puspanjali das

Abstract Others

3  

puspanjali das

Abstract Others

ଲକ୍ ଡାଉନ୍(୧)

ଲକ୍ ଡାଉନ୍(୧)

4 mins
159



      ଡ୍ରଇଂ ରୁମ୍ ରେ ମୋହନ ବାବୁ ଟିଭିର ନିଉଜ ଚ୍ୟାନେଲ ଲଗାଇ ଦେଖୁ ଦେଖୁ ବିମର୍ଷ ହୋଇ ପଡ଼ିଥିଲେ।ହେଡଲାଇନ୍ ରେ ସେଇ କରୋନା ଭାଇରସର ଚର୍ଚ୍ଚା ଶୁଣି ଶୁଣି ଯେମିତି ଅତିଷ୍ଠ ହୋଇ ଯାଇଥିଲେ!ଆଉ ସେତିକି ବେଳେ ଆଶା ର ହାତରେ ପତ୍ନୀଙ୍କ ର ଶ୍ରବଣ ଯନ୍ତ୍ର ଟିକୁ ଦେଖିପକାଇ ତର୍ ତର୍ ହୋଇ ଟିଭି ଟି ବନ୍ଦ କରିଦେଇ ଉଠି ଆସିଥିଲେ।ଏକ ପ୍ରକାର ଭିଡି ନେଇଥିଲେ ତା'କୁ ପାଖ ରୁମ୍ କୁ,ହଠାତ୍ କିଛି ବୁଝି ନ ପାରି ଆଶା ଭୟ ଭୀତ ହୋଇ ଚମକି ପଡିଥିଲା ଓ କିଛି କହିବା ପୂର୍ବରୁ ମୋହନ ବାବୁ ଘର ର ଦରଜା ଟି ବନ୍ଦ କରିଦେଇ ତା'କୁ ଚେୟାର ଟିରେ ବସିବାକୁ କହିଦେଇ ଲଥ୍ କରି ଖଟ ଉପରେ ବସିପଡିଥିଲେ।ଅନ୍ୟ ରୁମ୍ ଟିରେ ପତ୍ନୀ ତାଙ୍କର ବହୁଦିନ ପରେ ନିଘୋଡ଼ ନିଦରେ ଶୋଇ ଯାଇଥିବାର ଆଶ୍ୱସ୍ତି ଯଦିଓ ତାଙ୍କର ଥିଲା,ହେଲେ କେମିତି କେଜାଣି କୋଉ ଅଜଣା ଆଶଙ୍କା ରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ!

 

