ଳମ୍ବୁ ପହଲୱାନ ଟିଙ୍ଗୁ ପହଲୱାନ
ଳମ୍ବୁ ପହଲୱାନ ଟିଙ୍ଗୁ ପହଲୱାନ


ଟିଙ୍ଗୁ ପହଲୱାନ ଆଜି ପୁଣି ଅପେକ୍ଷା କରିଛି ତାହାର ସବୁ ଦିନର ପ୍ରତିଦ୍ଵନ୍ଦୀ ଳମ୍ବୁକୁ I ପ୍ରତିଦିନ ସନ୍ଧ୍ୟାରେ ଦୁହେଁ ବ୍ୟାୟାମଗାରରେ ଅନେକ ସମୟ ସବୁ ପ୍ରକାର କୁସ୍ତି କସରତ କରନ୍ତି ଏବଂ ପରସ୍ପରଠାରୁ ଅଧିକ ବଳବାନ ବୋଲି ପ୍ରମାଣ କରିବାକୁ ଚେଷ୍ଠା କରନ୍ତି I କିନ୍ତୁ ବ୍ୟାୟାମଗାର ବାହାରେ ଦୁହେଁ ଜିଗରୀ ଦୋସ୍ତ I ଦୁହେଁ ଭଲ ଖାଆନ୍ତି ଆଉ ସବୁ ବେଳେ ନିଜର ଦେହର ଯତ୍ନ ନିଅନ୍ତି I 'ସ୍ଵାସ୍ଥ୍ୟ ହିଁ ସମ୍ପଦ' ପ୍ରବାଦକୁ ଦୁହେଁ ବହୁତ ମାନନ୍ତି I ତେଣୁ ସବୁ ବେଳେ ପାଠ ପଢା ସାଥିରେ ଦୁହେଁ ବିଭିନ୍ନ ପ୍ରକାରର ଖେଳ ଆଉ ଅନ୍ୟ ପ୍ରକାର କାମ ଦାମରେ ବ୍ୟସ୍ତ ରହି ଥାଆନ୍ତି I ସାହି ପିଲାମାନେ ସେ ଦୁହିଁଙ୍କୁ ଳମ୍ବୁ ଟିଙ୍ଗୁ ନାଆଁରେ ଡାକନ୍ତି ଯଦିଓ ଟିଙ୍ଗୁର ଅସଲି ନା ହେଲା ତନ୍ମୟ ଆଉ ଲମ୍ବୁର ଅସଲି ନାଆଁ ହେଲା ସୌରଭ I ଦୁହେଁ ସପ୍ତମ ଶ୍ରେଣୀରେ ପଢ଼ନ୍ତି I
ବହୁତ ସମୟ ଯାଏଁ ଳମ୍ବୁ ନ ଆସିବାରୁ, ଟିଙ୍ଗୁ ଭାର ଓଜନ ଉଠେଇବାକୁ ଲାଗିଲା I ଗୁରୁଜୀ କହିଛନ୍ତି, 'ସବୁ ପ୍ରକାର ଭଲ ଅଭ୍ୟାସକୁ ପ୍ରତିଦିନ ପାଳନ କରିବାକୁ ପଡିବ ଏବଂ ସବୁ ପ୍ରକାର ବଦଭ୍ୟାସ ଠାରୁ ପ୍ରତିଦିନ ଦୂରରେ ରହିବାକୁ ପ୍ରୟାସ କରିବାକୁ ପଡ଼ିବ' I ତେଣୁ ଯେଉଁ ଦିନ ଜଣେ ଆସି ନ ଥାଏ ଆର ଜଣ ବ୍ୟାୟାମଗାରରେ ଥିବା ବିଭିନ୍ନ ଉପକରଣରେ କସରତ କରେ I ସନ୍ଧ୍ୟା ସମୟରେ ଦୁଇ ଘଣ୍ଟା ପାଇଁ ସେମାନେ ଏହି ପ୍ରକାର କାର୍ଯ୍ୟକଳାପରେ ମାତି ଥାଆନ୍ତି I ଘରେ ମୋବାଇଲ ବ୍ୟବହାର ଉପରେ ପୁରାପୁରି କଟକଣା ଅଛି ଏବଂ କେବଳ ରାତ୍ରି ଭଜନ ସରିଲା ପରେ ଅଧଘଣ୍ଟା ଲାଗି ଦୁହିଁଙ୍କୁ ଅନୁମତି ମିଳିଛି I ତେଣୁ ଏହିପରି ଖେଳ କସରତ ଦ୍ୱାରା ସେମାନଙ୍କର ମନୋରଞ୍ଜନ ମଧ୍ୟ ହୁଏ I ସବୁ ଉପକରଣରେ କସରତ ସାରିକି ଥକି ଗଲା ଟିଙ୍ଗୁ ପହଲୱାନ I ଆଜି ବ୍ୟାୟାମ ପରେ ପାଖ ଠେଲାରେ କୁକୁଡ଼ା ଚୋପ ଖାଇ ଯିବାର କାର୍ଯ୍ୟକ୍ରମ ଥିଲା I କିନ୍ତୁ ଲମ୍ବୁର ଏଯାଏଁ ଦେଖା ନାହିଁ ! କୁକୁଡ଼ା ଚୋପ ହେଲା ଲମ୍ବୁର ସବୁ ଠାରୁ ପ୍ରିୟ, ତେଣୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲା ଟିଙ୍ଗୁକୁ, କେମିତି ଳମ୍ବୁ ଆସିନାହିଁ ବୋଲି I
