STORYMIRROR

Lakshapati Podh

Inspirational

4  

Lakshapati Podh

Inspirational

ଲୋକେ କ’ଣ କହିବେ?

ଲୋକେ କ’ଣ କହିବେ?

2 mins
36

ମଣିଷ ନିଜ ଜୀବନକୁ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହେଁ, କିନ୍ତୁ ଅନେକ ସମୟରେ ତା’ର ନିଷ୍ପତ୍ତି ନିଜ ମନ ନୁହେଁ, ଅନ୍ୟମାନଙ୍କ ମତାମତ ନିର୍ଦ୍ଧାରଣ କରେ। କାରଣ, ତା’ ମନରେ ଗୋଟିଏ ଅଦୃଶ୍ୟ ଭୟ ବସା ବାନ୍ଧିଥାଏ— ଲୋକେ କ’ଣ କହିବେ?
ଝିଅଟିଏ ଶାଶୁଘରେ ନିର୍ଯାତନା ସହି ମଧ୍ୟ ଚୁପ୍ ରହେ, କାରଣ ତାକୁ ଭୟ ଥାଏ ସମାଜ ତାକୁ ଦୋଷ ଦେବ। କାହା ଘରେ ସନ୍ତାନ ନ ହେଲେ ଲୋକେ ମହିଳାଟିକୁ ପ୍ରଶ୍ନ କରନ୍ତି, କିନ୍ତୁ କେହି ଭାବନ୍ତି ନାହିଁ ଯେ ତା’ର ମନ ଭିତରେ କେତେ ଯନ୍ତ୍ରଣା ଭରି ରହିଥିବ। ଗରିବ ବାପାଟିଏ ଝିଅ ବାହାଘରରେ ଋଣ କରି ନିଜ ସାମର୍ଥ୍ୟଠାରୁ ଅଧିକ ଖର୍ଚ୍ଚ କରେ, କାରଣ ତାକୁ ଝିଅର ଭବିଷ୍ୟତଠାରୁ ଅଧିକ ଭୟ ଘାରିଥାଏ ଲୋକଙ୍କ କଥା।
ଆଶ୍ଚର୍ଯ୍ୟର କଥା, ଯେଉଁ ଲୋକମାନଙ୍କୁ ଖୁସି କରିବା ପାଇଁ ମଣିଷ ନିଜ ସୁଖ, ଶାନ୍ତି ଓ ସାମର୍ଥ୍ୟକୁ ବଳି ଦିଏ, ସେହି ଲୋକମାନେ ହିଁ ପରଦିନ ତା’ର ନିନ୍ଦା କରିବାକୁ ପଛାନ୍ତି ନାହିଁ। ଆଜି ଯିଏ ତୁମକୁ ପ୍ରଶଂସା କରୁଛି, କାଲି ସେ ହୁଏତ ତୁମର ଦୋଷ ଖୋଜିବ। ତେଣୁ ସମସ୍ତଙ୍କ ମନ ଜିଣିବାକୁ ଚେଷ୍ଟା କରିବା ଅର୍ଥ ନିଜ ଜୀବନକୁ ଅନ୍ୟମାନଙ୍କ ହାତରେ ସମର୍ପି ଦେବା।
ସମାଜ ବଦଳିବା ଦରକାର ବୋଲି ଆମେ ସମସ୍ତେ କହୁ, କିନ୍ତୁ ସେହି ପରିବର୍ତ୍ତନର ଆରମ୍ଭ ନିଜଠାରୁ କରିବାକୁ କେତେ ଜଣ ପ୍ରସ୍ତୁତ? ଅନ୍ୟର ଜୀବନକୁ ବିଚାର କରିବା ପୂର୍ବରୁ ଯଦି ଆମେ ନିଜ ଚିନ୍ତାଧାରାକୁ ପରଖିବା, ଅନ୍ୟର ଦୁଃଖକୁ ଆଲୋଚନାର ବିଷୟ ନ କରି ସହାନୁଭୂତିର ହାତ ବଢ଼ାଇବା, ତେବେ ସମାଜ ନିଶ୍ଚୟ ଟିକେ ଅଧିକ ସୁନ୍ଦର ହେବ।
ମନେ ରଖିବା ଉଚିତ୍— ଲୋକଙ୍କ କଥା ଶୁଣି ଶୁଣି ଜୀବନ ସରିଯିବ, କିନ୍ତୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା କେବେ ସମ୍ଭବ ହେବ ନାହିଁ। ତେଣୁ ଭୁଲ୍ କରିବାରୁ ଦୂରେଇ ରହି, ନିଜ ବିବେକ ଓ ମାନବିକତାକୁ ସାଥୀ କରି ବଞ୍ଚିବା ଶିଖିବା।
କାରଣ, ସମାଜ ବଦଳିବା ପୂର୍ବରୁ ଆମ ଚିନ୍ତାଧାରା ବଦଳିବା ଆବଶ୍ୟକ। ଯେଉଁଦିନ ଆମେ ଅନ୍ୟର କଥାକୁ ବିଚାର କରିବା ପୂର୍ବରୁ ନିଜକୁ ପ୍ରଶ୍ନ କରିବା ଶିଖିଯିବା, ସେଦିନ ହୁଏତ “ଲୋକେ କ’ଣ କହିବେ?” ଭୟରୁ ମୁକ୍ତ ହୋଇ ମଣିଷ ପ୍ରକୃତ ଅର୍ଥରେ ମଣିଷ ହୋଇ ବଞ୍ଚିପାରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational