ମା
ମା
ତା ମାଧ୍ୟମରେ ମୁଁ ଚିହ୍ନିଲି ଜଗତ, ଜୀବନ ଓ ଜୀଇଁବା । ପିଲାଦିନୁ ଏକ ଅଦ୍ଭୁତ ସମ୍ମୋହନ, ଦୁର୍ବାର ଆକର୍ଷଣ, ପ୍ରଚଣ୍ଡ ଆଗ୍ରହ ମୋ ଭିତରେ ତା ପାଇଁ ଥିଲା । ସେ ମୋର୍ ସବୁଠାରୁ ଉତ୍ତମ ବନ୍ଧୁ ଅଟେ । ତାକୁ ଛୁଇଁଲେ ଅପୂର୍ବ ଖୁସି ଟିକେ ଛୁଇଁଯାଏ ମୋତେ । ସବୁ ଭୁଲି ତାରି ଭିତରେ ହଜିଯାଏ । ମୁଁ ତାକୁ ଜଡେଇ ଧରେ ଛାତିରେ ସେ ମୋତେ ଜଗଡି ଧରେ ଖୁବ୍ ତା ଭିତରେ । ତାର ମୋର ବନ୍ଧନ ଅତି ସ୍ୱର୍ଗୀୟ । ସେ ମୋର ଜୀବନର ବଡ଼ ନିଶା ।
ଅବୁଝା ବୟସରେ ବି ମୁଁ ତା ପ୍ରେମରେ । ନିହାତି ପିଲା ଦିନୁ ମୋର ତାକୁ ଆଣିବା, ଠୁଳ କରିବା ଗୋଟେ ଅହେତୁକ ଅଭ୍ୟାସ । ବାପାଙ୍କ ସହ ମାର୍କେଟ ଗଲେ ପ୍ରଥମେ ତାକୁ ଖୋଜେ । ଅନ୍ୟ ପିଲାମାନଙ୍କ ପରି ଖେଳନା, ଖାଦ୍ୟ,କି ପୋଷାକ ସଉକ୍ ମୋର ନଥିଲା । ଥିଲା କିନ୍ତୁ ତା ପ୍ରତି ଘନିଷ୍ଠ ଆତ୍ମିକ ଉଦବେଳନ । ସେ ମୋର ଚିର ପ୍ରେମିକ, ମୁଁ ତା ଚିର ପ୍ରେମିକା । ଆଉ ସେ ହେଲା ଖଣ୍ଡେ "ବହି" ।
ଥରେ ଭାଇଙ୍କ ସଙ୍ଗେ ଦଶହରା ବୁଲି ଯାଇଥିଲି ଜଗତସିଂହପୁର ବଜାର । ଗୋଟିଏ ମନୋହରୀ ଦୋକାନ ଆଗରେ ଭାଇ ବସାଇ ଏଇଠୁ କେଉଁ କାମରେ ଆସୁଛି ବୋଲି କହିଲେ । ସେ ଦୋକାନରେ ଆମର ଜଣେ ଚିହ୍ନା ମାମୁଁ ସେଲସ୍ ମ୍ୟାନ୍ ଥିଲେ । ଭାଇଙ୍କ ଆସିବା ଡେରି ହେଲା । ମୋତେ ବସି ବସି ବୋର୍ ଲାଗୁଥାଏ । ଦୋକାନ ବୁଲି ବୁଲି ସବୁ ଦେଖିଲି । ଦୋକାନ ପାଖକୁ ଲାଗି ଗୋଟେ ଘରେ ବହି ଗଦା ହୋଇଥିଲା । ମାମୁଁଙ୍କୁ କହିଲି, "ମାମୁଁ ସେ ବହି ସବୁ ଦେଖିବି?"ମାମୁଁ କହିଲେ ପୁରୁଣା ଚିରା ବହି ଗୁଡା,ଠୁଙ୍ଗା ହେବା ପାଇଁ ଆସିଛି । ଦେଖୁନୁ ।
ସେଇ ବହି ଗଦା ଭିତରେ ସେଦିନ ମୁଁ ନିଜକୁ ହଜାଇ ଦେଲିଥିଲି । ବାଛିଲି କେତେ ବହି,ଶହେ କି ଦୁଇଶହ ଖଣ୍ଡ । ବିଦଗ୍ଧ ଚିନ୍ତାମଣିଠୁ ଆରମ୍ଭ କରି ଗର୍କୀଙ୍କ “ମାଆ” ପର୍ଯ୍ୟନ୍ତ । କହିଲି ମାମୁଁ ଏ ବହି ମୋତେ ଦେବ??ଦୋକାନୀ ମୋ ପଢା ଆଗ୍ରହ ଦେଖି କହିଲେ ଚିରା ହୋଇ ଠୁଙ୍ଗା ହୋଇଥାନ୍ତା,ଛୁଆଟିଏ ପଢିବାକୁ ଚାହୁଁଛି ନେଉ । ଦୁଇ ବସ୍ତା ହେଲା । ଭାଇ କହିଲେ, "ଲୋକେ ନିଜ ଘରୁ ଅଳିଆ ସଫା କରିବା ପାଇଁ ଏସବୁ ବିକ୍ରି କରିଛନ୍ତି,'ଆଭା' ତୁ ଏସବୁ ନେଇ ଆମ ଘର ଅଳିଆ କରିବୁ?"
