Satyabati Swain

Inspirational

3  

Satyabati Swain

Inspirational

ମାଙ୍କଡ଼ା ପଥରରୁ ଶାଳଗ୍ରାମ

ମାଙ୍କଡ଼ା ପଥରରୁ ଶାଳଗ୍ରାମ

4 mins
600



ସୂତା ଖିଏ କରେ ଝୁଲୁଥିଲା ହୃଦୟ।ଜୀବନ ଦଉଡ଼ି ଛିଣ୍ଡିବା ଉପରେ।ଆକ୍ତମାକ୍ତା ମନ।ନରମି ଯାଉଥିଲା ଗରମ ସକାଳ।ଶହେ ତିନି ନମ୍ବର ବେଡ଼ରେ ଧକାଉଥିଲା ଗୋଟିଏ କଙ୍କାଳ।ବାକ୍ ଶକ୍ତି ଲୋପ।ଜୁଳୁ ଜୁଳୁ ଅନାଉଁଥିଲା ଖାଲି।ଏବେବି ଅନୁଭବ ଶକ୍ତି ହରାଇନି ସେ।ହାତ ଗୋଡ଼ ଅସ୍ଥିର ହେଉଛନ୍ତି।ଭାବିବା, ବୁଝିବା ତାକତ ଅଛି ତା ଭିତରେ ମହଜୁଦ।

      ଧକେଇ କାଶିଲା ଖୁଁ ଖୁଁ କଙ୍କାଳ ସାର ରୋଗୀଟି।ନରମ ହାତ ଦୁଇଟି ଆଉଁସି ଦେଉଥିଲା ତା ବାଆଁ ପଟ ଛାତି।ଟାଣୁଆ ଟାଣୁଆ ହାଡ଼ ଭିତରେ ପୋକରା ହୋଇଯାଥିଲା କଲିଜା।ଫିକା ହୋଇ ଆସୁଥିଲା କଲିଜା

ରଙ୍ଗ।ହାତ ଦିଇଟି ସ୍ପର୍ଶରେ ଟିକେ ଆନମନା ହୋଇଗଲା ରୋଗୀଟି।ଆକୁଳ ଆଖିରେ ଚାହିଁଲା ନରମି ହାତର ମୁହଁକୁ।ଚିପୁଟି ହୋଇ ଆଖିରୁ ଦୁଇ ଗାଲ ପଟେ ବୋହି ଆସିଲା ଦୁଇଟି ଧାର।କାଶ ବଢିଲା ଖୁଁ ଖୁଁ ଖୁଁ ଉଁ ଉଁ।

           ନରମି ସୁନ୍ଦର ହାତ ଦୁଇଟି ରୋଗୀର ସମଗ୍ର ଶରୀର କୁଖୁବ୍ ସରାଗରେ ଆଉଁସି ପକାଇଲା।ରୋଗୀର ଅଣ ଚାଷ ବହୁଥିଲା ଯେପରି।ଅସ୍ତ ବ୍ୟସ୍ତ ନରମି ହାତ ଡାକ ପକାଇଲା ଡାକ୍ତର,ନର୍ସ ସମସ୍ତଙ୍କୁ।ଛାତିରେ ଲାଗିଥିବା ମେସିନ୍ ଗାର ଗୁଡିକ ଛାଡି ଛାଡି ଯାଉଥିଲା।

      ଓହୋ ଏଇ ବୋଧେ ପବନ ଚୁପ୍ ହୋଇଯିବ।ଧାଇଁ ଆସିଲେ ଡାକ୍ତର, ନର୍ସ।ଫୋଡି ପକାଇଲେ ଏଣେ ତେଣେ ଇଂଜେକ୍ସନ।ସାଲାଇନ ବଟଲ୍ ରେ ବି ଫୋଡି ପକାଇଲେ କେତୁଟା।ରକ୍ଷା ହୋଇଗଲା।ଓଃ ନିଃଶ୍ବାସ ପୁଣି ଗତାନୁଗତିକ ଧାରାରେ ଚାଲିଲା।

               ରୋଗୀ ଶାନ୍ତିରେ ଆଖି ବୁଜି ଟିକେ ଶୋଇ ପଡ଼ିଲା।ଦିକ୍ ଦିକ୍ ଜଳୁଥିବା ଦୀପଟି ଭିତରେ ଖୁବ ଗୁଡିଏ ଦୃଶ୍ୟ ଜାଲୁ ଜାଲୁ ଦେଖା ଗଲା।

