Padmalaya Padhy

Inspirational

4.5  

Padmalaya Padhy

Inspirational

ମା ହେବାର ଖୁସି

ମା ହେବାର ଖୁସି

3 mins
392


ମା ହେଲେ ଖୁସି ହେବା କଥାଟି କେବଳ ସିନେମାରେ ହିଁ ଦେଖିଥିଲି ।  ମା ମାନେ କହନ୍ତି ଯେ ବାସ୍ତବ ଜୀବନରେ ଖୁସି ଠାରୁ ମା ହେବାର ଭୟ ପୁଣି ଅଧିକ ଥାଏ । ପ୍ରସବ ଜନିତ କଷ୍ଟର ଭୟ ତଥା ନୂଆ ଦାୟିତ୍ତ୍ୱ ନୂଆ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଇତ୍ୟାଦି ଶୁଣିଥିଲି ହେଲେ ମୋତେ ଯେତେବେଳେ ଡକ୍ଟର କହିଲେ ଯେ ଆପଣ ମା ହେବାକୁ ଯାଉଛନ୍ତି ମୋର ମନ ପକ୍ଷୀଟି ଗୋଟିଏ ମୁକ୍ତ ଆକାଶର ବିହଙ୍ଗ ସଦୃଶ ଶରୀରରୁ ବାହାରି ଯାଇ ଶୂନ୍ୟରେ ବିଚରଣ କରିବାକୁ ଲାଗିଲା । କମସେ କମ ମୋତେ ମିଳୁଥିବା ମାଡ଼ ଗାଳିରୁ ତ ଅବ୍ୟାହତି ମିଳିବ ଏବେ । ଏତେ ମାଡ଼ ଗାଳିର ଅଧିକାରିଣୀ ମୋତେ କରିଛନ୍ତି ମୋ ପତି ଦେବ ମୋ ଇହକାଳ ପରକାଳର ଦେବତା ମୋ ସ୍ୱାମୀ ।


ମୋର ରୋଷେଇ ଠାରୁ ଆରମ୍ଭ କରି ମୋର ସାଜସଜା ତଥା ମୋ ମୁଖ ମଣ୍ଡଳ କୌଣସିଟି ବି ମୋ ସ୍ୱାମୀଙ୍କର ପସନ୍ଦ ନୁହେଁ । ତାଙ୍କୁ ପୁଣି ମୋ ସହିତ ଜବରଦସ୍ତି ବିବାହ କରି ଦିଆ ଯାଇଛି । ସୁତରାଂ ତାହାର ଷଷ୍ଠିର ହକଦାର ମୋ ଛଡା ଆଉ କେହି ହୋଇ ପାରିବ ନାହିଁ । ସନ୍ତାନଟିଏ କୋଳକୁ ଆସିଲେ ସନ୍ତାନ ସୁଖ ସହିତ ପତି ସୁଖ ବି ମିଳିବ ବୋଲି ମୋର ଏବଂ ମୋ ପରିବାରର ସଦସ୍ୟ ମାନଙ୍କର ଗୋଟିଏ ଅସମ୍ଭବ ଆଶା ଯାହା ଆକାଶ କଇଁଆ ଚିଲିକା ମାଛ ସଦୃଶ । ମୋ ସ୍ୱାମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୋର ବାପା ଗୋଟେ ବି ଏମ ଡବ୍ଲ୍ୟୁ କାର ଆଣି ଉପହାର ଦେଇଥିଲେ । ହେଲେ ବି ସେଥିରେ ସେ ସନ୍ତୁଷ୍ଟ ହେଲେ ନାହିଁ । ମୋ ବାପା ଜଣେ ଖ୍ୟାତନାମା ହୀରା ବ୍ୟବସାୟୀ ଯାହାଙ୍କର ମୁଁ ଏକମାତ୍ର ସନ୍ତାନ । ସୁତରାଂ ଯାହା ତାଙ୍କର ସବୁ ମୋର ଅର୍ଥାତ ମୋ ସ୍ୱାମୀଙ୍କର ହେବ । ପରେ ପରେ ଗୋଟିଏ ଫ୍ଲାଟ ବି ଦେବାକୁ କଥା ଛିଣ୍ଡି ଥିଲା । ହେଲେ ବି ମୋ ସ୍ୱାମୀ ମୋ ଉପରେ ସନ୍ତୁଷ୍ଟ ନଥିଲେ ।


