Padmalaya Mishra

Comedy

4.0  

Padmalaya Mishra

Comedy

ମା' ଧାନ କୁଟି ପୁଅ ନାଗର

ମା' ଧାନ କୁଟି ପୁଅ ନାଗର

3 mins
194



   ନାମ : ??

  ଆଜ୍ଞା ବିଶିଆ

ପୁରା ନାଁ ଟା କହ ବେ...

ବିଶ୍ଵନାଥ ଷଡ଼ଙ୍ଗୀ...

ବାପା ନା ?

ସ୍ଵର୍ଗତ ବୃନ୍ଦାବନ ଷଡ଼ଙ୍ଗୀ ।

ପୁଲିସ ଇନିସପେକ୍ଟରଙ୍କ ଧମକ କି ବାଡ଼ି ଚାଳନା କିଛି ପ୍ରଭାବ ପକାଇ ପାରୁ ନଥାଏ ବିଶିଆ ଉପରେ । 


   ପୁଲିସ ବାବୁଙ୍କ ପାରା ଚଢିବାକୁ ଲାଗିଲା । ମୁହଁ ନାଲି ଫିରିଫିରି ଦିଶିଲା । କନେଷ୍ଟବଳ ସୁଦାମ ଇନିସପେକ୍ଟର ବାବୁଙ୍କୁ ପାଣି ଗିଲାସେ ବଢେଇ ଦେଇ ଶାନ୍ତ କରିବା ପାଇଁ କହିଲେ, " ଛାଡନ୍ତୁ ସାର୍ । ଏ ବିଶିଆ ଏମିତି । ମାସକୁ ଥରେ ଥାନାରେ ପଶୁଛି । ଆପଣ ରାଗନ୍ତୁ ନାହିଁ । " ଟିକେ ଚାହିଁ ଦେଇ ସୁଦାମକୁ ପାଣି ଗିଲାସ ନେଇ ଏକା ନିଶ୍ଵାସରେ ପିଇ ଦେଲେ ।


    ସୁଦାମ କିଛି ସମୟ ପରେ ଜଣେ ବିଧବା ମହିଳାଙ୍କୁ ଥାନାକୁ ଆଣିଲେ । ମହିଳା ଜଣଙ୍କ ବର୍ଣ୍ଣ ଯଦିଓ ଗୋରା ବୟସର ଛାପ ରଙ୍ଗ ହରଣ କରିଛି । ଆଖିରେ ଆଖିଏ ଲୁହ ନେଇ କୋହରି ହୋଇ ଇନିସପେକ୍ଟରଙ୍କୁ ପୁଅକୁ ଛାଡି ଦେବା ପାଇଁ କହିଲେ । 


   ମହିଳା ଜଣଙ୍କ କାନ୍ଦରେ ବ୍ୟସ୍ତ ହୋଇ କେସ୍ ଉଠାଇ ବିଶିଆକୁ ଛାଡି ଦେଲେ ଇନିସପେକ୍ଟର । ତାର ପର୍ସ ଓ ଗାଡି ଚାବି ଫେରାଇ ଦେଲେ । ମା ମୁହଁକୁ ଟିକେ କଣେଇ ଚାହିଁ ଚାଲିଗଲା ବିଶିଆ । ମୋଟରସାଇକେଲକୁ ଷ୍ଟାର୍ଟ୍ କରି ଧୁମ୍ ଧୁମ୍ ଗୀତ ଗାଇ କାନରେ ଇୟରଫୋନ୍ ଗେଂଜି , ଛାତି ପକେଟରେ ମୋବାଇଲ ପୁରେଇ ବାବୁ ଉଡିଗଲେ । ପଛରୁ ମାଆ ଓ ସୁଦାମ ଚାହିଁ ଥିଲେ । 


   ଭାଇ ! ଏ ବିଶିଆ କଣ ଏମିତି ହେବ ମତେ ଯନ୍ତ୍ରଣା ଦେବ ? ପୁଣି ଧାର ଧାର ଲୁହ ଗଡି ଗଲା । ତୁମେ ଘରକୁ ଯାଅ ଭାଉଜ କିଛି କରିବା ଚିନ୍ତା କରି ।


     ବିଶିଆ ମା ଚାଲିଗଲା । ସୁଦାମ ଦୀର୍ଘନିଃଶ୍ଵାସ ମାରିଲେ । ଇନିସପେକ୍ଟର ଆଶ୍ଚର୍ଯ୍ୟ ହୋଇ ସୁଦାମକୁ ଚାହିଁ ଥାନ୍ତି । ମନରେ କେତେକ ପ୍ରଶ୍ନ । ସୁଦାମ ଖାଲି ଏତିକି କହିଲେ, ଇଏ ଆମ ପଡିଶା ଘର ଭାଉଜ । ବିଶିଆ ବାପା ଓ ମୁଁ ଏକା ସାଙ୍ଗର । ଷୋହଳ ବର୍ଷ ହେଇଥିଲା ଭାଉଜଙ୍କୁ ଯେତେବେଳେ ବାହା ହୋଇ ଆସିଥିଲେ । ସୁଦାମ ମାତ୍ର ୪ ବର୍ଷର ହେଇଥିଲା, ବୃନ୍ଦାବନ ଆକ୍ସିଡେଣ୍ଟରେ ଚାଲିଗଲା । ତାକୁ ଝୁରି ଦି ବର୍ଷ ଭିତରେ ତା ବାପା ମା ଚାଲିଗଲେ । ଏକୁଟିଆ ହେଇଗଲେ ଭାଉଜ । ପୁଅକୁ ବଡ଼ କରିବା ବେଳକୁ ଜମି ଦିଖଣ୍ଡ ବିକ୍ରି ହେଇଗଲା । ବାଡ଼ିରେ ଶାଗ କରି ଲେମ୍ବୁ, ପିଜୁଳି ବିକି ବାହାଘର ବ୍ରତଘର ମାନଙ୍କରେ ପର ଘରେ କାମ କରି ଜୀବନ ଗାଡିକୁ ଟାଣୁଛନ୍ତି । ଏବେ ବି ବୟସ ୪୦ ହେଇନି । କିନ୍ତୁ ଷାଠିଏ ବର୍ଷର ବୃଦ୍ଧା ଭଳି ଦିଶୁଛନ୍ତି । ହେଲେ ପୁଅର କିଛି ଚିନ୍ତା ନାହିଁ । ଜମି ବିକେଇ ଗାଡି ଓ ମୋବାଇଲ କଣି ଗାଁ ଦାଣ୍ଡରେ ହିରୋ ହୋଇ ବୁଲୁଛି । ଆଖପାଖ ଅଞ୍ଚଳର ଝିଅକୁ କମେଣ୍ଟ ମାରି ଥାନା ଆସୁଛି ଯାଉଛି । ସମସ୍ତେ କୁହାକୁହି ହେଉଛନ୍ତି, ମା ଧାନ କୁଟି ପୁଅ ନାଗର... ହେଲେ ବାବାକୁ କିଛି ଫରକ ପଡୁନି ।


    ଏକା ନିଶ୍ଵାସରେ ବିଶିଆ ଓ ତା ପରିବାରର ବାୟୋଡାଟା ସୁଦାମ ଦେଇ ଦେଲେ ଇନିସପେକ୍ଟରଙ୍କୁ । 


    ୟା ଭିତରେ ବିତି ଯାଇଥିଲା ମାସେ । ପୁଣି ବିଶିଆକୁ ଥାନାକୁ ଅଣାଗଲା । ଦୋଷ ହେଲା ମିନତୀ ଯାହାକୁ ସେ ଭଲ ପାଏ, ସିଏ ଆଉ କାହାକୁ ଭଲ ପାଉଛି । ତେଣୁ ବିଶିଆ ସେ ଟୋକାକୁ ବାଡେଇ ରକ୍ତାକ୍ତ କରି ଦେଇଛି । 


   ଇନିସପେକ୍ଟରଙ୍କ ପଚରାରେ ଉତ୍ତର ଦେଉଛି, ମିନତୀ ମୋ ଜାନ୍ । ତାକୁ ଯିଏ ଚାହିଁବ ତା ଆଖି ତାଡିଦେବି । ଲକ୍ଷ୍ୟ କରି ଇନିସପେକ୍ଟର ଜାଣି ପାରିଲେ, ବିଶିଆ ସଲମାନ ଖାନର ଫ୍ୟାନ୍ । ଓ୍ଵାଣ୍ଟେଡ୍ ମୁଭି ଦେଖି ସେମିତି ବ୍ୟବହାର କରୁଛି । 


   ଦେଖେ ବାବୁ... ତୋ ମା କେତେ କଷ୍ଟ କରି ତତେ ବଡ଼ କରୁଛି । ତୁ ଭଲ ମଣିଷ ହେ । 


   ହେ ଇନିସପେକ୍ଟର .... ମତେ ପଢାଅନି ପାଠ । କରପ୍ଟ ସିଷ୍ଟମର ତୁମେ ଜଣେ ପିଆଦା । 


   ଏତିକି ଶୁଣି ଇନିସପେକ୍ଟରଙ୍କ ମଥା ଘୁରିଗଲା । ସଙ୍ଗିନ୍ ଚଟକଣି ଦେଲେ ଯେ ବିଶିଆ ଘିରି ଘିରି ବୁଲି ବ୍ରହ୍ମାଣ୍ଡ ଦର୍ଶନ କରିଦେଲା । 


   ସୁଦାମ ମୁହଁ କୁ ଚାହିଁ ଇନିସପେକ୍ଟର କହିଲେ, ୟାକୁ ଫିଲ୍ମୋନିଆ ହେଇଛି । ତା ମାଆକୁ ଥାନାକୁ ଆସିବାକୁ ମନା କର । ସପ୍ତାହେ ହାଜତରେ ରଖି ମୁଁ ତା ମୁଣ୍ଡରୁ ସଲୁ ଭୂତ ଓହ୍ଲାଇବି । ତା ନାଗର ପଣିଆ ଛଡେଇବି ।


    ଏବେ ବିଶିଆ ହାଜତରେ । ଦେଖାଯାଉ ଇନିସପେକ୍ଟରଙ୍କ ପ୍ରୟାସ କେତେ ସଫଳ ହେଉଛି ।


      *************


Rate this content
Log in

Similar oriya story from Comedy