STORYMIRROR

Priyaranjan Biswal

Inspirational Others

4  

Priyaranjan Biswal

Inspirational Others

ମାତୃ କୃପା

ମାତୃ କୃପା

3 mins
283


   ମନୋଜ ଭାରି ଗରିବ ପିଲାଟିଏ । ଘରଠାରୁ ଆଠ କି.ମି. ଦୂରରେ ଥିବା କଲେଜରେ +୩ ୨ୟ ବର୍ଷରେ ରାଜନୀତି ବିଜ୍ଞାନ ସମ୍ମାନ ବିଭାଗର ଛାତ୍ର ଭାବେ ଅଧ୍ଯୟନ ରତ । ପିଲାଟି ଗରିବ ହେଲେ ମଧ୍ଯ ଭାରି ସଂସ୍କାରି, ନମ୍ର ଓ ଭଦ୍ର । କଲେଜର ପ୍ରୟ ସବୁ ଛାତ୍ରଛାତ୍ରୀ ଓ ଅଧ୍ଯାପକ ଅଧ୍ଯାପିକା ଏବଂ ଅନ୍ଯ କର୍ମଚାରିଙ୍କର ସିଏ ପ୍ରିୟ ପାତ୍ର । ପିଲାଟି ଗରିବ ହୋଇଥିବାରୁ ସକାଳୁ ପଖାଳ ମୁଠେ ଖାଇ କଲେଜ ଯାଏ ଆଉ ଘରକୁ ଫେରିଲେ ପୁଣି ଗଣ୍ଡେ ଭାତ ଖାଏ । ଯଦି କେଉଁଦିନ ତାକୁ କଲେଜରେ ଅତ୍ଯଧିକ ଭୋକ ଲାଗେ ତେବେ କ୍ଯାମ୍ପୋସ୍ ରେ ଥିବା ଏକ ବେଲଗଛର ପତ୍ରକୁ ଖାଇ ପେଟପୁରା ପାଣି ପିଇଦିଏ । ହେଲେ କେବେ ଏଥିପାଇଁ ତାର ମନଦୁଃଖ ନଥାଏ । ଯେତେ ଦୁଃଖକଷ୍ଟ ଆସୁ ପଛେ ସିଏ ସବୁ ହସିହସି ସହିଯାଏ । ପ୍ରତିଦିନ ସାଇକେଲ୍ ନେଇ କଲେଜ ଯାଏ । ତେଣୁ ତା'ବାପା ତାକୁ ପ୍ରତି ଦୁଇ ଦିନରେ ପାଞ୍ଚଟଙ୍କା ଦିଅନ୍ତି ସାଇକେଲ୍ ଯଦି କିଛି ଖରାପ ହୁଏ ତେବେ ସଜାଡିବା ପାଇଁ, କିନ୍ତୁ ସିଏ ସେହି ଟଙ୍କାକୁ କଲେଜ ଯିବା ବାଟରେ ଥିବା ମନ୍ଦିର ଆଗରେ ବସିଥିବା ଭିକାରୀକୁ ଦେଇଦିଏ । ଆଉ ମାଆ ସରସ୍ୱତୀଙ୍କୁ ପ୍ରାର୍ଥନା କରେ ଜଗତରେ ସବୁ ଲୋକଙ୍କର ଦୁଃଖକୁ ଦୂର କରିଦେବା ପାଇଁ ।


     ଦିନେ ହଠାତ ମନୋଜର ଦେହ ବହୁତ ଖରାପ ହୋଇଗଲା । ପଡିଶା ଲୋକ ତାକୁ ଡାକ୍ତରଖାନା ନେଇଗଲେ । ଡାକ୍ତର କହିଲେ ମନୋଜକୁ ଶ୍ୱାସ ରୋଗ ହୋଇଛି, ତେଣୁ ଏବେ ସେ ବାହାରକୁ ନଯାଇ ଘରେ ବିଶ୍ରାମ କରିବା ଆବଶ୍ଯକ । ସେପଟେ ଏବର୍ଷ ମନୋଜର ସମ୍ମାନ ବିଭାଗର ଚାରୋଟି ପେପର ପଢି ପରୀକ୍ଷା ଦେବାକୁ ପଡିବ । କିନ୍ତୁ ସିଏ କରିବତ କରିବ କଣ? ଦେହ ଖରାପରେ ପଢିବ କେମିତି? ସେଥିରେ ପିଣି ଆନ୍ତର୍ଜାତୀୟ ରାଜନୀତି ପେପର ସବୁଠୁ କଷ୍ଟ ଲାଗେ ମନୋଜକୁ । ଯାହା ଏଇ ବର୍ଷ ପରୀକ୍ଷା ହେବାକୁଥିବା ଚାରୋଟି ପେପର ମଧ୍ଯରୁ ଅନ୍ଯତମ । ଏମିତି ଭିତରେ ସମୟ ବିତି ଚାଲିଲା । ମନୋଜ ସବୁବେଳେ କିନ୍ତୁ କେବଳ ମାଆ ସରସ୍ୱତୀଙ୍କୁ ସ୍ମରଣ କରୁଥାଏ । ପରୀକ୍ଷା ସମୟ ଉପନୀତ ହେଲା ପରୀକ୍ଷାର ତୃତୀୟ ଦିନରେ ହିଁ ଥିଲା ଆନ୍ତର୍ଜାତୀୟ ରାଜନୀତିର ପେପର । ହେଲେ ମନୋଜତ କିଛି ପଢିପାରିନି, କରିବ କଣ? ମନେ ମନେ ଭାବୁଥାଏ ଏ ପେପରଟା ମୋର ନିଶ୍ଚିତ ବ୍ଯାକ୍ ଲାଗିବ । ଗଲା ମୋର ସବୁ ପରିଶ୍ରମ ଶୁଖୁଆ ଝୋଳରେ ଚାଲିଗଲା । ଏମିତି ଭାବି ପରୀକ୍ଷା ଦିନ ସକାଳୁ ଉଠି ଗାଧୋଇ ସାରି ବାହାରିଲା ପରୀକ୍ଷା ଦେବାକୁ । ମନେମନେ କେବଳ ମାଆ ସରସ୍ୱତୀଙ୍କୁ ସ୍ମରଣ କରି ତାକୁ ସହାୟ ହେବା ପାଇଁ ଆକୁଳ ନିବେଦନ କରୁଥାଏ, ଆଉ ସାଇକଲରେ କଲେଜ ଯାଉଥାଏ ପରୀକ୍ଷା ଦେବା ପାଇଁ । ଠିକ୍ ଏହି ସମୟରେ ତା ସାମ୍ନାରୁ ଜଣେ ଶ୍ଯାମଳ ବର୍ଣ୍ଣର ଝିଅ ଗୋଟିଏ ସାଇକଲରେ ଆସି ମନୋଜକୁ ପରୀକ୍ଷା ପାଇଁ ଶୁଭକାମନା ଜଣାଇଲା । ମନୋଜ କିଛି ବୁଝିବା ଆଗରୁ ଝିଅ ଜଣକ ତାକୁ ପାର କରି ବହୁ ଆଗକୁ ଚାଲିଯାଇଥିଲା । ମନୋଜ କିନ୍ତୁ ସେଇ ଝିଅକୁ ଆଗରୁ କେବେ ଦେଖିନଥିଲା କି ଜାଣିନଥିଲା । ତେଣୁ ଜଣେ ଅଜଣା ଅଚିହ୍ନା ଝିଅ ତାକୁ କାହିଁକି ପରୀକ୍ଷାର ଶୁଭକାମନା ଜଣେଇଲା ତାହା ମନୋଜ ବୁଝିପାରିଲାନି । ତେଣୁ ସିଏ ପଛକୁ ଯାଇ ସେ ଝିଅକୁ ପଚାରିବାକୁ ଚିନ୍ତା କଲା । ମାତ୍ର ପୁଣି ଭାବିଲା ମୁଁ ପରୀକ୍ଷା ଦେବାକୁ ଯାଉଛି ତେଣୁ ମୋର ପଛକୁ ଫେରିବା ଠିକ୍ ହେବନି । ଏହା ଭାବି ମନୋଜ ପୁଣି ମାଆ ସରସ୍ୱତୀଙ୍କୁ ମନେମନେ ସ୍ମରଣ କରି ସାଇକଲ ଧରି ଚାଲିଲା ପରୀକ୍ଷା କେନ୍ଦ୍ରକୁ । ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ପାଇବା ପରେ କେଜାଣି ମନୋଜର କଣ ହେଲା ସେ ଗୋଟିଏ ନିଃଶ୍ୱାସରେ ସବୁ ପ୍ରଶ୍ନର ଉତ୍ତର ଲେଖିବାକୁ ଲାଗିଲା । ଯେମିତି ସବୁ ପ୍ରଶ୍ନର ଉତ୍ତର ତାକୁ ଭଲଭାବେ ଜଣାଥିଲା । ମନେ ମନେ ଫେଲ୍ ହେବା କଥା ଚିନ୍ତା କରୁଥିବା ପିଲା ଏବେ ଆଡିସନାଲ୍ ଉପରେ ଆଡିସନାଲ୍ ନେଇ ଉତ୍ତର ଲେଖି ଚାଲିଥାଏ । ସମୟ ସମାପ୍ତ ହେବା ପୂର୍ବରୁ ମନୋଜ ସବୁ ପ୍ରଶ୍ନର ଉତ୍ତର ଦେଇସାରିଥାଏ, ସତେ ଯେମିତି ମାଆ ସରସ୍ୱତୀ ତା ମନ ଭିତରେ ରହି ତାକୁ ସବୁ ପ୍ରଶ୍ନର ଉତ୍ତର ପ୍ରଦାନ କରୁଥିଲେ । ପରୀକ୍ଷା ସରିଗଲା । ମନୋଜ ଘରକୁ ମନ ଆନନ୍ଦରେ ଫେରିଲା । ଫେରିବା ବାଟରେ ମନେମନେ ସେଇ ଝିଅକୁ ବହୁତ ଖୋଜିଲା କିନ୍ତୁ ପାଇଲାନି । ପରୀକ୍ଷା ସରିଗଲା । ହେଲେ ସେଇ ଝିଅକୁ ମନୋଜ ଆଉ କେବେ ଦେଖିବାକୁ ପାଇଲାନି । ସେଇ ଝିଅଟି ବିଷୟରେ ସିଏ ଅନେକ ଲୋକଙ୍କୁ ମଧ୍ଯ ପଚାରିଲା ହେଲେ ସେ ଝିଅ ବିଷୟରେ କେହି କିଛି ବି କହିପାରିଲେନି । କିଛିଦିନ ପରେ ପରୀକ୍ଷା ଫଳ ପ୍ରକାଶିତ ହେଲା ଆଉ ମନୋଜ ଅନ୍ଯ ବିଷୟ ତୁଳନାରେ ସବୁଠୁ ଅଧିକ ନମ୍ବର ରଖିଥିଲା ସେଇ ଆନ୍ତର୍ଜାତୀୟ ରାଜନୀତି ପେପରରେ । ଆଉ ନିଜ ରାଜନୀତି ବିଜ୍ଞାନ ବିଭାଗରେ ସିଏ ରଖିଥିଲା ସବୁଠାରୁ ଅଧିକ ନମ୍ବର । ଯେଉଁ ଝିଅଟି ମନୋଜକୁ ପରୀକ୍ଷାର ଶୁଭକାମନା ଜଣେଇଥିଲା ସିଏ କା ସାଇକେଲ ବାସ୍କେଟରେ କିଛି ଖାତା ରଖିଥିଲା ତେଣୁ ଆଖପାଖର ସବୁ କମ୍ପୁଟର କେନ୍ଦ୍ର, କୋଚିଙ୍ଗ୍ ସେଣ୍ଟର ସବୁଠି ମନୋଜ ଯାଇ ସେଇ ଝିଅର ସନ୍ଧାନ କରିବାକୁ ଲାଗିଲା । ମାତ୍ର ସିଏ କେଉଁଠିବି ସେ ଝିଅକୁ ପାଇଲାନି । ମନୋଜ ମନେମନେ ଭାବିଲା ଏମିତି କେମିତି ସମ୍ଭବ? ସେଇ ଝିଅଟି କିଏ? ସିଏ କାହିଁକି ମନୋଜକୁ ଶୁଭକାମନା ଜଣେଇଲା? ଆଉ ସିଏ ଏମିତି କୁଆଡେ ଚାଲିଗଲା ଯେ ମନୋଜ ତାକୁ ଶତ ଚେଷ୍ଟା କରି ମଧ୍ଯ ଖୋଜି ପାଇଲା ନାହିଁ? କଣ ମନୋଜର ଭକ୍ତିରେ ମାଆ ସରସ୍ୱତୀ ସନ୍ତୁଷ୍ଟ ହୋଇ ନିଜେ ସେଇ ଝିଅ ବେଶରେ ଆସି ତାକୁ ଶୁଭକାମନା ଜଣେଇଥିଲେ? ଯାହା ଫଳରେ ମନୋଜ ପରୀକ୍ଷାରେ ଏତେ ଭଲ କରି ପାରିଲା । ଆପଣମାନେ କଣ ଭାବୁଛନ୍ତି? ଏମିତି ଅଲୌକିକ ଘଟଣା କାହିଁକି ଓ କିପରି ଘଟିଲା? ଏହା ପଛର ପ୍ରକୃତ କାରଣ କଣ ହୋଇପାରେ? ଆପଣମାନଙ୍କ ଉତ୍ତର ଅପେକ୍ଷାରେ... ରହୁଛି ନମସ୍କାର ।



Rate this content
Log in

Similar oriya story from Inspirational