Satyabati Swain

Inspirational

3  

Satyabati Swain

Inspirational

କ୍ରାନ୍ତି

କ୍ରାନ୍ତି

4 mins
590



ମୁଁ ହୋ ହୋ ହୋଇ ହସି ଉଠିଲି । ବିଜ୍ଞାନ ତମେ ବି ନା...ଛୁଆଙ୍କ ପରି ଜିଦ୍ କରୁଛ । ତୁମେ ମୋର ଜଣେ ଭଲ ବନ୍ଧୁ । "ବିଜ୍ଞାନ ବିପ୍ଳବ" ,ଜଣେ ସୁନାମ ଧନ୍ୟ ଡାକ୍ତର ମୋ ବନ୍ଧୁ;ଏଇଟା କମ୍ ବଡ଼ କଥା,ନୁହେଁ କି?ତୁମେ ଜାଣିଛ ଏଇ ଦୁନିଆଁ ମୋତେ କଣ କଣ କୁହେ??


ମୋତେ ସମସ୍ତେ କୁହନ୍ତି ଅଣ୍ଡିରି ଚଣ୍ଡି,ଉଦଣ୍ଡି, ଘୋଡା ମୁହିଁ,ବାଜେ ,ମୁଖୁରା,କଳିହୁଡ଼ି,ବେସରମ ,ଉପରମୁହିଁ,ଫାଜିଲ୍ ଝିଅଟା ।


ଅଣ୍ଡିରି ଚଣ୍ଡି ଏଇଥି ପାଇଁ ଯେ ଝିଅ ପିଲାଙ୍କ କାମ ସହ ସମସ୍ତ ପୁଅ ପିଲା କାମ ବି କରେ । ଏଇ ଯେମିତି ବାଇକି ଚଢ଼ିବା,ପହଁରିବା,ହଳ କରିବା ଏବଂ ଟ୍ରାକ୍ଟର ଚଲେଇବା,ମଲ୍ଲ ଯୁଦ୍ଧ କରିବା । ଏ ବରଷ କୋବି ଚାଷ କରି ପଚାଶ ହଜାର,ପିଆଜ ଚାଷରେ ଏକ ଲକ୍ଷ,ଆଳୁ ଷାଠିଏ ହଜାର କମେଇଁଛି । ଆଉ ସବୁଠାରୁ ବଡ଼ କଥା ରାତି ଦଶ କି ଏଗାରଟା ହେଲେ ବି ମୁଁ ଏକା ଏକା ବହୁଦୂର ବାଇକି ଚଢି ଯାଇ ପାରେ ନତୁବା ଆସି ପାରେ । ଯେମିତି ପୁଅ ମାନେ ନିଦକରେ ରାତିକୁ ଭୟ ନକରି ଯିବା ଆସିବା କରନ୍ତି । ବାପା ଅତ୍ୟଧିକ ସୁଗାର ରୋଗୀ ସହ ମୂତ୍ରଶୟ ଖରାପ । ସପ୍ତାହକୁ ଥରେ ଡାଏଲେସିସ୍ କରିବାକୁ କଟକ ନିଆଯାନ୍ତି । ପାଖା ପାଖି ଦଶ ଲକ୍ଷରୁ ଉର୍ଦ୍ଧ ଖର୍ଚ୍ଚ ସରିଲାଣି । ସବୁ ମୋ କମେଇଁ ରୁ ହୁଏ । ମା ସ୍ତନ କର୍କଟ ରୋଗୀ । ମୁମ୍ବେଇରେ ଅପେରେସନ୍ କରି ଆଣିଛି । ସେ ଏବେ ଭଲ ଅଛି । ବର୍ଷକୁ ଚାଷରୁ ମୁଁ ଦଶରୁ ପନ୍ଧର ଲକ୍ଷ କମାଏ । ସବୁ ବାପା ମାଙ୍କ ଔଷଦ ପତ୍ରରେ ଯାଏ ।


