STORYMIRROR

Subhalaxmi Nayak

Horror

4  

Subhalaxmi Nayak

Horror

ମାମୁଁ ଘର

ମାମୁଁ ଘର

4 mins
481

ସୁନି ଓ ରୁନି ଦୁଇ ସାଙ୍ଗ। ଏଥରର ଖରାଛୁଟିରେ ସୁନି ଆଗ ମାମୁଁ ଘରକୁ ଯିବାକୁ ଜିଦ୍ କରିଲା ସେ ବି ତାର ପ୍ରିୟ ସାଙ୍ଗ ରୁନି ସହ। ବୋଉ ବାପାଙ୍କୁ କହି, ଗଲା ଶନିବାର ଦିନ ମାମୁଁ ଘରେ ଛାଡ଼ିଦେଇ ଆସିଲେ। କିନ୍ତୁ ପିଲାଟା ବିନା ଘର ଖାଁ ଖାଁ ଲାଗୁ ଥିଲା। ସୁନିର ବୋଉ ଙ୍କୁ ସେମିତି ବି ନିଃଶ୍ୱାସ ମାରିବାକୁ ସମୟ ନ ଥାଏ ଘର କାମରେ, ଆଉ ତାଙ୍କ ସାଙ୍ଗରେ ପଳେଇ ଗଲେ ବାପା ଏଠି କଟକରେ ଏକା ହଇରାଣ ହେବେ ତ ହେବେ ତା'ପରେ ଦେହ ଖରାପ କରିବେ ସେ ପୁଣି ଅଲଗା ପରିସ୍ଥିତି। ସେଥିପାଇଁ ଏଥର ଦୁହିଁଙ୍କୁ ବହୁତ ତାଗିଦ୍ କରି ସୁନି ବୋଉ ସୁନି ବାପାଙ୍କ ତଦାରଖରେ ପଠେଇଥିଲେ। ପୋଖରୀ ହୁଡ଼ାକୁ ରାତିରେ ଯିବନି, ଜମା ବି ବଦମାସୀ କରିବନି, ଆଈ ଆଉ ମାଇଁଙ୍କର କଥା ମାନି ସୁନାପିଲା ହୋଇ ରହିବ, ଉଦୁଉଦିଆ ଦ୍ୱିପ୍ରହର ବେଳେ ଜମା ଆମ୍ବ ତୋଟା ଆଡ଼େ ଲୁଚି କରି ଯିବନି ଇତ୍ୟାଦି ଇତ୍ୟାଦି। କିନ୍ତୁ ସୁନି ବୋଉର ତାଗିଦା ସବୁ ଦୁହିଁଙ୍କର ଗୋଟିଏ କାନରେ ପଶୁଥିଲା ଆଉ ଗୋଟିଏ କାନ ବାଟରେ ବାହାର ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଉଥାଏ। କାହିଁକି ନା, ସେମାନେ କ'ଣ କରିବେ କ'ଣ ନ କରିବେ ଆଗରୁ ଶିଖାଶିଖି ହୋଇ ପୁରା ଗୋଡ଼ ଦୁଇଟାକୁ ଉପରକୁ ଟେକିଦେଇ ବସିଥାଆନ୍ତି, ବାପାଙ୍କ ଅପେକ୍ଷାରେ।ବସ୍ ଯାଇ ଲାଗିଲା ମାମୁଁ ଘର ଗାଁ ହାଟ ବଜାର ମଝିଆଁ ମଝି। ବାପା ଜିନିଷ ପତ୍ର ଧରି ଓହ୍ଲେଇବା ଆଗରୁ ସୁନି ରୁନି ଦୁହେଁ ଏକା ଡି଼ଆଁକେ ବସ୍ ତଳେ ହାଜର। ତାଙ୍କର ଖୁସି ତାଙ୍କ ହସ ହସ ମୁହଁରେ ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ। ବାପାଙ୍କ ସାଙ୍ଗରେ ଚାରି ପାଞ୍ଚ ପାହୁଣ୍ଡ ଚାଲି ଚାଲି ଯାଇ ପହଞ୍ଚି ଗଲେ ମାମୁଁ ଘର ଦାଣ୍ଡରେ। ମାମୁଁ,ମାଇଁ,ଆଈ ଆଉ ଅଜାଙ୍କ ପାଦ ତଳେ ଭୂମିଷ୍ଠ ପ୍ରଣାମ କରି ଆଜ୍ଞାଧୀନା ଛୁଆଙ୍କ ପରି ଚୁପଚାପ୍ ଯାଇ ଧୁଆଧୋଇ ହୋଇ ଖାଇ ବସିଗଲେ। ମାଇଁଙ୍କ ହାତରନ୍ଧା ଚୁନାମାଛ ବେସରକୁ ବାସି ପଖାଳ ତା ସାଙ୍ଗରେ ପୋହଡ଼ା ମାଛ ପୋଡ଼ା ଆଃ କି ଶାନ୍ତି! ନ ଖାଇଲା ଲୋକ ବି ଖୁସିରେ ଦି'ଚାରି କଂସା ପଖାଳ ଖାଇଯିବ। ବାପା ଉପରବେଳ ଭାରଥୋର ନେଇ କଟକ ବାହୁଡ଼ିବେ ବୋଲି ସଜବାଜ ହୋଇ ବସିଥାଆନ୍ତି। ମାଇଁ ଜବରଦସ୍ତି ରାତିକ ରହି ସକାଳୁ ଯିବାକୁ କହିବାରୁ ବାପା ରହିଲେ ଯେ ଇଆଡ଼େ ସୁନି ରୁନିଙ୍କର ମନ ଖଟା। ଆଜିର ଯୋଜନା ଫସର ଫାଟିଲା। ତଥାପି ସୁନି କହିଲା "ରହ ମ! କିଛି ବ୍ୟସ୍ତ ହେବାର ନାହିଁ, ଆମେ ଆଜି ଯାହା ବି ହେଲେ ସମସ୍ତେ ଶୋଇଗଲା ପରେ ଯିବା କ'ଣ ତ ମୋର ବୋଉ କହୁଥିଲା ହଁ, ସେ ଯୋଉ ଲାଙ୍ଗୁଡ଼ିଆ କଥା ତାକୁ ଖୋଜିବା ଆଉ।" ରୁନିକୁ କିନ୍ତୁ ସତରେ ଭଲ ଲାଗୁ ନ ଥିଲା, କିନ୍ତୁ ସୁନି ସାଙ୍ଗରେ ଯିବ ତ ଡରିବାର ନାହିଁ। ସନ୍ଧ୍ୟା ଯାଇ ରାତି ହେଲା। ଭାଗବତ ଟୁଙ୍ଗୀରୁ ଫେରିଲା ବେଳେ ଦୁହେଁ ଠରାଠରି ହେଉଥିବାର ଦେଖି ମାମୁଁ କହିଲେ, "ଆରେ ପିଲାମାନେ କିଛି ଡରିବାର ନାହିଁ ଆଉ, ଏ ଛାତଘର ସବୁ ଯୋଉ ଭଳିଆ ଠିଆ ହୋଇ ଚାଲିଲାଣି, ଆଉ ଦି'ଚାରିଟା ବରଷରେ ଏ ପୋଖରୀ, ବାଉଁଶ ବୁଦା ସବୁ ପଦା ହୋଇଯିବ ଯେ। ଖାଲି ନାଁକୁ ସବୁ ଯାହା ପାଠବହିରେ ପଢ଼ିବ ଏମିତି ଥିଲା ସେମିତି ଥିଲା।" ଦୁହେଁ ମାମୁଁଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ଚାଲୁଥାଆନ୍ତି।