Seetaram Dash

Tragedy

4  

Seetaram Dash

Tragedy

ଲେଲି, ଏକ ଅମୂଲ୍ୟ ରତ୍ନ

ଲେଲି, ଏକ ଅମୂଲ୍ୟ ରତ୍ନ

5 mins
7.3K


ଶ୍ରୀହୀନ ଦିଶୁଛି ଆମ ଗାଁ। କାହାରି ମୁହଁରେ ହସ ନାହିଁ। ଚାରିଆଡେ ନୀରବତା, ଏପରିକି ଗଛ ପତ୍ର ବି ଦୁଃଖରେ ଝାଉଁଳି ପଡିଛି।ସୁବାସ ରଞ୍ଜନ ରାୟ ପରିବାରରେ କେତେ ଦିନ ହେବ ଚୁଲି ଜଳିନି। ବାହାରକୁ ଘର ଲୋକଙ୍କ କାନ୍ଦ ଶୁଭୁଛି। ପରିବାରଟିର ସମସ୍ତ ସୁଖ, ଶାନ୍ତି ଛଡାଇ ନେଇଛନ୍ତି ପରମ ଦୟାଳୁ ପରମେଶ୍ବର। ଦୁଃଖର କାରଣ "ଲେଲି, ଏକ ଅମୁଲ୍ୟ ରତ୍ନ"।

    ଲେଲି ସୁବାଷ ଭାଇଙ୍କ ସାନ ଝିଅ। ବୟସ ଚାରି ବର୍ଷ ହେବ। କୋଡିଏ ଜଣ ସଂଯୁକ୍ତ ପରିବାରରେ ସବୁଠୁ ସାନ। ଘରର ଅତି ଗେଲ୍ହା। ଲେଲିର ଜନ୍ମ ପରିବାରର ଖୁସିକୁ ଦୁଇ ଗୁଣ ବଢ଼ାଇ ଦେଇଥିଲା। ଜନ୍ମରୁ ଲେଲି ଥିଲା ବହୁତ ସୁନ୍ଦର।ଜନ୍ମର ଦୁଇ ତିନି ମାସ ପରେ ଯାହାକୁ ବି ଦେଖେ ଖୁସିରେ ହସି ଦିଏ।ଏତେ ଛୋଟ ପିଲାର ଏପରି ବ୍ୟବହାର ଦେଖି ସମସ୍ତେ କୁହନ୍ତି, "ଏ ପିଲା ବଡ ହେଲେ ବହୁତ ନାଁ କରିବ"। ତାର ମୃଦୁ ହସ ପୁରା ଗାଁର ମନ କିଣି ନେଇଥିଲା। ଆଜିର ପୁତ୍ର ମୋହ ଦୁନିଆରେ ସୁବାଷ ଭାଇ ବି ଝିଅଟିଏ ପାଇଁ ଅନେକ ଦିଅଁ ଦେବତା ପୂଜା କରିଛନ୍ତି। ସବୁ ବାପା ମାନଙ୍କ ପରି ସେ ବି ଝିଅକୁ ବେଶି ଭଲପାଆନ୍ତି। ସ୍ୱଳ୍ପ ରୋଜଗାରରେ ବି କେବେ ଝିଅକୁ ଅବହେଳା କରୁନଥିଲେ। କଣ୍ଡେଇ ଏବଂ ଡ୍ରେସରେ ପୁରା ଘର ଭର୍ତ୍ତି ହୋଇଥିଲା। ଜେଜେ ପୁରା ଗାଁ ବୁଲାଉ ଥିଲେ ଲେଲିକୁ କାନ୍ଧରେ ବସାଇ। କିଏ କେତେ ନାଁ ରେ ଡାକୁଥିଲେ ଲେଲି କୁ "ଖୁସି, ଚିକି, କଣ୍ଡେଇ , ସାଇନା, ପାକୁ ଓ ରାନୀ," । ସୁବାଷ ଭାଇ କେଉଁଠି ଭଲ ଡ୍ରେସ ଦେଖିଲେ ଧାର କରଜ କରି ବି ନେଇ ଆସୁଥିଲେ ନିଜର ଗେଲ୍ହା ଝିଅ ପାଇଁ। ଝିଅ ପାଇଁ କେବେ ଟଙ୍କା ପଇସାକୁ ଦେଖି ନାହାନ୍ତି ଜୀବନରେ। ଝିଅଟି ତାଙ୍କ ପାଇଁ ଥିଲା ଏକ ଅମୁଲ୍ୟ ରତ୍ନ।

