Trupti Paikaray

Comedy Inspirational

3  

Trupti Paikaray

Comedy Inspirational

'ମଡର୍ଣ୍ଣ ରାଜାରାଣୀ କାହାଣୀ' ମଡର୍ଣ୍ଣ ରାଜାଙ୍କ ମଡର୍ଣ୍ଣ ମହାସଭା (ଭାଗ-୧)

'ମଡର୍ଣ୍ଣ ରାଜାରାଣୀ କାହାଣୀ' ମଡର୍ଣ୍ଣ ରାଜାଙ୍କ ମଡର୍ଣ୍ଣ ମହାସଭା (ଭାଗ-୧)

4 mins
14.3K


'ମଡର୍ଣ୍ଣ ରାଜାରାଣୀ କାହାଣୀ'
ମଡର୍ଣ୍ଣ ରାଜାଙ୍କ ମଡର୍ଣ୍ଣ ମହାସଭା
(ଭାଗ-୧)

 

ତୃପ୍ତି ପାଇକରାୟ

 

          ଗୋଟେ ମଡର୍ଣ୍ଣ ରାଜା ଥିଲେ, ତାଙ୍କ ନାଁ ହେଉଛି 'ମୟୂରରାଜ' । ତାଙ୍କ ରାଜ୍ୟର ନାଁ ହେଉଛି 'ହ୍ୟାପିପୁରମ' । ହେଲେ ଏ ରାଜା ମଡର୍ଣ୍ଣ ରାଜା, ଆଗପରି ରାଜାଙ୍କ ଭଳି ନା ରାଜାପୋଷାକ ପିନ୍ଧନ୍ତି, ନା ମୁଣ୍ଡରେ ରାଜମୁକୁଟ ଥାଏ । ଏ ରାଜା ଜିନ୍ସ, ଟି' ଶାର୍ଟସ, ବ୍ରାଣ୍ଡେଡ ୱାଚ, ସୁଜ଼ ପିନ୍ଧନ୍ତି । ସିଂହାସନ ହେଉଛି ଗୋଟେ ବ୍ରାଣ୍ଡେଡ ଡିଜାଇନର ସୋଫା । ପୁରୁଣା ରାଜାମାନଙ୍କ ପରି ଏ ରାଜା ଛପନ ଭୋଗ, ଯେମିତି ପଲାଉ, କାକରା, ରାବିଡି, ବେସର ଏସବୁ ଭଲପାଆନ୍ତିନି । ଏ ରାଜାଙ୍କୁ ପିଜା, ବର୍ଗର, ଫ୍ରେଞ୍ଚ ଫ୍ରାଏଜ,  ନୁଡୁଲସ ଭଲଲାଗେ । ରାଜା ଭାରି ମୁଡି, ଯେତେବେଳେ ଯାହା ମନକୁ ଆସେ ତାହା କରନ୍ତି । ଥରେ ରାଜାଙ୍କ ମନ ଖରାପ ଥିଲା, କାରଣ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ରାଜାଙ୍କର ଝଗଡା ହେଇଥିଲା । ସେଥିପାଇଁ ରାଜା ମନଦୁଃଖରେ ଥିଲେ । ନିଜ ମନକୁ ଠିକ କରିବାକୁ ଅନେକ ଉପାୟ କଲେ, ବହୁତ ଭଲ ଭଲ ବହି ପଢିଲେ, ମୁଭି ଦେଖିଲେ, ଗୀତ ଶୁଣିଲେ । ହେଲେ କିଛି ତାଙ୍କୁ ଖୁସି କରିପାରିଲାନି । ରାଜା ସ୍ଥିର କଲେ ଗୋଟେ ମହାସଭା ଡାକିବେ, ଯେଉଁଥିରେ ଗୋଟେ ପ୍ରତିଯୋଗିତା ହେଵ । ଯିଏ ରାଜାଙ୍କ ମନ ଖୁସି କରିବା ଭଳି ଆଇଡ଼ିଆ ଦେବ ତାକୁ ପୁରସ୍କାର ମିଳିବ । ରାଜାଙ୍କ ଦରବାରର ସବୁ ମନ୍ତ୍ରୀ ଆଉ ସଭ୍ୟ ଲାଗିପଡ଼ିଲେ ଏହି ମଡର୍ଣ୍ଣ ମହାସଭା ଆୟୋଜନ କରିବାରେ । ଏମାନେ ହେଲେ ରାଜାଙ୍କ ଜିମ ଯିବା ସାଙ୍ଗଠାରୁ ଆରମ୍ଭ କରି ରାଜାଙ୍କ ସ୍କୁଲ ଆଉ କଲେଜ ଫ୍ରେଣ୍ଡସ । ରାଜ୍ୟରେ ଘୋଷଣା ହେଲା ଏହି ପ୍ରତିଯୋଗିତା ବିଷୟରେ ।

