STORYMIRROR

ABADHOOT PANDA

Inspirational

3  

ABADHOOT PANDA

Inspirational

କ୍ରୋଧ ରିପୁର ସଦୁପଯୋଗ

କ୍ରୋଧ ରିପୁର ସଦୁପଯୋଗ

8 mins
960

ଷଡ଼ ରିପୁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ମଣିଷର ଅଙ୍ଗେ ଅଙ୍ଗେ ସତ୍ତା ସହିତ ଜଡ଼ିତ । ଏହି ଅବଗୁଣ ରାଜି ମଣିଷର ମଣିଷ ପଣିଆ ଛଡ଼ାଇ ନେଇ ତା ଭିତରେ ନକାରାତ୍ମକ ଭାବ ଧାରାର ବୀଜ ବପନ କରିଥାଏ । ମାତ୍ର ସେଗୁଡ଼ିକୁ ଜନ ସମାଜର ମଙ୍ଗଳ ନିମିତ୍ତ ବ୍ୟବହାର କରାଗଲେ ସେହି ଅବଗୁଣ ଗୁଡ଼ିକ ସକାରାତ୍ମକ ଭାବଧାରାରେ ରୂପାନ୍ତରିତ ହୋଇଥାଏ । ସେଗୁଡ଼ିକ ଜରିଆରେ ସକାରାତ୍ମକ ମାଙ୍ଗଳିକ କର୍ମ ସାଧନ ନିମିତ୍ତ ଅନୁକୂଳ ମାନସିକତା ପୋଷଣ ଫଳପ୍ରଦ ହୋଇଥାଏ ।


ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ଯେତେବେଳେ ନୂଆ ନୂଆ ଆକାଶ। ଜାଲ କେନ୍ଦ୍ରୀକ ଉପକରଣ ସାମଗ୍ରୀ ଏବଂ ତତ ସମ୍ବନ୍ଧୀୟ ବ୍ୟବହାରିକ  ଜ୍ଞାନ ଓଡ଼ିଆ ସମାଜରେ ପ୍ରଚଳିତ ହେବାକୁ ଲାଗିଲା ସେତେବେଳେ ଗୋଟିଏ ଧନାଢ୍ୟ ପରିବାର ରାଉରକେଲା ଉପକଣ୍ଠରେ ଵାସ କରି ଆସୁଥିଲେ । ଵାସ ଗୃହର ନାମ" କମଳିନୀ "।ପରିବାରର ମୁରବୀ ଅର୍ଥାତ ଧନୀ ବ୍ୟକ୍ତି ଜଣେ ଶିଳ୍ପପତି । ତାଙ୍କ ନାମ ଗିରିଶ ଚନ୍ଦ୍ର । ନିଜର ପତ୍ନୀଙ୍କ ନାମ ସହ ସାମଞ୍ଜସ୍ୟ ରଖି ଵାସ ଗୃହର ନାମକରଣ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ସନ୍ତାନ ସନତ ଦ୍ଵିତୀୟ ବାର୍ଷିକ ବାଣିଜ୍ୟ ଛାତ୍ର ଥିଲେ ଓ ପାଠ ଖୁବ ଭଲ ପଢ଼ି କଲେଜର ନା ରଖିଥିଲେ । ଖେଳ କସରତ ଇତ୍ୟାଦିରେ ନିପୁଣ । ବାପାଙ୍କ ଅଜସ୍ର ଧନର କୁପ୍ରଭାବ ତାଙ୍କ ଉପରେ ଆଦୌ ପଡ଼ି ନଥିଲା କହିଲେ ଚଳେ ।


କ୍ରମେ କ୍ରମେ ସନତ ତାଙ୍କ ମହାବିଦ୍ୟାଳୟର ପରିଗଣିତ ହେବାକୁ ଲାଗିଲେ ଜଣେ ମେଧାବୀ ଛାତ୍ର ଭାବେ । ସେ ପ୍ରଥମ ଶ୍ରେଣୀରେ ପାସ କଲେ ଗ୍ରାଜୁଏଶନ । ତାପରେ ଲାଗି ପଡ଼ିଲେ ଏମ. ବି.ଏ. କରିବାକୁ । ପିତା ଗିରିଶ ପ୍ରାୟ ଅଧିକାଂଶ ସମୟ ଘର ବାହାରେ ବିତାନ୍ତି । ମାତ୍ର ଦିନେ ବିଜନେସ ଟୁର ସାରି ରାତି ପ୍ରାୟ ଆଠଟା ବେଳେ ଘରକୁ ଫେରି ଆସି ଯାହା ଦେଖିଲେ କରି ପାରିଲେନି ବିଶ୍ୱାସ ନିଜ ଆଖି ଦୁଇଟିକୁ । ପୁଅ ସନତ ଓ ମାତା କମଳା ଦେବୀଙ୍କ ମଧ୍ୟରେ ତୀବ୍ର ପାଟି ତୁଣ୍ଡ ହେଉଥାଏ । ଗିରିଶ ବାବୁ କାରଣ ପଚାରି ବୁଝିଲେ ଯେ, ସନତ ଜଣେ ସାଙ୍ଗ ସହିତ ମଦ ପିଇ ଘରକୁ ଫେରିଥିଲା । ବୋଉ ପ୍ରତିବାଦ କରିବାରୁ ତାଙ୍କୁ ତଣ୍ଟିଆ ମାରିଥିଲା । ଫଳରେ ସେଦିନ ମା ପୁଅଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ଯାହାବି ହେଉ ପିତା ଗିରିଶ ଦୁଇ ଜଣଙ୍କୁ ବୁଝାଇ ସୁଝାଇ ଝଗଡ଼ା ବନ୍ଦ କରି ଦେଲେ । ତାପରେ ପୁତ୍ର ସନତକୁ ବୁଝାଇ କହିଲେ," ଦେଖ ସନତ ତୁ ଆଉ ଛୋଟ ପିଲା ନୋହୁଁ । ସାବାଳକ । ତୁ ମୋର ଗୋଟିଏ ପୁଅ । ତୋ ଉପରେ ଆମ ପରିବାରର ଭବିଷ୍ୟତ ନିର୍ଭର କରୁଛି । କିନ୍ତୁ ତୁ ଏପରି ପିଆ ପିଇରେ ଅଭ୍ୟସ୍ତ ହୋଇଗଲେ ମୋର ସବୁ ଆଶା ବିଶ୍ୱାସ ବର୍ବାଦ ହେଇଯିବ । ଆଜି ଠୁଁ ହୁସିଆର ରହ । କୁସଙ୍ଗ ଆଉ ମଦ୍ୟ ପାନ ମଣିଷକୁ ଅମଣିଷ କରେ । ମୋ ବିଷୟ ଟିକେ ଭାବ । ମୁଁ ଏ ସହରର ଜଣେ ଧନୀ ବ୍ୟକ୍ତି ହେଲେ ବି ମଦ ପିଏନି କି କୁସଙ୍ଗ କରେନି । ତୁ ମୋର ପୁଅ ହେଇ ଏପରି କାମ କଲେ ମୋର ଆତ୍ମାକୁ ଖୁବ ବାଧିବ । ଆଉ ମୋର ଇଜ୍ଜତ ଉପରେ ଆଞ୍ଚ ଆସିବ । ଯାହା ହେଲା ହେଲା । ଏଣିକି ଆଉ ମଦ ପିଇବୁନି ବୋଲି ମୋର ଓ ତୋ ବୋଉର ମୁଣ୍ଡ ଛୁଇଁ ଶପଥ କର ।" ସନତ ବାପାଙ୍କ କଥାରେ ମୁଣ୍ଡ ଛୁଇଁ ଶପଥ ସିନା କଲା ତାର କୂଅଭ୍ୟାସ ପରିତ୍ୟାଗ କରିବାକୁ କିନ୍ତୁ ପ୍ରବୃତ୍ତିର ନିଶା ଏତେ ବଢ଼ି ଯାଇଥିଲା ଯେ ସେଥିରୁ ଓହରି ଆସିବା ପାଇଁ ଏତେ ଶୀଘ୍ର ସମ୍ଭବ ନଥିଲା ତା ପକ୍ଷରେ ।


ଗିରିଶ ବାବୁ ସେହି ଦିନ ଠାରୁ ନିଜ ପୁଅ ଉପରେ ରଖି ଚାଲିଲେ ସର୍ବଦା ସତର୍କ ଦୃଷ୍ଟି । ଯେହେତୁ ସେ ଧନବାନ ହେଲେ ସୁଦ୍ଧା ଜଣେ ବିଚକ୍ଷଣ ସଂସାରୀ । କିଛି ଟଙ୍କା ମାସିକ ବେତନ ଓ ପରିଶ୍ରମିକ ଦେଇ ସନତ ଉପରେ କଡ଼ା ନଜର ରଖିବାକୁ ମୁତୟନ କଲେ ଏକ ବେସରକାରୀ ଗୁଇନ୍ଦା ସଂସ୍ଥା । କୁସଙ୍ଗରେ ଥରେ ପଶିଗଲେ ବାହାରିବା ଭାରି କଷ୍ଟ । ଉଦ୍ଦାମ ଯୌବନ ସାଙ୍ଗକୁ ଆନ୍ତର୍ଜାତୀୟ ଆକାଶ ଜାଲ ସହିତ ସମ୍ପର୍କ ମୋବାଇଲ ଫୋନ ମାଧ୍ୟମରେ ସନତର ଯୁବ ମାନସରେ ଯଥେଷ୍ଟ ଯୁଗାନୁଯାୟୀ ପ୍ରଭାବ ପକାଇବାରେ ସଫଳ ହୋଇ ପାରିଥିଲା । ବାପାଙ୍କୁ ଅନୁରୋଧ କରିଥିଲା ଗୋଟିଏ ଚର୍ମସ୍ପର୍ଶକାତର ଭ୍ରାମ୍ୟମାଣ ଦୂରଭାଷ ଯନ୍ତ୍ର ତା ପାଇଁ କିଣି ଦେବାକୁ ।


ପୁଅର ତୀବ୍ର ଅଭିଳାଷ ଗିରିଶ ବାବୁ ପୂର୍ଣ୍ଣ କରିଥିଲେ । ମୋବାଇଲ ଫୋନ ଟି ପାଇଲା ପରେ ତା 'ର ମନ ଆକାଶ ଛୁଆଁ ହେଲା । ସନତ ନିଜର କୌତୁହଳକୁ ଚାପି ରଖି ପାରିଲାନି । ଅଧିକାଂଶ ସମୟ ମୋବାଇଲ ଦେଖି ଦେଖି ସମୟ ବିତାଉଥାଏ । କୁସଙ୍ଗରେ ପଡ଼ି ଅଶ୍ଳୀଳ ଚଳଚିତ୍ର ବି ଦେଖିବାକୁ ଲାଗିଲା । କ୍ରମେ କ୍ରମେ ଲୁଚି ଛପି ଲଫଙ୍ଗା ସାଙ୍ଗମାନଙ୍କ ସହ ହୋଟେଲକୁ ଯାଇ ସୁରା ପାନ ସହିତ କଲଗାର୍ଲ ଉପଭୋଗ କରିବାକୁ ସେ ଜୀବନର ପ୍ରକୃତ ଉପଭୋଗ ଭାବେ ଧରିନେଲା । କ୍ରମେ କ୍ରମେ ତାର ମେଧାବୀ ଛାତ୍ର ଜୀବନାକାଶରେ ଅନୀତିର କଳା ବାଦଲ ଛାୟା ସୃଷ୍ଟି କରିବାକୁ ଆରମ୍ଭ କକଲା । ସମ୍ବେଦନଶୀଳ ଗୁରୁଜନଗଣ ଓ ହିତାକାଂକ୍ଷୀ ବନ୍ଧୁବାନ୍ଧବୀ ଗଣ ସବୁ ଦେଖି ଜାଣି ସୁଦ୍ଧା ସନତକୁ ବାରଣ କରି ପାରି ନଥିଲେ । କାରଣ ସେମାନଙ୍କ ସହରର ଜଣେ ବିଶିଷ୍ଟ ଶିଳ୍ପପତି ଗିରିଶ ବାବୁଙ୍କ ଥିଲା ସିଏ ଏକ ମାତ୍ର ଅଲିଅଳ ସନ୍ତାନ । ନିୟମିତ ହୋଟେଲରୁ ଆସି ମୁହଁ ହାତ ଧୋଇ ଦେହରେ ପରଫ୍ୟୁମ ସ୍ପ୍ରେ କରି ଖିଲି ପାନ ଚୋବେଇ ଘରକୁ ଫେରେ । ଗିରିଶ ବାବୁ ସବୁ ଜାଣି ଶୁଣି ଚୁପ ରହିଥିଲେ । କାରଣ ଗୋଟିଏ ମାତ୍ର ପୁଅ । ଉଚ୍ଚ ଶିକ୍ଷିତ । ପୁଅ ପାଇଁ ଅନ୍ତରରେ ଗଭୀର ସ୍ନେହ । କେତେଦିନ ବା ପୁଅକୁ ତାଗିଦ ନକରି ରହିପାରିବେ । ବିବେକ ଓ ମନର ସଂଘର୍ଷ ମଧ୍ୟରେ ଉବେଇ ଟୁବେଇ ହେଉ ଥିଲା ଶିଳ୍ପପତି ଗିରିଶ ବାବୁଙ୍କ ଦୋଦୁଲ୍ୟମାନ ପିତୃତ୍ୱ । ଶେଷରେ ଭବିଷ୍ୟତ ଦୃଷ୍ଟି ରଖି ସେ ନିଜ ବିବେକର ପରାମର୍ଶ ମାନିଲେ ।


ଦିନେ ସନତ ଏକ ଫାଇଭ ଷ୍ଟାର ହୋଟେଲରେ ଜଣେ ବିଦେଶୀ କଲ ଗାର୍ଲ ସହ ମଦ୍ୟ ପାନକରି ନୃତ୍ୟ ରତ ଥିଲା । ପିତା ଗିରିଶ ବାବୁଙ୍କ ବେସରକାରୀ ଗୁଇନ୍ଦା ମୁତୟନ ବିଷୟରେ ସେ ସମୁର୍ଣ୍ଣ ଅନଭିଜ୍ଞ ଥିଲା । ଦୀର୍ଘ ଦିନ ନିଜ ପୁଅର କାର୍ଯ୍ୟ କଳାପ ପ୍ରତି ନଜର ରଖିଥିବା ଗିରିଶ ବାବୁ ସେଦିନ ହଠାତ ହୋଟେଲ ରୁମ ମଧ୍ୟରେ ପ୍ରବେଶ କରି ପୁଅ ସନତର ଏପରି ମର୍ଯ୍ୟାଦା ହାନୀ ତଥା ବିପଥ ଗାମୀ କାର୍ଯ୍ୟକଳାପ ନିଜ ଆଖିରେ ଦେଖି ଗିରିଶ ବାବୁ ତାଡ଼ନା ମିଶ୍ରିତ ସଂସ୍କାରମୂଳକ କ୍ରୋଧ ରେ ଜର୍ଜରିତ ହୋଇ ପଡ଼ିଥିଲେ । ତାଙ୍କ ଆଖି ଦୁଇଟିରୁ ସତେ ଯେପରି ଅଗ୍ନି ସ୍ପୁଲିଙ୍ଗ ବହିର୍ଗତ ହୋଇ ପଡ଼ୁଥିଲା । ସେ ମାନସିକ ଭାରସାମ୍ୟ ହରାଇ ବସି ସନତର ରସିକିଆ ଗାଲରେ ଢୋ ଢା ଦୁଇଟି ଚଟକଣୀ ବସେଇଦେଲେ ଓ ଉଚ୍ଚ ସ୍ୱରରେ ଚିତ୍କାର କରି ଉଠିଲେ, " ତୁ ଗୋଟାଏ ନିହାତି କୁଳାଙ୍ଗାର ପିଲା । ସେଦିନ ତୋ ବୋଉ କଥାକୁ ବିଶ୍ୱାସ କରି ନଥିଲି । ଆଜି ମୁଁ ଆଖିକୁ ବିଶ୍ୱାସ କରୁଛି । ତୋ ଭଳିଆ ଅଯୋଗ୍ୟ ଚରିତ୍ରହୀନ କୁଳାଙ୍ଗାର ପୁଅ ମୋର ଦରକାର ନାହିଁ । ତୋ ମୁହଁ ଆଉ ଦେଖିବାକୁ ଚାହୁଁନି । ନେ ଏଇ କୋର୍ଟର ଡାଇଭର୍ସ ପେପରରେ ଦସ୍ତଖତ କରିଦେ । ଆଜିଠାରୁ ମୁଁ ତୋ ବାପ ଆଉ ତୁ ମୋ ପୁଅ ନୁହେଁ । ଓକିଲ ବାବୁ ମୋ ସହିତ ଆସିଛନ୍ତି । ଜଲଦି ସାଇନ କର । ଡେରି କରନା ।


" ଗିରିଶ ବାବୁଙ୍କ ଏପରି ଉଗ୍ର ରୂପ ଦେଖି ହୋଟେଲ କର୍ମଚାରୀ, ମ୍ୟାନେଜର ଓ କଲ ଗାର୍ଲ ଯୁବତୀ ଇତ୍ୟାଦି ସ୍ଥାଣୁବତ ସ୍ତମ୍ଭିତ ରହିଗଲେ । କଲ ଗାର୍ଲକୁ ପାଞ୍ଚ ହଜାର ଟଙ୍କା ଦେଇ ବିଦାୟ କରିଦେଲେ ଗିରିଶ ବାବୁ । ପଞ୍ଚ ତାରକାଯୁକ୍ତ ହୋଟେଲରେ ମୁହୂର୍ତ୍ତକ ମଧ୍ୟରେ ହଲ ଚଲ ସୃଷ୍ଟି ହେଇଗଲା । ସମସ୍ତେ ତଳ ମହଲା ସନତ ରୁମରେ ଲିଫ୍ଟରେ ଆସି ରୁଣ୍ଡ ହେଇଗଲେ । ଏଣେ ସନତର ମଦନିଶା କୁଆଡ଼େ ଉଭେଇ ଗଲା । ବାପାଙ୍କ ଗୋଡ଼ ତଳେ ଲମ୍ବ ହୋଇ ମୁହଁ ମାଡ଼ି ଶୋଇ ଶିଶୁ ପରି କଇଁ କଇଁ କାନ୍ଦିବାକୁ ଆରମ୍ଭ କଲା । ପୁଣି ଗିରିଶ ବାବୁ ତାଗିଦ କଲେ, " କାନ୍ଦୁଛୁ କଣ ପିଲା ଭଳିଆ । ଶୀଘ୍ର ପେପରରେ ସାଇନ ଦେ ଆମେ ଯିବୁ ଡେରି ହେଇ ଗଲାଣି । ଆଜି ଠୁଁ ତୋ ମୁହଁ ଚାହିଁ ବିନି । ତୁ ଆଜି ମୋର ନାକ କାଟିଦେଲୁ । " ପରେ ପରେ ଗିରିଶ ବାବୁଙ୍କ ଧର୍ମ ପତ୍ନୀ କମଳା ଦେଵୀ ଆସି ତାଙ୍କ କାରରେ ପହଞ୍ଚିଲେ । ସେ ମଧ୍ୟ ପୁଅକୁ ଭୀଷଣ ଗାଳି ଦେଇ ଦି ବିଧା ବସେଇ ଦେଲେ । ବର୍ତ୍ତମାନ ସନତ ତାହାର ଭୁଲ ବୁଝି ପାରିଲା । ବାପା ମାଙ୍କ ସମ୍ମୁଖରେ ବିନମ୍ର ଭାବେ ଠିଆ ହୋଇ ନିଜର ନୈତିକତା ହାନୀ ଭୁଲ ପାଇଁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କଲା । ତାପରେ କହିଲା, " ମୋତେ ଶେଷ ଥର ପାଇଁ କ୍ଷମା କରି ଦିଅ ଡାଡି ମମି । ମୋତେ ଥରେ ନିଜକୁ ସୁଧାରିବାକୁ ସୁଯୋଗ ଦିଅନ୍ତୁ । ଏଥର ଠିକ ବାଟକୁ ନଆସିଲେ ମୋତେ ଆଇନତଃ ତେଜ୍ୟପୁତ୍ର କରିଦେବେ । ଏହା ମୋର ତ୍ରିବାର ସତ୍ୟ ଘୋଷଣା ସମସ୍ତଙ୍କ ସାମ୍ନାରେ ।"