    ଆଶ୍ଚର୍ଯ୍ୟ ଓ ଆଶଙ୍କାରେ ଲେପି ହୋଇଯାଇଥିବା ଆଶାର ମୁହଁଟି ଯେମିତି ଅନେକ ପ୍ରଶ୍ନ ତାଙ୍କୁ ପଚାରି ଚାଲିଥିଲା!କିଛି ସମୟ ମୁଣ୍ଡ ତଳକୁ କରି ମୁହଁରେ ହାତ ରଖି ନିଜକୁ ଶାନ୍ତ କରି,ମୋହନ ବାବୁ ପ୍ରଥମେ ପାଣି ଗିଲାସକ ଢକ ଢ଼କ କରି ପିଇ ଦେଇଥିଲେ,ତା'ପରେ ଆଶା କିଛି ପ୍ରଶ୍ନ ପଚାରିବା ପୂର୍ବରୁ ଧୀରେ ଧୀରେ କହିବା ଆରମ୍ଭ କରିଥିଲେ–ଭୁଲ ରେ ବି ତୋ ମାଉସୀକୁ ତା'ଶ୍ରଵଣ ଯନ୍ତ୍ର ଟି ଦେବୁନି!ମୁଁ ଏଇ କିଛିଦିନ ହେବ ଲୁଚାଇ ଦେଇଥିଲି।ତୁ ସେଇଟା ଆଗ ମତେ ଦେ।ମୁଁ ସେଇଟା କୁ ରଖିଦିଏ,ତା'ପରେ ସବୁ କହିବି।ଆଶା ର ଯଦିଓ କୌତୁହଳ ଟା ବଢିଯାଇଥିଲା ସବୁ ଶୁଣିବା ପାଇଁ,ଶ୍ରବଣ ଯନ୍ତ୍ର ଟି ଦେବାରେ କୁଣ୍ଠା ବୋଧ ଥିଲା, ତଥାପି ବାପ ସମାନ ମାଉସାଙ୍କର କଥା ରକ୍ଷା କରି,ସେଇଟିକୁ ତାଙ୍କ ହାତରେ ଦେଇ ଦେଇଥିଲା।ମୋହନ ବାବୁ ସେଇଟିକୁ ନେଇ ଉଠିଯାଇ ପ୍ରଥମେ ନିଜ ରୁମ୍ ର ଅଲମିରା ରେ ରଖି ,ଲକ୍ କରି ଦେଇ ଆସି ଚୁପ୍ ହୋଇ ବସିପଡିଥିଲେ ।କିଛି ସମୟ ପରେ କଥା ଆରମ୍ଭ କଲେ ଖୁବ୍ ଧୀରେ ଧୀରେ–ତତେ ପ୍ରଥମେ ଆସିବା ଦିନ ଠାରୁ ମନା କରିଥିଲି ତୋ ମାଉସୀକୁ ଏବେକାର ପରିସ୍ଥିତି ବିଷୟରେ କିଛି କହିବାକୁ,ତୋର ବୋଧ ହୁଏ ମନେ ଥିବ!ଗତ ଦୁଇଦିନ ହେବ,ତୁ ଆସିବା ଦିନ ଠାରୁ ମୁଁ ତତେ ସବୁ କହିବାକୁ ଚେଷ୍ଟା କରିଥିଲି,ହେଲେ ତୋ ମାଉସୀଦିନରେ ଟିକେ ବି ଶୋଉନଥିଲା ବୋଲି କହିପାରୁନଥିଲି।ତୁ ଏବେ 'ଲକ୍ ଡାଉନ'ଯୋଗୁଁ ତୁମ ଗାଁ କୁ ଯାଇ ପାରିବୁନି ତେଣୁ ତୁ ସବୁ ଜାଣିବା ଦରକାର ବୋଲି ମୁଁ ଭାବୁଛି।ଭାବିଥିଲି,ଦିନେ ଦୁଇ ଦିନ ରେ ତୁ ଚାଲିଯିବୁ ,ଏତେ କଥା କାହିଁକି ତତେ କହି ତୋର ମନ କଷ୍ଟ କରାଇବି,ତା'ଛଡା ତୋ ବୋଉ ବି ଶୁଣିଲେ,ସେଠି ସିଏ ଅଯଥା ବ୍ୟସ୍ତ ହେବ।ସେମାନେ ଦୁଇ ଭଉଣୀ ବହୁତ ଘନିଷ୍ଠ ,ତେଣୁ କହିନ ଥିଲି।ମୋହନ ବାବୁ ଙ୍କ କଥା କାଟି ଆଶା ର ପାଟିରୁ ବାହାରି ଆସିଥିଲା–ହେଲେ ମଉଷା, ମାଉସୀତ ବହୁତ ଖୋଜୁଛନ୍ତି ତାଙ୍କ ଶ୍ରଵଣ ଯନ୍ତ୍ର ଟିକୁ!ମତେ ତ ବସାଇ ଉଠାଇ ଦେଲେ ନାହିଁ!ସିଏ ଟିକିଏ ସମ୍ବାଦ ଶୁଣିବେ ବୋଲି ବାରମ୍ବାର କହୁଛନ୍ତି।ବିଛଣାରେ ପଡି ପଡି ବ୍ୟସ୍ତ ହୋଇ ପଡୁଛନ୍ତି।ଆପଣ ତାଙ୍କୁ କିଛି ଲୁଚାଉଛନ୍ତି ବୋଲି ସନ୍ଦେହ କରୁ ଛନ୍ତି ବୋଧହୁଏ!ଆପଣ ହାତ ଠାରି କି ଯେତିକି ବୁଝାଉଛନ୍ତି,ସେତିକିରେ ଶାନ୍ତି ହେଉନାହାନ୍ତି ।ତା ଙ୍କର ଗୋଟିଏ ପଟ ପକ୍ଷା ଘାତ ରୋଗଟା ସାଙ୍ଗକୁ ,ଘରେ ଆପଣଙ୍କ ଛଡା ଅନ୍ୟ କେହି ନ ଥିବାଟା ତାଙ୍କୁ ବହୁତ କଷ୍ଟ ଦେଉଛି।


