STORYMIRROR

CHINMAYEE PRADHAN

Abstract Classics Inspirational

4  

CHINMAYEE PRADHAN

Abstract Classics Inspirational

ମଦର୍ସ ଡେ

ମଦର୍ସ ଡେ

3 mins
235

ହଠାତ୍ ସୁନିର ଫୋନ୍ ଟା ରିଂ ହେଲା।ଆସି ଦେଖେ ତ ବଡ ଭାଇ କରିଛି। ହାଲୋ ଭାଇ ନମସ୍କାର। ଏତେ ଦିନେ ଆମ କଥା ମନେ ପଡିଲା। ସୁନି ମୁଁ ଯାହା କହୁଛି ମନ ଦେଇ ଶୁଣୁ। ତୁ ବୋଉକୁ ନେଇ ଆଜି ଭୁବନେଶ୍ଵର ପଳେଇ ଆସେ। ଏଠି କିଛି ଦିନ ରହି ଯିବ। ମୁଁ ତ ବ୍ୟସ୍ତ ରହୁଛି ସେଥିପାଇଁ ଗାଁକୁ ଯାଇ ପାରୁନି। ବୋଉ ତ ତା ସାନ ନାତିକୁ ଦେଖିନି। ତୁ ବି ଦେଖିନୁ। ମୁଁ ଜଗୁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ଦେଇଚି। ସେ ତତେ ଦେଇଦେବ। ଗାଡି ଏଗାରଟା ବେଳେ ଅଛି। ଦି ଘଣ୍ଟାରେ ଏଠି ଆସି ପହଞ୍ଚି ଯିବ। ମୁଁ ଅଫିସରେ ଥିବି ହେଲେ ତୋ ଭାଉଜ ଘରେ ଥିବ। ହଉ ମୁଁ ଅଫିସ ବାହାରିବି ତମେ ଦି ଜଣ ଶୀଘ୍ର ଆସିବ। ରଖୁଛି। ସୁନି ଆଶ୍ଚର୍ଯ୍ୟ। ସବୁ କଥା ବୋଉକୁ ଜଣେଇଲା ।ବୋଉ ଭାରି ଖୁସି ଏତେଦିନେ ପୁଅ ଡାକିଛି ପାଖକୁ। ସାଂଗେସାଂଗେ ବାଦାମ, ବିରି, ମୁଗ, ଅରୁଆଚାଉଳ, ପନିପରିବା କେତେ କଣ ସଜାଡି ଦେଲା। ମା ଝିଅ ଦିହେଁ ପହଞ୍ଚି ଗଲେ ପୁଅ ବସାରେ। ବୋହୂ ଆସି ପ୍ରଣାମ କଲା। ସୁନି ଭାଉଜକୁ ପ୍ରଣାମ କଲା। ତମେ ବାଥରୁମ୍ ରେ ଧୋଇ ହେଇ ଆସ ମୁଁ ଖାଇବା ବାଢୁଛି।

  ପୁଅ ସଂନ୍ଧ୍ଯାରେ ଆସିଲା।ଶାଶୁ, ନଣନ୍ଦ, ଭାଉଜ ବସି ଗପସପ କରୁଥାନ୍ତି। ସେ ବି ଆସି ମୁଣ୍ଡିଆ ମାରି ବସିଲା। କଥା ଆରମ୍ଭ କଲା। ବୋଉ! କାଲି ଆମ ଅଫିସରୁ କିଛି ଲୋକ ଆସିବେ। ତୋ ସହ କଥା ହେବେ। ତୁ କହିବୁ ମୁଁ ଏଇଠି ସବୁଦିନ ପୁଅ ପାଖେ ରହେ। ମୋ ପୁଅ ମୋର ସବୁ ସେବାଯତ୍ନ କରେ। ଆଉ ବେଶୀ କିଛି କହିବୁନି। ରିମା ଯେଉଁ ଶାଢୀ ଦେବ ସେଇଟା ପିନ୍ଧିବୁ। ଏ ପୁରୁଣା ଲୁଗାକୁ ପିନ୍ଧିବୁନି। ହଁ ସୁନି ତୁ ବି ଭାଉଜ ଡ୍ରେସ୍ ପିନ୍ଧିଦବୁ। ମୋ ପ୍ରେଷ୍ଟିଜର କଥା।

  ତା ପର ଦିନ ସକାଳୁ ଉଠି ସରୋଜ ଓ ରିମା ଘର ସଜାସଜିରେ ଲାଗି ପଡ଼ିଛନ୍ତି। ସୁନି ଆସିଲା। ମୁଁ କିଛି ସାହାଯ୍ୟ କରିବି କି? ହଁ ସୁନି ତମେ ଟିକିଏ ସକାଳ ଟିଫିନ୍ ରେଡି କରିଦିଅ।

