STORYMIRROR

Seetaram Dash

Tragedy

3  

Seetaram Dash

Tragedy

ଲଞ୍ଚ ବକ୍ସ

ଲଞ୍ଚ ବକ୍ସ

3 mins
842


ଟୁବୁଲାର ଛୁଟି ସରି ଆସିଲାଣି। ପୁଣି ଯିବାକୁ ହେବ ନଈ ନାଳ ପର୍ବତ ଡେଇଁ ଅନେକ ଦୂରକୁ। ଆସିଲା ସମୟରେ ଭାବିଥିଲା ସବୁ ସମୟ ଘରେ କାଟିବ, ସବୁ ସମୟ ପରିବାରକୁ ଦେବ। ଆଉ ସବୁବେଳେ ବୋଉର ପାଖେ ପାଖେ ରହିବ। ହେଲେ ଦିନ ସରିବାକୁ ବସିଲା ଦିନ ଟାଏ ବି ସୁଖ ଦୁଃଖ ଘଡ଼ିଏ ହେବାକୁ ବେଳ ନାହିଁ। ଆଜିର ସ୍ମାର୍ଟ ଫୋନ ଯୁଗରେ ମୋବାଇଲ ସ୍କ୍ରିନ ଉପରୁ ଆଖି ଫେରୁନି। ତା ସାଙ୍ଗକୁ ଗାଁର ଅନେକ ସାଙ୍ଗ ସାଥି। ପାଞ୍ଚ ଦିନ ଆଗରୁ ବୋଉ ଭାରି ବ୍ୟସ୍ତ, କଣ ନେବୁ ସାଙ୍ଗରେ ବାଟରେ ଖାଇବାକୁ। ଟୁବୁଲା ଭାରି ବିରକ୍ତ ହୁଏ ବୋଉ ଉପରେ। ରାଗ ତମ ତମ ହୋଇ କୁହେ ତୁ କାଇଁ ବ୍ୟସ୍ତ ହେଉଛୁ , କିଛି ନେବା ଦରକାର ନାହିଁ, ବାଟରେ ସବୁ ମିଳିବ। ଘରୁ ଆସିବା ସମୟରେ ବୋଉ ଅତି ଆଦରରେ ଗୁଆଘିଅ ରେ ପରଟା ଆଉ ଭଜା ତିଆରି କଲେ। ଆଉ କିଛିି ଆଚାର ପୁଅ ବ୍ୟାଗରେ ଦେଲେ ବାଟରେ ଖାଇବା ପାଇଁ। ଆସିବା ସମୟରେ ଦାଣ୍ଡ ପିଣ୍ଡାରେ ଠିଆ ହୋଇ କହିଲେ ଗ୍ରାମ ଦେବତୀ, ଭାଗବତ ଘର ଏବଂ ବୃନ୍ଦାବତୀ ଙ୍କୁ ମୁଣ୍ଡିଆ ମାରେ, ସେଇ ହିଁ ତୋର ସାହା। ଆଉ ବାଟରେ ଖାଇ ପିଇ ଭଲରେ ଯିବୁ, ପହଞ୍ଚିଲେ ଫୋନ କରିବୁୁ।ଆଖିରୁ ବହିିି ଯାଉଥାଏ ଧାର ଧାର ଲୁହ। ମନେ ମନେ ବିରକ୍ତ ହୋଇ ଘରୁ ଯାଏ ଟୁବୁଲା।

ଟ୍ରେନରେ ଯେଉଁ ଖାଦ୍ୟ ନ କହିଲେ ଭଲ। ଭାତ ଚାଉଳ ଠୁ ହୀନ। ପାଣିଚିଆ ଡାଲି, ବାସି ଦୁର୍ଗନ୍ଧ ଯୁକ୍ତ ତରକାରୀ। ଶହେ ରୁ ଆରମ୍ଭ, ଯାହାର ମୂଲ୍ୟ କୋଡିଏ ତିରିଶ ଟଙ୍କା ହେବ। କିଛି ଲୋକ ଭୋକ ଯୋଗୁ ବାଧ୍ୟତାମୂଳକ କିଣନ୍ତି।କିଛି ଲୋକ ଇଚ୍ଛା ନ ଥାଇ ବି ଅନ୍ୟ ମାନେ କଞ୍ଜୁସ ଭାବିବେ ବୋଲି କିଣନ୍ତି। କିନ୍ତୁ ସମସ୍ତେ ଅଶାନ୍ତିରେ ଖାଆନ୍ତି, ଅଧାରୁ ବେଶୀ ଫୋପାଡ଼ି ଦିଅନ୍ତି।

ରାତିରେ ଖାଇବା ପାଇଁ ଟିପିନି ଖୋଲୁ ଖୋଲୁ ମହ ମହ ବାସ୍ନାରେ ପୁରା ଟ୍ରେନ ବଗି ମହକି ଉଠିଲା, ମାର ହାତରନ୍ଧା କି ଅପୂର୍ବ ସ୍ୱାଦ। ତଥାପି ମନେ ମନେ ବିରକ୍ତ ହେଲା ବୋଉ ଉପରେ କାରଣ ବୋଉ ଦେଇଥିଲେ ଆଠପଟ ବଡ ବଡ ପରଟା। ଦୁଇଟି ପରଟା ଆଉ ଭଜା ଖାଇଲା ପରେ ପେଟ ଫୁଲ। ଶାନ୍ତିରେ ଶୋଇଗଲା ଟୁବୁଲା। ସକାଳେ ବି ଖାଦ୍ୟରୁ ଘିଅର ବାସ୍ନା ବାହାରୁ ଥାଏ କାରଣ ଶୀତ ଦିନ ଯୋଗୁ କିଛି ଖରାପ ହୋଇ ନ ଥାଏ। ବାସ ଦୁଇ ପଟରେ ପେଟ ଫୁଲ। ଖାଇ ସାରିବା ପରେ ପୁଣି ଚାରିପଟ ବଳିଲାଣି। ଟୁବୁଲା ଦିନ ଗୋଟାଏ ବେଳେ ପହଞ୍ଚିବ ନିଜ କର୍ମସ୍ଥଳୀରେ। ଏତେ ଖାଦ୍ୟ ବଳିଲାଣି। ବୋଉ ଉପରେ ମନେ ମନେ ବିରକ୍ତ ହେଲା ଟୁବୁଲା, ହେଲେ ଫୋପାଡ଼ି ପାରିଲାନି ବଳକା ଖାଦ୍ୟକୁ। ସେଇ ପରଟାରେ ଦେଖାଯାଉଥିଲା ବୋଉର ମୁହଁ, ବିଚାରି କେତେ କଷ୍ଟରେ, କେତେ ଆଦରରେ ପୁଅ ପାଇଁ ତିଆରି କରିଛି। ପୁଣି ଦେଖାଯାଉଥିଲା ବୋଉର ଗୁହାଳ ଗୋବର କରି ଘୋରି ହୋଇ ଯାଇଥିବା ଅଧା ନଖ, ଆଉ ବାସନ କୁସନ ମାଜିମାଜି ଲାଲ ପଡ଼ି ଯାଇଥିବା ପାଣିଖିଆ ଆଙ୍ଗୁଠି। ଚାରିପଟ ପରଟାକୁ ଟିପିନିରେ ଭର୍ତିକରି ରଖିନେଲା ନିଜ ବ୍ୟାଗରେ।