ମୋର କିନ୍ତୁ ଏକା ଜିଦ୍ ବହି ନେବି, କିଣି କି ଏତେ ପଢି ପାରୁନି । ମାମୁଁ ମୋ ଆଗ୍ରହ ଦେଖି ବହିତକ ଆମ ଘରକୁ ବସରେ ପଠେଇ ଦେଲେ । ମୋ ଖୁସି ସେଦିନ ଆକାଶ ସେ ପାଖ ମେଘ ପର୍ଯ୍ୟନ୍ତ ଉଡିଯାଇଥିଲା । ବହିଗୁଡିକ ଧରି ଘେରାଏ ବୁଲି ଗଲି । ସବୁ ତକ ବୁଝେ ନ ବୁଝେ ପଢ଼ିଲି । କିଛି ଗୀତ ବି ମୋର ମନେ ରହିଗଲା । ଯାହା ସ୍କୁଲ କଲେଜରେ ମୁଁ ପଢ଼ିଲି ।
ବଡ଼ ହେଲା ପରେ ବି ସେଇ ସଉକଟି ଆହୁରି ପଗାଳାମୀରେ ପରିଣତ ହେଲା । ମୋ ଚାରି ପାଖେ କେବଳ ବହି ଆଉ ବହି । ପକେଟ ମନିରେ କେବେ କିଛି କଥା ମନେ ପଡୁନି ବହି ବ୍ୟତୀତ କିଣିଛି । ରେଭେନ୍ସାରେ ପଢିଲା ବେଳେ ଏ ସଉକ୍ ମୋର ଶୀର୍ଷରେ ପହଞ୍ଚିଥିଲା ।
କନିକା ଲାଇବ୍ରେରୀ ଓଡ଼ିଶାର ସବୁଠାରୁ ବଡ଼ ଲାଇବ୍ରେରୀରୁ ପ୍ରାୟତଃ ମନ ଖୋଜୁଥିବା ବହି ମୁଁ ପଢ଼ିବାର ସୁଯୋଗ ପାଇଲି । ସେଇଠି ଦେଖା ହେଲା ବହି ଗର୍କିଙ୍କ “ମାଆ” । ଓଡ଼ିଆ ଅନୁବାଦିତ ଲେଖା । ଅନୁବାଦ କରିଥିଲେ ବୈଷ୍ଣବ ଚରଣ ପରିଡା ।
ଆଜିଯାଏ ଯେତେ ବହି ପଢ଼ିଛି ‘ମାଆ’ର ଛାପ ମୋ ହୃଦୟ କାନ୍ଥରେ ଛାପି ହୋଇଯାଇଛି । ମାଆ ମୋ ଜୀବନର ଶେଷ୍ଠ ପଢିବା ପୁସ୍ତକ । କିଛି ଧାଡି ବି ଆଜିଯାଏ ମୋର ମନେ ଅଛି । ଯେମିତି କି--
"ପୁନର୍ଜୀବିତ ଆତ୍ମାକୁ ତ କେହି ହତ୍ୟା କରି ପାରେ ନାହିଁ,ରକ୍ତର ନଦୀ ବୁହାଇ ଦେଲେ ମଧ୍ୟ,ସତ୍ୟ ତା ମଧ୍ୟରେ ବୁଡି ଯାଇ ପାରେନା..."