          ଶେଷରେ ପ୍ରତିଯୋଗିତା ବହୁତ ଜୋରରେ ଆୟୋଜନ ହେଲା, ଖାଇବାପିଇବାର ବ୍ୟବସ୍ଥା ବି ହୋଇଥାଏ । ୧୦୦ ପ୍ରତିଯୋଗୀ ଭାଗନେବେ ବୋଲି ଆଗରୁ ରେଜିଷ୍ଟ୍ରେସନ କରିସାରିଥିଲେ । ରାଜା ନିଜ କାଉଚ ଉପରେ ଆଉଜି ବସିଥିଲେ, ସାଇଡରେ ସବୁ ଧାଡିଧାଡି ଚେୟାର ପଡିଥିଲା ଅନ୍ୟମାନେ ବସିବେ ବୋଲି । ପ୍ରତିଯୋଗିତା ଆରମ୍ଭ ହେଲା । ପ୍ରୀତିଯୋଗିତାର ନିୟମ ଥିଲା ସମସ୍ତେ ଆସିବେ, ନିଜ ନାଁ ଆଉ ଠିକଣା କହିବେ, ଆଉ ତା'ପରେ ରାଜାଙ୍କ ମନ ଖୁସି କରିବାର ଉପାୟମାନ କହିବେ । ଯାହାର ଉପାୟ ରାଜାଙ୍କ ମନକୁ ଛୁଇଁବ ତାକୁ ପୁରସ୍କୃତ କରାହେବ ।

          ପ୍ରଥମ ପ୍ରତିଯୋଗୀ ଆସିଲେ, ନାଁ ତାଙ୍କର 'ପ୍ରିନ୍ସ ପ୍ରତୀକ' । ସେ କହିଲେ, ''ମହାରାଜ, ଆପଣଙ୍କ ମନ ଖୁସି କରିବାକୁ ମୋ ପାଖରେ ଏମିତି ଗୋଟେ ଉପାୟ ଅଛି, ଆପଣ ଶୁଣିଲେ ଏକାଥରେ ମନ ଖୁସି ହେଇଯିବ । ଉପାୟ ହେଲା, ଆପଣ ଲଂଗ ଡ୍ରାଇଭରେ ଯିବେ ଆଉ ଆମ ହ୍ୟାପିପୁରମରୁ ନର୍ଥ ଡିରେକ୍ସନରେ ଗଲେ ସେଠି ଗୋଟେ ଭଲ ଢାଵା ଅଛି, ସେଠି ବଢିଆ ଖାଇବା, ସେଠି ଯାଇ ଖାଇଦେଲାପରେ ଦେଖିବେ ଆପଣଙ୍କ ମନ ପୂରା ଖୁସି ।" ହେଲେ ରାଜାଙ୍କ ମନକୁ ଏ ଉତ୍ତର ଏତେ ପ୍ରଭାବିତ କଲାନି ।

          ତା'ପରେ, ସେକେଣ୍ଡ ପ୍ରତିଦ୍ୱନ୍ଦ୍ୱୀ ଆସିଲେ, ନାଁ ତାଙ୍କର "ବିନ୍ଦାସ ବଏ ରାଜ" । ସେ କହିଲେ, "ମହାରାଜ, ମୋ ଉପାୟ ଶୁଣିଲେ ଆପଣଙ୍କ ମନ ପୂରା ଖୁସି ହେଇଯିବ । ଏବେ ଗୋଟେ ନିଉ ହଲିଉଡ ମୁଭି ରିଲିଜ ହେଇଚି, ଭାରି ଭଲ ହେଇଚି ମୁଭିଟା । ଆପଣ ଯାଇ ସେଟା ଦେଖିଆସନ୍ତୁ । ଆପଣଙ୍କ ମୁଡ ପୂରା ଠିକ ହେଇଯିବ ।'' ରାଜାଙ୍କୁ ଏ ଆଇଡିଆ ବି ଏତେ ମନକୁ ଗଲାନି, କହିଲେ, ''ଜଲଦି ସରେଇ ଯାଅ ।''