ବାଟ ସରି ସରି ଆସିଲାଣି। ଆଉ ତିନି ଘଣ୍ଟାର ବାଟ। ପ୍ରାୟ ସମସ୍ତ ଯାତ୍ରୀ ଚାଲିଗଲେଣି। କାଁ ଭାଁ ଜଣେ ଦୁଇ ଜଣ ବସିଛନ୍ତି ଗୋଟେ ଗୋଟେ ବଗିରେ। ପୂର୍ବର ଗହଳି ଚହଳି ନାହିଁ। ନା ଅଛନ୍ତି ଚା ବିକାଳି ନା ଖାଦ୍ୟ ବିକାଳି। କୌଣସି କାରଣ ବଶତଃ ଗାଡି ଟି ରହି ରହି ଯାଉଛି। ଅସ୍ତ ବ୍ୟସ୍ତ ହୋଇଗଲାଣି ଟୁବୁଲା। ମନେ ମନେ ବହୁତ ବିରକ୍ତ ହେଉଥାଏ। ଧୀରେ ଧୀରେ ଖାଇବା ସମୟ ଗଡି ଚାଲିଥାଏ। ଧୀରେ ଧୀରେ ଯାଉଥିବା ଗାଡିଟି ସମ୍ପୂର୍ଣ୍ଣ ସ୍ଥିର ହୋଇଗଲା। ଟୁବୁଲା ଲକ୍ଷ୍ୟ କଲା ନା ଅଛି ପାଖରେ କୌଣସି ଷ୍ଟେସନ ନା ଜନ ବସତି। ନିଜର ସବୁ ଧୈର୍ଯ୍ୟ ଶେଷ ହୋଉ ଆସୁଥାଏ। ସମୟ ଗଡି ଚାଲିଥାଏ କିନ୍ତୁ ଗାଡି ଗଡ଼ିବାର ନାଁ ଧରୁ ନ ଥାଏ। ତାସାଙ୍ଗକୁ ପେଟ ଭୋକରେ ଜଳିଲାଣି। ଭାବିଥିଲା ପହଞ୍ଚୁ ପହଞ୍ଚୁ କଣ ଟିକେ ରାନ୍ଧି ଖାଇନେବ। କିନ୍ତୁ ଦିନ ତିନିଟା ହେଲାଣି, ଆହୁରି ୪୦ କିମି ରାସ୍ତା ବାକି। କଣ କରିବ?

ସକାଳେ କଣ ଟିକେ ଖାଇଥିଲା, ଏବେ ଜାଣିପାରୁ ଥିଲା ଭୋକର ବିକଳ କଣ। ମନେ ପକାଉ ଥିଲା ବୋଉକୁ, ଆଉ ବୋଉ ଦେଇଥିବା ପରଟା କୁ। ଭୋକ ବେଳେ ଆମ୍ବିଳା ଆମ୍ବ ସୁଆଦ। ବାଧ୍ୟ ହୋଇ ବଳକା ପରଟା ବାହାର କଲା, ଭଜା ତ ଆଉ ନାହିଁ। ମନେ ପଡ଼ିଲା ବୋଉ ଦେଇଥିବା ଆଚାର। ପରଟା ଆଉ ଆଚାର ଖାଇ ନେଲା ବଡ଼ ଖୁସିରେ। ଯାହା ହେଉ ପ୍ରାଣ ରହିଗଲା।

ଏବେ ନିଜର ଭୁଲ ବୁଝି ପାରୁଥିଲା ଟୁବୁଲା। ନିଜ ଭୁଲ ପାଇଁ ଅନୁତାପ କରୁଥିଲା। ଆଉ ଅନୁଭବ କରୁଥିଲା ମାର ଭଲ ପାଇବା, ମାର ମମତା। ନିଜ ଅଜାଣତରେ ଆଖିରୁ ଝରିଗଲା ଦୁଇ ଟୋପା ଲୁହ। କେଜାଣି ଆଜି ଟୁବୁଲାର ବହୁତ ମନେ ପଡ଼ୁଥିଲା ବୋଉ। ବୋଉର ପ୍ରତେକ କଥା ମନେପଡୁ ଥିଲା ନିର୍ଭୁଲ ଭାବରେ। ବୋଉର ଅଗାଧ ସ୍ନେହ, ପ୍ରେମକୁ ଅନୁଭବ କରୁଥିଲା ନିବିଡ଼ ଭାବରେ। ବୋଉ ଉପରେ କେବେ ବିରକ୍ତ ନ ହେବା ପାଇଁ ଶପଥ ନେଇ ସାରିଥିଲା ମନେ ମନେ।


Rate this content
Log in

Similar oriya story from Tragedy