Satyabati Swain

Inspirational

4.0  

Satyabati Swain

Inspirational

ମେଘା

ମେଘା

5 mins
187


କଳା ମିଚି ମିଚି ଦେହ; ସେଥିରେ ନାଁ କଣ ନା ମେଘା ! ମେଘ୍ନା ଦାଶ। ଚୋପା ନା । ଭାରି ରାଗ ହୁଏ ନିଜକୁ ଦର୍ପଣରେ ଦେଖିଲେ। ମୋ ସବୁ ଭାଇ ଭଉଣୀ ବଗ ମୁଁ କେବଳ କୋଇଲି ! ବ୍ରାହ୍ମଣ ଘର ଛୁଆ ଏମିତି କଣ ହୁଅନ୍ତି ! 


     ଥଟ୍ଟାଳିଆ ଅଜା ଆଈ କହୁଥିଲେ କାଳି ମାଆ ଓ ମାଆକୁ କହୁଥିଲେ, ଏତେ କଳା ନେସି ହୋଇ ଆସିଛି ତୋ ଝିଅ ? ହଇଲୋ ସୁକାନ୍ତି କିଏ ଏ କାଳି ମୁଣ୍ଡି ତମ୍ପ ସାପଟିକୁ ନେବ ? ଭାରି ହଇରାଣ କରିବ ତୁମକୁ ବଡ଼ ହେଲେ। 


  ଅନ୍ୟ ଭାଇ ଓ ଭଉଣୀ ମୋତେ ସାଙ୍ଗରେ କେଉଁଠିକୁ ନେଉ ନ ଥିଲେ । ତାଙ୍କୁ କାଳେ ଲାଜ ଲାଗୁଥିଲା ମୋ ପରି କାଳିଟାକୁ ସାଙ୍ଗରେ ନେଇ ଅପଦସ୍ତ ହେବାକୁ। କିଏ କହିବ ଏ କାଳିଟାକୁ ତାଙ୍କ ଭଉଣୀ ବୋଲି। ଓଃ କି ଅସହାୟତା ! କି ଅପମାନ ଲାଗୁଥିଲା ମୋତେ । ଇଚ୍ଛା ହେଉଥିଲା ଚମଟାକୁ ଛାଲି ଦେଇ ନୂଆ ଚମଟିଏ ଲଗାଇ ଦିଅନ୍ତି।


  ଏମିତି ହେବା ମୋ ହାତରେ ଥିଲା କି ?ମୁଁ କଣ ନିଜେ ନିଜକୁ ରାତି କରିଛି ? ଖୁବ୍ ଅସହଜ ହେଉଥିଲି କାଉ, କାଳି, ଅନ୍ଧାର, ରାତି ଓ କଳା ମୁଗୁନି ପଥର ଶବ୍ଦ ମାନଙ୍କ ଭିତରେ । ଲୁଚେଇ କାନ୍ଦୁଥିଲି ଭିତରେ ଭିତରେ। ମୋ ପିଲା ମନ କ୍ଷତାକ୍ତ ହେଉଥିଲା ଏପରି ଘନ ଘନ ଶବ୍ଦମାନଙ୍କ ଶର ନିକ୍ଷେପରେ। କଣା ହୋଇ ଯାଉଥିଲା ଛାତି । ନିରବତା ଓ ନିଃସଙ୍ଗତା ପରିବେଶକୁ ନିଜର କଲି ଅନ୍ୟ ମାନଙ୍କ ନଜରରୁ ମୁକ୍ତ ହେବା ପାଇଁ। ହଜିଲି ବହି ଭିତରେ। ହଜାଇଲି ଶୈଶବ ଓ କୈଶୋର ଖେଳ କୁଦ, ଗୀତ ମାଧ୍ୟମରେ। ବିଲେଇ,କୁକୁର, ଗାଈଙ୍କ ସହ ମୋ ଭିତର କଥା ବାଣ୍ଟିଲି। 


  ମାଆ କିନ୍ତୁ ମୋ ଦେହର ଚମ ଉତ୍ତାରି ନୂଆ ଚମ କରିବା ପାଇଁ କେତେ କଣ ଘଷୁଥିଲା । ଡ଼ାକ୍ତର ଅଙ୍କଲଙ୍କ ସହ ପରାମର୍ଶ କରି କଣ କଣ ଖୁଆଉଥିଲା ଓ ମାଲିସ କରୁଥିଲା କେତେ ପ୍ରକାର ତେଲ ।