         ଦୀର୍ଘ ନିଶ୍ଵାସଟିଏ ମାରି ମୋହନ ବାବୁ ଏଥର କହିଚାଲିଲେ--ତା'ରି କଷ୍ଟ ନ ବଢ଼େଇବା ପାଇଁ ତ ମୁଁ ତା'ର ସେଇ ଯନ୍ତ୍ରଟି ଲୁଚେଇ ରଖିଛି!ବଞ୍ଚି ବାର ଇଚ୍ଛା ଟିକକ ତା'ର ଛଡାଇ ନେବାକୁ ଚାହୁଁନି!ଏଇ କେତେଦିନର ଘଟଣାକୁ ସେ ସହିପାରିବନି ରେ।ଡାଇବେଟିସର ପ୍ରକୋପ ରୁ ରେଟିନୋପାଥିରେ ଆଖିର ଶକ୍ତି ତ ପ୍ରାୟ ହରାଇ ସାରିଛି,ସେଥିପାଇଁ ଶୁଣିବାର ସ୍ପୃହାଟା ଯାହା ଥିଲା, ହେଲେ ସେତକ ମଧ୍ୟ ମତେ ବାଧ୍ୟ ହୋଇ ତା'ପାଖରୁ ଛଡାଇ,ତାକୁ ବୁଝାଇ ସୁଝାଇ ଆଶା ଟିକିଏ ଦେଖାଇ ରଖିବାକୁ ପଡୁଛି!ପୁଅ ତାଙ୍କ ର ଖୁବ୍ ଶୀଘ୍ର ଦେଖିବାକୁ ଆସିବାର ଖବରଟା ତ ,ତୋ ମାଉସୀକୁ ସବୁ କଷ୍ଟ ସାଙ୍ଗରେ ଲଢେଇ କରିବାକୁ ଶକ୍ତି ଯୋଗାଉଛି!ଏ 'ଲକ୍ ଡାଉନ୍ 'କଥା ଶୁଣିଲେ ସେ ଆଶା ଟି ବି ତା'ର ଭାଙ୍ଗିଯିବ!


