STORYMIRROR

Gangotri Priyadarshini

Abstract Children Stories Thriller

3  

Gangotri Priyadarshini

Abstract Children Stories Thriller

କୁହୁକ ପାହାଡ

କୁହୁକ ପାହାଡ

3 mins
221

ଛୋଟ ବେଳେ ବୁଢ଼ୀ ମାଆ , ସେ ଦୂର ପାହାଡ କୁ ଦେଖେଇ କେତେ କଥା କୁହେ । କଣ ତ ସେହି ପାହାଡ ନାଆଁ, ହଁ ମନେ ପଡ଼ିଲା କୁହୁକ ପାହାଡ ।ସେଠି କୁଆଡେ ପୂର୍ବରୁ ପାହାଡ ନଥିଲା। ଗୋଟେ ସୁନ୍ଦର ରାଜ୍ୟ ଥିଲା,ଯେଉଁ ରାଇଜରେ ଖୋଦ୍ ରାଜା ରାଣୀ ପ୍ରଜା ମାନଙ୍କୁ ନିଜ ସନ୍ତାନ ଭଳି ଯତ୍ନ ନେଉଥିଲେ ।ରାଜ୍ୟରେ ଧନ ସମ୍ପଦ ର ଅଭାବ ନଥିଲା।


ରାଜା ରାଣୀଙ୍କ ର କେହି ଉତ୍ତରାଧିକାରୀ ନଥିଲେ ମଧ୍ୟ ଦୁହିଁଙ୍କର କିଛି କ୍ଷୋଭ ନଥିଲା । ରାଜା ରାଜ୍ୟର ସବୁ କିଛି ସୁନ୍ଦର ଭାବରେ ପରିଚାଳିତ କରୁଥିଲେ,ପ୍ରଜା ମାନେ ଅତି ଆନନ୍ଦରେ କାଳାତିପାତ କରୁଥିଲେ ।କାଳ ର ମାୟା କାହାକୁ ବା ଗୋଚର ।ଦୁଃଖ ପରେ ସୁଖ,ସୁଖ ପରେ ଦୁଃଖ ନିୟମ ରେ ,ସମୟ ଧିରେ ଧିରେ କଡ ଲେଉଟାଉ ଥାଏ ।ଥରେ ଜଣେ କୁହୁକ ବିଦ୍ୟାରେ ପାରଙ୍ଗମ ବୃଦ୍ଧ ରାଜା ରାଣୀଙ୍କ ସହ ଭେଟ କରିବା ପାଇଁ ସେହି ରାଜ୍ୟରେ ପହଞ୍ଚିଲେ ।


ବୃଦ୍ଧ ଜଣଙ୍କ ରାଜ ନଅର ଦ୍ଵାର ସମ୍ମୁଖରେ ଉପସ୍ଥିତ ହୁଅନ୍ତେ,କଟୁଆଳ ବାରଣ କରି କହିଲା,ରୁହନ୍ତୁ ଆଜ୍ଞା ବିନା ଅନୁମତିରେ ନଅର ପ୍ରବେଶ ନିଷେଧ ।


ବୃଦ୍ଧ କହିଲେ ମୁଁ ରାଜାରାଣୀ ଙ୍କୁ ସନ୍ତାନ ପ୍ରାପ୍ତି ର ବରଦାନ ଦେବାକୁ ଆସିଛି , ଯାଆ ଯାଇ ଖବର ଦେଇ ଆସ ।ବୃଦ୍ଧ ଙ୍କୁ ଅନୁମତି ମିଳିବା ପରେ ସେ ରାଣୀଙ୍କୁ କହିଲେ ମୁଁ ଗୋଟେ କୁହୁକ ମୁଣୀ ଦେବି ସେଥିରେ ହାତ ପୁରେଇ ମୁଠାଏ ଧୂଳି ରାଜାଙ୍କ ଉପରକୁ

ରାଜାଙ୍କ ଅଜାଣତରେ ଛାଟି ଦେଲେ ଦୁହିଙ୍କର ସନ୍ତାନ ହୀନତା ଦୋଷ ଦୂର ହୋଇ ଯିବ ।ରାଣୀ ମାତୃତ୍ଵ ମୋହର ବଶ ହୋଇ ରାଜାଙ୍କୁ କିଛି ନକହି ,ପରିଣାମ ଠିକ୍ ହେବକି ଭୁଲ୍ ଚିନ୍ତା ନକରି ରାଜା ଏକାନ୍ତ ରେ ଥିବା ସମୟରେ ରାଜାଙ୍କ ଉପରକୁ ମୁଠାଏ କୁହୁକ ବାଲି ଫିଙ୍ଗି ଦେଲେ ।ରାଜାଙ୍କର ସେଇଠି ପ୍ରାଣବାୟୁ ଉଡିଗଲା ,ରାଣୀ ସେପର୍ଯ୍ୟନ୍ତ କିଛି ବୁଝି ପାରୁ ନଥାନ୍ତି, ଯେ ଉକ୍ତ ବୃଦ୍ଧ ଜଣେ ମାୟାବୀ ବୋଲି ।