     

       ଲେଲିର ରୂପ ଯେମିତି, ବୁଦ୍ଧି ବି ଥିଲା ସେମିତି ପ୍ରଖର। ଚାରି ବର୍ଷର ପିଲା ଚାଳିଶି ବର୍ଷ ଲୋକଙ୍କ ପରି କଥାବାର୍ତ୍ତା କରେ, ସେଥିପାଇଁ ସେ ଥିଲା ଗାଁର ସମସ୍ତଙ୍କ ପ୍ରିୟ। ଲେଲିକୁ ସମସ୍ତେ ନିଜ ଘରକୁ ଡାକୁଥିଲେ ଅତି ଶ୍ରଦ୍ଧାରେ। ଆମ ଗାଁର ହସ କୁଲେଇ ଥିଲା ଲେଲି। ଅପରାହ୍ନରେ ଗାଁ ମଝିରେ ଥିବା ଗ୍ରାମ ଦେବତୀ ଜାଗୁଳେଇଙ୍କ ମଣ୍ଡପରେ ଗାଁର ଝିଅ ବୋହୁ ମାନେ ପ୍ରାୟ ବସି ହସ ଖୁସି କରନ୍ତି, କିନ୍ତୁ ଲେଲି ଥାଏ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଗାଁରେ କେହିବି ନୂଆ ଡ୍ରେସ ପିନ୍ଦିଲେ ଲେଲି ବୋଉ ପାଖରେ କାନ୍ଦି ଗଡି ଯାଉଥିଲା "ମୁଁ ବି ନୂଆ ପିନ୍ଧିବି" କହି। ବୋଉ ବି ଅତି ସରଧାରେ ପିନ୍ଧାଇ ଦେଉଥିଲେ ନୂଆ ଡ୍ରେସ ହଳେ। ଲେଲି ଶଶିକଳା ପରି ବଢ଼ୁଥିଲା ଆମ ଗାଁରେ। ମୋ ସାନ ଭଉଣୀ ସୀମାକୁ ସବୁବେଳେ କହୁଥିଲା, "ଦିଦି ତୁମ ବାହାଘର କେବେ ହେବ, ମୁଁ ବହୁତ ନାଚିବି, ନୂଆ ଡ୍ରେସ ପିନ୍ଧିବି ଆଉ ଆଇସକ୍ରିମ ବହୁତ ଖାଇବି"। ନିଜର ମିଠା ମିଠା କଥା ପାଇଁ ସମସ୍ତଙ୍କ ମନ କିଣି ନେଇଥିଲା ସେ।

         ଲେଲି ସହ ମୋର ସମ୍ପର୍କ ଥିଲା ଅତି ନିବିଡ଼। ପଡୋଶୀ ହିସାବରେ ସେମାନେ ଥିଲେ ଅତି ସୁନ୍ଦର ପରିବାର ଆମ ପାଇଁ। ସୁଖ ଦୁଃଖ ଭଲ ମନ୍ଦ ଉଭୟ ଉଭୟଙ୍କ ପାଖରେ ଠିଆ ହେଉଥିଲୁ ସମୟ ଅସମୟରେ। ମୋର ପ୍ରାୟ ସବୁ ସନ୍ଧ୍ୟା ସମୟ କଟୁଥିଲା ଲେଲି ସହିତ। ମୁଁ ଲେଲିକୁ ଆଦରରେ କାଟୁନ ବୋଲି ଡାକେ। ଲେଲି ମୋ କୋଳରେ ବସି କେତେ ଜିନିଷ ପାଇଁ ଅଲି କରୁଥିଲା। ଦିନେ ଲେଲି ମୋ କୋଳରେ ବସିଥିବା ଦେଖି ବୋଉ ମଜାରେ କହିଲେ "ଲେଲି ମୋ ପୁଅ କୋଳରେ ତୁ କାଇଁ ବସିଛୁ।" ମୁଁ ଭାବିଲି ଲେଲି ମନ ଦୁଖ କରିବ ଏବଂ ନିରବ ରହିବ। କିନ୍ତୁ ଲେଲି ହସି ହସି କହିଲା "ଆଇ ସେ ତୁମର ପୁଅ ହେଲେ ମୋର ବି ଅଙ୍କଲ" ଏତିକିରେ ସମସ୍ତଙ୍କ ମନ ଖୁସି। ବୋଉ ବି ଖୁସିରେ କହିଲେ "କୋଟିଏ ରେ ଗୋଟିଏ ହୋଇଥା ଲୋ ମା"। ଏ ହେଉଛି ଲେଲିର ବିଶେଷତ୍ୱ। ଏହି ସବୁ ଗୁଣ ପାଇଁ ଲେଲି ସମସ୍ତଙ୍କ ପ୍ରିୟ ହୋଇପାରିଥିଲା।

    

          ଲେଲି ବେଳେବେଳେ ମୋ ପାଖରେ ଅଳି କରୁଥିଲା ସୁନାରି ଫୁଲ ପାଇଁ। ଆମ ଘର ଆଗରେ ବିରାଟ ସୁନାରି ଗଛ। ସୁନା ରଙ୍ଗରେ ଭରି ଯାଉଥିଲା ସମ୍ପୁର୍ଣ୍ଣ ଗଛଟି। ତାର ପେନ୍ଥା ପେନ୍ଥା ଫୁଲ ସୁନାର ଭ୍ରମ ସୁଷ୍ଟି କରୁଥିଲା ମୋ ମନରେ। ଗୋଧୂଳିର ଲାଲ କିରଣ ଆଉ ସୁନେଲି ଫୁଲ ଏକ ସାଙ୍ଗରେ ମିଶି ଏକ ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିଲା। ଏମିତି ଏକ ଅବର୍ଣ୍ଣନୀୟ ପରିବେଶରେ ଲେଲି ମୋ ପାଖରେ ଅଲି କରୁଥିଲା ସୁନାରି ଫୁଲ ପାଇଁ। ଏ ପରିଣତ ବୟସରେ ଗଛ ଚଢିବା ଯେ ମୋପାଇଁ ଅସମ୍ଭବ ଏ କଥା ମୁଁ ଲେଲିକୁ ବୁଝାଇ ପାରେନି। "ପରେ କେବେ" କହି ଏଡାଇ ଦେଉଥିଲି ପ୍ରତେକ ଥର। ସେ ବି ଏକ ଉପାଧି ଦେଇଥିଲା ମତେ "ଠକ ଅଙ୍କଲ"। ମୋ ଦୁଇ ବର୍ଷର ସାନ ପୁଅ ଅଗ୍ନି ଲେଲିକୁ ନ ଦେଖିଲେ ପାଗଳ ହେଇଯାଉଥିଲା। ଦୁଇଜଣଙ୍କର ଥିଲା କ୍ଷୀର ଓ ନୀରର ସମ୍ପର୍କ। ଲେଲି କେତେବେଳେ ଘୋଡା ହୋଇ ପୁଅକୁ ପିଠିରେ ବସାଉ ଥିଲା ତ କେତେବେଳେ ତାର ଛୋଟ ସାଇକଲରେ ବୁଲାଇ ଆଣୁଥିଲା। କେତେବେଳେ ଖାଇବା ଜିନିଷ ଦେଉଥିଲା କେତେବେଳେ ନିଜର ଖେଳନା। 

       ସମୟ ସବୁବେଳେ ସମାନ ନଥାଏ ସମସ୍ତଙ୍କ ପାଇଁ। ବେଳେବେଳେ ସୁଖ ନାମକ ଶୁକ ପକ୍ଷୀ ଉଡିଯାଏ ଦୂର ଦିଗବଳୟର ସୀମା ପାର ହୋଇ। ସୁବାଷ ଭାଇଙ୍କ ପରିବାର ସହିତ ବି ଏମିତି ଦୁର୍ଘଟଣା ଟିଏ ଘଟିଲା। ଅଚାନକ ଲେଲି କୁ ଜ୍ଜ୍ୱର ହେଲା। ଘର ଲୋକେ ସାମାନ୍ୟ ଜ୍ଜ୍ୱର ଭାବି ଗାଁର ପ୍ରାଥମିକ ଚିକିତ୍ସାଳୟ ରୁ ଔଷଧ ଆଣି ଦେଇଥିଲେ। କିନ୍ତୁ ଧୀରେ ଧୀରେ ଲେଲିର ଦେହ ଅଧିକ ରୁ ଅଧିକ ଖରାପ ହେବାକୁ ଲାଗିଲା। ସୁବାଷ ଭାଇ କାଳ ବିଳମ୍ବ ନକରି ଲେଲି କୁ କଟକର ବଡ଼ ମେଡିକାଲ କୁ ନେଇଥିଲେ। ସମସ୍ତ ଚିକିତ୍ସା ସତ୍ତ୍ୱେ ଲେଲିର ଆବସ୍ତାରେ କୌଣସି ପରିବର୍ତ୍ତନ ଆସିଲାନି। ପରିବାର ଠୁ ନେଇ ପୁରା ଗାଁ ଲୋକଙ୍କ ରୋଷେଇ ବାସ ବନ୍ଦ। ସମସ୍ତେ କେତେ ଦିଅଁ ଦେବତା ପୂଜା କରିଛନ୍ତି। କେତେ ଶୁଭ ମନାସୀ ଛନ୍ତି ଭଗବାନଙ୍କ ପାଖରେ। ଜ୍ଜ୍ୱର ହେବାର ତୃତୀୟ ଦିନ ସକାଳ, ଲେଲି ଟିକେ ଆଖି ଖୋଲିଲା। ସମସ୍ତଙ୍କୁ ଚାହିଁ କଣ କହିବାକୁ ଚେଷ୍ଟା କରୁଥିଲା କିନ୍ତୁ କହି ପାରିଲା ନାହିଁ। ଲେଲିର ବୋଉ ଲେଲି ପାଖରେ ବସି ଦେହକୁ ଆଉଁଷି ଦେଉଥାନ୍ତି। ଆଖିରୁ ଝରୁଥାଏ ଧାର ଧାର ଲୁହ। ଲେଲି ବୋଉର ବେକକୁ ଧରି କାଖ ହେବା ପାଇଁ ଚେଷ୍ଟା କଲା, କିନ୍ତୁ ତାର ଦୁର୍ବଳ ହାତରେ ଏତେ ଶକ୍ତି ନ ଥିଲା। ହାତଟି ପୁନଶ୍ଚ ଫେରି ଆସିଲା ପୂର୍ବ ଅବସ୍ଥାକୁ। ବେକକୁ ଟିକେ ବୁଲେଇ ଦେଇ ଆଖି ବୁଜିଲା ଲେଲି। ସେଇ ନିଦ ଥିଲା ଲେଲିର ଶେଷ ନିଦ୍ରା। ଲେଲି ସବୁଦିନ ପାଇଁ ଚାଲିଗଲା ସେଇ ପରମ ଦୟାଳୁ ପରମେଶ୍ବରଙ୍କ ନିକଟକୁ। ସମ୍ପୂର୍ଣ୍ଣ ପରିବାର ଟି ପଥର ପାଲଟି ଯାଇଥିଲେ। ଦୁଃଖ ଆଉ ଶୋକରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ସେ ସମୟର ଦୃଶ୍ୟ ବର୍ଣ୍ଣନା କରିବା କାହା ପାଖରେ ସମ୍ଭବ ନୁହେଁ।