   କଳା ମେଘର ବାଦଲଟା କଣ ଧଳା ମେଘ ପାଲଟନ୍ତା ! ନା କଳା ମୁଗୁନି ପଥର ମାର୍ବଲ ହୁଅନ୍ତା ! ବରଂ ଆହୁରି ଖରାପ ହେଲା ମୋ ଦେହରେ ରିଆକ୍ସନ ହୋଇ। ଘାଆ ହୋଇଗଲା ଦେହ ସାରା।ଏମିତିରେ ଚିକକଣ କଳା ମୁଗୁନି ପଥରେ ଦେହରେ ଛାପି ଛାପିକା ଚିହ୍ନ ଆହୁରି କଦର୍ଯ୍ୟ ଦିଶିଲା।


  ଦେହ ହାତ କୁଣ୍ଡେଇ ହେଲା ପ୍ରବଳ । ଏ ଦଶାରୁ ସେ ଦଶା ବଳି ପଡିଲା।


   ଶୈଶବ ମୋର ଏମିତି ଚମ ଚିକ୍କଣ ଓ ସୁନ୍ଦରିଆ କରିବା ଚେଷ୍ଟାରେ କଟି ଗଲା ଘାଆ ବାଲୁସାଲୁ ହୋଇ। ମାଆ ମୁହଁ କରୁଣ ଓ ନନାଙ୍କ ମୁହଁ ରୁକ୍ଷ ଦିଶିଲା। ଗୀତ କିନ୍ତୁ ମୋ ଦେହର ଘାଆକୁ ଲୁଚେଇ ଦେଉଥିଲା ତା ଚିକିମିକି ଯାଦୁ ଉତ୍ତରୀ ଘୋଡେଇ। କୋଇଲି ପରି ଦେହକୁ ସେମିତି କାଳେ ମୋ ସ୍ୱର !


   କୈଶୋର ଚାଦର ଘୋଡ଼ି ହୋଇ ଯେତେବେଳେ ଏ କୋଇଲି ଭଲ ମିଠା ମିଠା ଗୀତ ବୋଲିଲା ଓ ଖେଳକୁଦରେ ଚମ୍ପିୟାନ ହେଲା ତ ଏଇ କାଉ କୋଇଲିଟାର ଗୋଟେ ଭବିଷ୍ୟତ ଅଛି ବୋଲି କେହି କେହି ଗଣନା କଲେ। ସବୁ ଖୁସି ମୋର ପାଣି ଫୋଟକା ହୋଇ ଫାଟି ଯାଆନ୍ତି ମୋ ଦେହର ରଙ୍ଗ ପାଖରେ। ଦେହ ସିନା କଳା ମୁଗୁନି ପଥର ରଙ୍ଗ ; ହେଲେ ହୃଦୟ ! ସେତ ଲହୁଣୀ ପରି !


   ଲହୁଣୀ ହୃଦୟ ନେଇ ମୁଁ ଯୌବନ ଖୋଳପା ଭିତରେ ପଶିଲି। ନରମ ହୃଦୟଟା ଭାବିଲା ନାହିଁ ଯେ ସେ କୋଇଲି କି ମୁଗୁନି ପଥର ବୋଲି । କଠିନ ତାର ଆବରଣ । ସେ କେବଳ ନିହାଣ ଆଘାତ କିମ୍ବା ଗୋଡ଼ ଘଷା ପାଇବାକୁ ଯୋଗ୍ୟ। ବୋଲ ମାନିଲା କେଉଁ ମନ ! ପ୍ରେମିଳ ହୋଇଗଲା ହୃଦୟ। ସେ ପ୍ରେମ କଲା ବିଶ୍ୱ ମୋହନ ; ବିଶୁକୁ। ପ୍ରେମ କଣ ଚମର ରଙ୍ଗ କଥା ବୁଝେ ! ବୟସ ହେଲେ ପ୍ରେମ ଆସିଯାଏ ଆପେ ଆପେ ।


