Sangeeta Barik

Inspirational

5.0  

Sangeeta Barik

Inspirational

କର୍ମ ହିଁ ଈଶ୍ୱର

କର୍ମ ହିଁ ଈଶ୍ୱର

2 mins
427


ପାଦରେ ସ୍ପର୍ଶ ପାଇ ଖବରକାଗଜ ଉପରୁ ମୁହଁ ଉଠେଇ ଦେବେନ୍ଦ୍ର ବାବୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ସନିଆକୁ ।ସେ ସାଷ୍ଟାଙ୍ଗ ପ୍ରଣିପାତ ମୁଦ୍ରାରେ ଥିଲା । କିଛି ନବୁଝି ପାରି ପଚାରିଲେ


-ଆରେ ସନିଆ ! କଣ ହୋଇଛି ତୋର ?


-ଆପଣ ମୋତେ କ୍ଷମା କରିଦିଅନ୍ତୁ ବାବୁ ।


-କ୍ଷମା କଣ ପାଇଁ ? ସବୁକଥା ପରିଷ୍କାର କରି କହିଲେ ସିନା ମୁଁ ବୁଝିବି । ତୁ ମୋ ପାଦ ଛାଡି ବସ୍ । ପରିଷ୍କାର କରି ସବୁ କଥା କହ ।

-ଆପଣ ବହୁତ ଥର ମୋ ଘରକୁ ଆସିଛନ୍ତି ମୋତେ ଡାକିବାକୁ ଚାଷ କାମ ପାଇଁ । କିନ୍ତୁ ମୁଁ ଅଧମ ଆପଣଙ୍କ କଥା ଶୁଣି ନାହିଁ । ଓଲଟି କେତେ କଥା କହିଛିଯେ ମୋର ପରଘରେ କାମ କରିବାର ଆବଶ୍ୟକତା ନାହିଁ । ସରକାର ଆମକୁ ଟଙ୍କିକିଆ ଚାଉଳ ଦେଉଛି । ଖାଇପିଇ ଆମେ ସବୁ ଆରାମରେ ରହିବୁ ।


-ହଁ କଅଣ ହେଲା ସେଇଠୁ । କଣ ଟଙ୍କିକିଆ ଚାଉଳ ବନ୍ଦ ହୋଇଗଲା ?

-ନାଁ । ସେହି ଭାତ ଗୁଣ୍ଡାକ ଖାଇବା ପାଇଁ ତରକାରିର ଆବଶ୍ୟକତା ଅଛି । କିଛି ନହେଲେ ଗୋଟିଏ ପିଆଜର ଆବଶ୍ୟକତା ଅଛି । ଏବେତ ଏସବୁର ଯେଉଁ ଦର ମୋ ଭାତ ଗୁଣ୍ଡାକ ତଣ୍ଟି ପାରଉନି ।


-ଆଛା ଏଇ କଥା ନା ଆଉ କିଛି ଅଛି ? 


ଏଥର ଭୋ ଭୋ ହୋଇ କାନ୍ଦି ପକାଇଲା ସନିଆ । ଗାମୁଛାରେ ଆଖି ପୋଛି ପୁଣି କହିବାକୁ ଆରମ୍ଭ କଲା ।


-ତିରିଲାଟି ମୋର ବହୁତ ହାଲି ଯାଇଛି । ଘରକାମ କରିବାକୁ ବଳ ପାଉନି । ଡାକ୍ତର ପାଖକୁ ନେଇଥିଲି ।ଖାଦ୍ୟ ଅଭାବରୁ ତାର କାଳେ ଏମିତି ଅବସ୍ଥା ହୋଇଛି । ମୋର ମଧ୍ୟ ଆଣ୍ଠୁ ଦରଜ ହେଉଛି । କାମ ନକରିବା ଯୋଗୁଁ ଦେହ ମୋଟା ହୋଇଯାଇଛି । ଆଉ ଦେହର ଭାର ଆଣ୍ଠୁ ସହି ପାରୁନାହିଁ । ତେଣୁ ମୋର କାମ ଦରକାର । ଗୁଜୁରାଣ ମେଣ୍ଟାଇବା ପାଇଁ କିଛି ପଇସା ଦରକାର । ଆପଣ ସେଦିନ କାମ ଓ ଅର୍ଥର ଗୁରୁତ୍ୱ ମୋତେ ବହୁତ ବୁଝେଇଥିଲେ ଆଉ ମୁଁ ଆପଣଙ୍କୁ ହେୟଜ୍ଞାନ କରିଥିଲି । ଏବେ ମୁଁ ମୋର ଭୁଲ୍ ବୁଝିପାରିଛି ।

-ହଉ ହେଲା । ଆଉ ସବୁ କଣ ବୁଝିଛୁ କହିଲୁ ।


-କିଛି ପଇସା ସଞ୍ଚିଲେ ପିଲାମାନଙ୍କୁ ଅଧିକ ପାଠ ପଢେଇବି । ସେମାନଙ୍କ ବାହାଘର ଧୁମଧାମରେ କରିବି । ଆବଶ୍ୟକ ପଡିଲେ କାହାକୁ ସାହାଯ୍ୟ ମଧ୍ୟ କରି ପାରିବି ।


-ଆରେ ବାଃ ଆମ ସନିଆର ତ ବହୁତ ବୁଦ୍ଧି ହୋଇଗଲାଣି । 


-ନା ବାବୁ ! ମୋ ଛୋଟ ମୁଣ୍ଡରେ ଏତେ ବୁଦ୍ଧି କାହିଁ ।ଆପଣ ବୁଝେଇ ଥିବା ସବୁ କଥା ମୁଁ ଏବେ ହେଜୁଛି ।


-ହା ହା ହା । ଆଉ କଣ ଜାଣିଛୁ କହ ।

-ସେଇ ଆପଣ ଦେଇଥିବା ଶିକ୍ଷା । କାମ କଲେ ମୁଁ ସୁସ୍ଥ ରହିବି । ମୋ ପରିବାରକୁ ମଧ୍ୟ ସୁସ୍ଥ ରଖିବି । ସମସ୍ତେ ଏହା ବୁଝି ପାରିଲେ ପରିବାରର, ଗାଁର ଓ ସମାଜର ଉନ୍ନତି ହେବ ।


ମୁରୁକି ମୁରୁକି ହସୁଥିଲେ ଦେବେନ୍ଦ୍ର ବାବୁ । ପକେଟରୁ ଗୋଟେ ପାଞ୍ଚଶହ ଟଙ୍କିଆ ନୋଟ୍ ବାହାର କରି ବଢେଇ ଦେଲେ ସନିଆ ଆଡକୁ । 

-ଏଇଟା ନେ ଘର ପାଇଁ କଣ ଦରକାର କିଣିବୁ । ପରେ କାମ କରି ସୁଝିଦେବୁ । ବିଲରେ ଧାନ ଅଧିକ ପାଚି ଝଡିବା ଆରମ୍ଭ ହେଲାଣି । ତେଣୁ ତୁ କାଲି ତମ ସାହିରୁ କିଛି ଲୋକ ଯୋଗାଡ କରି ଆଣି ଧାନ କାଟିବା ଆରମ୍ଭ କରିଦେ ।


ଆଜ୍ଞା ବାବୁ କହି ଟଙ୍କାଟିକୁ ମୁଣ୍ଡରେ ଦୁଇ ତିନି ଥର ମାରି ଫେରିଲା ସନିଆ କିଛି ଗୁଣୁଗୁଣୁ କରି । ବୋଧେ କିଛି ମନ୍ତ୍ର ପଢୁଥିଲା -

       କର୍ମ ହିଁ ଈଶ୍ୱର ।

       କର୍ମ ହିଁ ଈଶ୍ୱର ।

       କର୍ମ ହିଁ ଈଶ୍ୱର ।


Rate this content
Log in

Similar oriya story from Inspirational