ନିଜ ପୁଅର ଏତାଦୃଶ ବିନମ୍ର ବ୍ୟବହାରରେ ଗିରିଶ ବାବୁ ଓ କମଳା ଦେବୀଙ୍କ ହୃଦୟ ତରଳି ଗଲା । କମଳା ଦେଵୀ ଉଚ୍ଚ ଶିକ୍ଷିତା ଓ ସୁଗୃହିଣୀ ଥିଲେ । ପ୍ରାଚୁର୍ଯ୍ୟପୂର୍ଣ୍ଣ ଅଭିଜାତ୍ୟର ଅଵିଵେକୀ ଗାରିମା ତାଙ୍କର ପବିତ୍ର ମାନସ ପଟ୍ଟରେ କେବେ ହେଲେ ପ୍ରଭାବ ବିସ୍ତାର କରି ପାରି ନଥିଲା । ସେ ନିଜ ପୁଅକୁ ଏକ ଅହଂକାରୀ,ଧନଗର୍ବୀ, ନୀତଭ୍ରଷ୍ଟ ଏବଂ ଚରିତ୍ରହୀନ ନବ ଯୁବକ ରୂପେ ସମାଜରେ ପ୍ରତିଷ୍ଠିତ କରିବାକୁ ଆଦୌ ଆଶା ପୋଷଣ କରି ନଥିଲେ । ବରଂ କଠୋର ଅନୁଶାସନ ମଧ୍ୟରେ ମାନବୀୟ ଗୁଣ ସହିତ ଏକ ଶୃଙ୍ଖଳିତ ଜୀବନ ଯାପନ ଶୈଳୀ ଶିଖାଇବାକୁ ସର୍ବଦା ଶ୍ରେୟସ୍କର ମନେ କରୁଥିଲେ । ଅନାବିଳ ମାତୃ ବାତ୍ସ୍ୟଲ୍ୟତାର ବେଗକୁ ରୋକି ନପାରି ନିଜର ସୁମାତୃତ୍ୱର ପ୍ରମାଣ ସାମାଜିକ ବ୍ୟକ୍ତିଗଣଙ୍କ ସମ୍ମୁଖରେ ପ୍ରତିପାଦିତ କରିବାର୍ଥେ ସେ ପୁଅକୁ ଦୁଇ ବିଧା ମାରିଥିଲେ । ମାତୃ ହୃଦୟ ପର କ୍ଷଣରେ ତରଳି ଯାଇଥିଲା । କାରଣ ପୁତ୍ର କର୍ତ୍ତୁତ୍ୱ ଯେତେ ଅପମାନିତ ହେଲେ ସୁଦ୍ଧା ଜଣେ ସନାତନୀ ମାତା ଆଦୌ ଜଣେ କୁମାତା ରୂପେ ଦୁନିଆଁରେ ଦଣ୍ଡାୟମାନ ହେବା ସମ୍ଭବପର ନୁହେଁ । ଯାହାବି ହେଉ ସ୍ୱାମୀଙ୍କ ସହାୟତାରେ କମଳା ଦେଵୀ ତଳୁ ଉଠାଇ ସନତକୁ ହୋଟେଲ ରୁମର ସୋଫା ଉପରେ ବସେଇ ଦେବାରେ ସକ୍ଷମ ହୋଇ ପାରିଥିଲେ । ବୟ କୁ ତନ୍ଦୁର ଚିକେନ ଆଉ ବ୍ରେଡ ଆଣିବାକୁ ଅର୍ଡର ଦେଲେ । ପାର୍ଶଲ ଆସିଲା ପରେ ପୁଅକୁ ନିଜ ହାତରେ ଖୁଆଇସାରି ନିଜ ଗାଡ଼ିରେ ବସାଇ ଘରକୁ ନେଇଗଲେ । ବାଟରେ ଜଗନ୍ନାଥ ମହାପ୍ରଭୁଙ୍କୁ ମନେ ମନେ ଭକ୍ତି ଅର୍ଘ୍ୟ ଅର୍ପଣ କରୁଥିଲେ । ଗିରିଶ ବାବୁ କମଳା ଦେବୀଙ୍କ ଗାଡ଼ି ପଛେ ପଛେ ଯାଇ ନିଜ ପ୍ରାସାଦରେ ପଦାର୍ପଣ କଲେ । ଘରେ ନୈଶ୍ୟ ଭୋଜନ ସାରି ନିଦ୍ରା ଦେବୀଙ୍କ କୋଳରେ ଆଶ୍ରୟ ନେଲେ ।


ପରଦିନ ପ୍ରତ୍ୟୁଷରେ ସନତର ନିଦ ଭାଙ୍ଗି ଗଲା । ପ୍ରଥମେ ଶୟନ ରତ ମାତାପିତାଙ୍କ ପାଦ ସ୍ପର୍ଶ କରି ୱାଶ ରୁମରେ ପ୍ରବେଶ କରିଥିଲା । ନିତ୍ୟ କର୍ମ ସମାପ୍ତି ପରେ ସେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମହାଦେବୀ ଶୁଭଦ୍ରାଙ୍କ ଫଟ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କରି ପିତାମାତାଙ୍କର ନିଦ୍ରାଭଙ୍ଗ କରିଥିଲା । ଲଙ୍କାରେ ରାମ ନାମ ଶୁଭିଲା ପରି ଗିରିଶ ବାବୁ ଏବଂ କମଳା ଦେଵୀ ନିଜ ଘରେ ଅନୁଭବ କଲେ ଅଜସ୍ର ମାନସିକ ଶାନ୍ତି । ସନତ ଚରିତ୍ରର ଅଭୁତପୁର୍ବ ପରିବର୍ତ୍ତନ ଲକ୍ଷ୍ୟ କରି ସ୍ଵଚକ୍ଷୁରୁ ଦମ୍ପତି ଯୁଗଳ ନିର୍ଗତ କଲେ ଆନନ୍ଦାଶ୍ରୁ । ପୁଅ ସନତକୁ କୋଳାଗ୍ରତ କରି ଶୁଭାଶିଷ ସନ୍ନିହିତ ହସ୍ତ ଯୁଗଳ ସ୍ଥାପନ ପୂର୍ବକ ତାହାର ଶିର ମଣ୍ଡିତ କଲେ । ତାପରେ ଅନୁତପ୍ତ ସ୍ୱରରେ ସନତ କହିଲା , " ହଁ ଡାଡି ମମି ଆପଣ ଦୁଇ ଜଣଙ୍କ ସୁତାଡ଼ନା ବଳରେ ଆଜି ମୋ ମଧ୍ୟରେ ମାନବିକତାର ଉଦ୍ରେକ ହୋଇ ପାରିଛି । ସେଥିପାଇଁ ମୁଁ ଚିର ଋଣୀ । ଏଣିକି ଉପଯୁକ୍ତ ମଣିଷ ହୋଇ ଆପଣମାନଙ୍କ ପବିତ୍ର ଆତ୍ମା ଯୁଗଳକୁ କାୟ ମନ ବାକ୍ୟରେ ସନ୍ତୁଷ୍ଟ କରିବି । "


