Rozalini Mishra

Inspirational

4.9  

Rozalini Mishra

Inspirational

ମାଲିକାଣୀ

ମାଲିକାଣୀ

3 mins
616



   

        ପଶ୍ଚାତାପର ନିଆଁରେ ଜଳୁଛନ୍ତି ସୁଲଗ୍ନା।ଆତ୍ମ ସମୀକ୍ଷା କରିସାରିଲା ପରେ ସେ ଆଜି ଅନୁଭଵ କରୁଛନ୍ତି ଯେ ଏତେ ଧନସମ୍ପତିର ଅଧିକରିଣୀ ହୋଇକି ବି କେତେ ଗରିବ ତାଙ୍କର ଏଇ ମନଟା! ଶତ ଧିକ୍କାର କରୁଛନ୍ତି ସେ ନିଜର ବଡ଼ଲୋକୀ ପଣିଆକୁ ଆଉ ମାଲିକାଣୀ ପଣିଆକୁ।

        ସୁଲଗ୍ନାଙ୍କର ମାଲିକାଣୀ ପଣିଆ ଦେଖେଇବାରେ ଭାରି ଆନନ୍ଦ। ପିଲାବେଳରୁ ଅଲିଅଳରେ ବଢି ଆସିଛନ୍ତି ସେ।ଛୋଟବେଳୁ ବାପଘରେ ଚାକରବାକରଙ୍କ ମେଳରେ ଅୟସ୍ ରେ ତାଙ୍କ ଦିନ କଟିଛି।ଆଉ ଶାଶୁଘରେ ବି ସେଇଆ। ସେଥିପାଇଁ ମାଲିକାଣୀ ପଣିଆଟା ତାଙ୍କ ରକ୍ତରେ ରହିଯାଇଛି ବୋଧେ।ହୁକୁମ୍ ଜାହିର କରିବାରେ ତାଙ୍କୁ ମିଳେ ଆତ୍ମସନ୍ତୋଷ।


          ଘରେ ଖାଇସାରିବା ପରେ ବଳିପଡିଥିବା ମଟନ୍ ହେଉ କି ମାଛ ତରକାରୀ ହେଉ ସବୁକୁ ସୁଲଗ୍ନା ଧରେଇ ଦିଅନ୍ତି ଚାକରାଣୀ ଚମ୍ପା ହାତରେ।ପୁଅ ପିଙ୍କୁ ସ୍କୁଲରୁ ଫେରେଇ ଆଣିଥିବା ଦାମିକିଆ କେକ୍ ଆଉ ବିସ୍କୁଟ ସବୁକୁ ଫୋପାଡ଼ି ନଦେଇ ସୁଲଗ୍ନା ଦେଇ ଦିଅନ୍ତି ଚମ୍ପାକୁ ତା ପୁଅ ବୁଲୁ ପାଇଁ।ପିଙ୍କୁର ଦାମିକିଆ କିନ୍ତୁ ରଙ୍ଗଛଡା ପ୍ୟାଣ୍ଟ ସାର୍ଟ ବି ସବୁ ଚମ୍ପା ପୁଅ ଭାଗରେ ପଡେ। ଚମ୍ପା ଦିନେ ଦିନେ ତା ପୁଅକୁ ଧରି କାମକୁ ପଳେଇ ଆସେ।ବୁଲୁକୁ ଦେଖି ବହୁତ ଖୁସି ହୁଏ ପିଙ୍କୁ।ସବୁ ଖେଳଣା ଆଣି ଗଦେଇ ଦିଏ ବୁଲୁ ଆଗରେ। ମିଶିକି ଖୁବ ଖେଳନ୍ତି ଦୁହେଁ।ଗଲାବେଳେ କିଛି ପୁରୁଣା ଆଉ ଭଙ୍ଗା ଖେଳଣା ଧରେଇ ଦିଅନ୍ତି ସୁଲଗ୍ନା ବୁଲୁ ହାତରେ। ବହୁତ ଖୁସି ହୋଇଯାଏ ବୁଲୁ।ବୁଲୁର ଖୁସି ଦେଖି ଆତ୍ମତୃପ୍ତିରେ ବିଭୋର ହୋଇ ଉଠନ୍ତି ସୁଲଗ୍ନା।ମନେ ମନେ ଭାବନ୍ତି ସେ ଗୋଟେ ବିଶାଳ ହୃଦୟର ଅଧିକାରିଣୀ।ତାଙ୍କ ପାଇଁ ଚାକରାଣୀ ପିଲାଟାର ପାଟିରେ ଟିକେ ଭଲମନ୍ଦ ଦାମିକିଆ ଜିନିଷ ବାଜୁଛି।ଭଲ ଡ୍ରେସ ଖଣ୍ଡେ ଦିଖଣ୍ଡ ବି ପିନ୍ଧି ପାରୁଛି ପିଲାଟା।

 

       ଦିନେ ଚମ୍ପା କହିଲା ମା' , କାଲି ସଂଧ୍ୟାବେଳାଟା ମୋତେ ଟିକେ ଛୁଟି ଦିଅନ୍ତୁ। କାଲି ମୋ ପୁଅର ଜନ୍ମଦିନ । ଜନ୍ମଦିନ ନକଲେ ପିଲାଟା ମନଦୁଃଖ କରୁଛି ତ, ସେଥିପାଇଁ କାଲି ସନ୍ଧ୍ୟାରେ ସାହିର ଦୁଇ ତିନିଜଣ ପିଲାଙ୍କୁ ଡ଼ାକିଛି।ଚକୁଳିପିଠା ଖିରୀ ଟିକେ କରିଦେବି ମା' । ପିଲାଟାର ମନ ବୁଝିଯିବ। ଆଉ ଅଧିକା ପାଇଁ ମୋର ପଇସା ନାହିଁ। ଛୁଟି ନେବା କଥା ଶୁଣିଲେ ଚିହିଁକି ଉଠନ୍ତି ସୁଲଗ୍ନା।କିନ୍ତୁ ପୁଅର ଜନ୍ମଦିନ କଥା ଶୁଣି କିଛି କହିପାରିଲେନି ଆଉ।ତା ପରେ ବି ସେ ଅନୁଭବ କରନ୍ତି ଯେ ଚମ୍ପା ଅନ୍ୟ ଚାକରାଣୀଙ୍କ ପରି କାମ ଠକ ନୁହେଁ।ସେଥିପାଇଁ ରାଜି ହୋଇଗଲେ ସୁଲଗ୍ନା ଚମ୍ପା କଥାରେ। କିଛି ସମୟ ପରେ ସୁଲଗ୍ନା ଦେଖିଲେ ଯେ ଚମ୍ପା ପୁଣି କଣ କହିବ କହିବ ହଉଛି।ଗମ୍ଭୀର ସ୍ୱରରେ ସୁଲଗ୍ନା ପଚାରିଲେ ପୁଣି କଣ ହେଲା? ଟିକେ ଆଗପଛ ହୋଇ ଚମ୍ପା କହିଲା ମା' ଟଙ୍କା ପାଞ୍ଚଶ ଧାର ଦିଅନ୍ତେ ଯଦି ପୁଅ ପାଇଁ ନୂଆ ଡ୍ରେସ ହଳେ କିଣନ୍ତି ମୁଁ। ପିଲାଟା ଖୁସି ହୁଅନ୍ତା ଟିକେ।ଚମ୍ପା କଥା ଶୁଣି ସୁଲଗ୍ନା ଉଠିଗଲେ ବେଡ଼ରୁମକୁ। କପବୋର୍ଡ଼ରୁ ପିଙ୍କୁର ଡ୍ରେସ ହଳେ କାଢି ଆଣି ଧରେଇଦେଲେ ଚମ୍ପା ହାତରେ। କହିଲେ ନେ ଏଇଟା।ବହୁତ ଦାମିକିଆ ଡ୍ରେସଟା।ବାବୁ ଦିଲ୍ଲୀରୁ ଆଣିଥିଲେ ପିଙ୍କୁ ପାଇଁ। ପିଙ୍କୁ ଥରେ ମାତ୍ର ପିନ୍ଧିଛି। ଆଉ ପିନ୍ଧିବାକୁ ରାଜି ହଉନି। ଚମ୍ପା ଟିକେ ମୁଁହକୁ ଶୁଖେଇ ଡ୍ରେସ ନେଇ ଚାଲିଗଲା।

   

     ତା ପରଦିନ ସନ୍ଧ୍ୟାବେଳେ ଚମ୍ପାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସୁଲଗ୍ନା।ପଚାରିଲେ ଆରେ ଆଜି ପରା ତୋ ପୁଅର ଜନ୍ମଦିନ। ତୁ ଆସିବୁନି ବୋଲି କହିଥିଲୁ ପୁଣି କୁଆଡେ ? ଚମ୍ପା କହିଲା ହଁ ଯେ ମା', ଗୋଟେ କାମରେ ଆସିଛି। ସୁଲଗ୍ନା ପଚାରିଲେ କି କାମ? ଡରିଡରି ତଳକୁ ମୁହଁ ପୋତି ଚମ୍ପା କହିଲା ମା', ଅଧଘଣ୍ଟାଏ ପାଇଁ ପିଙ୍କୁବାବୁଙ୍କୁ ଟିକେ ମୋ ଘରକୁ ଛାଡନ୍ତେନି। ମୋ ପୁଅ ଭାରି ଖୁସି ହୁଅନ୍ତା। ସାଙ୍ଗ ହୋଇ ଖେଳନ୍ତେ ଦି ଜଣ ଯାକ ।


        ସିଧା ସିଧା ମନା କରିଦେଲେ ସୁଲଗ୍ନା। କିନ୍ତୁ ପିଙ୍କୁର ଏକା ଜିଦ୍ ସେ ଯିବ ବୁଲୁର ଜନ୍ମଦିନକୁ। ପୁଅର କାନ୍ଦ ଆଉ ଜିଦ୍ ଆଗରେ ହାର ମାନିଲେ ସୁଲଗ୍ନା।ବାଧ୍ୟହୋଇ ପୁଅକୁ ଛାଡିଲେ ଚମ୍ପା ସହ। ଆଉ କହିଲେ ଖବରଦାର୍ , ମୋ ପୁଅକୁ କିଛି ବି ଖାଇବାକୁ ଦବୁନି ତୋ ଘରେ। ପାଣି ଗ୍ଲାସଟେ ବି ନୁହେଁ। ନହେଲେ ତା ଦେହ ଖରାପ ହୋଇଯିବ। ଠିକ ଅଧଘଣ୍ଟାଏରେ ଆଣି ଛାଡି ଦେଇଯିବୁ। ମୁଣ୍ଡ ଟୁଙ୍ଗାରି ପିଙ୍କୁର ହାତ ଧରି ଚାଲିଗଲା ଚମ୍ପା।


     ବ୍ୟସ୍ତବିବ୍ରତ ହୋଇ ଘର ବାହାର ହେଉଛନ୍ତି ସୁଲଗ୍ନା। ଏତେବେଳ ହେଲାଣି କୁଆଡେ ଗଲା ଛୁଆଟା। ଅଧଘଣ୍ଟାଏ ଯାଇ ଘଣ୍ଟାଏ ହେଲାଣି ଦେଖା ନାହିଁ ଚମ୍ପାର।କିଛି ସମୟ ପରେ ପିଙ୍କୁର ପାଟି ଶୁଣି ବାହାରକୁ ବାହାରି ଆସିଲେ ସୁଲଗ୍ନା।ଦେଖିଲେ ଚମ୍ପା ଆଉ ତା ପୁଅ ପିଙ୍କୁକୁ ଛାଡିବାକୁ ଆସିଛନ୍ତି।କାଲି ସେ ଦେଇଥିବା ପିଙ୍କୁର ପୁରୁଣା ଡ୍ରେସଟା ବୁଲୁ ଆଜି ପିନ୍ଧିଛି ତା ଜନ୍ମ ଦିନରେ।ପିଙ୍କୁ ଦେହରେ ନୂଆ ଡ୍ରେସ ହଳେ। ସୁଲଗ୍ନା ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ଚମ୍ପାକୁ।ଚମ୍ପା ଟିକେ ହସିଦେଇ କହିଲା ମା', ପିଙ୍କୁବାବୁ ମୋ ଘରକୁ ନୂଆ ହୋଇ ଯାଇଥିଲେ।ସେମିତି କେମିତି ଛାଡ଼ି ଦେଇଥାନ୍ତି।ମୁଁ ତ ଆଉ ତାଙ୍କପାଇଁ ବଡ ଦୋକାନରୁ ଦାମିକିଆ ଡ୍ରେସ କିଣିପାରିବିନି।ସେଥିପାଇଁ ପାଖ ଦୋକାନରୁ ନୂଆ ଶାର୍ଟ ଖଣ୍ଡେ କିଣି ଆଣିଛି। ସୁଲଗ୍ନାଙ୍କ ହାତରେ ପଲିଥିନ ପ୍ୟାକେଟଟିଏ ଧରେଇଦେଇ ଚମ୍ପା କହିଲା ମୁଁ ଯାଉଛି ମା' । ମୋର ଘରେ ବହୁତ କାମ।ପିଙ୍କୁବାବୁ ମୋ ଘରେ କିଛି ଖାଇବେନି ସେଥିପାଇଁ ସେ ଯୋଉ ହୋଟେଲରୁ ସବୁବେଳେ ପିଜା ମଗେଇକି ଖାଆନ୍ତି , ସେଇ ହୋଟେଲରୁ ମୁଁ ପିଜା କିଣି ଆଣିଛି ବୁଲୁବାପାକୁ ପଠେଇକି।ପିଙ୍କୁବାବୁଙ୍କୁ ଖୁଆଇଦେବ ମା' , ନହେଲେ ମୋ ମନ ବହୁତ ଦୁଃଖ ହବ। ସୁଲଗ୍ନାଙ୍କୁ ପିଜା ପ୍ୟାକେଟଟା ଧରେଇଦେଇ ଚମ୍ପା ଚାଲିଗଲା ବୁଲୁକୁ ନେଇକି।


        ଘର ଭିତରକୁ ଆସୁଆସୁ ପିଙ୍କୁ କହିଲା ଜାଣିଛ ମାମା , ମୋ ପାଇଁ ନୂଆ ଡ୍ରେସ କିଣିବେ ବୋଲି ଚମ୍ପା ଆଣ୍ଟି ଆଜି ତାଙ୍କ ପଇସାଘଡି ଭାଙ୍ଗିଦେଲେ।ସ୍ତବ୍ଧ ରହିଗଲେ ସୁଲଗ୍ନା। ତାଙ୍କ ମାଲିକାଣୀ ପଣିଆ ଉପରେ ଯେମିତି କିଏ ଗୋଟେ ଶକ୍ତ ପ୍ରହାର ଦେଲା।ସେ ପ୍ରହାରରେ ଭାଙ୍ଗି ଚୁରମାର ହୋଇଗଲା ତାଙ୍କର ଗର୍ବ, ଦର୍ପ ଆଉ ଅହଂକାର। ନିଜ ଭିତରେ ସେ ନିଜେ ବହୁତ ଛୋଟ ହୋଇ ଯାଇଥିଲେ ଚାକରାଣୀ ଚମ୍ପା ଆଗରେ।ତାଙ୍କର ବିବେକ ତାଙ୍କ କାନ ପାଖରେ ଚିଲ୍ଲେଇ ଚିଲ୍ଲେଇ କହୁଥିଲା , ତୁ ଏ ଘର , ଗାଡ଼ି, ବଙ୍ଗଳା, ଧନସମ୍ପତ୍ତିର ମାଲିକାଣୀ ହୋଇପାରୁ କିନ୍ତୁ ପ୍ରକୃତରେ ବିଶାଳ ଆଉ ଉଦାର ହୃଦୟର ମାଲିକାଣୀ ହଉଛି ଚମ୍ପା।

                         


Rate this content
Log in

Similar oriya story from Inspirational