          ନେକ୍ସଟ ପ୍ରତିଦ୍ୱନ୍ଦ୍ୱୀ ଆସିଲେ, ନାଁ ତାଙ୍କର 'ଲଭର ବୟ ଲଭ' । ସେ ଆସି ନିଜ ଆଇଡିଆ ଉପସ୍ଥାପନ କଲେ, "ମହାରାଜ, ଆପଣ ଗୋଟେ କାମ କରନ୍ତୁ, ଏବେ ମାର୍କେଟରେ ନିୟୁ ବ୍ରାଣ୍ଡର ଭଲ ଭଲ ଜିନ୍ସ ଆସିଛି ଆଣନ୍ତୁ, ଆପଣଙ୍କ ମନ ଖୁସି ହେଇଯିବ ।'' ''ବିଲକୁଲ ଫାଲତୁ ଆଇଡିଆ'' କହି ରାଜା କହିଲେ, ''ଆଉଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଡାକ ।''

          ତା'ପରେ ଆସିଲେ 'ବ୍ରେଭ ବୟ ବିଶାଳ', ସେ କହିଲେ, "ମହାରାଜ, ମନ ଖୁସି କରିବାକୁ ହେଲେ ଆପଣ ଫ୍ରେଣ୍ଡସ ପାର୍ଟି କରନ୍ତୁ, କ୍ଲବ ଯାଆନ୍ତୁ, ଆଉ ଗାର୍ଲଫ୍ରେଣ୍ଡକୁ ନେଇ ଲଂଗ ଡ୍ରାଇଭରେ ଯାଆନ୍ତୁ ।'' ରାଜା ଶୁଣିକି ରାଗିଗଲେ, କାରଣ ତାଙ୍କ ଗାର୍ଲଫ୍ରେଣ୍ଡ ସହ ଝଗଡା ହେଇଛି ବୋଲି ମନ ଭଲ ନାହିଁ । ସେ ରାଗିକି କହିଲେ, ''ତୁମେ ତୁମ ଆଇଡିଆ ପାଖରେ ରଖ  ଆଉ ଯାଅ ଏଠୁ ।''

          ଏମିତି ଗୋଟେ ପରେ ଗୋଟେ ପ୍ରତିଯୋଗୀ ଆସିଲେ ଆଉ ଗଲେ, ହେଲେ ରାଜାଙ୍କ ମନକୁ କିଛି ବି ଗଲାନି । ଶେଷରେ ଲଞ୍ଚ ବ୍ରେକ ହେଲା । ରାଜା ମନ୍ତ୍ରୀମାନଙ୍କୁ ଡାକି ଗାଳିଦେଲେ, କହିଲେ, ''ଏମିତି ଫାଲତୁ ପ୍ରତିଯୋଗୀମାନଙ୍କୁ କୋଉଠୁ ପାଇଲ ?'' ମନ୍ତ୍ରୀମାନଙ୍କର ବି ଚିନ୍ତା ହେଇଗଲା, ଆଉ ରାଜାଙ୍କୁ ବୁଝେଇ କହିଲେ, "ମହାରାଜ, ଆପଣ ଟିକେ ଅପେକ୍ଷା କରନ୍ତୁ, ଆହୁରି ଭଲ ଭଲ ପ୍ରତିଯୋଗୀ ଅଛନ୍ତି ।'' ଖାଇବା ପିଇବା ସରିଲା, ପୁଣି ପ୍ରତିଯୋଗିତା ଆରମ୍ଭ ହେଲା ।

          ହେଲେ ଶେଷକୁ ଆସିଲେ 'ସେଲ୍ଫି କିଙ୍ଗ କୁନାଲ' । ସେ କହିଲେ, "ମହାରାଜ, ଆପଣଙ୍କ ମନ ଖୁସି କରେଇବାକୁ ମୋ ପାଖରେ ଦୁଇଟି ଭଲ ଉପାୟ ଅଛି, ଅତି ସରଳ ଆଉ ସହଜ । ଦେଖିବେ ଆପଣଙ୍କ ମନ ଖୁସି ହେଇଯିବ ଆଉ ଆପଣଙ୍କ ପ୍ରୋବ୍ଲେମ ବି ଠିକ ହେଇଯିବ । ତେବେ ମନଦେଇ ଶୁଣନ୍ତୁ -