   ବିଶୁ ମୋ ଉପର ବ୍ୟାଚର ପିଲା। ସ୍କୁଲର ଯେ କୌଣସି ପ୍ରତିଯୋଗିତା ସହ ସମର କ୍ୟାମ୍ପ ହେଉ କି ଉଇଣ୍ଟର ମିଟରେ ଯେତେ ପ୍ରତିଯୋଗିତା ହେଉଥିଲା ମେଘନା ଦାଶ ପ୍ରଥମ ଓ ବିଶ୍ୱମୋହନ ତ୍ରିବେଦୀ ଦ୍ଵିତୀୟ।


   ବୋଧହୁଏ ବିଶୁ ଅଭିନୟ କରୁଥିଲା ମୋତେ ଭଲ ପାଏ ବୋଲି। ହୋଇଥାଇ ପାରେ ମୋର ଭ୍ରମ ଯେ ବିଶୁ ଶ୍ରେଷ୍ଠ କାରିଗର ହୋଇ ମୋ ପରି ଏକ ମୁଗୁନି ପଥରକୁ ନେଇ ମୂର୍ତ୍ତୀଟିଏ ଗଢି ଥାପିବ ଅନ୍ୟ ଏକ କୋଣାର୍କ । ବାସ୍ତବରେ ସେ ଜଳୁଥିଲା ମୋ ଉପରେ ଭିତରେ ସବୁଥିରେ ପ୍ରଥମ ହୋଇ ଚମ୍ପିୟାନ ଟ୍ରଫି ହାତଉଛି ବୋଲି। ହସି କିନ୍ତୁ ହାତ ମିଳାଉଥିଲା କଂଗ୍ରାଚୁଲେସନ କହି ଉପରେ।ଷଡଯନ୍ତ୍ର କରୁଥିଲା ପ୍ରେମିକା ସଜେଇ ମୋ ଦୃଢ଼ ଇଛାଶକ୍ତିକୁ ମିଛ ପ୍ରେମ କରିବା ଜାଲରେ ଛନ୍ଦି ଦୁର୍ବଳ କରିବାକୁ।


 ବୋକି ହୃଦୟଟି କିନ୍ତୁ ଭଳି ଯାଉଥିଲା ବିଶୁ ପରି ସୁନ୍ଦର,ସୁଧାର ପିଲାଟି ମିଛ ମିଠା କଥାରେ। ସେ ସିନା ତା ସ୍ୱାର୍ଥ ହାସଲ କରିବା ପାଇଁ ଚମ୍ପିୟାନ ଟ୍ରଫି ନେବ ବୋଲି ଛଳନା କରୁଥିଲା ମୋ ସହ ! ମୁଁ ତ ମାଟିରେ ପାଦ ଥାପି ଆକାଶରେ ଉଡାଣ ଭରୁଥିଲି, ଭଲ ପାଉଥିଲି ବିଶୁକୁ କୋଣାର୍କର କେଉଁ ଏକ ମୂର୍ତ୍ତି ହେବା ଲକ୍ଷ୍ୟରେ ବିଶୁ ପ୍ରେମ ନିହାଣ ମୁନର ସ୍ପର୍ଶ ପାଇ।


  ବିଶୁ କହୁଥିଲା, ମେଘା ତୋ ଭିତରେ ବହୁ ଟ୍ୟାଲେଣ୍ଟ। ଯେ କେହି ବି ତୋ ପ୍ରେମରେ ପଡିପାରେ। 


 ଯେ କେହି ! ଏପରିକି ତୁମେ ବି ?


   ହୁଁ ଥିଲା ତାର ଜିଭର ସଂକ୍ଷିପ୍ତ ଉତ୍ତର। ମନ ଭିତରେ କୁନ୍ତୁ ଥିଲା ପ୍ରାଚୀ। ଚନ୍ଦ୍ରଭାଗାର ଝାଉଁ ବଣରେ ସେ ଦୁଇଜଣ ସ୍ୱପ୍ନ ଦେଖୁଥିଲେ ଏକାତ୍ମ ହୋଇ। 