         ଲେଲିର ପ୍ରାର୍ଥିବ ଶରୀର ଯେତେବେଳେ ଗାଁରେ ପହଞ୍ଚିଲା ଅନେକ ଲୋକ ରୁଣ୍ଡ ହୋଇଥିଲେ ସୁବାଷ ଭାଇଙ୍କ ଘରେ। ଏପରିକି ପାଖା ପାଖି ସବୁ ଗାଁର ଲୋକମାନେ ବି ଆସିଥାନ୍ତି। ଚାରିଆଡେ ବିଷାଦର ଛାୟା। ଶୁଣିଥିଲି ରାମ ବନବାସ ସମୟରେ ଗଛଲତା ବି କାନ୍ଦିଥିଲେ, ହେଲେ ତାହା ଆଜି ଅନୁଭବ କଲି। ଘର ଲୋକେ କାନ୍ଦି କାନ୍ଦି ଅଚେତ। ବୁଝାଇବ କିଏ କାହାକୁ?ବୋଝର ପାହାଡ଼ ସମସ୍ତଙ୍କ ଉପରେ ଲଦି ହୋଇ ପଡିଛି। ଲେଲିକୁ ଛାଡିବା ପାଇଁ କେହିବି ପ୍ରସ୍ତୁତ ନୁହନ୍ତି। "ମା"ର ବୁକୁ ଫଟା କ୍ରନ୍ଦନ, ମା'ର ମମତା କେତେ ଯନ୍ତ୍ରଣା ଦାୟକ ତାହା ଜୀବନରେ ପ୍ରଥମ ଥର ଅନୁଭବ କଲି। ବାସ୍ତବତା କୁ ବି ଗ୍ରହଣ କରିବାକୁ ପଡିବ। ଗାଁର କିଛି ପୁରୁଖା ଲୋକ ଏବଂ କିଛି ବନ୍ଧୁ ବାନ୍ଧବ ଘର ଲୋକଙ୍କ ବିରୋଧ ସତ୍ତ୍ୱେ ଲେଲିର ଶେଷକୃତ୍ୟ ପାଇଁ ଚାଲିଲେ ଜୀବନର ଶେଷ ସାକ୍ଷୀ ଗାଁ ମଶାଣୀକୁ। ଲେଲିର ପାର୍ଥିବ ଶରୀର ସହ ଲେଲିର ଅନେକ ନିତ୍ୟ ବ୍ୟବହାର ଜିନିଷ ବି ନିଆଗଲା। ମୋର ବି ମନେ ପଡ଼ିଲା ଲେଲିର ପ୍ରତ୍ୟେକ ଦିନର ପୁରୁଣା ଅଳି "ସୁନାରି ଫୁଲ"।

         ଆଖିରେ ମୋର ଧାର ଧାର ଲୁହ। ପବନ ବେଗରେ ଦୌଡ଼ିଲି ସୁନାରି ଫୁଲ ଗଛ ପାଖକୁ। କେମିତି ଗଛରେ ଚଢିଲି, କେମିତି ଏତେ ବଡ ଗଛରୁ ଫୁଲ ତୋଳିଲି କିଛି ବି ଜାଣିନି। ଜାଣିବି ପାରିଲିନି ଏତେ ଶୀଘ୍ର ଏତେ ସବୁ କାମ କିପରି ହୋଇଗଲା। ସୁନାରି ଫୁଲକୁ ଲେଲିର ସୁନା ରଙ୍ଗର ଦେହ ପାଖରେ ରଖିଦେଇ ଶେଷ ଥର ପାଇଁ ମନ ଭରି ଦେଖିଲି ତାର କଅଁଳ ମୁହଁଟିକୁ। ସତେ ଯେମିତି ଅଭିମାନ କରି ଶୋଇ ପଡିଛି ମୋ ଲେଲି। ବାସ୍ତବତାର ପରମ ସତ୍ୟକୁ କେହିବି ଗ୍ରହଣ କରି ପାରୁନଥାନ୍ତି। ଶେଷରେ ଲେଲିର ମର ଶରୀରକୁ ସମାଧି ଦିଆଗଲା।କିଛି ପୁରୁଣା ଲୋକ ମୃତଦେହ ଉପରେ କିଛି କଣ୍ଟା(କଣ୍ଟା ଜାତୀୟ ଗଛର ଡାଳ) ରଖିଦେଇ ସମ୍ପୂର୍ଣ୍ଣ ପୋତି ଦେଲେ। କଣ୍ଟାର ଶେଯ କଣ ଏବେ ଅନୁଭବ କଲି।

         ଏବେ ଆଉ ଗ୍ରାମ ଦେବତୀ ଆଗରେ ଅପରାହ୍ନରେ ଭିଡ ଲାଗୁନି। ମନ ଦୁଃଖ ଦେବ ବୋଲି କେହି ଲେଲି କଥା ଆଲୋଚନା କରୁ ନାହାନ୍ତି। ସୁନାରି ଫୁଲର ସୌନ୍ଦର୍ଯ୍ୟ ମତେ ଆଉ ଆକର୍ଷଣ କରୁନାହିଁ। ସୁବାଷ ଭାଇ ଲେଲିର ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଛୋଟ ସମାଧି ମନ୍ଦିରଟିଏ ନିର୍ମାଣ କଲେ। ସେଥିରେ ଲେଖିଥିଲେ ଲେଲି, ମୁଁ ତା ପାଖରେ ଲେଖିଦେଲି "ଏକ ଅମୁଲ୍ୟ ରତ୍ନ"।


ସୀତାରାମ ଦାଶ


Rate this content
Log in

Similar oriya story from Tragedy