ପେଲାଗେୟା ନିଲଭ୍ ନାଙ୍କ ଦୟାର୍ଦ ନ୍ୟାୟୋଦୀପ୍ତ ହୃଦୟ, ତାଙ୍କ ଆତ୍ମାର ଆହ୍ୱାନ ଧାରଣା କରିଥିଲା କିଭଳି ବଞ୍ଚିବା ଉଚିତ । ପାଭେଲ ଭ୍ଲାସଭ୍ ନିଲଭ୍ ନାଙ୍କ ପୁଅ ଜଣେ ଶ୍ରମିକ ଲୋକଙ୍କର ଅଭ୍ୟସ୍ତ ଜୀବନକୁ ଛାଡି ବିପ୍ଲବୀ ହୋଇଗଲା । ଶହ ଶହ ସାଧାରଣ ନାରୀଙ୍କ ଭଳି ପେଲେଗେୟା କାରଖାନାରେ କାମ କରନ୍ତି ଏବଂ ଘରେ ମଦୁଆ ସ୍ୱାମୀଠାରୁ ମାଡ଼ ଗାଳି ଖାଇ ଦୁଃଖରେ ଦିନ କାଟନ୍ତି । ପୁଅ ବିପ୍ଲବୀ ହୋଇଗଲା ବେଳେ ସେ ପୁଅ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇ ପଡିଲେ । ଶେଷ ଜୀବନ ମାଆର ଅତି ଦୁଃଖଦ । ବିଶ୍ୱକୁ ମଣିଷ, ମଣିଷ ପରି ବଞ୍ଚୁ ବାର୍ତ୍ତା ଦେବା ପାଇଁ ପୋଲିସ ତଣ୍ଟି ଚିପାରେ ଶେଷ ହୋଇ ଯାଇଛି ମାଆର ଜୀବନ ଦୀପ । ପୁଅ ପାଇଁ,ପୁଅ ସହିତ ମା ଥିଲା ସବୁ ଦୁଃଖ ସମୟରେ,ଯେଉଁ ପୁଅ ଜଣେ ବିପ୍ଲବୀ ସାଜିଥିଲା ।
"ଆମେ ସମସ୍ତେ ଗୋଟିଏ ମାଆର ସନ୍ତାନ । ସାରା ଦୁନିଆର ଶ୍ରମିକ ଭାତୃତ୍ୱର ଅଜୟ ବିଚାରର ସନ୍ତାନ । "
"ନିଜ ଚତୁଃପାର୍ଶ୍ୱସ୍ଥ ଦୂଷିତ ବାତାବରଣ ବିରୁଦ୍ଧରେ ସଂଗ୍ରାମ ହିଁ ମଣିଷକୁ ମଣିଷ କରିଦିଏ ।" ଏପରି କିଛିଟା ବାକ୍ୟ ଏବେ ବି ମୋତେ ଜଳ ଜଳ ଦିଶିଯାଏ ।
ହେ ଚିର ନାମସ୍ୟ ଗର୍କି ! ଆପଣଙ୍କୁ ମୁଁ 'ଆଭା ସାମନ୍ତ' ମୋ ଅନ୍ତର ତଳୁ ବାଢୁଛି ସଭକ୍ତି ସମ୍ମାନ,ଶ୍ରଦ୍ଧା ସୁମନ । ‘ମାଆ’ ରେ ମାଆଟିଏର ପରିଚୟ ଖୁବ୍ ଦୋହଲାଇ ଦେଇଥିଲା ମୋତେ । ସତରେ ସେଇ ଅବୁଝା ବୟସରେ ମୁଁ ପଡିଯାଇଥିଲି ମାଆ ପ୍ରେମରେ । ମାଆ ବହି ପଡିଲା ବେଳେ ମୋ ଲୋମ ମୂଳ ଟାଙ୍କୁରି ଉଠେ । ମୋତେ ଲାଗେ ଏ ବିଶ୍ୱ ଟା ଗର୍କିଙ୍କ ‘ମାଆ’ମୟ ହୋଇଯାଆନ୍ତା କି.......