ସମସ୍ତଙ୍କ ନିତ୍ୟକର୍ମ ସରିଲା ପରେ ଗିରିଶ ବାବୁଙ୍କ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଜଣେ ବୈବାହିକ ମଧ୍ୟସ୍ଥି ଭଦ୍ରଲୋକ ଘରେ ପୂର୍ବାହ୍ନ ଏଗାର ଘଟିକାରେ ପଦାର୍ପଣ କଲେ । କନ୍ୟାଟିର ଫଟଟି କୁ ସନତକୁ ଦେଖେଇ କହିଲେ," କଣ ପୁଅ କନ୍ୟା ପସନ୍ଦ ଆସୁଛି । ତୁମେ ତ ଆଜିକାଲିକା ପିଲା । ଖୋଲା କଥା କୁହ । ଆମେ ଆଗେଇଯିବା ।" ସନତ ବିନମ୍ର ସହକାରେ ଉତ୍ତର ଦେଲା, " ମୋର ଫଟ ଦେଖିବା ଦରକାର ନାହିଁ । କି ମୋର ପସନ୍ଦ ନାପସନ୍ଦ କିଛି ନାହିଁ ।ମୋର ଡାଡି ମମିଙ୍କୁ ଦେଖାନ୍ତୁ । ସେମାନେ ଯଦି ରାଜି ମୁଁ ମଧ୍ୟ ରାଜି । " ସନତର ଅନୁରୋଧ ଅନୁସାରେ ମଧ୍ୟସ୍ଥି ମହାଶୟ ସେଇୟା କଲେ । ସ୍ୱାମୀ ସ୍ତ୍ରୀ ଦ୍ବୟଙ୍କ ଆନନ୍ଦର ସୀମା ରହିଲାନି । ପୁତ୍ର ସନତର ମୁଣ୍ଡ ଆଉଁସି ଦେଇ କହିଲେ, " ଆଜି ଆମେ ପ୍ରକୃତ ସନ୍ତାନ ଫେରି ପାଇଲୁ ସନତ ବେଟା । ଆସନ୍ତା ତିଥିରେ ତୋ ବିଭାଘର ଖୁବ ଯାଜ ଜମକରେ କରିବୁ । ତୋ ମୁହଁରୁ ସେତିକି ଶୁଣିବାକୁ ଆଜିଯାଏଁ ଅପେକ୍ଷା କରିଥିଲୁ । " ସନତ ମୁକ୍ତ କଣ୍ଠରେ କହି ଉଠିଲା, " ମୁଁ କିଛି ନୁହେଁ । ଆପଣ ଦୁଇ ଜଣ ମୋର ସବୁ କିଛି । ଆପଣମାନଙ୍କ ମୁହଁରେ ଟିକେ ହସ ଦେଖିଲେ ମୋ ଭାବୀ ସଂସାରଟି ବି ହସି ଉଠିବ ନିର୍ଦ୍ବନ୍ଦରେ । ମୋର ଯାହାବି ଆଜି ଚାରିତ୍ରିକ ପରିବର୍ତ୍ତନ ଘଟିଛି କେବଳ ମୋର ପୂଜ୍ୟ ଆଉ ପ୍ରିୟ ଡାଡିଙ୍କ ସୌଜନ୍ୟତାରୁ । ଆଉ ମଧ୍ୟ ପୂଜ୍ୟା ସନ୍ତାନ ବତ୍ସଳା ମମିଙ୍କ ବିଧା ମାଡ଼ର ପ୍ରଭାବରେ । ସେଦିନ ଡାଡି ତାଙ୍କର ସଂସ୍କାର ଭିତ୍ତିକ କ୍ରୋଧର ନିଆଁ ପିଣ୍ଡୁଳାକୁ କୁ ମୋ ଉପରେ ସର୍ବ ସାଧାରଣଙ୍କ ଆଗରେ ନିକ୍ଷେପ କରି ମୋ ଜୀବନକୁ ଧନ୍ୟ କରିଦେଇଛନ୍ତି । ମୋତେ ନର୍କ କୁଣ୍ଡରୁ ଉଦ୍ଧାର କରି ସ୍ୱର୍ଗ ଭୂମିରେ ଆସ୍ଥାନ ଦେଇଛନ୍ତି । ଡାଡି ତାଙ୍କର କ୍ରୋଧର ନିଆଁ ର ସଦ ବ୍ୟବହାର କରି ମୋତେ ନବ ଜୀବନ ପ୍ରଦାନ କରିଛନ୍ତି । ଆଉ ମଧ୍ୟ ବିଷାକ୍ତ ଦୁନିଆଁ କବଳରୁ ମୋତେ ମୁକ୍ତ କରି ମୋର ଜୀବନ ପଥ ସୁଗମ୍ୟ କରି ଜଣେ ଉପଯୁକ୍ତ ପିତାଙ୍କ ଭୂମିକାକୁ ସୁଦୃଢ ଭାବେ ଚରିତ୍ରାର୍ଥ କରିପାରିଛନ୍ତି ବର୍ତ୍ତମାନ ଆମ ଖାନଦାନର ଭବିଷ୍ୟତ ଦାୟାଦ ସୃଷ୍ଟି କରି ବଂଶ ରକ୍ଷଣ ମୋର ପରମ ଧର୍ମ । "