          ସାତ ବର୍ଷ ତଳକୁ ଫେରିଗଲା ସେ।ଏଇ ନରମି ହାତ ତା ଲିମା,ତା ପ୍ରେମିକା, ସ୍ତ୍ରୀ ର ହାତ।ସେତେବେଳେ ସେ +2 ପଢୁଥାଏ।ଏଇ ପୋକରା ହୃଦୟ ରୋଗୀଟି କୁନୁ,କୁନାଲ ଗ୍ୟାରେଜରେ କାମ କରେ।ବହୁ ସମୟ ସଜାଡିଥିବା ବାଇକ,ବା କାର ଠିକ୍ ହେଲାକି ନାଇଁ ଜାଣିବା ପାଇଁ ଘେରାଏ ବାରବାଟୀ ରାସ୍ତାରେ ଚକକର କାଟି ଆସେ।ଏଇ ବାଟେ ନୀତି ରେଭେନ୍ସା ଯାଏ ଲିମା।ଦିନେ ଭାରତ ବନ୍ଦ ଡାକରା ଦେଇଥାନ୍ତି ଭାରତ ସରକାର।ଗୋଟିଏ ଗାଡି,ଏପରିକି ସାଇକେଲ ଚଳାଳି ଟିଏ ବି ଦିଶୁ ନଥାନ୍ତି ରାସ୍ତାରେ।ଛକକୁ ଛକ ପୋଲିସ ପହରା।ଠିକ୍ ସେଇଦିନ ଏ ଝିଅଟି ଅତି ହତାଶରେ ରାସ୍ତା ପରେ ଠିଆ ହୋଇଥାଏ।ବୋଧେ କୁଆଡେ ଯିବାର ଥାଏ।ସକାଳ ସାତରୁ ସେ ବାର୍ ଟା ପର୍ଯ୍ୟନ୍ତ,ସେମିତି ଠିଆ ହୋଇଥାଏ।ଆମ ଗ୍ୟାରେଜ ତ ବନ୍ଧ।ତଥାପି ଚେୟାର ଟିଏ ପକାଇ ବସାଇଥାଏ ମୋତେ ମାଲିକ।ଏମିତି ଦିନ ମାନଙ୍କରେ ଅସୁବିଧାରେ ପଡିଥିବା ଲୋକେ ଗାଡି ଟିକେ ଛୁଇଁ ଦେଲେ ବି ଅଜାଡି ପକାନ୍ତି ଟଙ୍କା।

    ଝିଅଟିକୁ ଖରାରେ ଏତେ ସମୟ ଠିଆ ହେବା ଦେଖି କୁନୁକୁ ଦୟା ଲାଗିଲା।ସେ ଝିଅଟି ପାଖକୁ ଯାଇ କହିଲା "କାହିଁକି ଠିଆ ହୋଇଛ?ଜାଣିନ ଆଜି ସବୁ ବନ୍ଦ।ଏ ପରି ଦିନ ମାନଙ୍କରେ ଘରୁ ଝିଅ ପିଲାଏ ବାହାରନ୍ତି କି?

       ସୁଅ ମୁହଁରେ ଭାସିଯାଉଥିବା ମଣିଷ କୁଟା ଖିଏ ଆକୁଳରେ ମାଡି ସେ ଜୀବନ ବିକଳରେ।ସେମିତି ଏତିକି କଥାରେ କୋହ ଉଠାଇ କାନ୍ଦି ପକାଇଲା ସେ।ବୋଉ ଦେହ ଅତିଶୟ ଖରାପ।ତିନି ଦିନ ହେଲା ଜର ଛାଡ଼ୁନି।ଫୋନ୍ କରିଥିଲା ଔଷଧ ନେଇ ଯିବାକୁ।ଆହୁରି ଜୋରରେ କାନ୍ଦିଲା ସେ।କୁନୁ ବିଝି ଗଲା ସବୁ।ଗ୍ୟାରେଜ ରୁ ବାଇକଟିଏ ଆଣି ସୁଦୂର ଯାଜପୁର ରେ ନେଇ ଛାଡ଼ି ଆସିଲା।