ଅଣ୍ଟାରେ ଲୁଗା ଭିଡି ମୁଁ ଦଶଟି ମରଦଙ୍କର କାମ ଏକା ଏକା କରି ପାରେ । ତିନୋଟି ଟ୍ରାକ୍ଟର,ଧାନ,ବୁଣା,କଟା,ବାଡେଇବା ମେସିନ କିଣି ନିଜ ଚାଷ କାମରେ ଲଗାଇବା ସହ ଭଡାରେ ବି ଦିଏ । ଏ ସବୁ ବୁଝା ଶୁଣା କରିବାକୁ ତିନି ଜଣ ମଣିଷ ମାସକୁ ଦଶ ହଜାରେ ଲେଖାଏଁ ଦରମା ଦେଇ ରଖିଛି । ଚାଷ ବାସ ବୁଝନ୍ତି ଆଉ ଦୁଇ ଜଣ ଲୋକ । ଚାରିଶହ ସାତ ଟ୍ରକଟିଏ ବି କରିଛି ଜିନିଷ ପତ୍ର ନେବା ଆଣିବା ପାଇଁ । ଏ ସବୁ ମରଦ ପୁଅର କାମ କୁଆଡେ । ମୁଁ ସମାଜର କି ସମାଜ ମଣିଷଙ୍କର କଥାକୁ ଖାତିର କରେ ନାହିଁ । କାମକୁ କାମ ଭାବି କରେ । ମୋ ନିଜ ରୋଗୀ ବାପମାଙ୍କ ଭଲ ଭାବେ ଚିକିତ୍ସା କରିବା ସହ ଆଉ କେତେ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛି । ଯେଉଁ ମାନେ ଚାକିରି ଆଶାରେ ଦାଦନ ଖଟିବାକୁ ଯାଇ ନିଜ ଜୀବନରୁ ହାତ ଧୋଉ ନାହାନ୍ତି । ଖୁବ୍ ଭଲରେ ଚଳୁଛନ୍ତି ମୋ ସହ କାମ କରି । ସ୍ୱାଧୀନ,ବିନ୍ଦାଶ ଜୀବନ ଜିଉଁଛନ୍ତି ।


ଅତଏବ ଅଣ୍ଡିରି ଚଣ୍ଡି ଡେଜିଙ୍ଗ୍ ନେସନ୍ଟି ମୋ ନାଁ ଆଗରେ ଯୋଡି ଦିଆଯାଇଛି ।


ଉଦଣ୍ଡି କୁହନ୍ତି ମୁଁ ପଚିଶି ବର୍ଷର ଝିଅଟି ହେଲେ ବି ଦୌଡା ଦୌଡ଼ି କରେ,ପୁଅଙ୍କୁ ମଲ୍ଲ ଯୁଦ୍ଧରେ ଚିତ୍ ପଟାଙ୍ଗ କରିଦିଏ । ଶହେ ହାତୀର ବଳ ମୋ ଦେହରେ । ନଡ଼ିଆ ଗଛରେ ଚଢ଼ି ନଡ଼ିଆ ପାରେ । ଏଣୁ ଉଦଣ୍ଡି ଷଣ୍ଢ । ମୁଁ ଯେତେବେଳେ ହସେ ମନ ଖୋଲି ହସେ । ହେଁ ହେଁ ହୋଇ ଘୋଡା ପରି କୁଆଡେ ମୁଁ ହସେ । ଲୋକେ କୁହନ୍ତି ଘୋଡା ମୁହିଁଟା ।


ଭଲା ପୁଅ ମୁହଁରେ ଜବାବ ଦିଏ ମୁଁ । ମୋ ଦେହରେ ଅନ୍ୟାୟ,ମିଛ ଯାଏନି । ଅନ୍ୟାୟ ଦେଖିଲେ ବଜାଏ ଢୋ ଢୋ । ଥରେ ପୋଲିସ୍ ବାବୁ ଆମ ଗାଁ କୁ ଆସି ବୁଲା କକେଇଙ୍କୁ ବାନ୍ଧି ନେଲେ ଦୋଷ କଣ ନ କହି । ଶାଳା..ସବୁ ଗାଁ ଲୋକଙ୍କୁ ଏକାଠି କରି କଲେକ୍ଟରଙ୍କ ପାଖକୁ ଯାଇ ଏମିତି ହୋ ହାଲ୍ଲା କଲି ଯେ ଅଧ ଘଣ୍ଟାଏ ଭିତରେ ବୁଲା କକେଇଙ୍କୁ ଛାଡିବାକୁ ବାଟ ପାଇଲେନି ପୋଲିସ୍ ବାବୁ । ଏମିତି ଶାଳାଙ୍କୁ ଦୋ ଅକ୍ଷରୀ ଝାଡ଼ିଲି ଯେ ବାପା ବାହା ଘର ମନେ ପକେଇ ଦେଲି । ଆରେ ବୁଲା କକେଇ ଟି ସାଧା ସିଧା ମଣିଷ । କିଏ କଣ ଲଗେଇ ଜୁଟେଇ କହିଦେଲେ ବୋଲି ବିନା ପ୍ରମାଣରେ ତୁମେ ଖାକି ପୋଷାକର ଅପବ୍ୟବହାର କରିବ?ଏଣୁ ମୁଁ ଉଦଣ୍ଡି,ମୁଖୁରା, ବେସରମ ଝିଅ ।


ମୋ ମା ଜନ୍ମ କଲା ବେଳେ ମୋ ମୁହଁରେ ନାହି ଘଷିନି କୁଆଡେ । ସେଇଥିପାଇଁ ଏତେ ନିର୍ଲଜ୍ଜ ହୋଇଛି କୁହନ୍ତି । ମାଇଚିଆ ଗୁଡା ପୋଲିସ୍ କି ବାବୁ ଅଫିସର୍ ଦେଖିଲେ ଡକା ପକେଇବେ ମୋତେ । ବିପଦ ଟଳି ଗଲେ ମୁଁ ହୋଇଯାଏ କଳିହୁଡ଼ି,ଆଜେ ବାଜେ ଝିଅ ।


ନଷ୍ଟଚରିତ୍ରା,ବେସରମ ଏଇଥିପାଇଁ ଯେ ମୁଁ ମରଦ ଗହଣରେ ମିଶି କାମ କରେ । ହେଁ ହେଁ ଫେଁ ଫେଁ ହୁଏ । ଚାସ୍ ବି ବାଡାଉ ସାଙ୍ଗ ହୋଇ । ଭୋଜି କରି ଠିପିଏ ଲେଖା ମାରୁ ,ଝୁମୁ ।


ମୁଁ ନିଜକୁ କୌଣସି ଦିନ ଝିଅ କି ପୁଅ ଭାବି ନାହିଁ । ନିଜକୁ ଜଣେ ମଣିଷ ଭାବିଛି । ମୋ ବାପା ମାଙ୍କ ମୋ ଛଡା କେହି ଆଗକୁ ନାହାନ୍ତି କି ପଛକୁ ନାହାନ୍ତି । ମୁଁ ତାଙ୍କର ପୁଅ,ଝିଅ । ତାଙ୍କୁ ଔଷଧ ପତ୍ର ସହ ଖୁସିରେ ରଖିବାକୁ ପଣ କରିଛି । ହେଉ ଦିଲ୍ଲୀ କି ବମ୍ବେ ସବୁ ଜାଗାକୁ ଏକା ଏକା ସାହସ କରି ଭଲ କରିବାକୁ ନେଇଛି । କେତେବେଳେ ଟ୍ରେନରେ ଯାଇଛି ତ କେତେ

ବେଳେ ଚଢେଇ ପରି ରୋଗୀଣା ବାପା ମାଙ୍କୁ ଉଡାହାଜରେ ନେଇ ଏକା ଏକା ଉଡ଼ିଛି । ସେଇଥି ପାଇଁ ତ ମୁଁ ଉପରମୁହିଁ ।


ହଁ ମୁଁ କ୍ରାନ୍ତି ଶ୍ରୀବାସ୍ତବ; କିନୁ । ମୋ ଆଚାର,ବିଚାର ଓ ବ୍ୟବହାର ଅନ୍ୟ ଝିଅ ମାନଙ୍କ ଠାରୁ ଢେର ଅଲଗା । ମୁଁ ମାନେନି ସେଇ ନିୟମ ଯାହା ମୋତେ ଝିଅ କରିଦେବ ଓ ଅନ୍ୟର ଅନୁଗ୍ରହ,ଦୟା,ସାହାଯ୍ୟ ଲୋଡିବି । ଲୁହ ଗଡେଇ ସକେଇ ହେବି । ଚାଳିବାକୁ ନା ପସନ୍ଦ ମୋର ସମାଜ ଝିଅ ମାନଙ୍କ ପାଇଁ ଟାଣିଥିବା ଲକ୍ଷ୍ମଣ ରେଖା । ମୁଁ କୌଣସି ଦିନ ବାଧ୍ୟ ନୁହେଁ ଚାଲିବାକୁ ସମାଜ ତିଆରି କରିଥିବା ଶଗଡ଼ ଗୁଳାରେ ।


ମୁଁ ...ମୁଁ । ନିଜକୁ ବୁଝିଥିବା,ନିଜ ସାମର୍ଥ୍ୟକୁ ଚିହ୍ନି କାମ କରୁଥିବା ଜଣେ ମଣିଷ । ମୋର ପରିଚୟ ଝିଅ ଭିତରେ ସୀମିତ ନୁହେଁ । ଗୋଟେ ଝିଅ ହଜାର ପୁଅଙ୍କ ଉପରେ ଭାରି ପଡି ପାରେ,ଏ କଥା ଅକ୍ଷର ଭିତରେ କି ସ୍ଲୋଗାନରେ ନୁହେଁ କାମରେ କରି ଦେଖାଇ ଦେବା ମୋର ଏକମାତ୍ର ଲକ୍ଷ୍ୟ । ପାଠରେ ବି ମୂର୍ଖ ନୁହେଁ । ଲାଇଫ୍ ସାଇନ୍ସର ସ୍ନାତକତ୍ତୋର ମୁଁ ।


ନକଲିଆ ଆଈ ଅଜା ମାନେ କୁହନ୍ତି ହଇଲୋ କେଉଁ ପୁଅ ତୋତେ ଘରଣୀ କରିବାକୁ ମଙ୍ଗିବ?କେହି ତୋ ହାତ ଧରିବାକୁ ମଙ୍ଗିବେବେ ନାହିଁ ଲୋ ସିନୁ । ତୋ ନାତ କିଏ ସହିବ ଲୋ ମା । ସେମିତି ଅଭିଆଡ଼ି ହୋଇ ବୁଢ଼ୀ ହେବୁ ଲୋ ରଇଥା ।


ଆଉ ତୁମେ "ବିଜ୍ଞାନ"କଣ କହୁଛ ନା ମୋତେ ଭଲ ପାଅ?ଏ ପାଗାଳାମୀ ଛାଡି ଦିଅ । ଆମେ ଖୁବ୍ ଭଲ ବନ୍ଧୁ ହୋଇ ରହିବା । ବୁଝିଲ ପାଟି... । ମୋ ଭଳି ଝିଅ କଣ ଘର ସଂସାର କରି ପାରନ୍ତି ।


"ବିଜ୍ଞାନ" ମୋ ହାତ ଧରି ପକାଇ "କହିଲେ କ୍ରାନ୍ତି ମୁଁ କଣ ତୁମ ପସନ୍ଦ ନୁହେଁ?ଯଦି ନୁହେଁ କହିଦିଅ ଚାଲିଯିବି । କିନ୍ତୁ ତୁମେ କଣ ମୋତେ କହି ସଫେଇ ଦିଅନି । କୋଟିଏ ଯୁଗରେ ତୁମ ପରି ଗୋଟିଏ ଝିଅ ଜନ୍ମ ନିଅନ୍ତି । ତୁମେ ନାରୀ ଜାତିର "ମଶାଲ" । ବିଜ୍ଞାନ ବିପ୍ଳବ ଓ କ୍ରାନ୍ତି ମିଶିଗଲେ ନୂଆ ଯୁଗଟିଏ ଆରମ୍ଭ ହେବ । ମୋତେ ନିରାଶ କରନି,କ୍ରାନ୍ତି ।


କ୍ରାନ୍ତି ସବୁ ଖୋଳପା ଫିଙ୍ଗି ଜୀବନ ସାଥିଟିଏ ହୋଇଯାଉଥିଲା ବିଜ୍ଞାନ ବିପ୍ଳବଙ୍କର । ଲୋକ ମାନେ ଟେରା ହୋଇ ଅନେଇଁ କୁହା କୁହିଁ ହେଉଥିଲେ ଈଶ୍ୱର ରାଜା ଛୁଆ ପରି ରୂପର,ଗୁଣର ବରଟିଏ ଏ ଉଦଣ୍ଡି ,ଚଣ୍ଡି ପାଇଁ ରଖିଥିଲେ ତ....... ।




Rate this content
Log in

Similar oriya story from Inspirational