ମୋ ମାଆ ବାପା ମୋର ମନୋବଳ ବଢା଼ଉ ଥାଆନ୍ତି ଯେ ଦିନେ ନା ଦିନେ ମୋ ସ୍ୱାମୀ ବଦଳି ଯିବେ ବୋଲି । କିନ୍ତୁ କେବେ ? ସେ କେବେର କିଛି ଠିକ ଠିକଣା ନଥାଏ । ଧୀରେ ଧୀରେ ସମୟ ପାଖେଇ ଆସୁଥାଏ । ସେଇ ଚିର ଇପ୍ସିତ ଦିନଟି ଆଗେଇ ଆସୁଥାଏ । ମା ହେବାର ସେଇ ଅପୂର୍ବ ଦୁର୍ଲଭ ଅନୁଭୂତି । ପୁଅ ହେଉ କି ଝିଅ ମୋ କୋଳ ପୁରି ଯାଉ । ହସ୍ପିଟାଲ ଯିବା ସମୟ ଯେତିକି ପାଖେଇ ଆସୁଥାଏ ମୋ ସ୍ୱାମୀ ସେତିକି ଜାଣି ଜାଣି ଦୁରେଇ ରହୁଥାନ୍ତି ।


ସେଦିନ ମୋ ବାପା ମାଆଙ୍କ ସହିତ ମୋତେ ହସ୍ପିଟାଲ ଯିବାକୁ ହୋଇଥିଲା । କଷ୍ଟ ତ ବହୁତ ହେଉଥାଏ କିନ୍ତୁ ଏହା ସାମ୍ନାରେ ଆଗାମୀ ସୁଖି ଭବିଷ୍ୟତର କଳ୍ପନା କରି ମୁଁ ସହି ଯାଉଥିଲି । ଡକ୍ଟର ଓ ନର୍ସ ସମସ୍ତେ ମୋତେ ଦେଖି ଆଶ୍ଚର୍ଯ୍ୟ ହେଉଥାନ୍ତି । ପ୍ରଥମ ଗର୍ଭ ଅଥଚ ଏତେ ଧର୍ଯ୍ୟ ଏତେ ସହନଶୀଳତା ? ଶେଷରେ ଦୁଇ ରାତି କଷ୍ଟ ସହିବା ପରେ କୁନି ଝିଅଟିଏ ମୋର କୋଳ ମଣ୍ଡନ କରିଥିଲା । ଅନେକ ଅନୁରୋଧ ଖୋସାମତ କରାହେବା ପରେ ମୋ ସ୍ୱାମୀ ଆସିଥିଲେ ଝିଅକୁ ଦେଖିବା ପାଇଁ । ପ୍ରଥମେ ମୋ ଉପରେ ଆଖି ପଡିଲା ଏବଂ ସେ ସବୁଦିନ ପାରି ଗୋଟିଏ ତିରସ୍କାର ଭରା ଚାହାଣିଟିଏ ଫିଙ୍ଗି ଦେଇଥିଲେ । ପୂର୍ବରୁ ଯେମିତି ମୋ ଭିତରେ ମୁଁ ସଙ୍କୋଚରେ ଭାଙ୍ଗି ପଡୁଥିଲି ଏଥର ସେମିତି ନଥିଲା । କରନ୍ତୁ କଣ କରିବେ ।


