Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Shanti Mishra

Inspirational


1.9  

Shanti Mishra

Inspirational


କପେ ଚା'ର ବାସ୍ନା

କପେ ଚା'ର ବାସ୍ନା

5 mins 521 5 mins 521



ଦିନେଶ୍ ବାବୁଙ୍କୁ ଆଉ ଏବେ ସ୍ତ୍ରୀ ମେନକାଙ୍କ କେବେ ପାଣିଚିଆ, କେବେ ସିରା, କେବେ କଡା, କେବେ କଷା ଚା’ ପି ଅଫିସ୍ ଯିବାକୁ ପଡୁନି l ଯେବେଠୁ ‘ଗୌରୀ’ ଆସି ତାଙ୍କ ଅଫିସ୍ ସାମ୍ନା ବରଗଛ ମୂଳେ ଚା’ ବିକିବା ଆରମ୍ଭ କରି ଦେଇଛି l ତା ମାଟି କପ ଚା’ର ବାସ୍ନା ପୁରା ଆଖ ପାଖରେ ମହକି ଯାଏ l ଦୁଇ ବର୍ଷ ପାଖା ପାଖି ହୋଇ ଗଲାଣି ସେ ଏଇଠି ଆସି ରୀତିମତ ଚା’ ପିଉଛନ୍ତି l

ଛୁଟି ଦିନରେ ବା ଶନିବାର ରବିବାରରେ ଘରେ ରହିଲେ ସ୍ତ୍ରୀଙ୍କ ହାତ ତିଆରି ଚା’ ପି ସାରି ତା ପର ଦିନ ଅଫିସ୍ ଆସି ଗୌରୀର ହାତ ତିଆରି ଚା’ ପିଇଲେ ଅମ୍ବୃତ ପରି ଲାଗେ l ସ୍ତ୍ରୀ ମେନକା କେବେ ଚା’ କି କଫି କିଛି ପିଅନ୍ତିନି ତେଣୁ ସେସବୁର ସ୍ବାଦ ସେ କେବେ ବୁଝନ୍ତିନି l ତାଙ୍କ ମତରେ ଏସବୁ ନିଶା ଦ୍ରବ୍ୟର ଅନ୍ତର୍ଭୁକ୍ତ l ଦେହ ଖରାପ କରେ l ଥରେ ପିଇଲେ ଛାଡିବା ସହଜ ନୁହେଁ l ଯିଏ ଏସବୁର ସ୍ବାଦ ଜାଣେନା ତାକୁ ବୁଝେଇବା ସମୟ ନଷ୍ଟ କେବଳ l ତେଣୁ ସେ ମେନକାଙ୍କ କଥାର କିଛି ଉତ୍ତର ଦିଅନ୍ତିନି l

ଗୌରୀ ହାତର ଅଦା, ତେଜପତ୍ର, ଗୁଜୁରାତି ଦିଆ ଚା’ ଚାଖିଲା ପରେ ସେ ଆଉ ମେନକାଙ୍କ ହାତ ତିଆରି ଚା’ ଘରେ ଯାଇ ପିଅନ୍ତିନି l ଅଫିସ୍ ଆରମ୍ଭ ପୂର୍ବରୁ ଶୀଘ୍ର ଚାଲିଆସି ଥରେ ଚା’ ଘରକୁ ଫେରିବା ପୂର୍ବରୁ ଥରେ ଏଇଠି ଚା’ ପି ଦେଇ ଯାଆନ୍ତି l ହୋଇଯାଏ ତାଙ୍କର ଦିନ ତମାମର ଚା’ ପିଆ l ଘରେ ଯାଇ ଝମେଲା କରିବାର ମାନେ କିଛି ନାହିଁ l ମେନକା ବି ଖୁସି ସେ ବି ଖୁସି l ସବୁଦିନ ଚା’କୁ ନେଇ ତାଙ୍କ ରୋଜ୍ ରୋଜ୍ ଆକ୍ଷେପୋକ୍ତିରେ ମେନକା ଯେତିକି କ୍ଷୁବ୍ଧ ସେ ବି ସେହି ସେହି କଥାକୁ ବାରମ୍ବାର କହି କହି ସେତିକି ଅସନ୍ତୁଷ୍ଟ l