ରାତିରେ ଖାଇପିଇ ଦୁହେଁ ଶୋଇବାକୁ ଆସିଗଲେ। ଯୋଜନା ମୁତାବକ ସବୁ କରାହେବ ବୋଲି। ଅଧରାତିରେ ସୁନିକୁ ଜୋରରେ ଦୁଇ ଲାଗିଲା। ରୁନିକୁ ଉଠେଇ ଦେଇ ଟର୍ଚ୍ଚ ଧରି ସାଙ୍ଗରେ ଯିବାକୁ କହିଲାରୁ ସିଏ ଭୟରେ ମନା କରି ଦେଲା। ସିଏ ତ ଜାଣିଛି ଯେ ସୁନି ମିଛରେ ବାହାନା କରି ରାତିରେ ବାହାରକୁ ଯିବାକୁ କହିଛି। କିନ୍ତୁ ମାଇଁ ତ ଏକଥା ଜାଣି ନାହାଁନ୍ତି। ରୁନି ମନା କଲାରୁ ମାଇଁ କହିଲେ, "ଚାଲ ମୁଁ ତୁମ ସାଥେ ଯିବି। ରାତିରେ ତୁମେ ଦୁହେଁ ସହରୀ ଛୁଆ ଏକା ଡରିବ। ମାମୁଁଙ୍କୁ କହିଥିଲି ଏଥର ଯାହା ବି ହେଉ ପାଇଖାନା ତିଆରି କାମ ଆଗ ସାରିଦେବା ବୋଲି କିନ୍ତୁ ଏ ମୁଲିଆ ଗୁଡ଼ାକ ଧରାଛୁଆଁ ଦେଲେନି।" ମାଇଁ ଟର୍ଚ୍ଚ ଧରି ଆଗରେ ଚାଲିଲେ ଆଉ ସୁନି ପଛେ ପଛେ। ମାଇଁ ନିଜ ବାରିରେ ଖତଗଦା ପାଖରେ ସୁନିକୁ ବସିଯିବାକୁ କହିଲେ ଯେ, ସୁନି ବାଆଁରେଇ ହେଇ ପାଖରେ ପୋଖରୀ ହୁଡ଼ାକୁ ପଳେଇଲା। କିଟିମିଟି ଅନ୍ଧାରରେ ବସି ଭାବୁଥାଏ ଏ ଜନ୍ତୁଟା ବାହାରିବ କି ନାହିଁ। ଠିକ୍ ଏତିକିବେଳେ ମାଇଁ ଡାକ ପକେଇଲେ, "ସୁନି! ସରିଲା ପରେ ଘରକୁ ଯାଇ ଧୋଇ ହେବ। ପୋଖରୀ ଆଡ଼କୁ ଯିବନି।" ସୁନିକୁ ତ ନିଶା ଲାଗିଛି। କିଛି ସମୟ ଯାଇଛି କି ନାହିଁ, ଗୋଟିଏ ବଡ଼ ଛାଇଟାଏ ଦେଖିଲା। ମାଇଁ ଟର୍ଚ୍ଚ ଜଳେଇ ଧରିଥିଲେ ବୋଲି ମାଇଁ ଆଗ ଦେଖି ପକେଇଲେ ତାକୁ। ଭୟରେ ଛେପ ବି ଢ଼ୋକି ହେଉନି। ମନରେ ଦକା ଏ ଛୁଆଟା ବାରିରୁ କେତେବେଳେ ପୋଖରୀ ହୁଡ଼ାକୁ ପଳେଇଛି ଯେ ଲାଙ୍ଗୁଡ଼ିଆ ଆରପଟ ହିଡ଼ରେ ବସି ତାକୁ ଏକା ଲୟରେ ଚାହିଁଛି। କ'ଣ କରିବେ କ'ଣ କରିବେ ଏମିତି ଭାବୁ ଭାବୁ ଟର୍ଚ୍ଚ ଲିଭେଇ ଦେଇ ଆସ୍ତେ ଆସ୍ତେ ଆଗକୁ ବଢ଼ିଲେ ପାଦ ଚିପି ଚିପି। ମାଇଁ ଟର୍ଚ୍ଚ ଲିଭେଇବା ଆଗରୁ ସୁନି ବି ଦେଖି ସାରିଥିଲା ତାକୁ। ଓଃ କି କରାଳ ରୂପ ! ଏଡ଼େ ବଡ଼ ଲାଞ୍ଜ ଲୋ ମାଆ ! ଆଖି ଦି'ଟା ଜଳୁଛି ଯେମିତି! ତାକୁ ଦେଖି ସୁନି ସତରେ ଦୁଇ କରି ଗୋଟା ସୁଦ୍ଧା ଥରୁଛି ବସି ଯେ ଆଉ ଉଠି ପାରୁନି। ମାଇଁ ଧିରେ ଧିରେ ଯାଇ ତାକୁ ଆଖି ପିଛୁଳାକେ ଉଠେଇ ଧରି "ଜୟ ହନୁମାନ" "ଜୟ ହନୁମାନ" କହି ଦୌଡ଼ିଲେ ଘର ଭିତରକୁ ଏକା ମୁହାଁ ହୋଇ।

ସୁନିର କିନ୍ତୁ ହୋସ ନାହିଁ ଆଉ। କ'ଣ ହେଇଛି କ'ଣ ନାହିଁ ଆଉ କିଛି ଜାଣିନି ସିଏ। ତା'ପର ଦିନ ତାକୁ ଶହେତିନି ଜର। ସୁନିର ଏମିତି ଅବସ୍ଥା ଦେଖି ରୁନି ଡରି ଛାନିଆ। ବରଡ଼ାପତର ଭଳିଆ ଥରୁଛି ଛିଡ଼ା ହୋଇ। ମାଇଁ ଗୋଟି ଗୋଟି କରି କହିଦେଲେ ରାତିରେ କ'ଣ ହୋଇଥିଲା ଆଉ କେମିତି ସୁନିକୁ ବଞ୍ଚେଇ ଆଣିଲେ ସେଠୁ। ରୁନି ଏତକ ଶୁଣି ଭେଁ ଭେଁ ରଡ଼ି ଛାଡ଼ି କାନ୍ଦିଲା ଯେମିତି ସୁନିର ବାପା ଜାଣିଗଲେ ୟା' ଭିତରେ କିଛି ଗୋଟାଏ ରହସ୍ୟ ଅଛି। 

ସେଇଠୁ ରୁନିକୁ ଦୂରକୁ ଡାକି ଆଣି ପଚାରିବାରୁ ସିଏ ଭୟରେ ସବୁ ସତ ମାନିଗଲା ଯେ ସୁନିର ତା'ର ବୋଉ ପାଖରୁ ତାର ଛୁଆବେଳର କାହାଣୀ ଶୁଣି ସେ ଜନ୍ତୁକୁ ଦେଖିବାକୁ ଏତକ ନାଟ ଭିଆଇଥିଲା ଯେ ଜଣା ନ ଥିଲା ସତରେ ଏମିତି ଗୋଟିଏ ଜନ୍ତୁ ଅଛି ବୋଲି। 

ମାମୁଁ କହିଲେ "ଛାଡ଼, ଯାହା ହେବାର ହେଲାଣି। ପିଲାଟା କାଲି ତା ମୁହଁରୁ ବଞ୍ଚିଗଲା ସେଇଟା ବଡ଼ କଥା। ବାକି ପିଲାଳିଆ ବୁଦ୍ଧି, ସେମାନେ କି ଜାଣୁଛନ୍ତି ଗାଁ ପରିବେଶରେ ଚଳୁଥିଲେ ସିନା ସତକୁ କାହାଣୀ ଭାବି ଏମିତି କରି ନ ଥାଆନ୍ତେ।" ପାଖ ଗାଁରୁ ଗୁଣିଆ ଆଉ ଡାକ୍ତର ଉଭୟ ଡକା ହୋଇ ଆସିଲେ। ଝଡ଼ାଫୁଙ୍କା ଓ ଡାକ୍ତର ଔଷଧ ପାଣି ଦେବା ପରେ ଜ୍ୱର ତ କମିଗଲା ତା ସାଙ୍ଗରେ ଗାଁରେ ରାତିରେ ବୁଲା ନିଶା ବି ସେହିଦିନୁ ସୁନିର ଛାଡ଼ି ଗଲା। ସେଇଦିନ ବାପାଙ୍କ ସାଙ୍ଗରେ ଉଭୟଙ୍କୁ ମାମୁଁ ମାଇଁ ଘରକୁ ପଠେଇ ଦେଲେ। କାଇଁ ନା ଜନ୍ତୁଟା ଯେତେବେଳେ ଆଖି ଦେଇଛି କାଳେ କିଛି ଅଘଟଣ ହେବ ଭୟରେ।

ଘରକୁ ଫେରିଲା ପରେ ସୁନିର ବୋଉ ଏସବୁ ଶୁଣି ମୁଣ୍ଡରେ ହାତ ଦେଇ ଥମ୍ ହେଇ ବସିଗଲେ। ଆଉ ଜଗନ୍ନାଥଙ୍କୁ କୋଟି ଧନ୍ୟବାଦ ଦେଉ ଦେଉ ଆଖିରୁ ଲୁହ ପୋଛୁଥିଲେ।



Rate this content
Log in

Similar oriya story from Horror