ଏତିକି ବେଳେ ଳମ୍ବୁ ଧଇଁ ସଇଁ ହେଇକି ହାଜର I କିନ୍ତୁ ତାହାର ମୁଁହରେ ଗୋଟିଏ ମୁଖା ବାନ୍ଧିଥିଲା I "ଆଜି କଲି ସବୁ ଆଡେ ମହାମାରୀ ବ୍ୟାପିଛି I ଆମେ ସବୁ ଭଲ ଖାଇବା ଆଉ ବ୍ୟାୟାମ କରିବା ଉପରେ ହିଁ ଗୁରୁତ୍ବ ଦେଉଛୁ, କିନ୍ତୁ ସଂକ୍ରମଣ ଠାରୁ କେମିତି ଦୁରେଇ ରହିବା ସେ ବିଷୟରେ କେହି ଅଧିକ ଧ୍ୟାନ ଦେଉନାହୁଁ I ଆମ ସ୍କୁଲ ସାର ଯାଉଥିଲେ ମୁଖା କିଣିବାକୁ I ମୋତେ ଦେଖିକି ସାଙ୍ଗରେ ନେଇଗଲେ ଆଉ ଏଇଟା କିଣିକି ଦେଲେ," ନିଜ ମୁଖା କୁ ଦେଖେଇ ଲମ୍ବୁ କହିଲା I
"ଓଃ ! ତାହା ହେଲେ ତ ମୋତେ ବି କିଣିବାକୁ ପଡ଼ିବ,"ଟିଙ୍ଗୁ କହିଲା I
"ସାର ତୋ' ପାଇଁ ବି ଦେଇଛନ୍ତି ଗୋଟିଏ," କହିକି ଳମ୍ବୁ ଗୋଟିଏ ମୁଖା ବାହାର କରିକି ଦେଲା ଟିଙ୍ଗୁକୁ," ଆଉ କହିଛନ୍ତି ବାହାରେ ବୁଲାବୁଲି କମ କରିବାକୁ ଆଉ ଗହଳି ଭିତରେ ନ ଯିବାକୁ I ସାର କହିଛନ୍ତି ହୋଟେଲ୍ ରୁ ନେଇକି ଘରେ ଖାଇ ହେବ କିନ୍ତୁ ହୋଟେଲରେ ବେଶୀ ସମୟ ରହିଲେ କି ବସିକି ଖାଇଲେ ବିପଦ ଅଛି I ଆମେ ତ ପଡ଼ୋଶୀ ଆଉ ଆମର ଗୋଟିଏ ଅଗଣା, ତେଣୁ ମିଶିକି ଖାଇ ପାରିବା କିନ୍ତୁ ପରସ୍ପର ଠାରୁ ଦୂରରେ ବସିକି I ଆଉ କୁସ୍ତି ମଧ୍ୟ ହବନି କିଛି ଦିନ ଯାଏଁ," ଲମ୍ବୁ କହିଲା I
"ସାର ଆମ୍ଭ ମାନଙ୍କୁ ବହୁତ ଭଲ ପାଆନ୍ତି, ତେଣୁ ମୁଁ ତାଙ୍କର ସବୁ କଥା ମାନେ I କିନ୍ତୁ ଗୋଟାଏ କଥା ମାନି ପାରେ ନାହିଁ," ଟିଙ୍ଗୁ କହିଲା I
"କେଉଁ କଥା କି ?" ଲମ୍ବୁ ପଚାରିଲା I "କଲରା ଖାଇବା କଥା I ମୋତେ କଲରା ଦେଖିଲେ ପେଟ ଘାଣ୍ଟି ହୁଏ," ଟିଙ୍ଗୁ କହିଲା I "ଇସ !ମୋ ମୁଡ଼ ବି ଖରାପ ହେଇଗଲା କଲରା ନାଆଁ ଶୁଣିକି I ଭୋକ ବି କୁଆଡେ ପଳେଇଲା, ଏବେ ଦୁଇ କିଲୋମିଟର ଦଉଡ଼ିକି ଆସିଥିଲି, ଭୋକ ଲାଗୁଥିଲା," ଲମ୍ବୁ କହିଲା I
"ଓଃ ଏହି ବାହାନାରେ ଆଉ କୁସ୍ତି ଲଢ଼ିବୁନି କି କସରତ କରିବୁନି କି ଓଜନ ଉଠେଇବୁନି କି କୁକୁଡ଼ା ଖାଇବାକୁ ଆସିବୁନି ନୁହଁ," ଟିଙ୍ଗୁ କହିଲା I
"କଣ କହିଲୁ, ମୁଁ ଓଜନ ଉଠେଇ ପାରିବିନି ? କେତେ ଉଠେଇଛୁ କି ଆଜି?" ଲମ୍ବୁ ପଚାରିଲା I
ଟିଙ୍ଗୁ ଆଉ କିଛି କହିବା ପୂର୍ବରୁ ଲମ୍ବୁ ଭାର ଉଠେଇବାରେ ଲାଗିଥିଲା I କୁକୁଡ଼ ଚୋପ ପାଇଁ ଲମ୍ବୁ କିଛି ବି କରି ପାରେ ! ଏ କଥା ଟିଙ୍ଗୁ ଭଲ ଭାବରେ ଜାଣିଥିଲା I ଲମ୍ବୁ ଓଜନ ଉଠାଇବାରେ ଲାଗିଥିଲା ଆଉ ଟିଙ୍ଗୁ ନୂଆ ମୁଖାକୁ ପିନ୍ଧିବାର ଶୈଳୀ ଶିଖୁଥିଳା I ଏବେଠୁଁ ମୁଖା ପିନ୍ଧିକି ବୁଲିବେ ଆଉ ବାହାରେ ନ ଖାଇ କୁକୁଡ଼ା ଚୋପ ଘରେ ନେଇକି ଖାଇବେ ବୋଲି ଟିଙ୍ଗୁ ନିର୍ଣ୍ଣୟ କରି ସାରିଥିଲା I