Sangeeta Barik

Inspirational

3  

Sangeeta Barik

Inspirational

ଲକ୍ ଡାଉନ୍

ଲକ୍ ଡାଉନ୍

4 mins
37



ସମ୍ପୂର୍ଣ୍ଣ ରୂପେ ନିଦ ଭାଙ୍ଗି ଯାଇଥିଲେ ମଧ୍ୟ ବିଛଣା ଛାଡି ଉଠୁ ନଥିଲା ଶୋଭନ୍ । ଆଳସ୍ୟପଣରୁ ନୁହେଁ ପତ୍ନୀ ସୀମାର ଡରରେ । କାଳେ କିଛି କାମ ବରାଦ କରିଦେବ ନହେଲେ ପୁଅକୁ ସମ୍ଭାଳିବାକୁ କହିବ । ପ୍ରଥମ କାମରେତ ତାର ଆଦୌ ଆଗ୍ରହ ନଥାଏ, ଦ୍ବିତୀୟ କାମଟି କେବେକେବେ ଆଗ୍ରହରେ କରେ । ସତରେ କେତେ ବିରକ୍ତକର ଏହି ଲକ୍ ଡାଉନ୍ ସମୟଟା । ଜନତା କର୍ଫ୍ୟୁ ଦିନଟା ଆରାମରେ ଚାଲିଗଲା । ତାପରେ ମଧ୍ୟ ଚାରିଦିନ ଖୁସିରେ ଚାଲିଗଲା ସୀମା ଆଦୌ ମୁହଁ ଖୋଲୁନଥିଲା । ପଞ୍ଚମ ଦିନ ଯେତେବେଳେ ଶୋଭନ୍ ବୋର୍ ହେଉଥିବା କଥା ପ୍ରକାଶ କଲା ସେତେବେଳେ ସୀମା ଅନେକ ଅଭିମାନ ଓ ପ୍ରସ୍ତାବ ଦେଇ କହିଲା "ଏବେ ଘରେ ବସିଛ । ଚାଲୁନା ଦୁହେଁ ମିଶି ଘର ଝଡାଝଡି କରି ସଫା କରିବା । ଦେଖୁଛ ଲକ୍ ଡାଉନ୍ ପାଇଁ କାମବାଲୀ ଆସୁନାହିଁ । ମୁଁ କେତେ ହଇରାଣ ହେଉଛି । ତମେ ପୁଅକୁ ସମ୍ଭାଳି ନେଲେ ମୁଁ କାମ ଆରାମରେ କରି ପାରନ୍ତି । ତମର କାଗଜପତ୍ର ସବୁ ଥାକରେ ଏପଟସେପଟ ହୋଇଛି ,ତାକୁତ ସଜେଇ ପାରନ୍ତ । ସକାଳୁ ସନ୍ଧ୍ୟାରେ ଯୋଗ,ଧ୍ୟାନ କରୁନ, ମନକୁ ଆନନ୍ଦ ମିଳନ୍ତା । ଏମିତି ସୁଯୋଗ ଆଉ ଆଗକୁ ମିଳିବ କି ନାହିଁ, ତେଣୁ ଯଦି ଘରେ ଅଛ ତାର ସଦୁପଯୋଗ କର । କିଛି କାମ ନାହିଁ ଦିନସାରା ସେହି ଟିଭି ଓ ମୋବାଇଲ ଧରି ବସିଛ ।" ସବୁ ଶୁଣି ନଶୁଣିଲା ଭଳି ହେଲା ଶୋଭନ୍ ।


   କେତେଯେ ମଣିଷ ଗୄହବନ୍ଦୀ ହୋଇ ରହିବ । ଆଜିତ ଆଠଦିନ ହେଲା ଆହୁରି ତେରଦିନ । ସତରେ ଅସହ୍ୟ ହୋଇ ପଡିଲାଣି । ଆଗରୁ କେତେ ଭଲ ଥିଲା ସେହି ବ୍ୟସ୍ତ ବହୁଳ କର୍ମମୟ ଜୀବନ । ସବୁଦିନ ସକାଳୁ ପତ୍ନୀଙ୍କ ଠାରୁ ହେଉଥିଲା ଦିନାରମ୍ଭ କେବେ ସ୍ପର୍ଶରେ ତ କେବେ କୋମଳ ଡାକରେ । ଆଖି ଖୋଲିଲା ବେଳକୁ ଗାଧୋଇ ସାରି ସଦ୍ୟ ଶୄଙ୍ଗାର ହୋଇଥିବା ପତ୍ନୀଙ୍କ ହାତରେ ଚା କପ୍ ଦେଖିଦେଲେ ସକାଳର ଶୋଭାଟା ଆହୁରି ଦ୍ଵିଗୁଣିତ ହୋଇଯାଏ । ସେହି ଶୋଭାକୁ ଶତପ୍ରତିଶତ ଅନୁଭବ କରିବାକୁ ଯାଇ ସେ ମଧ୍ୟ ପତ୍ନୀଙ୍କୁ ତାଙ୍କ ଆଡକୁ ଟାଣି ନେଇ ସବୁଦିନ କିଛି ନା କିଛି ମନ୍ତବ୍ୟ ରଖିଥାଏ ।ଯେପରିକି