ତତକ୍ଷଣାତ୍ ସେହି ବୃଦ୍ଧ ସେଠାରେ ଉପସ୍ଥିତ ହୋଇ ରାଣିଙ୍କୁ ବୁଢ଼ୀ ଅସୁରୁଣୀ ରେ ,ଆଉ ରାଜାଙ୍କୁ ଗୋଟେ ବିରାଟ ଗଛରେ ବଦଳେଇ ଦେଲା,ରାଜ୍ୟ କୁ ଗୋଟେ ବିରାଟ ପାହାଡ ରେ ପରିବର୍ତନ କରି,ପ୍ରଜା ମାନଙ୍କୁ ପାହାଡ ଦେହରେ ,ଚାରିପଟେ ଅସଂଖ୍ୟ ଗଛ ଲତା ରେ ବଦଳେଇ ଦେଲା ।


ରାଣୀ ସେବେଠୁ ନିଜର ଭୁଲ୍ ପାଇଁ ମନକୁ ମନ ସନ୍ତାପିତ ହୋଇ

ଅସୁରୁଣୀ ବେଶରେ ଦିନ କାଟୁଥାଏ ।ସେପଟେ ତାନ୍ତ୍ରିକ ବୃଦ୍ଧ ଜଣଙ୍କ ରାଜ୍ୟର ସବୁ ସମ୍ପତି ଲୁଟି, ଅୟସ ରେ କିଛି ସମୟ ବଞ୍ଚି ପାପ କର୍ମ ରେ ଲିପ୍ତ ରହି ଝିଙ୍କ ପକ୍ଷୀ ହୋଇ ବଳକା ଅମାପ ଧନ ସଂପତ୍ତି କୁ ଜଗି ରହିଥାଏ।


ଏମିତି କିଛି ଦିନ ଉତ୍ତାରୁ ନିକଟ ଜଙ୍ଗଲରେ ଥିବା ଶବରୀ ର ସାହସୀ ଝିଅ ପଦ୍ମା ଏମିତି ବୁଲୁ ବୁଲୁ ସେହି ପାହାଡ ଉପରକୁ ଚଢି ଭିତରକୁ ଓହ୍ଲେଇ ନା ନା ଜାତିର ଫୁଲ ତୋଳି ତାର ଲମ୍ବା ତରଙ୍ଗାୟିତ କଳା ମଚ୍ ମଚ କେଶରେ ସଜାଇବାକୁ ଲାଗିଲା ।ସେ ସେଥିରେ ଏତେ ମଶଗୁଲ୍ ଥିଲା ଯେ ଭୁଲି ଯାଇଥିଲା, ତା କଳା ମେଘି ଶାଢ଼ୀ ଭଳି କେଶ ଝରଣା ଭଳି ପାହାଡ ବାହାର ପଟରେ ପାହାଡ ପାଦ ଦେଶ ଯାଏ ବିଛେଇ ହୋଇ ରହି ସୁନ୍ଦର କମନୀୟ ଦୃଷ୍ଟି ସୃଷ୍ଟି କରୁ ଥାଏ।ଏ ସବୁ ବୁଢ଼ୀ ଅସୁରୁଣୀ ରୂପୀ ରାଣୀ ମାଆ ଦେଖି ମାତୃ ସ୍ନେହ ରେ ଅଧିର ହୋଇ ଗଲାଣି ।ଏତେ ବର୍ଷ ପରେ ମଣିଷ ରୂପରେ ଝିଅ ଟିକୁ ଦେଖି, କହିଲା ଝିଅ ଆମକୁ ଏଠୁ ଟିକେ ମୁକ୍ତି ଦେ ଲୋ ।ଅନେକ ବର୍ଷ ହେଲାଣି ଏଇଠି କୁହୁକ ପାହାଡ଼ରେ ବନ୍ଦୀ ହେଇ ଜୀବନ କାଟୁଛି ।