   ସେମାନେ ଆସି ପହଞ୍ଚି ଗଲେ। ଅତିଥିଙ୍କ ସହିତ ପରିଚୟ ସରିଲା। ଭୋଜନ ସରିବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ। ଆଛା ସରୋଜ ବାବୁ! ଆପଣ ମାଆଙ୍କ ବିଷୟରେ କିଛି କୁହନ୍ତୁ। ମୋ ବୋଉ ତ ମୋ ପାଇଁ ପ୍ରତ୍ୟକ୍ଷ ଦେବୀ। ପ୍ରତିଦିନ ସକାଳେ ତା ପାଦଧୂଳି ନ ନେଲେ ମୁଁ ମୁହଁ ବି ଧୁଏନି। ଆଜି ବି ସେ ତା ହାତରେ ମତେ ଖୁଆଇ ଦିଏ। ତାରି ଆଶୀର୍ବାଦରୁ ମୁଁ ଆଜି ଏଠି ପହଞ୍ଚି ପାରିଛି। ମାଉସୀ, ଆପଣ ଏବେ ଆପଣଙ୍କ ପୁଅ ବିଷୟରେ କୁହନ୍ତୁ। ମୁଁ କଣ ଆଉ କହିବି। ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ। ମୋ ସେବାରେ ସେ କେବେ ଅବହେଳା କରିନି। ସବୁବେଳେ ନିଜ ପାଖରେ ରଖିଛି। ତା ବାପା ମରିବା ଦୁଖ ବି ମୁଁ ଅନୁଭବ କରିନି। ଦୁନିଆର ସବୁଠାରୁ ଭଲ ପୁଅ ସେ। ଆମ କାମ ସରିଲା ଆମେ ଏଥର ଆସୁଛୁ।

   ରିମା ରିମା ରିମା ମୋର ପ୍ରମୋଶନଟା ହେଇଯାଇଛି। ସେମାନେ ମୋ ମାତୃଭକ୍ତିରେ ଭାରି ଖୁସି। ଆଉ ଆମ ଏନ୍. ଜି. ଓ. ସଂସ୍ଥାର ମୁଁ ଏବେ ବ୍ରାଞ୍ଚ ମ୍ୟାନେଜର। ଟି. ଭି. ଅନ୍ କରି ଦେଖ। ଆଜି ମଦର୍ସ ଡେ ପାଳନ ଅବସରରେ ମୋର ସେଦିନର ସୁଟିଂ ଦେଖଉଛି। ସୁନି ବୋଉ ଆସ ଦେଖିବ। ବୋଉ ତୁ ଟିଭିରେ ବାହାରିଛୁ। ମୋ କଥା ମାନି ତୁ ଏଠିକି ଆସିଥିବାରୁ ବହୁତ ବହୁତ ଧନ୍ୟବାଦ।

   ଏଇ ଶୁଣୁଛ, ପ୍ରମୋଶନ ତ ହେଇଗଲା ଆଉ ମଦର୍ସ ଡେ ବି ସରିଗଲାଣି। ତେଣୁ ସୁନି ଓ ବୋଉଙ୍କୁ ଗାଁକୁ ପଠେଇ ଦିଅ। ଏଠି ରହିଲେ ଆମର କେତେ ଖର୍ଚ୍ଚ। ମୁଁ ଆଉ ବରଦାସ୍ତ କରିପାରୁନି। ଏସବୁ କଥା ସୁନି ଶୁଣିଥିଲା। ପରଦିନ ସକାଳେ ମା ଝିଅ ଗାଁକୁ ବାହାରି ପଡ଼ିଲେ। ଭାଉଜ ଭାଇ ଆମେ ଆଜି ଗାଁକୁ ପଳେଇବୁ। କେତେଦିନ ହେଲା ଆସିଲୁଣି। ଘରଦ୍ବାର ସବୁ ଅସନା ହେଇ ପଡିଥିବ। ଆଜି ଏବେ ଯିବ? ହଁ ଭାଇ। ଆରେ ପୁଅ ମୁଁ ତ ତାକୁ ମନା କରୁଛି ହେଲେ ତାର ଏକା ଜିଦ୍ ଆଜି ସେ ଘରକୁ ଯିବ। ଆଉ କିଛି ଦିନ ରହିଥିଲେ ଭଲ ହେଇଥାନ୍ତା। ତମେ ଯଦି ବାହାରି ସାରିଛ ତାହେଲେ ଯାଅ। ଏଇ କିଛି ଟଙ୍କା ନେ। ଥାଉ ଭାଇ ଟଙ୍କା କଣ ହେବ? ମୋ ପାଖରେ ଅଛି। ମା ଝିଅ ଗାଁକୁ ଚାଲି ଆସିଲେ। ସୁନି ମନେମନେ ଭାବୁଥିଲା ସବୁଦିନ ମଦର୍ସ ଡେ ହୁଅନ୍ତା କି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract