Banabihari Mishra

Inspirational

3  

Banabihari Mishra

Inspirational

ମାଆ

ମାଆ

4 mins
190


ବସନ୍ତ ନୂଆ କରି ଚାକିରୀ କରିଛି। ବାପା ମାଆଙ୍କର କେତେ ଖୁସି! ପହିଲି ମାସର ଦରମା ପାଇକି ଆଜି ପୁଅ ଆସୁଛି। ମାଆ ମନଟା ଅସରନ୍ତି ଉତ୍କଣ୍ଠାରେ ଉବୁଟୁବୁ। ପକ୍ଷାଘାତ ପୀଡ଼ିତ ବୁଢା ବାପା ବି କେତେଥର ପଚାରି ସାରିଲେଣି, "ପୁଅ ଆସିଲା କି?" ବସନ୍ତକୁ କେବେହେଲେ ନାଁ ଧରି ଡାକନ୍ତିନି। ବାହାଘରର ଗୁଡ଼ାଏ ଦିନ ପରେ ଠାକୁରେ କୋଳକୁ ଛୁଆଟିଏ ଦେଲେ। ହେଲେ ଝିଅଟିଏ। ଏଇମିତି ଗୋଟିଏ ପରେ ଗୋଟିଏ, ତିନୋଟି ଝିଅ। ବିଧବା ଶାଶୁ ବୁଢ଼ୀ ନାତି ଦେଖିବା ଆଶା ନେଇ ସେପାରିକୁ ଚାଲିଗଲେ। ତା ପରେ ବସନ୍ତର ଜନ୍ମ। ତା ବାପା ଭାବନ୍ତି, ତାଙ୍କ ମାଆ କୁଆଡେ ବସନ୍ତ ହେଇ ତାଙ୍କ କୋଳକୁ ଫେରି ଆସିଛନ୍ତି।


ତିନୋଟି ଝିଅ ବାହାଚୋରା ହେଇ ନିଜ ନିଜ ସଂସାର ନେଇ ବ୍ୟସ୍ତ। ଏଇ ମାସେ ହେଲା ବସନ୍ତ ଚାକିରୀ କରିଛି। ତା ବଡ଼ ଭିଣୋଇ କୁହାବୋଲା କରି ରଖେଇ ଦେଇଛନ୍ତି।


ବସନ୍ତର ଭାରି ଇଚ୍ଛା ଥିଲା, ବାପାଙ୍କ ପାଇଁ ସେଇ କାଶ୍ମୀରୀ ସାଲ୍ ଖଣ୍ଡେ ନେଇଥାଆନ୍ତା। ଆଉ ମାଆ ପାଇଁ ଭଲ ଦାମିକା ଶାଢ଼ୀ ଖଣ୍ଡେ କିଣିଥାଆନ୍ତା। କିନ୍ତୁ ଅଳପ ଦରମା, ସାଲ୍ ଆଉ ଶାଢ଼ୀର ଦାମ ବୁଝିଲା ବେଳକୁ ତା ଦରମା ନିଅଣ୍ଟ ହେଲା। ସେଇଥିପାଇଁ କମ୍ ଦାମର ଶାଢୀଟିଏ ଆଉ ବାପାଙ୍କ ପାଇଁ ପାହାଳ ରସଗୋଲା ନେଇ ଘରକୁ ଯାଇଥିଲା। ସିଏ ଜାଣିଛି, ବାପାଙ୍କର ପାହାଳର ସେଇ ମଧୁ ଗୁଡିଆର ରସଗୋଲା ପ୍ରତି ଅହୈତୁକ ଦୁର୍ବଳତା। ଆଗରୁ କେବେ କେମିତି ଭୁବନେଶ୍ୱର ଗଲେ ଫେରିଲା ବେଳକୁ ମଧୁ ଗୁଡିଆ ଦୋକାନରୁ ଦଶ କି ବାରଟା ରସଗୋଲା ଖାଇ ସାଇକେଲରେ ଘରକୁ ଫେରନ୍ତି। ଘରେ ପହଞ୍ଚିଲା ପରେ ଆରମ୍ଭ ହେଇଯାଏ ଝାଡ଼ା। ତାପରେ ଯାଇ ମାଆ ଜାଣିପାରେ ରସଗୋଲା ଖାଇବା କଥା। ତଥାପି ସେତକ କିଣି ସାରିବା ପରେ ପକେଟରେ ଆଉ ଅଳ୍ପ କିଛି ବଳିଥାଏ। ଘରକୁ ଗଲେ ଗାଆଁର ସାଙ୍ଗମାନଙ୍କୁ ଭୋଜି ଦେବାକୁ ପଡ଼ିବ। ଅତି କମରେ ଟଙ୍କା ପାଞ୍ଚ ଶହର ମାମଲା। ଅତି ନିକଟତର ସାଙ୍ଗ କହିଲେ ଦୁଇ କି ତିନି ଜଣ। ନିଜକୁ ମିଶେଇ ଚାରି। ନିଜେ ଭୋଜି କରି ମାଉଁସ ଖାଇବ, ଆଉ ଘରେ ବାପା ମାଆ ଦି'ଜଣ ଶାଗ ତିଅଣ ଖାଇ ଶୋଇବେ ନା କ'ଣ? ଆଜିକାଲି ବଜାର ଦର ଯାହା ହେଲାଣି। ପୁଣି ଚାକିରୀ ଜାଗାକୁ ଫେରି ଆରମାସ ଦରମା ପାଇଲା ଯାଏଁ ଚଳିବାକୁ ପଡିବ। ସେଥିପାଇଁ ପକେଟରେ ଅଲଗା କରି ଦିଟା ପାଞ୍ଚଶହ ଟଙ୍କିଆ ନୋଟ୍ ଲୁଚେଇ ରଖି ଦେଇଥିଲା। କାଳେ ଖର୍ଚ୍ଚ କରୁ କରୁ ସରିଯିବ, ସରିଗଲେ ପୁଣି ଭୁବନେଶ୍ୱର ଯାଇ ହଇରାଣ ହେବାକୁ ପଡ଼ିବ ଯେ। ଏଇ ମାସେ ଭିତରେ ଯାହା ଯେମିତି ଚିହ୍ନା ପରିଚୟ ହେଇଛି, ସେଥିରେ ହାତ ଉଧାରି କିଏ ଦେବ? ଅନ୍ତରଙ୍ଗତା ବଢ଼ିଲେ ସିନା କାହାକୁ ଉଧାର ମାଗିହେବ। 


ରେଳରୁ ଓହ୍ଲାଇ ସିଧା ଘରମୁହାଁ ଚାଲି ଚାଲି ପହଞ୍ଚିଲା ବସନ୍ତ। ବାପା ମାଆଙ୍କୁ ମୁଣ୍ଡିଆଟେ ଲେଖାଁ ମାରି ଜାମାପଟା ଓହ୍ଲାଇ ଲୁଙ୍ଗିଟା ପିନ୍ଧିନେଲା। ଗାମୁଛା ଖଣ୍ଡକ ଧରି ଚାଲିଲା ନଈ ଆଡେ। ସେଠି ମନୁଆ, ଟିକନ ଆଉ ତା'ର ଅନ୍ୟ ସାଙ୍ଗ ସବୁ ଥିବେ। ନଈକୂଳରେ ଟିକେ ବସି ଗପସପ କରି ଗାଧୁଆ ସାରି ଘରକୁ ଫେରିଲା। ଏଣେ ମାଆ ଘରେ ବ୍ୟସ୍ତ। କୁଆଡେ ଗଲା ପୁଅଟା, କେତେ ବାଟରୁ ଆସିଛି, ପାଟିରେ କ'ଣ ଦିଟା ନ ଦେଇ ଚାଲିଗଲା।


ଗାଧୋଇ ପାଧୋଇ ବସନ୍ତ ଘରକୁ ଫେରିଲା। ଚୁଡ଼ା ଚକଟା ଜଳଖିଆ ଖାଇ ବାହାରିଲା ପାଖ ଛକକୁ ମାଂସ ଆଣିବା ପାଇଁ। ଭୋଜି ପାଇଁ ସବୁ ଆୟୋଜନ କରିବାକୁ କହି ଦେଇ ଆସିଛି ଟିକନକୁ।


ପକେଟ୍ ଅଣ୍ଡାଳି ପକେଇଲା ବସନ୍ତ। ଏଁ ...., ଦିଟା ପାଞ୍ଚଶହ ଟଙ୍କିଆ ନୋଟ୍ ଥିଲା, ଗୋଟିଏ ଅଛି। ମା, ଶୁଣିଲୁ, ମୋ ପକେଟରୁ ପାଞ୍ଚଶ ଟଙ୍କିଆଟେ ନେଇଛୁ କି?


ବାଡିପଟେ ଥାଇ ମାଆ କ'ଣ ଶୁଣିଲା କେଜାଣି, କହିଲା ମୁଁ କିଛି ଜାଣିନି। କ'ଣ ଖୋଜୁଛୁ, ଦେଖେ ସେଇଠି ଥିବ।


ବସନ୍ତ କ'ଣ କରିବ ଭାବି ପାରୁନଥାଏ। ସାଙ୍ଗମାନଙ୍କୁ କଥା ଦେଇ ସାରିଛି। ଟିକନକୁ ଭୋଜି ପାଇଁ ସବୁ ଆୟୋଜନ କରିବାକୁ କହି ଦେଇଛି। ଏବେ ଯଦି ପଇସା ନ ଦିଏ ତେବେ ମୁଣ୍ଡ କଟିଗଲା ଭଳି ହେବ। ମୁହଁ ଦେଖେଇ ହବନି। ଗୁଡ଼ାଏ ହାଇପି ସାଇପି ହେଇ ଅଗତ୍ୟା ଗାଁ ଭିତର ଆଡେ ବାହାରିଗଲା। ଭାବୁଥିଲା କ'ଣ କିଛି ଗୋଟେ ବାହାନା କରି ଆଜି ଭୋଜିଟାକୁ ଟାଳିଦେବ। ହଁ, ସେଥିପାଇଁ ସାଙ୍ଗମାନଙ୍କ ଆଗରେ ଟିକେ ମୁହଁ ତଳକୁ ହେବ ତ ହେବ। ଆଉ କ'ଣ ବା କରାଯିବ।


ଏଇମିତି ଭାବି ଭାବି ବସନ୍ତ ପହଞ୍ଚିଯାଇଥାଏ ଗାଁ କୋଠଘର ପାଖରେ। ସେଠି ମନୁଆ ବସି ତାସ ବାଡୋଉଛି। ଆ ବସନ୍ତ, କେତେ ଦିନ ହେଲାଣି ତାସ ଖେଳିନୁ। ସେଠି ତ କାମ, କାମ ଖାଲି କାମ। ଟିକେ ଖେଳା ବୁଲା ମଉଜ ପାଇଁ ସମୟ କୋଉଠି ଥିବ ଯେ?


ମନ ଦୁଃଖ ଥାଇ ମଧ୍ୟ ବସନ୍ତ ତାସ ଖେଳିବାକୁ ବସିଗଲା। ମନୁଆକୁ ଜଣେଇ ଦେବାକୁ ଯେମିତି କିଛି ହେଇନି। ତଥାପି ମନୁଆ ବସନ୍ତର ମୁହଁ ଦେଖି ଜାଣିପାରୁଥିଲା କିଛି ଗୋଟେ ହେଇଛି।


ବସନ୍ତର ଖେଳରେ ମନ ଲାଗୁ ନଥିବା ଦେଖି ମନୁଆ କହିଲା, "ହଉ, ଦେଖୁଛି ତୋର ଖେଳରେ ଜମାରୁ ମନ ନାହିଁ। କ'ଣ ହେଇଛି, ନାନୀ କିଛି କହିଲେ କି?" ବସନ୍ତର ମାଆଙ୍କୁ ମନୁଆ ପିଉସୀ ନାନୀ ମାନ୍ୟ କରେ। ବସନ୍ତ ମନୁଆକୁ ସାଙ୍ଗରେ ନେଇ ନଈ ପଠାଆଡେ ଗଲା। ଦିଜଣଯାକ ଚାଲୁ ଚାଲୁ ବସନ୍ତ ସବୁ କଥା ଖୋଲି ମନୁଆକୁ କହିଲା।


ହୋ ହୋ ହେଇ ମନୁଆ ହସିଲା। ଆରେ, ତୁ ନାନୀକୁ ଏ ପର୍ଯ୍ୟନ୍ତ ଚିହ୍ନି ପାରିଲୁନି। ଆମେ ଗାଧୋଇ ଯାଇଥିବା ବେଳେ ନାନୀ ଆସି ଆମ ଘରେ ଭୋଜି କରିବାକୁ ବାରଶହ ଟଙ୍କା ଦେଇ ଯାଇଛନ୍ତି। 


ବସନ୍ତ ମୁଣ୍ଡରୁ ସତେ ଯେମିତି ଗୋଟେ ପାହାଡ଼ର ବୋଝ ଓହ୍ଲାଇ ଗଲା। ଆଉ ନଇ ପଠା ଆଡେ ଯିବେ କ'ଣ, ଏକା ନିଃଶ୍ୱାସରେ ଘରକୁ ଧାଇଁଲା। ମନୁଆ ବି ଧାଇଁ ଥାଏ ତା ପଛରେ। ବସନ୍ତ ମାଆକୁ କୁଣ୍ଢେଇ ପକେଇ ଆଗ ବହେ ନାଚିଗଲା। ସବୁକଥା ମାଆକୁ କହିଲା ପରେ ମାଆ କହିଲା, "ଆରେ ବାପା, ତୁ ସେତେବେଳେ କ'ଣ ପଚାରିଲୁ, ମୁଁ ଠିକ୍ ଶୁଣି ପାରିଲିନି। ବାସନ ମାଜୁଥିଲି, ବାସନ ଖଡଖଡରେ ଠିକ୍ ଭାବରେ ନଶୁଣି ଜାଣିନି ବୋଲି କହିଦେଲି। ମୁଁ ଜାଣିଛି, ଏ ମନୁଆ ଆଉ ଟିକନ ତତେ ଭୋଜି ମାଗିବେ। ତୋର ତ ନୂଆ ନୂଆ ଚାକିରୀ, ନୂଆ ଜାଗା, ତୋ ହାତରେ ଦିଟା ପଇସା ନ ରହିଲେ ବିଦେଶ ଜାଗାରେ ତୁ ହଇରାଣ ହେବୁନି? ସେଇଥିପାଇଁ ପଅରିଦିନ ବିରି ବିକିଥିଲି ସାତଶ, ସେ ପାଁଶହ ତୋ ପକେଟରୁ ନେଇ ବାରଶ ଟଙ୍କା ତୋ ମାଇଁକୁ ଦେଇଆସିଛି।


ମନୁଆ କହୁଥିଲା ଯେ ଟିକନ ସବୁ ଯୋଗାଡ଼ କରୁଛି। ଭୋଜିରେ କ'ଣ କ'ଣ ହବ ସେସବୁ ମନୁଆ ବଡ଼ ଆଗ୍ରହ ସହ ବଖାଣୁଥିଲା। କିନ୍ତୁ ବସନ୍ତର ସେସବୁ ପ୍ରତି ଆଦୌ ଧ୍ୟାନ ନଥିଲା। ସିଏ ଭାବୁଥିଲା ତା ମାଆ କଥା। ମାଆମାନେ ସବୁ ଏଇମିତି। ପିଲା ପାଟି ଖୋଲିବା ଆଗରୁ ତା ମନକଥା ଜାଣି ଯାଆନ୍ତି। ମୁଣ୍ଡ ନଇଁ ପଡୁଥିଲା ମାଆ ପାଇଁ ସମ୍ମାନରେ।


Rate this content
Log in

Similar oriya story from Inspirational