ଗୌରୀର ବୟସ ବାର ତେର ବର୍ଷ ଭିତରେ l ବୁଢୀ ମାଆଟି ଆସି ପାଖରେ ଛିଣ୍ଡା କମଳଟିଏ ଘୋଡେଇ ହୋଇ ବସିଥାଏ ପାଖରେ l ଦାରିଦ୍ରତା ଓ ରୋଗ ତାର ବୟସକୁ ବହୁତ ବଢେଇ ଦେଇଥାଏ l ଏକୁଟିଆ ଝିଅକୁ ଛାଡିବାକୁ ଏ ସହର ଭିତରକୁ ସାହସ କରି ପାରେନା ତେଣୁ ତା ସାଥିରେ ଆସେ ସେଇ ପାଖରେ ଶୋଇ ଯାଏ ଥକା ଲାଗିଲେ l ସକାଳ ଆଠରୁ ଦିନ ଚାରିଟା ଅଫିସ ସରିବା ଯାଏ ଚା ବିକି ଘରକୁ ଫେରନ୍ତି l

ଦିନେଶ୍ ବାବୁ ଦୟା କରି ଝିଅ ଟିକୁ ମଝିରେ ମଝିରେ ରେଜା ନାହିଁ କହି ଅଧିକ ପଇସା ତାକୁ ଦେଇ ଦିଅନ୍ତି l ବେଳେ ବେଳେ ସମୟ ଥିଲେ ତା ସଂଗେ କଥାବାର୍ତ୍ତା ବି କରନ୍ତି l ମା’ର ଦେହ ପା ଖବର ବି ବୁଝନ୍ତି l ଏକ ଆତ୍ମୀୟତା ଭାବ ବଢି ଗଲାଣି l ତାର ଭବିଷ୍ୟତର ଲକ୍ଷ୍ୟ ବିଷୟରେ ବି ପଚାରନ୍ତି l ଗୌରୀର ଅନ୍ୟ ଝିଅ ମାନଙ୍କ ପରି ପାଠ ପଢି ଏମିତି ଅଫିସରେ ଯାଇ କାମ କରିବାକୁ ଭାରି ଇଚ୍ଛା l

ଦିନେ ତା ହାତରୁ ଚା’ ନପିଇଲେ ଦିନ ସରେନା ଦିନେଶବାବୁଙ୍କର l ଗୌରୀର ଗ୍ରାହକ ସଂଖ୍ୟା ବି ଦିନକୁ ଦିନ ବଢି ଚାଲିଛି l ତା କପେ ଚାର ବାସ୍ନାର ଚର୍ଚ୍ଚା ଅଫିସ୍ ଭିତରେ ବେଶ୍ ହୁଏ l ବେଶୀ ଏଇ ଦିନେଶବାବୁଙ୍କର ହାତ ଅଛି ଏଇ ପ୍ରଚାର ପ୍ରସାର ପଛରେ l ସେ ଏମିତି ବଢେଇ ଚଢେଇ ଗପନ୍ତି ଯେ ଚା’ ନପିଇଲା ଲୋକ ବି ଆସି ଚା’ ପିଇବାକୁ ଇଛା କରେ ଗୌରୀ ହାତରୁ l

ଅଫିସକୁ ଏବେ ନୂଆ ମ୍ୟାନେଜର ଜଣେ ଆସିଗଲେ l କର୍ମଚାରୀଙ୍କ ବାହାରେ ଯାଇ ଚା’ ପିଇବାରେ ବେଶୀ ସମୟ ଯାଉ ଥିବାର ଦେଖି ବେଶ୍ ବିରକ୍ତ ହେଲେ l ଖାଲି ସେତିକି ନୁହେଁ ତାପରେ ଅଫିସର ପ୍ରତି ମହଲାରେ ଦୁଇ ଦୁଇଟା ଭେଣ୍ଡିଙ୍ଗ ମେସିନ୍ ଲଗେଇ ଦେଲେ l ଆଉ ବାହାରକୁ ଯାଇ କେହି ଚା’ ପିଇ ପାରିବେନି ବୋଲି ନୋଟିସ୍ ମଧ୍ୟ ଲଗେଇ ଦେଲେ l ଚବିଶ ଘଣ୍ଟା ମେସିନରୁ ଚା’ ବାହାରିବ, ସେ ବି ଗୋଟାଏ ମିନିଟ୍ ରେ ରେଡି l

ଭେଣ୍ଡିଙ୍ଗ ମେସିନର ଚା’ର ବାସ୍ନା ଆଉ ସ୍ବାଦ ସବୁଦିନ ଏକା ପରି l ବାହାରେ ଯାଇ ଗୌରୀର ହସ ହସ ମୁହଁରେ ପରସୁଥିବା ଚା’ ପିଇବାରେ ଯୋଉ ମଜା ଥିଲା ଏ ଭେଣ୍ଡିଙ୍ଗ ମେସିନରେ ସେ ମଜା କାହିଁ?

ଦିନେଶବାବୁ କିନ୍ତୁ ସକାଳୁ ଶିଘ୍ର ଆସି ଗୌରୀ ହାତରୁ ହିଁ ଚା’ ପିଅନ୍ତି l ତାଙ୍କର ଦିନକୁ ଦୁଇଥର ଦରକାର l ଅଫିସ ସରିଲା ପରେ ଘରକୁ ଯିବା ପୂର୍ବରୁ ଆଉ ଥରେ ଚା’ ପି ଦେଇ ଯାଆନ୍ତି l ଭେଣ୍ଡିଙ୍ଗ ମେସିନ୍ ତାଙ୍କର ଦରକାର ନାହିଁ l କିନ୍ତୁ ବିଚାରି ଗୌରୀର ଗ୍ରାହକ ସଂଖ୍ୟା କମି କମି ଗଲେ l ସେଇ ଚା’ ବ୍ୟବସାୟରୁ ଯାହା ଯେମିତି ମିଳୁଥିଲା ମା ଝିଅଙ୍କର ଘର ଖର୍ଚ୍ଚ ଚଳି ଯାଉଥିଲା l ଏବେ ଅସୁବିଧା ହଉଛି l ସେ ଅନ୍ୟ ଧନ୍ଦା କିଛି କରିବ ଶୁଣିଲା ପରେ ଦିନେଶ୍ ବାବୁଙ୍କ ମନ ଭାରି ଦୁଃଖ ହୋଇଗଲା କିନ୍ତୁ ସେ ବା କଣ କରି ପାରିବେ l

ମଝିରେ ତାଙ୍କୁ ଟିକେ ଜର ହେଇଗଲା ତିନି ଚାରି ଦିନ ଛୁଟି ନେଇ ଘରେ ରହି ଫେରିଲା ପରେ ଗୌରୀ ଆଉ ସେଠାରେ ଚା’ ବିକୁନି l ଦିନେ ଦି ଦିନ ଅପେକ୍ଷା କଲେ ନା ସେ ଆଉ ଆସିବନି l ତାକୁ ଅନ୍ୟ କୋଉଠି କାମ ମିଳିଗଲା ବୋଧେ l ତାଙ୍କୁ ଏଥର ମେନକାଙ୍କ ସେ ପାଣିଚିଆ ଚା’ ପାଖକୁ ଫେରିବାକୁ ହେବ ନଚେତ ଚା’ ପିଇବା ଛାଡିଦେବାକୁ ହେବ l ଦୁଇଟା ଯାକ ଅସମ୍ଭବ ପରି ଲାଗୁଛି l ସେ ହେଲେ ଗୌରୀ ଠାରୁ ତା ସ୍ଵାଦିଷ୍ଟ ଚା’ କରିବାର ଫର୍ମୁଲା ଶିଖି ଯାଇଥାନ୍ତେ ଭଲା ଏତେକ ଦିନ ଭିତରେ l ଜରୁଆ ପାଟି ଟା ଗୌରୀର ଚା’କୁ ଭାରି ଝୁରି ହଉଛି l