          ପ୍ରଥମ ଉପାୟ ହେଲା, ଆପଣ ଯେତେ ପାରୁଛନ୍ତି ଭଲଭଲ ସେଲ୍ଫି ନିଅନ୍ତୁ, ପାଉଟିଂ କରି ସେଲ୍ଫି ନିଅନ୍ତୁ, ଗ୍ରୁଫି ନିଅନ୍ତୁ, ନୂଆ ଜାଗା ସହ ସେଲ୍ଫି, ଖାଇଲାବେଳେ ସେଲ୍ଫି,, ଯଦି ନୂଆ ଗାର୍ଲଫ୍ରେଣ୍ଡ କିଏ ମିଳିବେ ତାଙ୍କ ସହ ସେଲ୍ଫି ନିଅନ୍ତୁ ।

          ଦ୍ୱିତୀୟ ଉପାୟ ହେଲା, ସେଲ୍ଫି ନେଇସାରି ସେସବୁକୁ ଫେସବୁକରେ ଅପଲୋଡ କରିଦିଅନ୍ତୁ, ୧୦୦୦ ଲାଇକ୍ସ ଆସିଗଲେ, ଓଃ କି ଶାନ୍ତି ! ତା'ପରେ ଯଦି ସେଲ୍ଫିରେ ଆଉ ଗୋଟେ କିଏ ନୂଆ ବିଉଟିଫୁଲ ଗାର୍ଲ ଥାଏ, ସେ ଫଟୋ ଦେଖି ଆପଣଙ୍କ ଗାର୍ଲଫ୍ରେଣ୍ଡ ଜେଲସ ଫିଲ କରିବେ, ଆଉ ତା'ପରେ ସେ ଆପଣଙ୍କୁ ଆହୁରି ଅଧିକ ଭଲପାଇବେ ।''

          ଆଇଡିଆଟା ରାଜାଙ୍କ ମନକୁ ଭାରି ପାଇଲା । ରାଜା ଖୁସି ହୋଇ 'ସେଲ୍ଫି କିଙ୍ଗ କୁନାଲ'ଙ୍କୁ ବିଜୟୀ ଘୋଷଣା କଲେ, ତାଙ୍କୁ ପୁରସ୍କାରରେ ଗୋଟେ ଭଲ ସ୍ମାର୍ଟଫୋନ ଆଉ ପିଜା ଖାଇବାକୁ ଦୁଇଟି କୁପନ ମିଳିଲା ।

          ତା'ପରେ ରାଜା ସେଲ୍ଫି ପରେ ସେଲ୍ଫି ନେଲେ । କିଛି ସୁନ୍ଦରୀ ଝିଅ ବନ୍ଧୁମାନଙ୍କ ସହ ବି ସେଲ୍ଫି, ଆଉ ତା'ପରେ ଫେସବୁକରେ ଅପଲୋଡ । ୧୫ ମିନିଟ ଭିତରେ ୧୫୦୦ ଲାଇକ୍ସ, ତା'ପରେ ରାଜାଙ୍କ ମୋବାଇଲ ରିଂ ହେଲା । ଦେଖିଲାବେଳକୁ ଗାର୍ଲଫ୍ରେଣ୍ଡଙ୍କ ଫୋନ ଆସିଛି, ରାଜା ଖୁସିରେ ପାଗଳ ହେଇଗଲେ । ଆଉ କୋଉ ଝିଅର ଫଟୋ ପୁଣି ରାଜାଙ୍କ ସାଙ୍ଗରେ ଦେଖି ଗାର୍ଲଫ୍ରେଣ୍ଡ ରାଗିକି ଫୋନ କଲେ, ଆଉ ରାଜାଙ୍କୁ ଅଭିମାନ କରି ବହୁତ କଥା କହିଗଲେ । ତା'ପରେ ସେମାନଙ୍କ ଭିତରେ ହେଇଥିବା ଝଗଡା ଦୁଇଜଣଯାକ ଭୁଲିଗଲେ ଆଉ ଆଗପରି ଦୁହେଁ ଦୁହିଙ୍କୁ ଖୁବ ଭଲପାଇଲେ ।

*****


Rate this content
Log in

Similar oriya story from Comedy