୧/ସକାଳୁ ସକାଳୁ ତମ ମୁହଁଟା ଦେଖିଦେଲେ ପୁରା ଦିନଟା ମଣିଷ ଫ୍ରେସ୍ ରହେ । ସାରାଦିନ କାମ କରିବାକୁ ଶକ୍ତି ମିଳେ ।

୨/ବୁଝିଲ ଜାନୁ ! ମୋତେ ଯଦି କିଛି ଦିନ ଛୁଟି ମିଳନ୍ତା ମୁଁ ତୁମକୁ ଘର କାମରେ ନିଶ୍ଚୟ ସାହାଯ୍ୟ କରନ୍ତି । ତମେ ପିଲାର ଦାଇତ୍ଵ ସହ ଘର କାମ କରି ବହୁତ ଥକି ପଡୁଛ ନା?

୩/ତମ ହାତ ତିଆରି ଚା ର ସ୍ଵାଦ ସତରେ ନିଆରା ।

୪/ଇଉ ଆର୍ ମାଇ ଏନର୍ଜି । 

୫/ତୁମେ ମା ପୁଅ ଦୁଇଜଣତ ମୋ ଜୀବନ

.

.

.

.ଏମିତି ଅନେକ କିଛି ।


ପ୍ରତିଉତ୍ତରରେ ସୀମା କେବଳ ମୁରୁକି ହସ ଦେଇ ସ୍ଥାନ ପରିତ୍ୟାଗ କରେ। ଅଫିସ ବାହାରି ଯିବା ପର୍ଯ୍ୟନ୍ତ ସକଳ ସଜ ହାତପାଆନ୍ତାରେ ସଜେଇ ଦିଅନ୍ତି ହସହସ ମୁହଁରେ ପତ୍ନୀ ।


ଅଫିସର ମାହୋଲ ମଧ୍ୟ ଅଲଗା । କର୍ମଚାପ ଭିତରେ ସହକର୍ମୀଙ୍କ ସହ ମିଶି ଚା ପିଇବାରେ ଏକ ଆନନ୍ଦ ଥାଏ ।ବିଶେଷ କରି ରୀତା ମାଡାମ୍ ଙ୍କ ସହ। ବେଳେବେଳେ ତାଙ୍କ ସହ କଫି ପିଇବାକୁ ସେ କ୍ୟାଣ୍ଟିନ୍ ମଧ୍ୟ ଯାଆନ୍ତି । ଅବଶ୍ୟ ପ୍ରସ୍ତାବ ଟା ବାବୁଙ୍କ ଆଡୁ ଥାଏ । ରୀତା ମାଡାମ୍ କେବଳ ନୀରବରେ ସମ୍ମତି ଜଣେଇଥାନ୍ତି । ସେମିତି କିଛି ମୁକ୍ତ ବା ଗୁପ୍ତ ଅନ୍ତରଙ୍ଗତା ଦୁହିଁଙ୍କ ଭିତରେ ନଥାଏ । ତଥାପି କାହିଁକି କେଜାଣି ରୀତା ମାଡାମ୍ ଯେତେବେଳେ ଗୋଲାପୀ ଓଠର କୋମଳ ସ୍ପର୍ଶ କପ୍ କୁ ଦିଅନ୍ତି, ଦୄଶ୍ୟଟି ଖୁବ୍ ଛୁଏଁ ଶୋଭନ୍ ଙ୍କୁ । ବେଳେବେଳେ ସେ ସ୍ଵପ୍ନ ରାଇଜରେ ଘେରାଟିଏ ବୁଲି ଆସି ସରବତରେ ପରିଣତ ହୋଇ ଯାଇଥିବା ଚା ଟିକୁ ଢକଢକ କରି ପିଇ ଦିଅନ୍ତି ।