ସେଦିନ ଅଫିସରୁ ଫେରିଲା ପରେ ହଠାତ ଘର ସାରା ଗୌରୀର ଚା’ ପରି ଅଦା ତେଜପତ୍ର ଦିଆ ଚା’ ର ବାସ୍ନା ଆସୁଛି l ମନେ ମନେ ଖୁସି ହୋଇଗଲେ l ମେନେକା ବୋଧେ କାହଠୁ ଚା’ କରିବା ଶିଖି ଗଲେ କି କଣ l ଲୁଗାପଟା ନବଦଳେଇ ସିଧା ରୋଷେଇ ଘର ଭିତରକୁ ପସିଗଲେ l ଆରେ ଏତ ଗୌରୀ l ମେନକା କିଛି ମାସ ହୋଇଗଲାଣି ଜଣେ କାହାକୁ ଘର କାମ ରୋଷେଇବାସ କାମରେ ସାହାଯ୍ୟ କରିବା ପାଇଁ ଲୋକ ଖୋଜୁଥିଲେ ତାଙ୍କର ଆଜି କାଲି ଦେହ ହାତରେ ବହୁତ ବ୍ୟଥା ହଉଛି ସକାଳୁ ଉଠିବା ଟିକେ କଷ୍ଟ ଅନୁଭବ କରୁଛନ୍ତି l ଯିଏକି ସକାଳୁ ଆସି ରୋଷେଇ ବାସ କରି ଦେଇ ଯାଆନ୍ତା l

ଗୌରୀ ବି ଅନ୍ୟ କିଛି କାମ ଖୋଜୁଥିଲା l ତାକୁ ବୋଧେ ମେନକା କୋଉଠୁ କେମିତି ପାଇ ରଖି ନେଇଛନ୍ତି l ଭଲ ହେଲା l ସେ କିଛି ପଚାରିବା ପୂର୍ବରୁ ମେନକା କହିଗଲେ “ସେ ଏଇ ଝିଅକୁ ଆଜିଠାରୁ ରଖିଛନ୍ତି କାମରେ ସାହାଯ୍ୟ କରିବା ପାଇଁ l ବିଷ୍ନୁବାବୁଙ୍କ ଘରେ କାମ କରୁଥିବା ସ୍ତ୍ରୀ ଲୋକଟିର ସେ ଚିହ୍ନା l ସେହି ଆଣି ଏଠି ରଖେଇ ଦେଇ ଯାଇଛି l” ଭଲ ହେଲା ତାର ବି କାମ ଦରକାର ଥିଲା ମେନକାଙ୍କର ଲୋକ ଦରକାର ଥିଲା l ଆଉ ତାଙ୍କର ଗୌରୀ ହାତର ଚା’ ଦରକାର ଥିଲା l ସବୁ ସମସ୍ୟାର ସମାଧାନ ହୋଇଗଲା l ପୁଣି ଏତେ ସହଜରେ l

ଦିନେଶବାବୁ ଗୌରୀକୁ ଦେଖି ଯେତିକି ଖୁସି ହେଲେ ଗୌରୀର ଖୁସି ଦ୍ବିଗୁଣ l ହସି ହସି ଗଡିଗଲା ଖୁସିରେ l ଆସି ମୁଣ୍ଡିଆଟାଏ ବଡ ଜୋରରେ ମାରିଦେଇ କହିଲା ବାବୁ ମୁଁ ଯାଉଛି ଏଇଲେ ଗରମ ଗରମ ଆପଣଙ୍କର ଚା’ ସାଙ୍ଗକୁ ପକୁଡି ଛାଣି କରି ଆଣି ଦଉଛି l ମେନକା ଏ ହସରୁ କିଛି ନବୁଝିଲେ ବି ସେ ଖୁସି l ସମସ୍ତେ ଖୁସି ସମସ୍ତଙ୍କୁ ନିଜ ନିଜର ମନ ଚାହୁଁଥିବା ମିଳିଗଲା ବୋଲି l ଦିନେଶ ବାବୁ ଚା’ ପିଉ ପିଉ ଭାବୁଥିଲେ “ମଳୁ ଖୋଜୁଥିଲା କାକର ପାଣି ବୈଦ କହିଲା ଦେ ତୋଡାଣୀ l” ଏବେ ସବୁଦିନ ଗୌରୀ ହାତର ଚା’ l ପୁଣି ଯେତେବେଳେ ଇଚ୍ଛା ସେତେବେଳେ l କିନ୍ତୁ ସେ ତା ଦରମାରୁ କିଛି କିଛି ନେଇ ବ୍ୟାଙ୍କରେ ଗୌରୀ ନାମରେ ଜମା କରି ଦିଅନ୍ତି l ତା ଭବିଷ୍ୟତର ସ୍ବପ୍ନ ପୁରା କରିବା ପାଇଁ l



Rate this content
Log in

More oriya story from Shanti Mishra

Similar oriya story from Inspirational