ମା'ଙ୍କ ମହିମା
ମା'ଙ୍କ ମହିମା
୧୦୦ ବର୍ଷ ତଳର କଥା । ଓଡିଶା ରାଜ୍ୟ, ଦେବଗଡ ଜିଲ୍ଲା ଅନ୍ତର୍ଗତ ନଈକୂଳ ଏକ ପୁରୁଣା ମୌଜା । ଏହା ପ୍ରାନ୍ତରେ ପ୍ରବାହିତ ହେଉଛି ବ୍ରାହ୍ମଣୀ ନଦୀ । ପାଖା ପାଖି ୫୦୦ରୁ ଉର୍ଦ୍ଧ୍ୱ ପରିବାର ସେଠାରେ ବସବାସ କରୁଥିଲେ । ଅନେକ ସରଳ ବିଶ୍ୱାସୀ ଲୋକେ ସେଠାରେ ଥାଆନ୍ତି । ସେମାନେ ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରଖନ୍ତି । କୃଷି ସେମାନଙ୍କର ମୁଖ୍ୟ ଜୀବିକା । ସକାଳୁ ସଞ୍ଜ ଯାଏ କାର୍ଯ୍ୟ ବ୍ୟସ୍ତ ରହିଥା'ନ୍ତି । ବାହାରକୁ ଯିବା ପାଇଁ ସେତେବେଳେ ବିଶେଷ ଗାଡି ମଟରର ସୁବିଧା ନଥାଏ । ତେଣୁ ଲୋକମାନେ ବାହାରକୁ ଭ୍ରମଣ କରିବା ପାଇଁ ଯାଇପାରନ୍ତି ନାହିଁ କିମ୍ବା କୌଣସି ମନ୍ଦିରଟିଏ ମଧ୍ୟ ସେ ଗାଆଁରେ ନଥାଏ । ଗ୍ରାମର ଲୋକମାନେ ବିଚାର କଲେ ଯେ ଆମ୍ଭ ଗ୍ରାମରେ କୌଣସି ମା'ଙ୍କ ମନ୍ଦିର ନାହିଁ । ଆମେ କୌଣସି ପ୍ରକାରେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ଏକ ମନ୍ଦିରଟିଏ ନିର୍ମାଣ କରିବା ।
ଦିନକର କଥା । ସେହି ଗ୍ରାମର ବିଶି ଦତ୍ତ ନାମକ ଜଣେ ବ୍ୟକ୍ତି ସହରକୁ ଯାଇଥିଲେ ତାଙ୍କର ଗୋଟିଏ ତେଲ ଲୁଣ ଦୋକାନ ଥିଲା । ଦୋକାନର ଆବଶ୍ୟକୀୟ ଜିନିଷ ପାଇଁ ସେ ରେଙ୍ଗାଳି ନାମକ ଏକ ସହରକୁ ଆସିଥିଲେ । ଏହା ନଈକୂଳ ଠାରୁ ପାଖାପାଖି ୧୫ କି.ମି. ବାଟ । ଯାନ ବାହାନର ସୁବିଧା ନଥିବାରୁ ସେ ଶଗଡ ଗାଡିରେ ବଜାରକୁ ଯାଇଥିଲେ । ତାଙ୍କ ଦୋକାନ ପାଇଁ ସମସ୍ତ ଜିନିଷ ବଡ ଦୋକାନରୁ କିଣା କିଣି କଲେ । ଏବେ ସେ ବାହାରିଲେ ପୁଣି ନଈକୂଳ ଗ୍ରାମକୁ ଜିନିଷ ପତ୍ର ନେଇ ଫେରିଯିବେ । ତାଙ୍କ ଶଗଡ ଗାଡିରେ କିଣି ଥିବା ସବୁ ଜିନିଷ ପତ୍ରକୁ ଲଦିଲେ । ବାରମ୍ବାର ଆସିବାକୁ ପଡିବ ବୋଲି ଆବଶ୍ୟକତା ଠାରୁ ସେ ଅତ୍ୟଧିକ ଜିନିଷ କିଣି ଥିବାରୁ ଶଗଡ ଗାଡିଟି ଭାର ନ ସମ୍ଭାଳି ଅସନ୍ତୁଳିତ ହୋଇ ଯାଉଥାଏ । ଶଗଡ ଗାଡିଟିକୁ ବଳଦ ଟାଣି ପାରୁନଥାଏ । ଅତି କଷ୍ଟରେ ଦତ୍ତ ବାବୁ ଶଗଡ ଗାଡି ସହ ତାଙ୍କ ଜିନିଷ ପତ୍ର ନେଇ ଗାଆଁକୁ ଯାଉଥା'ନ୍ତି । ବାଟରେ ଗଲା ବେଳେ ବ୍ରାହ୍ମଣୀ ନଦୀ ପଡେ । ସେ ସେଇ ବାଟ ଦେଇ ଅତିକ୍ରମ କଲା ବେଳେ ସେଠାରେ କିଛି ସମୟ ଅଟକିଲେ । ବଳଦ ଦୁଇଟିକୁ ବିଶ୍ରାମ ଦେବା ସଙ୍ଗେ ସଙ୍ଗେ ସେ ମଧ୍ୟ ବିଶ୍ରାମ ନେଲେ । ଘରୁ ସ୍ତ୍ରୀ କିଛି ଖାଦ୍ୟ ଦେଇଥିଲେ ସେଇ ଖାଦ୍ୟକୁ ଖାଇଲେ ଓ ବଳଦ ଦୁଇଟିକୁ କିଛି ଘାସ କାଟି ଦେଇଥିଲେ ଓ ନଦୀରେ ବଳଦ ଦୁଇଟିକୁ ପାଣି ପିଆଇଥିଲେ । ଟିକେ ଆଶ୍ୱସ୍ତି ଲାଭ କଲା ପରେ ପୁଣି ତାଙ୍କର ଯାତ୍ରା ଆରମ୍ଭ କଲେ । କିଛି ଦୂର ଗଲା ପରେ ଏକ ବିରାଟ ଜଙ୍ଗଲ ପଡିଲା । ଶୂନଶାନ ଲାଗୁଥାଏ । ବଳଦ ଦୁଇଟି ଶଗଡ ଗାଡିଟିକୁ ଟାଣି ପାରୁ ନଥାନ୍ତି । ଦତ୍ତ ବାବୁଙ୍କୁ ଅନୁଭବ ହେଉଥାଏ ଯେପରିକି ସେ ଜିନିଷ ନେଇ ଆଜି ଘରକୁ ପହଞ୍ଚି ପାରିବେ ନାହିଁ ।
ଏମିତି ଭାବୁ ଭାବୁ ତାଙ୍କ ଶଗଡ ଗାଡି ସମ୍ମୁଖରେ ଜଣେ ବୁଢୀ ସ୍ତ୍ରୀ ଲୋକ ଠିଆ ହୋଇ ଅଟକାଇଲେ । କହିଲେ-ଆରେ ବାପା ମୁଁ ବୁଢୀ ମଣିଷ, ମୋତେ ଟିକେ ନଈକୂଳ ପର୍ଯ୍ୟନ୍ତ ନେଇ ଯାଇପାରିବୁ । ଦତ୍ତ ବାବୁ କ'ଣ କହିବେ କିଛି ଭାବି ପାରିଲେ ନାହିଁ କାରଣ ତାଙ୍କ ଶଗଡ ଗାଡିର ଓଜନ ଅନୁସାରେ ବଳଦ ଟାଣି ପାରୁନାହାନ୍ତି ପୁଣି ବୁଢୀ ସ୍ତ୍ରୀ ଲୋକଟି କହୁଛି ତାଙ୍କ ଶଗଡ ଗାଡିରେ ବସିକି ଯିବ । ତଥାପି ବୁଢୀର ବୟସ ୭୦ ବର୍ଷରୁ ଅଧିକ ହେବ । ତା'କୁ ଦେଖି ଦତ୍ତ ବାବୁଙ୍କ ମନରେ ଦୟା ଆସିଲା । ଯାହା ହେଉ ପଛେ, ବୁଢୀଟିକି ବସାଇକି ନ ନେଲେ ଭଲ ହେବ ନାହିଁ; ଚିନ୍ତା କରି ତା'କୁ ଶଗଡ ଗାଡିରେ ବସାଇଲା । ଯେତେବେଳେ ବୁଢୀ ମା' ତାଙ୍କ ଶଗଡ ଗାଡିରେ ବସିଲେ ସର୍ତ୍ତ ରଖିଲେ ମୁଁ ତୁମ ଶଗଡ ଗାଡିରେ ବସିକି ଯାଉଛି ତମେ ମୋ ଆଡକୁ ଚାହିଁବ ନାହିଁ । ତମେ ମୋତେ ଯେଉଁଠି ଚାହିଁ ଦେବ ମୁଁ ସେଇଠି ଓହ୍ଲାଇ ପଡିବି । ଏକ ମୁହାଁ ହୋଇ ତୁମେ ତମ ଘରକୁ ଯିବ । ସେୟା ହେଲା ସେ ଏକ ମୁହାଁ ହୋଇ ଗ୍ରାମ ଆଡକୁ ଅଗ୍ରସର ହେଲେ । କିନ୍ତୁ ସେ ଏକ ସ୍ୱତନ୍ତ୍ର ଅନୁଭବ କଲେ । ଆଗ ଅପେକ୍ଷା ଧୀରେ ଧୀରେ ତାଙ୍କୁ ହାଲୁକା ଲାଗିଲା । ବଳଦ ଦୁଇଟି ଅତି ସହଜରେ ଜିନିଷ ନେଇ ଆଗକୁ ମାଡି ଚାଲୁଥା'ନ୍ତି । କେତେବେଳେ ଆସି ତାଙ୍କ ଘର ପାଖକୁ ପହଞ୍ଚିଲେ ସେ ନିଜେ ବି ଜାଣିପାରିଲେନାହିଁ । ଘର ସମ୍ମୁଖରେ ଓହ୍ଲାଇ ସେ ବୁଢୀ ମା'ଙ୍କୁ ଓହ୍ଲାଇ ବାକୁ କହିଲେ । ତାଙ୍କ ଆଡକୁ ଦେଖିଲା ବେଳକୁ ବୁଢୀ ମା' ଜଣଙ୍କ ନଥିଲେ । ସେ ଅବାକ ହୋଇଗଲେ ଓ ତାଙ୍କୁ ବହୁତ ଖୋଜିଲେ;
ତାଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଲା; ଏଭଳି କି ସେ ନଖାଇ ନପିଇ ଯେଉଁ ବାଟ ଦେଇ ଆସିଥିଲେ ତାଙ୍କୁ ସେହି ବାଟ ଦେଇ ଖୋଜିବାକୁ ଯାଇଥିଲେ । କିନ୍ତୁ ତାଙ୍କର ଖବର ମିଳି ନଥିଲା । ନିରାଶରେ ଦତ୍ତ ବାବୁ ରହିଲେ ।
ସେଇ ଦିନ ରାତିରେ ତାଙ୍କୁ ସ୍ୱପ୍ନ ହେଲା । ତୋ'ର ନିଷ୍ଠା ପାଇଁ ମୁଁ ତୋ' ପ୍ରତି ସନ୍ତୁଷ୍ଟ ହୋଇ ତୁମ ଘରେ ରହିବା ପାଇଁ ଆସିଥିଲି । ମାତ୍ର ମୋ ସର୍ତ୍ତ ଅନୁସାରେ ତୁମେ ମୋତେ ଘର ସମ୍ମୁଖରେ ଚାହିଁବାରୁ ମୁଁ ସେଇଠି ଅଛି । ମୁଁ ହେଉଛି ମା' ଶରଣୀ ପାଟ । ସେହିଠାରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଏ କଥା ଚାରିଆଡେ ଖେଳିଗଲା । ଗ୍ରାମ ସାରା ସମସ୍ତେ ମିଶି ସେହିଠାରେ ତାଙ୍କର ମନ୍ଦିର କରିଥିଲେ ।
ମା'ଙ୍କ ଠାରେ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୁଏ । ମୋ ପରିବାର ମା'ଙ୍କ ଠାରେ ଦର୍ଶନ କରିବାର ସୁଯୋଗ ପାଇଛି । ମୋର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଛି । ତାଙ୍କରି ଦୟାରୁ ମୋ ପରିବାର କୁଶଳରେ ଅଛନ୍ତି ଓ ମୁଁ ଲେଖକ ହେବାର ସୁଯୋଗ ମଧ୍ୟ ପାଇଛି । ଏହା ହେଉଛି ତାଙ୍କରି ମହିମା ।