ଏହି ଦୄଶ୍ୟଟି କୁ ଦେଖି ରୀତା ମାଡାମ୍ କେବେକେବେ ମୁରୁକି ହସି ଦିଅନ୍ତି ତ କେବେକେବେ ଆଖି ଫେରେଇ ନିଅନ୍ତି । ନା ଆଉ ଏ ବିଛଣାରେ ପଡି ହେବନି । ଆଖି ଖୋଲିଲା ଶୋଭନ୍ । ପୁଅ ତକିଆ ଉପରେ ହାତ ଗୋଡ ରଖି ନିଦରେ ଶୋଇଛି ।ଝରକା ଦେଇ ବାହାରକୁ ଦୄଷ୍ଟି ନିକ୍ଷେପ କଲା ଶୋଭନ୍ । ଚାରିଆଡେ ସୂର୍ଯ୍ୟଙ୍କ କିରଣ ବିଚ୍ଛୁରିତ ହୋଇ ପଡିଛି । ଘରଟି ମଧ୍ୟ ସମ୍ପୂର୍ଣ୍ଣ ଶବ୍ଦହୀନ । ଏତେବେଳକୁତ ଠାକୁର ଘରୁ ଧୂପର ବାତ୍ସ୍ନା ଆସି ସମଗ୍ର ଘରଟାରେ ରାଜୁତି କରୁଥାଏ । କିନ୍ତୁ ଆଜି ଏପରି ବିପରୀତ ବାତାବରଣ କେମିତି ? କକ୍ଷରୁ ବାହାରି ଆସିଲା ଶୋଭନ୍ । ଠାକୁର ଘରେ ବା ରୋଷେଇ ଘରେ କେଉଁଠି ନାହିଁ ସୀମା । ଶେଷରେ ପାଇଲା ଡ୍ରଇଁ ରୁମର ସୋଫା ଉପରେ । ଏକ ମୋଟା ଚାଦରରେ ନିଜକୁ ଘୋଡେ଼ଇ ସମ୍ପୂର୍ଣ୍ଣ ଶୋଇଯାଇଛି । ଦେଖିଲେ ଲାଗୁଛି ରାତ୍ରି ଅନିଦ୍ରା ହୋଇ ଖୁବ୍ କଷ୍ଟରେ ଏଇ ମାତ୍ର ଶୋଇଯାଇଛି । ମୁହଁଟି ଖୁବ୍ ଶୁଖିଲା ଦିଶୁଛି । ।ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ଅସୁସ୍ଥତା । ଖୁବ୍ ବ୍ୟସ୍ତ ଲାଗିଲା ଶୋଭନ୍ କୁ । ଧିରେ ଆସି ସୀମାର କପାଳରେ ହାତ ରଖିଲା । ପ୍ରବଳ ଉତ୍ତାପ ଅନୁଭବ କଲା । ଏତିକିରେ ଆଖି ଖୋଲିଗଲା ସୀମାର । ମୁହଁରୁ ତାର ବାହାରି ଆସିଲା "ଚା କରି ପାରିନି" 

........କିଛି ଅସୁବିଧା ନାହିଁ । ତମ ଦେହ ଭଲନାହିଁ । ତମେ ଶୋଇପଡ । ତମେ ଯେତେବେଳେ ଅସୁସ୍ଥତା ଅନୁଭବ କଲ ମୋତେ ଡାକିଲନି କାହିଁକି ? ମୁଁ ଯାଉଛି ନିଜେ ଚା କରି ପିଇନେବି ।


ସୀମା ପୁଣି ଥରେ ଶୋଇପଡିଲା । ଶୋଭନକୁ ଖୁବ୍ ବ୍ୟସ୍ତ ଲାଗିଲା ସୀମା ପାଇଁ । ସେ ଛିଡା ହୋଇ କିଛି ସମୟ ଚାହିଁଲା ତାର ସେହି ନୀରିହ ମୁହଁକୁ । ତାପରେ ଗାଧୁଆ ଘର ଆଡକୁ ଅଗ୍ରସର ହେଲା । ଗାଧୋଇ ସାରି ଠାକୁର ଘରକୁ ଗଲା । ଖୁବ୍ ସୁନ୍ଦର ଭାବେ ସଜଡା ହୋଇଛି ପ୍ରତ୍ୟେକ ଜିନିଷ । ପୂଜା ସାରି ଜୁହାର ହେଲା ବେଳକୁ ଆଖି ଦିଓଟି ଛଳଛଳ ହୋଇଗଲା ତାର । ସେ ମୁଣ୍ଡ ନୁଆଁଇ ପ୍ରଭୁଙ୍କ ନିକଟରେ ସୀମାର ସୁସ୍ଥତା ମାଗିଲା ।

ରୋଷେଇ ଘରକୁ ପଶି କ୍ଷୀର ଗରମ କଲା । ତାଓ୍ଵାରେ ପାଉଁରୁଟି ଭାଜିଲା । ସୀମାକୁ ନିଦରୁ ଉଠାଇ ବ୍ରସ୍ କରିବାକୁ ବାଧ୍ୟ କଲା । ତା ମୁହଁକୁ ତଉଲିଆରେ ପୋଛିଦେଇ ସୋଫାରେ ବସେଇ ନିଜ ହାତରେ କ୍ଷୀର ପାଉଁରୁଟି ଖୁଏଇଦେଲା ତା ଜାନୁକୁ । ଦୄଶ୍ୟଟି ଅତ୍ୟନ୍ତ ଭାବବିହ୍ଵଳ ଥିଲା । ଦୁଇ ଜଣକର ଆଖି ଛଳଛଳ ହୋଇ ଯାଇଥିଲା । ଜଣେ ପୁରୁଷ ହୋଇ ମଧ୍ୟ ତା ଆଖିରେ ଥିଲା ମମତ୍ଵର ନିର୍ଝରିଣୀ । ଆଉ ଆର ଜଣକ ଆଖିରେ ଥିଲା ପ୍ରେମାନନ୍ଦାଶ୍ରୁ ଯାହା ନୀରବରେ କହୁଥିଲା ସତରେ ମୁଁ ସୌଭାଗ୍ୟବତୀ ।

    


Rate this content
Log in

Similar oriya story from Inspirational