       ସେବେଠୁ ଝିଅଟି କୃତଜ୍ଞତା ବୋଝରେ ନଇଁ ପଡିଲା।କୁନୁ ଏହାର ଫାଇଦା ଉଠାଇଲା।ଆପଣା ପଣ ଦେଖାଇ ଝିଅଟି ହୃଦୟ ପାଖରେ ପହଁଞ୍ଚି ଗଲା।ଝିଅଟିର ବାପା ଆଉ ଗୋଟେ ସ୍ତ୍ରୀ ରଖି ରହିଥିଲେ କଲିକତାରେ।ଗାଁରେ ମା ଝିଅ ଦୁଃଖ କଷ୍ଟେ ଚଳୁଥିଲେ।କୁନୁର ସାହାଯ୍ୟ,ସହଯୋଗ,ମିଛ ଭଲ ଥିଲା ଵାଲା ଘରର ପୁଅ,ଏତେ ବଡ଼ ଗ୍ୟାରେଜ ତାଙ୍କର କହି ପଟେଇ ନେଲା ବିଚରା!ମା ଝିଅ ପଶିଗଲେ।ଚଣ୍ଡୀ ମନ୍ଦିରରେ ବାହା ଘର ହୋଇଗଲା।

     କୁନୁ ଯେ ଜଣେ ରିକ୍ସା ଚାଳକ ପୁଅ।ଗୋଟିଏ ଇନ୍ଦିରା ଆବାସ ଘରେ ଚଳନ୍ତି ଜେଜବାପା ମା,ବାପା ବୋଉ ଓ ଭଉଣୀ।ପୁଣି ପଞ୍ଚମ ଯାଏ ପାଠ,ଘୋଡା ମଦୁଆଟା।

    ଏସବୁ ସତ୍ୟ ଜାଣିଲା ବେଳକୁ ବାହାଘର ଶେଷ।ଲିମା ସେଇ ରାଗରେ ଛୁଆଇଁ ଦେଇନି ତା ଦେହ ଆଜି ଯାଏ କୁନୁକୁ।କୁନୁ ବି ଛୋଟିଆ ହୋଇ ଯାଇ ବାଧ୍ୟ କରିନି ସେଇ ସରଳ ବିଶ୍ୱାସୀ ଝିଅଟି ଇଛା ବିରୁଦ୍ଧରେ ଯିବାକୁ। କୁନୁ ଟା ମୂର୍ଖ ଅଗୁଆଁର କିନ୍ତୁ ହୃଦୟବାନ ମଣିଷ।ସଫା ହୃଦୟ।ମିଛ କହି ଲିମାକୁ ବାହା ହୋଇଥିବାରୁ ବେଳେବେଳେ କୋଷେ ନିଜକୁ।ଲିମା ଯେମିତି ସୁନ୍ଦର ଗୁଣର ଝିଅ ତାକୁ ରାଜା ପୁଅ ମିଳି ଥାଆନ୍ତେ।କିନ୍ତୁ ବଦମାସ ସେ।ମିଛ କହି ଲିମାର ଜୀବନ ନଷ୍ଟ କରି ଦେଇଛି।

        ସେ କଣ କରିବ ଯେ ଲିମା ତାକୁ ଭଲ ଲାଗିବା ତା ଅକ୍ତିଆରରେ କଣ ଥିଲା?ଗରିବ,ଅପାଠୁଆ ବୋଲି ସେ କଣ ଭଲ ପାଇ ପାରିବ ନାହିଁ?ଅବଶ୍ୟ ମିଛ କହିବା ଟା ତାର ବଡ଼ ଭୁଲ।ଲିମାକୁ ପାଇବା ମୋହ ଏତେ ଅଧିକ ବଢି ଯାଇଥିଲା ଯେ ସେ ଡାହା ମିଛ ଗୁଡାଏ କହି ପକାଇଲା।ବିଚାରୀ ଲିମା ଓ ତା ବୋଉ ଭଳି ଗଲେ।ସତ ମିଛ ପରୀକ୍ଷା କରିବାକୁ ତାଙ୍କ ପାଖେ ଆଉ ତ କେହି ନ ଥିଲେ।

            ମିଛ ତ ମିଛ ଏଣେ ପୁଣି ମଦୁଆ ଟା।ପିଲା ଦିନୁ ବାପା ସାଙ୍ଗେ ପିଇ ପିଇ ଅଭ୍ୟାସ ଏମିତି ହୋଇ ଯାଇଥିଲା ଯେ ଭାତ ପଛେ ନ ଖାଉ ପିଇବା ଥୟ।

    ଲିମା ସର୍ତ୍ତ ରଖିଥିଲା ଯେଉଁ ଦିନ ମଦ ଛାଡିବ ଅବା ଭାବିବ ତା ବିଷୟରେ।ଲିମା ଡି ଏ ଭି ସ୍କୁଲ ପିଏନ ଭାବେ କାମ କଲା ଓ ଛାଡି ଚାଲି ଗଲା କୁନୁକୁ।।କୁନୁ ନିଜକୁ ଅପାରାଧି ଭାବି ବେଶୀ ବେଶୀ ମାତାଲ ହେଲା।ଯାହା ରୋଜଗାର କଲା ନାଲି ପାଣିରେ ସାରି ଦେଲା।ଲିମାର ନିରୀହ ଆଖି ତାକୁ ଯେପରି ଖାଇ ଗୋଡ଼ାଇଲେ।ବିବାହ କରି ମଧ୍ୟ ସେ ପାଇ ପାରିଲା ନାହିଁ ଲିମା ମନ କି ଦେହ। ଚାହିଁଥିଲେ ଜୋର କରି ଲିମା ଦେହ ଟାକୁ ଭୋଗି ପାରି ଥାନ୍ତା ସ୍ୱାମୀ ପଣିଆ ଦେଖାଇ।କିନ୍ତୁ ପାଇ ପାରି ଥାନ୍ତା କି ଲିମା ମନ ହୃଦୟ,ପ୍ରେମ!! ପ୍ରେମ ହୀନ ଶରୀର ତୁଚ୍ଛାକୁ ଶୁଖିଲା କାଠ ଗଣ୍ଡି ନା। ଚାକିରୀ ନାଁ ରେ ଲିମା ରହିଲା ତାଠୁ ଦୁରେ।ଅଜାଗା ଘା ନା କୁନୁ ନିଜେ ଦେଖି ପାରିଲେ ନା ଦେଖାଇ ପାରିଲା।ନିଜ ପସନ୍ଦର ଝିଅକୁ ସେ ବାହା ହୋଇଛି।କା ଆଗେ ତା ମନ କଥା କୁହନ୍ତା।ଏଣୁ ଖାଲି ପିଇଲା ଆଉ ପିଇଲା।ଶେଷ ପରିଣତି ଆଜି ଏଇଠି,ମରଣ ସହ ଯୁଝୁଛି।

     ଆଉ ଲିମା!!ଅନେକ ଦିନ ଧରି ତା ସେବା କରୁଛି।ରୂପ ଯେମିତି ଗୋଟିଏ ଚାଉଳରେ ଗଢ଼ା,ଗୁଣ ବି ସେମିତି। ସେ ଆଡ଼ ଆଖିରେ ଅନାଏ ନାହିଁ କୁନୁକୁ।ଟିପମାରି ଦେଇନି ତା ଦେହରେ କୁନୁର। ଏବେ କିନ୍ତୁ ସେବା କରୁଛି ଦିନ ରାତି। କୁନୁ ବଞ୍ଚିବାକୁ ଚାହୁଁଥିଲା।ସଂକଳ୍ପ କରୁଥିଲା ହେ ପ୍ରଭୁ ବଞ୍ଚାଇ ଦିଅ ତାକୁ।ଅତନ୍ତଃ ଏଇ ସୁନ୍ଦର ଝିଅଟି ପାଇଁ।ବଞ୍ଚିଗଲେ ଆଉ କେବେ ବି ମଦ ପିଇବ ନାହିଁ। ନ ଛୁଉଁ ପଛେ ଲିମାକୁ ଦେଖି ତ ଅନ୍ତତଃ ଖୁସି ହେବ।

    ଠିକ୍ ଦୁଇ ବର୍ଷ ପରେ କୁନୁ ଓ ଲିମା ଡାକ୍ତର ବାବୁଙ୍କ ପାଖକୁ ଯାଉଥିଲେ।କାରଣ କୁନୁ ଏବେ ଯକ୍ଷ୍ମା ମୁକ୍ତ ସୁନ୍ଦର ଜୀବନ ଟିଏ ଜୀଉଁଛି।ମଦ ଛୁଉଁ ନାହିଁ।ତା ହୃଦୟ ଲିମା ପ୍ରେମ ନିଶାରେ ଉବୁଟୁବୁ।ମଦ କି ନିଶା ଏ ଭଲ ପାଇବା ଆଗରେ!।।ଆଉ ଲିମା ! ମାଙ୍କଡ଼ା ପଥର କୁନୁଟାକୁ ମାଜି ମୁଜି ଶାଳ ଗ୍ରାମ କରି ଦେଇଛି।

ଲିମା ଏବେ କାଳେ ମା ହେବ ସେଇ ପାଇଁ ଡାକ୍ତରଙ୍କ ପାଖକୁ ଯାଉଛନ୍ତି ଦୁହେଁ।



Rate this content
Log in

Similar oriya story from Inspirational