Sambit Srikumar

Inspirational

4.8  

Sambit Srikumar

Inspirational

ମାଟି ସିଲଟ

ମାଟି ସିଲଟ

3 mins
255



ଜନ୍ମରୁ ମୁଁ ଗାଁରେ ରହୁ ନଥିଲି, ଏଣୁ ଗାଁରେ ଚଳିବାକୁ ଯେଉଁ ବିଶେଷ ଆଦବକାଇଦା ଦରକାର ତାହା ମୋତେ ଜଣା ନଥିଲା ସେତେବେଳେ । ସାମୟିକ ଭାବେ ଗାଁ ସ୍କୁଲରେ ପଢିବାକୁ ପଡିଲା ଅଗତ୍ୟା ଗାଁରେ ହିଁ ରହିଲି । ପରିବାରର ବଡ଼ ପୁଅ ହୋଇଥିବାରୁ ବଡ଼ ଗେଲବସରରେ ବଢିଥାଏ ମୁଁ । ଏକଦମ୍ ଜିଦିଆ ଆଉ ଏକସିଂଘିଆ ବି । କିଛି ମାତ୍ରାରେ ବେପରୁଆ ବି । କୌଣସି କଥାରେ ଚିନ୍ତା ଦକ ନଥାଏ ମୋର । ଖେଳ ଖେଳରେ ବହୁତ ଜିନିଷ ଭଙ୍ଗା ରୁଜା କରିଦିଏ । ବେଳେ ବେଳେ ଏଥିପାଇଁ ମାଡ଼ ବି ଖାଏ । କିନ୍ତୁ ଜେଜେବାପାଙ୍କ ସାମ୍ନାରେ କେହି ମୋତେ କିଛି କହନ୍ତି ନାହିଁ ।

ଜେଜେ ଆମର ଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି । କଠୋର ଅନୁଶାସନ ଅନୁସାରେ ଚାଲେ ତାଙ୍କର ଜୀବନଚର୍ଯ୍ୟା । ଠାକୁର ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବା ଓ ପୁରାଣ ଭାଗବତ ପଢିବାରେ ତାଙ୍କର ଅଧିକାଂଶ ସମୟ ବିତେ । ବିଲବାଡି ଚାଷ ପାଇଁ ଭାଗରେ ଲାଗିଥାଏ । ଏଣୁ ମୋ ଉପରେ ସବୁବେଳେ ତାଙ୍କର ନଜର ଥାଏ । ମୁଁ ସ୍କୁଲ ଯିବା ପୂର୍ବରୁ ଘରେ ଅକ୍ଷର ଓ ପଣିକିଆ ଶିଖି ଯାଇଥାଏ । ରାମାୟଣ ମହାଭାରତର କାହାଣୀ ସବୁ ଶୁଣିଥାଏ, ଖେଳସାଥିମାନଙ୍କୁ ଉଣା ଅଧିକେ ଶୁଣାଏ । 

ଦିନେ ଜେଜେ ମୋତେ ନେଇ କରି ଗାଁ ସ୍କୁଲରେ ନାଁ ଲେଖାଇ ଆସିଲେ । ହେଡ଼ମାଷ୍ଟର ତାଙ୍କ ସହପାଠୀ ଥିଲେ, ଏଣୁ ନାତି ହିସାବରେ ମୋତେ ଟିକେ କୁତୁ କୁତୁ କରିଦେଲେ । ମୁଁ ଅପ୍ରସ୍ତୁତ ହୋଇ ଖେଙ୍କାରି ହେଲି ତାଙ୍କ ଉପରେ ୟ୍ୟାଡୁ ସ୍ୟାଡୁ କହିଲି କିଛି । ଜେଜେଙ୍କୁ ବଡ କଷ୍ଟ ହେଲା ମୋର ଏପରି ବ୍ୟବହାରରେ । 