   ଏକାଦଶ ବର୍ଷ ବିଶୁ ଚମ୍ପିୟାନ ହେଲା ଆଉ ହସି ହସି କହିଲା ପ୍ରେମ ନା ଫ୍ରେମ । ତୋ ପରି କୋଇଲି ସହ ଖେଳା ଯାଇ ପାରେ ପ୍ରେମ ଏତେ ଅସୁନ୍ଦର ଝିଅକୁ କିଏ କରିବ ? ଏଇ ଟ୍ରଫି ଦେଉ ନ ଥିଲୁ ନା ମୋତେ ? ଦେଖ ବୋକି ଝିଅ ଟ୍ରଫି ଏବେ ମୋର।


   ଝଣ କରି କଣ ଗୋଟେ ଶବ୍ଦ ହେଲା ମୋ ଭିତରେ।ସ୍ୱାଭିମାନ ଓ ଆଭିମାନ ଗିରିରୁ ମୋ ଛାତି ଫଟେଇ ଲାଭା ଉଦଗିରଣ ହେଲା । ଠକି ଗଲି ତେବେ ? ଠିକ୍ ଅଛି ଠିକି ନ ଥିଲେ ଶିଖି ଥାନ୍ତି କିପରି ? ସାମାନ୍ୟ ହସି କହିଲି, ତୁମେ ନୁହଁ ବିଶୁ ମୁଁ ହିଁ ମୋ ପ୍ରେମର ଆନନ୍ଦ ପାଇଁ ଏତିକି ତ୍ୟାଗ କରିଛି। ଆଉ ଏଇ ଦ୍ଵାଦଶ ବର୍ଷଟି ତୁମ ହାତରେ ଅଛି ତ ଦେଖାଇ ଦିଅ ତୁମେ କେତେ ସମର୍ଥ୍ୟ ? ବାଜି ରହିଲା କିଏ ଜିତୁଛି ଦେଖିବା ।


  ମୂର୍ତ୍ତି ନୁହେଁ କାହା ଘର ଆଗ ପାହାଚରେ ପଡିବା ଓ ପାଦ ଘଷା ହେବା ପାଇଁ ମୋର ଜନ୍ମ। ବୁଝାଇ ନେଲି ନିଜକୁ ।ଏଥର ମୋତେ ଆହୁରି ଫୁର୍ତ୍ତି ଆହୁରି ଆତ୍ମ ବିଶ୍ବାସର ସହ ଆଗକୁ ବଢିବାକୁ ପଡିବ । ଇଣ୍ଟରଷ୍ଟେଟ ଆଉଟଡୋର ଗେମ୍ ପ୍ରତିଯୋଗିତାରେ ମୋତେ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଲା। ସେହି ବର୍ଷ 'ଧର୍ମପଦ' ମୋ ଆଡ଼କୁ ବନ୍ଧୁତାର ହାତ ବଢ଼େଇଲା।। ସେ ବିଶ୍ୱ ମୋହନକୁ ପଛରେ ପକାଇ ପ୍ରାଚୀକୁ ନିଜର କରିବାକୁ ଚାହୁଁଥିଲା ମୋତେ ମାଧ୍ୟମ କରି ।


    ମନକୁ ମନ ହସିଲି। ପ୍ରେମ ପାଇଁ କି ପ୍ରତିଯୋଗିତା ! ପ୍ରେମ କଣ ହାସଲ କରିବାର ବସ୍ତୁ ନା ପଦକ ହୋଇଛି ? ପ୍ରେମ ତ ହୃଦୟରୁ ହୁଏ। ସ୍ୱାର୍ଥୀ ନୁହେଁ ସାଥି କରାଏ ସାଥ୍ ଦିଏ । ଧର୍ମପଦ ବୋକାଟା। ମିଛ ହେଉ ନା କାହିଁକି ବିଶୁ ମୋର ପ୍ରଥମ ପ୍ରେମିକ। ତାକୁ ଅନ୍ୟ କେହି ହରାଉ ପୁଣି ମୋତେ ଅସ୍ତ୍ର କରି ଏଇଟା କେମିତି ସମ୍ଭବ? ଏଣୁ ଧର୍ମପଦ ବି ମୋର ହୋଇ ରହିଲା ନାହିଁ। 


   ବିଶୁର ସ୍କୁଲ ଛାଡିବା ଶେଷ ବର୍ଷ କିନ୍ତୁ ଅତି ଦୟନୀୟ ଅବସ୍ଥା ହେଲା । ପ୍ରାଚୀ ତା ସହ ଖେଳି ଶେଷରେ ସୂର୍ଯ୍ୟକୁ ନିଜ ପ୍ରେମିକ ଘୋଷଣା କଲା । ବିଚରା ବିଶ୍ୱମୋହନ ପ୍ରାଚୀର ବି ମୋହନ ହୋଇ ନ ପାରିବା ଦୁଃଖରେ ନିଶା ଖାଇ ନିଜକୁ ବର୍ବାଦ ରାସ୍ତାର ବାଟୋଇ କଲା । ବହୁତ ଦୁଃଖ ହେଲା ମୋତେ। କଳା ମୁଗୁନି ପଥର ଲହୁଣୀ ହୃଦୟରୁ ବିଶୁ ପାଇଁ ଆହା ସ୍ୱରଟିଏ ବାହାରି ଶୂନ୍ୟରେ ମିଳେଇ ଗଲା ।


   ତାପରେ କିଏ କୁଆଡେ ଗଲେ କଣ କଲେ କେହି କାହାର ହିସାବ ରଖିଲେ ନାହିଁ । ମୋତେ ନୁହେଁ ମୋ କୃତି ଓ ପଦକ ସମସ୍ତଙ୍କର ପ୍ରିୟ ହେଲା। କଳା ମୁଗୁନି ପଥର ଯେ ମୂଲ୍ୟବାନ ଏକଥା ମେଘି, କାଉ, ରାତି, ଅନ୍ଧାର କହୁଥିବା ଲୋକେ ବୋଧହୁଏ ବୁଝିଲେ ।



  ମୁଁ କିନ୍ତୁ ମୂର୍ତ୍ତି ହୋଇ କେଉଁ ମନ୍ଦିର କାନ୍ଥରେ ଆଉ ଛାପି ହେବାକୁ ମନ ବଳେଇଲି ନାହିଁ । ମୁଗୁନି ପଥର କି କୋଇଲି ହୋଇ ସନ୍ତୁଷ୍ଟ ହେବା ଚେଷ୍ଟାରେ ସ୍ପୋର୍ଟସ କଲେଜରେ ନାମ ଲେଖାଇ ଉଡାଣ ଭରିଲି ଖୁବ୍ ଉଚ୍ଚକୁ।ଏବେ ମୁଁ ସୁନାମ ଧନ୍ୟ ଜଣେ ଆଥଲେଟ୍ । ତା ସହ ମୋ ଗୀତ ବି ଭାଇରାଲ ହୋଇ ଚର୍ଚ୍ଚାରେ ରହିଲି।


  ଏବେ ମୋ ପାଖେ ପ୍ରତିଷ୍ଠା, ଅର୍ଥ ଓ ସମ୍ମାନ ଗଦା ଗଦା। ସେଲିବ୍ରିଟି ମୁଁ । କେତେ ବିଶୁ ଅନେଇଁ ବସିଛନ୍ତି ମୋତେ ଜୀବନ ସାଥୀ କରିବାକୁ। ମୁଁ କିନ୍ତୁ ସିଦ୍ଧାନ୍ତ କରି ସାରିଛି ଏକା ଏକା ଉଡାଣ ଭରିବି। ମୋ ଦେଶ ଓ ମୋ ପରି କିଛି ଲୋକଙ୍କ ଉପକାରରେ ଆସିବି ବୋଲି। ତଥାପି ହୃଦୟର କେଉଁ କୋଣେ ବିଶୁ ମନେ ପଡିଲେ ଲୁହ ଟୋପେ ହସ ଭିତରେ ଚୁପ୍ କି ମୋତେ ଚିମୁଟେ।


ବାସ୍ କାଉ, କୋଇଲି ମେଘନା ଦାଶ ଏବେ ମନ୍ଦିର କାନ୍ଥର ମୂର୍ତ୍ତି ନୁହେଁ ନିଜେ ଏକ ମନ୍ଦିର ପାଲଟି ଯାଇଛି।



Rate this content
Log in

Similar oriya story from Inspirational