STORYMIRROR

Jayashree Maharana

Tragedy Thriller Others

2  

Jayashree Maharana

Tragedy Thriller Others

ମହାବାତ୍ୟାର ଅନୁଭବ

ମହାବାତ୍ୟାର ଅନୁଭବ

3 mins
86

୧୯୯୯ ମହାବାତ୍ୟା ଓଡିଶାର ଇତିହାସର ସବୁଠାରୁ ଭୟଙ୍କର ବିପତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।ସେହି ମହାବାତ୍ୟା ଧ୍ୱଂସବିଂଧ୍ବଂସ କରିଦେଇଥିଲା ଓଡିଶାକୁ ।ଲକ୍ଷ ଲକ୍ଷ ଲୋକଙ୍କର ମରଣ,ଅଗଣିତ ପଶୁପକ୍ଷୀଙ୍କର ଜୀବନ ହାନି , କୋଟି କୋଟି ଟଙ୍କାର ଘରଦ୍ୱାର ଭାଙ୍ଗିବା ସହ ଅନେକ ବୃକ୍ଷଲତା ନଷ୍ଟ ସହ ଅକଳନ ଫସଲ ନଷ୍ଟର ଦୁଃଖଦ ଚିତ୍ର ଆଜି ପଢିଲେ ଶୁଣିଲେ ଲୋମ ଟାଙ୍କୁରି ଉଠୁଛି ।କିନ୍ତୁ ସେତେବେଳେ ବୟସର ସ୍ୱଳ୍ପତା ଦୃଷ୍ଟିରୁ ସେ ସମୟର ପରିସ୍ଥିତି ହୃଦୟଙ୍ଗମ କରିବା ମୋ ପାଇଁ କଷ୍ଟକର ଥିଲେ ମଧ୍ୟ ସେ ସମୟର ଅନୁଭୂତି କିଛି ଶବ୍ଦରେ ବର୍ଣ୍ଣନା କରୁଛି ।


 ମହାବାତ୍ୟା ଘଟିଥିବା ବର୍ଷ ସପ୍ତମ ଶ୍ରେଣୀରେ ପଢୁଥାଏ ।ଗରିବ ପରିବାରରେ ମୋର ଜନ୍ମ ।ଆମ ଘରଟି ଚାଳଛପର ଥାଏ ।ଆମେ ତିନି ଭଉଣୀ ଆଉ ଏକମାତ୍ର ଭାଇ ଆଉ ବାବା ବୋଉକୁ ନେଇ ପରିବାର ।ଯେବେ ଝଡ଼ ତୋଫାନର ସଂକେତ ମିଳେ ନନା ବୋଉ ପଡିଶା ଘରେ ଆମକୁ ଛାଡିଦିଅନ୍ତି ।ତାଙ୍କର ଘରଟି ଆଜବେଷ୍ଟସ ନିର୍ମିତ ।ଚାଳ ଅପେକ୍ଷା ସୁରକ୍ଷିତ ମନେ କରନ୍ତି ନନା ବୋଉ ।ତେଣୁ ଆମକୁ ତାଙ୍କ ଘରେ ଛାଡ଼ି ଆଶ୍ୱସ୍ତ ଅନୁଭବ କରନ୍ତି ।ନିଜେ କିନ୍ତୁ ନିଜ ଚାଳଘରେ ସେମିତି ଅପଲକ ନେତ୍ରରେ ଝଡ଼ତୋଫାନ ସରିବା ଯାଏଁ ଚାହିଁ ରୁହନ୍ତି ।