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥାଏ ମୋର ଦୁଷ୍ଟାମି । କାହାକୁ ପଦୁଟିଏ ବି ଛାଡେନି, ସମସ୍ତଙ୍କୁ ଲେଉଟ ଜବାବ ଦିଏ । ଜେଜେଙ୍କ ନଜରରେ ସବୁ ଥାଏ କିନ୍ତୁ ପିଲାଲୋକ ବଡ ହେଲେ ସୁଧୁରି ଯିବ ଏଇ ଆଶାରେ ସେ ଅଣଦେଖା କରି ଦିଅନ୍ତି । ମୋର ବି ସାହସ ବଢୁଥିଲା । 

ସେଦିନ କିନ୍ତୁ ଆଉ ଜେଜେ ସହ୍ୟ କରିପାରିଲେ ନାହିଁ । ବର୍ଷିଗଲେ ମୋ ଉପରେ ଅଦିନିଆ ମେଘ ସମ । ମୁଁ ଅପ୍ରସ୍ତୁତ ଥିଲି ସବୁଥର ପରି । କେବଳ ସେଇ ମାଟି ସିଲଟଟା ପାଇଁ । ସିଲଟରେ ଲେଖି ଧୋଇ ଶୁଖଉଥିବା ବେଳେ ହାତରୁ ମୋର ଅଚାନକ ଖସିଗଲା । ସିମେଣ୍ଟ ଚଟାଣରେ ପଡି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା ଦେଖୁ ଦେଖୁ । ସିଲଟ ଭାଙ୍ଗିବା ଶବ୍ଦ ଶୁଣି ଜେଜେ ଉଠିଆସିଲେ ବସିବା ଜାଗାରୁ । 

"ସୁନା ମହୀ ଦେଲେ ବି ଚୁନା କରିଦେବ ଏ ବାସେଳା! ସମସ୍ତଙ୍କୁ ଲେଉଟ ଜବାବ ଦେଉଛି, ମାଷ୍ଟରଙ୍କୁ ଇଙ୍ଗିତ କରୁଛି । କୁଳାଙ୍ଗାର ! ପାଠଶାଠ ନାହିଁ ତାମସା କରୁଛି..." ଏମିତି କହି ଜେଜେ ବର୍ଷିଗଲେ । ଏତିକିରେ ବି ମନ ଶାନ୍ତ ହେଲାନି ତାଙ୍କର । ହାତ ଦୁଇଟି ତାଙ୍କର ପିଠିରେ ମୋର ବେସୁରା ମୃଦଙ୍ଗ ବଜାଉ ଥିଲେ । 

ମୁଁ ବିକଳ ହୋଇ କାନ୍ଦୁଥିଲି କିନ୍ତୁ କାହାର ସାହାସ ନଥିଲା ଜେଜେଙ୍କ ସାମ୍ନାରେ କିଛି କହିବାକୁ । ତଥାପି ଜେଜେମାଆ ଆସି କହିଲା," ସିଲଟଟେ ତ ଭାଙ୍ଗିଚି, ପିଲାଟାକୁ ମାରିପକେଇବ ନା କଣ?" ଜେଜେ ବିରତ ହେଲେ ବିରକ୍ତ ହୋଇ । ମୋର ଜେଜେଙ୍କ ପ୍ରତି ରାଗ ଆସୁଥାଏ କିନ୍ତୁ ଥିଲି କିଂକର୍ତ୍ତବ୍ୟବିମୂଢ । ପରେ ଯେତେବେଳେ ଜାଣିବାକୁ ପାଇଲି ଯେ, ମୋତେ ମାଡ ମାରିଥିବାରୁ ଜେଜେ ଉପାସ ରହିଲେ ଆଉ ରାତି ସାରା ଶୋଇ ପାରିଲେ ନାହିଁ, ମୋର ସବୁ ରାଗ ଆଉ ଅଭିମାନ ଉଭେଇଗଲା । 

କିନ୍ତୁ ସେଦିନ ମୁଁ ଅନୁଭବ କଲି ଶାସନ କାହାକୁ କହନ୍ତି । ସାମାନ୍ୟ ସିଲଟଟା ଭାଙ୍ଗିବାର ଏତେ କଠୋର ଶାସ୍ତି! ଅମାନିଆ ମନ ମୋର ବିଦ୍ରୋହୀ ହୋଇଉଠିଲା । ମୁରବିପଣିଆ ନାମରେ ଏ ଶିଶୁ ଅଧିକାରର ହତ୍ୟା ନୁହେଁ କି? ସମାଜର ସବୁ ଆଦବକାଇଦା ନୀତି ନିୟମ ବିରୁଦ୍ଧରେ ଏ ବିଦ୍ରୋହ । ଗତାନୁଗତିକତାର ବିପରୀତ ଧାରାରେ ଚାଲିଲି ମୁଁ ସେବେଠାରୁ ଆଉ ଚାଲିଛି ଆଜି ବି । 

କାଳକ୍ରମେ ବଡ଼ ପିଲା ହେଲି, ସହରକୁ ଆସିଲି ଉଚ୍ଚଶିକ୍ଷା ପାଇଁ । କେତେ କଥା ଜାଣିବା ପାଇଁ ସୁଯୋଗ ମିଳିଲା । ଦେଶବିଦେଶରେ ବୁଲିଲି, କେତେ ଲୋକଙ୍କ ସହ ମିଶିଲି । ହେଲେ ମୋ ମନରୁ କେବେ ବି ଲିଭିନଥାଏ ସେଇ ସିଲଟ ଭଙ୍ଗା କଥା!

ଥରେ ଏମିତି ଗାଁକୁ ଯାଇଥାଏ, ଜେଜେ ତାଙ୍କ ସାଙ୍ଗସାଥୀଙ୍କ ସହ ଠାକୁର ଘରେ ଶାସ୍ତ୍ର ଆଲୋଚନା କରୁଥାନ୍ତି । ଏଇ ଆଲୋଚନା ସରୁ ସରୁ ରାଜନୀତି ଆଡକୁ ମୁହାଁଇଲା । ସାରଗର୍ଭକ ଆଲୋଚନା! ମୁଁ ମନୋଯୋଗ ସହକାରେ ସବୁ ଶୁଣୁଥାଏ । ଚଉପାଢ଼ୀ ସମାପନ ପରେ ଯିଏ ଯାହା ଘରକୁ ଫେରି ଗଲେ । ଏବେ କେବଳ ଆମେ ଦୁଇଜଣ, ଜେଜେ ଆଉ ମୁଁ । 

ସମସ୍ତ ସାହାସ ସଞ୍ଚୟ କରି ମୁଁ ଜେଜେଙ୍କୁ ପଚାରିଲି, "ମାଟି ସିଲଟଟା ଭାଙ୍ଗି ପକାଇବା ପାଇଁ ଏତେ ମାଡ଼ ମୋତେ ମାରିଥିଲ ଅକାରଣରେ । ହେଲେ ଯେଉଁ ବଡ଼ଲୋକମାନେ ଦେଶଟାକୁ ମୋର ଭାଙ୍ଗି ଦେଲେ ନିଜ ନ୍ୟସ୍ତ ସ୍ଵାର୍ଥ ଚରିତାର୍ଥ କରିବା ପାଇଁ, ସେମାନଙ୍କର କିଏ କଣ କରି ପକାଇଲା?" କଣ୍ଠରେ ମୋର ବିଦ୍ରୋହର ସ୍ୱର, ଆଖିରେ ଦିହୁଡି ଜଳୁଥାଏ, ଅସହ୍ୟ କ୍ରୋଧରେ ମୁଁ ଜର୍ଜରିତ ହୋଇ ଗୋଟାପଣେ ଥରୁଥାଏ । 

ଜେଜେ ସ୍ଥିତପ୍ରଜ୍ଞ ହୋଇ କହିଲେ, "ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ଲୋକଙ୍କୁ ଉତ୍ତର ନାହିଁ! ଏହା ହିଁ ଦୁନିଆର ନିୟମ । ଏକଥା ଯେତେ ଶୀଘ୍ର ବୁଝିଯିବୁ ସେଥିରେ ତୋର ମଙ୍ଗଳ ଆଉ ଦୁନିଆର ବି... "

ବୁଝିବାକୁ ଏବେ ଆଉ ବାକି ନାହିଁ କିଛି । ଜେଜେଙ୍କର ଏହି ଶିକ୍ଷା ଚିର ସ୍ମରଣୀୟ ହୋଇ ରହିଛି... 



Rate this content
Log in

Similar oriya story from Inspirational