ପ୍ରାୟ ଏକ ମାସ ପରେ ବିବାହ ତିଥି । ଏହା ଥିଲା ଏକ ଆଦର୍ଶ ବିବାହ ।ବିନା ଜାତକ ଦେଖାରେ ତଥା ବିନା ଯୌତୁକ ଦାବୀରେ ସର୍ବ ମଙ୍ଗଳ ଜଗନ୍ନାଥଙ୍କ ନାମରେ ବିବାହ କାର୍ଯ୍ୟ ସମାପନ ହୋଇଥିଲା ଭାଇ ବନ୍ଧୁ କୁଟୁମ୍ବ ସାହି ପଡ଼ିଶା ସମସ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ ଅବଧାନରେ । ସମସ୍ତ ଖର୍ଚ୍ଚ ଗିରିଶ ବାବୁ ବହନ କରିଥିଲେ । ବିରାଟ ଭୋଜୀର ଆୟୋଜନ କରାଗଲା ଯେଉଁଥିରେ ବଫେ ପ୍ରଥାର ଅନୁକରଣ ଆଦୌ ହୋଇ ନଥିଲା । ସମସ୍ତଙ୍କ ସଦିଚ୍ଛା ଓ ଆଶୀର୍ବାଦ ରେ ନବ ଦମ୍ପତି ସନତ ଓ ସୁନିତାଙ୍କ ସୁଖ ସଂସାର ଗଢ଼ି ଉଠିଲା । ଭବିଷ୍ୟତରେ ଦୁଇଟି ପୁତ୍ର ଓ ଦୁଇଟି କନ୍ୟାଙ୍କର ପିତାମାତା ରୂପେ ନିଜ ବଂଶର ସ୍ଥିତିକୁ ମଜବୁତ କରି ଗିରିଶ ବାବୁ ଓ କମଳା ଦେବୀଙ୍କ ନାମ ଆଲୋକିତ କଲେ । ପରିବାର ଓ ଶିଳ୍ପ ଅନୁଷ୍ଠାନର ସମସ୍ତ ଦାୟୀତ୍ୱ ବହନ କରି ତିନୋଟି ସନ୍ତାନଙ୍କ ପିତା ଭାବେ ଗୌରବ ମଣ୍ଡିତ କରିପାରିଲେ ନିଜକୁ । ଇସ୍ପାତ ନଗରୀର ସମସ୍ତ ବାସିନ୍ଦାଙ୍କ ମୁହଁରେ ସ୍ବର୍ଗତ ଶିଳ୍ପ ପତି ଗିରିଶ ବାବୁଙ୍କ ଯୋଗ୍ୟ ପୁତ୍ର ସନତବାବୁଙ୍କ ଭୁରି ଭୁରି ପ୍ରଶଂସା ଅଦ୍ୟାବଧି ଇସ୍ପାତ ନଗରୀ ଉପକଣ୍ଠକୁ ମୁଖରିତ କରି ଚାଲିଛି ।



Rate this content
Log in

Similar oriya story from Inspirational