  ସେତେବେଳେ ଯେହେତୁ ସାମାଜିକ ଗଣମାଧ୍ୟମ ଏତେଟା ପ୍ରସାର ଲାଭ କରିନଥିଲା ମହାବାତ୍ୟାର ଭୟାବହତା ର ସୂଚନା ଏତେ ମିଳିନଥିଲା ।ତଥାପି ଝଡ଼ ତୋଫାନର ପ୍ରକୋପ ବଢିବା କ୍ଷଣି ଆମେ ପଡିଶା ଘରେ ଆଶ୍ରୟ ନେଲୁ ।ନନା ବୋଉ ଘରେ ଜଗି ରହିଲେ ।ବାଳୁତ ମନ କି ବୁଝେ ଝଡ଼ତୋଫାନର ବିକଟାଳ ରୂପର ଭୟ ।ପବନର ସୁ ସୁ ଗର୍ଜନ କିନ୍ତୁ ମନରେ ଭୟ ସୃଷ୍ଟି କରୁଥାଏ ।ପଡିଶା ଘରର ମାଆ ବାବା କିନ୍ତୁ ଆମକୁ ନିଜ ସନ୍ତାନ ଠାରୁ ଅଧିକ ଦେଖନ୍ତି ।ଆଜିକା ପ୍ରଗତିଶୀଳ ସମାଜରେ ସେହି ସ୍ନେହଶ୍ରଦ୍ଧା ଆଉ ସହଯୋଗର ଚିତ୍ର ଦେଖିବାକୁ ମିଳୁନାହିଁ ।ମୋର କୁନି ଭାଇକୁ ସେ ମାଆ ତାଙ୍କ କୋଳରେ ଜାବୁଡି ଧରି ଶୁଆଇ ଦେଲେ ।କିଛି ସମୟ ପରେ ମୁଁ ମଧ୍ୟ କେତେବେଳେ ସୋଇଛି ଜାଣେନି ।


 ସକାଳୁ ନିଦ ଭାଙ୍ଗିବା କ୍ଷଣି ଯେଉଁ ଦୃଶ୍ୟ ଦେଖିଲି ତାହା ବର୍ଣ୍ଣନା କରିବା କଷ୍ଟକର ।ସକାଳୁ କମିଯାଇଥିଲା ଝାଡ଼ତୋଫାନର ବେଗ ।କିନ୍ତୁ ସମ୍ପୂର୍ଣ୍ଣ ଥମିନଥିଲା ।ମଧ୍ୟମ ଧରଣର ବର୍ଷା ହେଉଥାଏ । ଦୁଆର ଖୋଲୁ ଖୋଲୁ ନଜର ପଡିଲା ଚାଳ ଛପର ଉଡିଯାଇଥିବା ଅର୍ଦ୍ଧଭଗ୍ନ ମୋ ଘର ଉପରେ ।ଯୁଆଡେ ଚାହିଁବ ଗଛପତ୍ରରେ ପରିପୂର୍ଣ୍ଣ ।ସଡ଼କ ଦାଢ଼ ରେ ଘର ଆମର ।ସଡ଼କର ଉଭୟ ପାର୍ଶ୍ଵରେ ବିରାଟ ବିରାଟ ଆମ୍ବ ଗଛ,ବରଗଛ, ଅଶ୍ୱତ୍ଥ ଗଛ ନିଜର ସତ୍ତା ହରାଇବା ପରି ପଡିରହିଥାନ୍ତି ।ବିତ୍ୟୁତ ଖୁଣ୍ଟ ଧରାଶାୟୀ ।ନନା ବୋଉ ଜରି ପାଲରେ ନିଜ ଘରକୁ ଆବଦ୍ଧ କରିବାରେ ଲାଗିପଡ଼ିଥାନ୍ତି ।ପିଲା ବୁଦ୍ଧି ଆମର କ୍ଷୟକ୍ଷତି କି ଭବିଷ୍ୟତ ଆଶ୍ରା ଚିନ୍ତା କରିବାର ଇଛା ନଥାଏ ।କାରଣ ପଡିଶା ଘର ଆମ ପାଇଁ ଆଶ୍ୱସ୍ତ ଆଶ୍ରୟସ୍ଥଳ ଥିଲା ।ପ୍ରାୟ ଚାରି ପାଞ୍ଚଦିନ ଯାଏଁ ଆମକୁ ତାଙ୍କ ଘରେ ଆଶ୍ରୟ ନେବାକୁ ପଡିଲା ରାତିରେ ।ସେ ଭିତରେ ମୋ ନନା ବୋଉ ଲାଗିପଡ଼ିଥାନ୍ତି ନିଜ ଘରକୁ ସଜାଡ଼ିବାରେ ।ସେମାନେ ଭୋକଶୋଷ ଭୁଲିଯାଇଥିଲେ ବି ଆମେ ଯାହା କିଛି ସାଇତା ଡାଲି ଚାଉଳରେ ଆମ ପେଟ ଭରିଥିଲେ ।ମହାବାତ୍ୟା ଭରିଦେଇଥିଲା ଅନେକ ଦିନ ପର୍ଯ୍ୟନ୍ତ ଖାଦ୍ୟର ଅଭାବ,ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟସ୍ଥଳର ଅଭାବ ,ସବୁଜବନାନୀ ଶୂନ୍ୟ ପ୍ରକୃତିର ଶ୍ରୀହୀନ ରୂପ ।ସେସବୁ ଦେଖିଚି,ଅନୁଭବ କରିଛି ।



   ସେ ସମୟର ଅନୁଭୂତି ଥିଲା ଅବୁଝା ମାତ୍ର ଏ ବୟସରେ ଅନୁମାନ କରିପାରୁଛି ତାହାର ପ୍ରଭାବ ।ଲୋକମାନଙ୍କ କଥା ଶୁଣୁଥାଉ ବହୁତ ଲୋକ ମୃତାହତ ହେଇଛନ୍ତି ।ବହୁତ କ୍ଷତି ହୋଇଛି ଆମ ରାଜ୍ୟର ।ସେ କ୍ଷତିର ଆକଳନ କରିବା ଅସମ୍ଭବ ।ଦୁଇ ତିନି ଦିନ ଯାଏଁ ଲୋକ ସ୍ୱାଭାବିକ ହୋଇପାରିନଥିଲେ ।ପରବର୍ତ୍ତୀ ସମୟରେ ବୟସ ସହ ତାଳ ଦେଇ ଶିକ୍ଷାଦୀକ୍ଷା ସହ ଜ୍ଞାନବୃଦ୍ଧି,ଜଣା ଅଜଣା ଘଟଣା ଦୁର୍ଘଟଣାର ଭୟାବହତା ପୁସ୍ତକରୁ ପଢି ଅଭିଜ୍ଞ ଲୋକଙ୍କ ଠାରୁ ଶୁଣି ସେସମୟର ନିଜର ଅଜ୍ଞତା ପାଇଁ ଅବଶୋଷ କରିଛି ।


 ସେ ସମୟ ପରଠାରୁ ଆଜିପର୍ଯ୍ୟନ୍ତ ଅନେକ ଝଡ଼ତୋଫାନ ଦେଖିଚି ,ଅନୁଭବ କରିଛି ମାତ୍ର ମହାବାତ୍ୟାର ଅନୁଭବ ଖୁବ ଭୟଙ୍କର ,ହୃଦୟବିଦାରକ ଥିଲା ।ଆଣି କିନ୍ତୁ ଆମେ ସଚେତନ ।ଝଡ଼ ତୋଫାନର ସଂକେତ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହୁଛୁ ।ପ୍ରାକୃତିକ ଦୁର୍ବିପାକ କୁ ଅବରୋଧ କରିବା ମନୁଷ୍ୟ ପକ୍ଷରେ ସିନା ଅସମ୍ଭବ କିନ୍ତୁ ସତର୍କତା ଦ୍ୱାରା ଅନେକ ଧନଜୀବନ ରକ୍ଷା ହୋଇପାରିଛି ।ବେଳେବେଳେ ଭାବେ ମହାବାତ୍ୟା ସତରେ ଆମକୁ ମହାଶିକ୍ଷା ଦେଇଛି ସତର୍କ ହେବା ପାଇଁ ।ଏମିତି ପ୍ରାକୃତିକ ବିପତ୍ତି ଜୀବନ କାଳରେ କେବେ ନ ଆସୁ ପ୍ରଭୁଙ୍କୁ ଡାକୁଛି ।କିନ୍ତୁ ଫାଇଲିନି, ହୁଡୁହୁଡୁ,ସୁନାମୀ ପରି ବିପଦରେ ଧୈର୍ଯ୍ୟ ଧରିବାର କୌଶଳ ଏହି ମହାବାତ୍ୟା ହିଁ ଦେଇଛି ନିଶ୍ଚୟ ।



Rate this content
Log in

Similar oriya story from Tragedy