ପଦ୍ମା ସବୁ ଶୁଣି କହିଲା ଆଜ୍ଞା ରାଣୀ ମାଆ, ମାେ ମାଆ ବାପାଙ୍କ ଠୁ

ଶୁଣିଛି ସବୁ; ଆମ ବନ ଦେବୀଙ୍କ ଆଶୀର୍ବାଦ ରୁ ଠିକ ସମୟ ଆସିଲେ ,ବାଦଲ ଉହାଡ ରେ ଦିଶୁଥିବା ସେ ରାଇଜ ରୁ ରାଜା ପୁଅ କନ୍ଦର୍ପ କୁମାର ଧଳା ରଙ୍ଗର ପବନ ଘୋଡ଼ା ଚଢି ଯଦି କେବେ ଆମ ଆଡେ ବୁଲି ଆସିବେ; ତେବେ ଯାଇ ସେ ଆପଣ ସମସ୍ତଙ୍କୁ ଏଠୁ ନିଜ ସ୍ପର୍ଶ ଦ୍ଵାରା ପୂର୍ବ ରୂପକୁ ଫେରେଇ ଆଣି ପାରିବେ ।ହେଲେ ପ୍ରଥମେ କନ୍ଦର୍ପ କୁମାର ସେ ବୃଦ୍ଧ ଯାଦୁଗର କୁ ମାରି, ତା ରକ୍ତକୁ ଏଇ ପାହାଡ଼ରେ ସିଞ୍ଚନ କଲେ,ସମସ୍ତେ ନିଜ ପୂର୍ବ ରୂପକୁ ଫେରି ପାଇବେ ।


ଏ ସବୁ ଶୁଣି ରାଣୀ ଟିକେ ଆଶ୍ବସ୍ତ ହୋଇ ଅପେକ୍ଷା କରି ରହିଲେ ।

ଯୋଗକୁ କନ୍ଦର୍ପ କୁମାର , ବାଦଲ ର ଛାତି ଚିରି ପାରିଧି ପାଇଁ ପୃଥିବୀ କୁ ଆସନ୍ତେ, ପାହାଡ ତଳେ ଶବର କନ୍ୟାର କେଶ କୁନ୍ତଳ ଦେଖି ବିମୋହିତ ହୋଇ ପାହାଡ ମଝିରେ ଯାଇ ପହଞ୍ଚି ଗଲେ, ପଦ୍ମା ର ଅପରୂପ ସୌନ୍ଦର୍ଯ୍ୟ , ସୁନା ଫୁଲ ଝରି ଗଲା ଭଳି କଥାରେ ମନ୍ତ୍ରମୁଗ୍ଧ ହୋଇ ଜୀବନ ସାଥୀ ଭାବେ ସ୍ବୀକାର କରିବା ପାଇଁ ପ୍ରେମ ନିବେଦନ କଲେ । ପଦ୍ମା ମଧ୍ୟ ପୂର୍ବରୁ କନ୍ଦର୍ପ କୁମାରଙ୍କ ଅନେକ ସାହସିକତା ର କଥା ଶୁଣିଥିଲେ,ଆଉ ମନା କରନ୍ତେ କିପରି,ସେ ମଧ୍ୟ କନ୍ଦର୍ପ କୁମାରଙ୍କ ଇଚ୍ଛାରେ ସହମତି ପ୍ରଦାନ କଲେ ।ବିଧି ପୂର୍ବ ନିର୍ଦ୍ଧାରିତ ଥିଲା,ରାଜା ପୁଅ ବୃଦ୍ଧ ଯାଦୁଗର କୁ ମାରି ସମସ୍ତ ଙ୍କୁ ଜୀବନ ଦାନ ଦେଲେ,ରାଜା ରାଣୀ,ପ୍ରଜା,ଧନ ସଂପତ୍ତି ସବୁକିଛି ପୂର୍ବବତ ଦୃଶ୍ୟମାନ ହେଲା ।ସମସ୍ତଙ୍କ ଠାରୁ ବିଦାୟ ନେଇ କନ୍ଦର୍ପ କୁମାର ଶବର କନ୍ୟା ପଦ୍ମ ଙ୍କୁ ଧଳା ଘୋଡାରେ ବସେଇ ଜଙ୍ଗଲ ମଧ୍ୟକୁ ନେଇ ଚାଲିଗଲେ ।

" ମୋ କଥାଟି ଏତିକି,ଫୁଲ ଫୁଟିଛି କେତକୀ "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract