକ ନେତାଙ୍କ ଅଦୃଶ୍ୟ ଇଙ୍ଗିତ ରୂପକ ରିମୋଟ କଣ୍ଟ୍ରୋଲରେ ଭାରତୀୟ ପିଙ୍ଗଳ କୋର୍ଟର ଆଇନି ବ୍ୟବସ୍ଥା ବସ୍ ଉଠ୍ ହୁଏ। ଧୂର୍ତ ଶଠ ପୋଖତ ଓକିଲ ମାନଙ୍କ ଦ୍ୱାରା ଆଇନି ଖେଳଣା ସାମଗ୍ରୀ ପାଲଟି ଯାଏ।
ଖାଲି ଆମ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ଦେଖିବାକୁ ଗଲେ ପୋଲିସ ବ୍ୟବସ୍ଥା, ମହିଳା କମିଶନ, ଡାକ୍ତରୀ ବିଭାଗ ସବୁଠାରେ ନାରୀମାନେ ଆଗଧାଡ଼ିରେ ଅଛନ୍ତି। କିନ୍ତୁ କୌଣସି କୁଟିଳ ଅବସ୍ଥାରେ ଡୁବି ଯାଇଥିବା ଅନ୍ୟଜଣେ ନାରୀ ସେଇ ବିଭାଗ ମାନଙ୍କରୁ କୋଉ ପ୍ରକାର ଦିନ ଦେଖି ଓ ସମୟ ଦେଖି ଫେରନ୍ତି, ସେ କଥା ବିପଦରେ ପଡିଥିବା ସେହି ନାରୀ ହିଁ କହିପାରିବେ।
କାବ୍ୟ କବିତାର ଲେଖକ ମାନେ ରିତିଯୁଗୀୟ ସାହିତ୍ୟରେ ଉଦବୁଧ ହୋଇ ସଦ୍ୟ ଗୋଲାପର ପାଖୁଡା ଗୁଡିକୁ ଟିକ୍ ଟିକ୍ କରି ବୃନ୍ତଚ୍ୟୁତ କରାଇଲା ଭଳି ନାରୀ ଶରୀରକୁ ନେଇ ଶୃଙ୍ଗାର ରସରେ କ୍ଷୁଧିତ ଶାଣିତ ଓ ରସଯୁକ୍ତ କରାଇ ମାଂସ ଲୋଭି କାମାତୁର ବିଟପୁରୁଷଙ୍କୁ ପରିବେଷଣ କରିବାରେ ଅଭ୍ୟସ୍ତ। ନାରୀ ପ୍ରତି କଳ୍ମଷ ଅଭିବ୍ୟକ୍ତି, ଉପଭୋଗ୍ୟର ସାମଗ୍ରୀ ଓ କାମାଶକ୍ତ ମାନସିକତା ରଖି ବିପଥଗାମୀ ମାନବକୁ ଆଉ ଏକ ନାରୀଧର୍ଷଣ କରାଇବା ପାଇଁ ପଥପ୍ରଦର୍ଶନ ପୂର୍ବକ ନୂତନ ଦିଶା ଆଡକୁ ଆଙ୍ଗୁଳି ନିର୍ଦେଶ କରାଇ ଦେଇଥାନ୍ତି। ସେଥିରେ ହିଁ କାବ୍ୟ ପୁରୁଷକୁ ବାଃ ବାଃ ବାଃ ମିଳିଥାଏ। ଏଇ ଧରଣର କବି ଓ ଲେଖକ ପ୍ରତିଭା ମାନେ ନିଜର ନିଜ ଚେହେରାରେ ସୁବାସିତ ଚୂର୍ଣ୍ଣ ପ୍ରଲେପ(powder) ପୂର୍ବକ ମାର୍ଚ୍ଚ ଆଠ ତାରିଖରେ ମହିଳା ଦିବସର ଅଭିନନ୍ଦନ ଜଣାଇ ଥାଆନ୍ତି। ମହିଳା ସଚେତନ, ମହିଳାସୁରକ୍ଷା, ମହିଳାଅଧିକାର ଏବଂ ନାରୀନିର୍ଯ୍ୟାତନା ସମ୍ବନ୍ଧରେ ନିଜର ମସି ଚଳାଇବାକୁ ଏମାନେ କୁଣ୍ଠାବୋଧ କରନ୍ତି କାହିଁକି? ଯେଉଁ ଗୀତ, କବିତା, ଗଳ୍ପ, ଉପନ୍ୟାସ, ନାଟକ ସର୍ବୋପରି ସାହିତ୍ୟ ସୃଷ୍ଟି ପାଠକଙ୍କ ଉପାଦେୟ, ଶିକ୍ଷା, ମନୋରଞ୍ଜନ ଏବଂ ଦୈନନ୍ଦିନ କାର୍ଯ୍ୟରେ ଉପଯୋଗ ହୋଇ ନ ପାରି କୁତ୍ସାରଟନା ଆଡକୁ ନେଇଯିବ ଅମଙ୍ଗଳ ସୃଷ୍ଟି କରାଇବ, ସମାଜର ଅହିତକର ହେବ, ସେଇ ସାହିତ୍ୟର ମାନେ କଣ ସାହିତ୍ୟ ଓ ସାହିତ୍ୟ କୃତି ଯୋଗୋପଯୋଗୀ ହେବା ବାଞ୍ଛନିୟ। ଯେତେବେଳେ ଲେଖକର ଚେହେରାରୁ ସୁବାସିତ ଚୂର୍ଣ୍ଣ ଧୌତ ହୋଇଯିବ, ସେତେବେଳେ ତାର ଅବସ୍ଥିତି ଯଥା ପୂର୍ବ ତଥା ପରଂ।