ଏବେ ମୁଁ ମୋ ଝିଅ ପାଇଁ ବଞ୍ଚିବି ତାକୁ ବଡ଼ କରିବି ମଣିଷ କରିବି । ବଞ୍ଚିବାର ରାହା ମିଳି ଯାଇଥିଲା ମୋତେ । ହଠାତ ନର୍ସଟିଏ କୁନି ଝିଅକୁ ନେଇ ପଶି ଆସିଥିଲା ଏବଂ ସାମ୍ନାରେ ମୋ ସ୍ୱାମୀଙ୍କୁ ଦେଖି ଝିଅକୁ ତାଙ୍କ ହାତରେ ଧରାଇ ଦେଇଥିଲା । ଝିଅକୁ ହାତକୁ ନେଲା ପରେ ମୋ ସ୍ୱାମୀଙ୍କ ମୁଖ ମଣ୍ଡଳ ରେ ସେ ଯେଉଁ ପ୍ରକାର ଆଭା ଦେଖିଥିଲି ମୋ ଜନ୍ମ ପରେ ମୋ ବାପାଙ୍କ ମୁଖ ମଣ୍ଡଳରେ ବି ସେପରି ଜ୍ୟୋତି ପରିଲକ୍ଷିତ ହୋଇ ନଥିବ । ଏତେ ମିଠା ହସ ପୁଣି ମୋ ସ୍ୱାମୀଙ୍କ ପାଖେ ? ସମ୍ଭବ ନୁହେଁ । କିନ୍ତୁ କୁନି ଝିଅ ତାହାକୁ ସମ୍ଭବ କରି ଦେଖାଇ ଥିଲା । ନର୍ସଟି ଫେରି ଗଲା ପରେ ମୋ ସ୍ୱାମୀ ଆସି କହିଲେ ଝିଅର ନାମକରଣ କେବଳ ତୁମେ ହିଁ କରିବ । ଏତେ ମିଷ୍ଟଭାଷୀ ପୁଣି ମୋ ସ୍ୱାମୀ ? ମୁଁ କହିଥିଲି ଆମେ ଘରକୁ ଫେରିଲେ ବିଧି ବିଧାନ ଅନୁସାରେ ହିଁ କରିବା । ଗୋଟେ କଥା ପଚାରି ପାରିବି ? ହଁ ଶହେ ଗୋଟି କଥା ପଚାର ବୋଲି କହିଲେ ସେ ।


 ମୁଁ କହିଲି ପୁଅ ନହୋଇ ଝିଅ ହେଲା ବୋଲି ତୁମେ ମନ କଷ୍ଟ କରୁନାହଁ ତ ? ପ୍ରତ୍ୟୁତ୍ତରରେ କହିଲେ ମୁଁ ଝିଅ ହିଁ ଚାହୁଁଥିଲି ଏବଂ ତୁମପରି ଝିଅଟିଏ ହେଉ ବୋଲି ଚାହୁଁଥିଲି । ପୁଅ ହୋଇଥିଲେ ମୋ ପରି ହୋଇଥାନ୍ତା ଯାହା ମୁଁ ବରଦାସ୍ତ କରି ପାରି ନଥାନ୍ତି । ମୁଁ ହସ୍ପିଟାଲ ବେଡ଼ରେ ଶୋଇ ଭାବୁଥିଲି ଏସବୁ ବାସ୍ତବରେ ଘଟୁଛି ନା ମୁଁ ସ୍ବପ୍ନ ଦେଖୁଛି । ଆମ ଝିଅ ଆମ ଦୁହିଁଙ୍କୁ ମିଶାଇ ପାରିଛି । ଭଗବାନ ମୋ ଝିଅଟିକୁ ଦୀର୍ଘଜୀବି କରି ରଖନ୍ତୁ ଏବଂ ତାର ଚଲାପଥ ପୁଷ୍ପିତ ହେଉ ।


Rate this content
Log in

Similar oriya story from Inspirational