   ମୋହନ ବାବୁଙ୍କର କଥା ଲମ୍ବି ଯାଇଥିଲା–ପୁଅ ଟିଏ ଜନ୍ମ କରିଥିଲୁ ସିନା,ବିଦେଶରେ ତା'ର ରହିବାଟା ଜମା ଚିନ୍ତା କରି ନ ଥିଲୁ!ହେଲେ ମଣିଷ ଯାହା ଚାହେଁ ,ସବୁବେଳେ ତ ମିଳେନି!ଆଉ ଯେତିକି ମିଳୁଥିଲା ସେତକ ଖୁସି ଖୁସିରେ ଗ୍ରହଣ କରିଚାଲିଥିଲୁ।ତୋ ମାଉସୀସବୁ ଖୁସି ରେ ଗ୍ରହଣ କରିନେଇ ମତେ ମଧ୍ୟ ଖୁସି ହେବାର ମନ୍ତ୍ର ଶିଖାଉଥିଲା!ହେଲେ,ଏଇ କେତେ ମାସ ହେବ ତା'ର ଏମିତି ଅବସ୍ଥା ମତେ ଭାଙ୍ଗି ଦେଲାଣି!ବହୁ କଷ୍ଟରେ ନିଜକୁ ସମ୍ଭାଳି,ତାକୁ ସମ୍ଭାଳୁଛି!କାମ କରିବାକୁ ଗୋଟିଏ ସଂସ୍ଥାରୁ ଝିଅଟିଏ ଆସି ରହିଥିଲା, ହେଲେ ସେ ସଂସ୍ଥାରେ ପିଲାଙ୍କ ଅଭାବ ଟିକେ ପଡିବାରୁ,ଅଳ୍ପ କିଛି ଦିନ ପରେ ପିଲାଟିଏ ପଠାଇବାର ପ୍ରତିଶୃତି ଦେଇ,ସେ ଝିଅ ଟିକୁ ତାଙ୍କ ଗାଁ କୁ ପଠାଇଦେଇଥଲେ। ସେତିକି ବେଳକୁ ଏଇ 'ଲକ୍ ଡାଉନ୍'!ତୁ ଯଦି ନ ଆସିଥାନ୍ତୁ ତା'ହେଲେ ମୁଁ କେମିତି କ'ଣ କରିଥାନ୍ତି ଚିନ୍ତା କରିପାରୁନି!!ଯଦିଓ ତୋର ଏଇ ଲକ୍ ଡାଉନ୍ ରେ ଗାଁ କୁ ନ ଯାଇପାରିବା ଖବରଟା ରେ ତୋ ବୋଉ ବହୁତ ବ୍ୟସ୍ତ ହୋଇଥାନ୍ତା,ହେଲେ ତୁ ଏଇଠି ଅଛୁ ଜାଣି,ସିଏ ଟିକେ ଆଶ୍ୱସ୍ତ ହୋଇଥିବ।ତୁ ଏବେ କହ ,ମୁଁ ଆଉ କଣ କରିପାରିବି ତୋ ମାଉସୀକୁ ବଞ୍ଚାଇବା ପାଇଁ!ଅବଶ୍ୟ ଡାକ୍ତରଙ୍କ ସାଙ୍ଗରେ ମୁଁ ମଧ୍ୟ ଆଶା ଛାଡି ନି ତୋ ମାଉସୀର ଭଲ ହେବାଟାକୁ!ହେଲେ,ଏଭଳି ପରିସ୍ଥିତିରେ ତା'ମନ ଟା କୁ ଖୁସି ରଖି ,ତାକୁ ତା'ବଞ୍ଚି ବାର ଇଛା ଟାକୁ ବଞ୍ଚେଇ ରଖିବାକୁ ଭାରି କଷ୍ଟ ଲାଗୁଛି!ଏ 'ଲକ୍ ଡାଉନ୍' ଟା କେମିତି ଅଣ ନିଶ୍ଵାସୀ କରିଦେଲାଣି!ତୋ ମାଉସୀସାଙ୍ଗରେ ମୋ ମନଟାରେ ବି ପକ୍ଷାଘାତ ହେଇଯିବାକୁ ବସିଲାଣି!ତାକୁ କେତେ ଲୁଚି ଲୁଚି ସମ୍ବାଦ ଶୁଣିବି,ନିଉଜ ପେପର ପଢିବି,ସବୁ ଫଟେଇ କି ପଚାରୁଛି।କେତେ ମନ ଗଢ଼ା କଥା କୋଉଠୁ ଆଣିବି!ପୁଅ ଅବଶ୍ୟ ଭିଡିଓ କଲ୍ ମଝିରେ ମଝିରେ କରିକି କଥା ହେଇଯାଉଥିଲା,ସେଥିରେ ବି ଅସୁବିଧା ରହିଗଲା,ନାତି ଟୋକା ଟା ଆମର ବଗୁଲିଆ ଟା,ଜମା ପାଞ୍ଚ ବରଷ ର ତ, ଯଦି ତା'ପାଟି ରୁ କେତେ ବେଳେ କିଛି ବହାରିପଡିବ ଭାବି,ଅଳ୍ପ ସମୟ ପାଇଁ କଥା ବାର୍ତା କରୁ।ଭଗବାନ ମତେ କେମିତି ପରୀକ୍ଷା କରୁଛନ୍ତି ଦେଖୁଚୁ ତ!ତୋ ମାଉସୀକୁ ସିନା କେବେ ମୁହଁରେ କିଛି କହେନି, ହେଲେ,ତା'ବିନା କଣ ମୁଁ ବଞ୍ଚି ପାରିବି?


       ଏତକ କହିଦେଇ ଯେମିତି ବଡ଼ ବୋଝଟାଏ ମୁଣ୍ଡରୁ ଓହ୍ଲାଇ ଦେଲା ଭଳି ଥକ୍କା ହୋଇ ବସି ପଡ଼ିଥିଲେ ମୋହନ ବାବୁ,ଆଉ ଆଶା ଭାବି ଚାଲିଥିଲା–ସତରେ, 'କରୋନା ଭାଇରସ'ଟା ' କେତେ ମଣିଷଙ୍କୁ ନ ହୋଇ ମଧ୍ୟ  ଏଇ 'ଲକ୍ ଡାଉନ୍' ଟା ଜୀବନ୍ତ ଲାସ କରିଦେଉଛି!ସଂସାର ରେ ଏମିତି କେତେ ଯେ ତା'ମଉଷା,ମାଉସୀଙ୍କର ଜୀବନ କାଟୁଥିବେ,ସେଇ ଭଗବାନ ହିଁ ଜାଣନ୍ତି!!


('ଲକ୍ ଡାଉନ୍'ର ପ୍ରଭାବ ଆଜି ର ଏ ସମାଜ ରେ ବିଭିନ୍ନ ବର୍ଗ ର ଲୋକଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଉଛି,ତା'ର ଛୋଟିଆ ଉଦାହରଣ ଦେବାର ପ୍ରୟାସରେ ମୋର ଏ କ୍ଷୁଦ୍ର ଗଳ୍ପଟି)



Rate this content
Log in

Similar oriya story from Abstract