Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Arati Sahoo

Inspirational


4  

Arati Sahoo

Inspirational


କୋରେଇ ଫୁଲର ବାସ୍ନା

କୋରେଇ ଫୁଲର ବାସ୍ନା

5 mins 611 5 mins 611

- ଏ ବାପା , ମୋତେ କେନ ଯାଗାଥି ଲୁଚେଇ ଦିଅ ଗୋ । ମୋର ବୁଆ ଯେନ୍ତା ଜାନି ନାଇଁ ପାରବ ।


ଷୋହଳ ବର୍ଷର ବଣୁଆଣି କିଶୋରୀ କୁରେଇ ଧାଇଁ ଆସି ମୋ ପାଦ ଯୋଡ଼ାକୁ ଭିଡି଼ ଧରିଲା । ତାର ବାପା ତାକୁ ଜୋର ଜବରଦସ୍ତି ବଣୁଆ ସର୍ଦ୍ଦାର ବାଘା ସହ ବିବାହ କରିଦେବ ବୋଲି ତାକୁ ଗୋଡାଇଛି । ତେଣୁ ସେ ମୋ ପାଖରେ ଶରଣ ପଶୁଛି ।


ସୁନ୍ଦରଗଡର ହେମଗିରୀର ଏକ ଜଙ୍ଗଲୀ ଗ୍ରାମରେ ମୁଁ ଏକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ ହୋଇଥାଏ । ବଣ ପାହାଡ଼ ଆଚ୍ଛାଦିତ ସୁନ୍ଦର ମନ ମୋହକ ସ୍ଥାନ । ମୋର ବାସସ୍ଥାନରୁ ଅଦୂରରେ ବହି ଯାଉଥାଏ ଏକ ପାହାଡି଼ ଝରଣା । ଶାଳ ,ପିଆଶାଳ ,ଡିମିରି , ମହୁଲ , ପଲାଶ , ଶିମିଳି ଇତ୍ୟାଦି ଗଛର ବେଷ୍ଟନିରେ ଜାଗାଟି ଅତ୍ୟନ୍ତ ମନୋରମ ହୋଇଥାଏ । ତା ଛଡ଼ା କୋରେଇ ଫୁଲର ବାସ୍ନାରେ ମନ ବିଭୋର ହୋଇ ଉଠୁଥାଏ । ଯେହେତୁ ଏହା ମାଓ ପ୍ରଭାବିତ ସ୍ଥାନ ତେଣୁ ମୋର ପରିବାରକୁ ମୁଁ ସାଙ୍ଗରେ ରଖିବାକୁ ଭୟ କରୁଥାଏ । କେବେ କେମିତି ଝିଅର ଛୁଟି ହେଲେ ଆଠ ଦଶ ଦିନ ପାଇଁ ଆସନ୍ତି ସେମାନେ ।


କୁରେଇ , ସାବନା ରଙ୍ଗର ସୁନ୍ଦରୀ ଝିଅଟିଏ । କଳା ମିଚିମିଚି କୁଞ୍ଚୁକୁଞ୍ଚିଆ ଚୁଟି । ଆକର୍ଷଣୀୟ ତୀଖ ଗଢ଼ଣ । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଶେଷତ୍ୱ ହେଉଛି , ତା କେଶରେ ସବୁବେଳେ ଗୋଛେ କୋରେଇ ଫୁଲ ନାଇଥାଏ । ସେ ଆସିବା ପୂର୍ବରୁ ସୁଗନ୍ଧ ତା ଆଗମନର ସୂଚନା ଦିଏ । ଛଅ ବର୍ଷର ହୋଇଥିଲା ବେଳୁ ମୁଁ ତା ସହ ଜଡ଼ିତ । ମୋତେ ସେ ବାପା କଣ ପାଇଁ ଡାକିଲା , କିଏ ତାକୁ ଶିଖାଇଲା ଜଣା ନାହିଁ କିନ୍ତୁ ମୋତେ ତାର ବାପା ଡାକ ବେଶ ଆହ୍ଲାଦିତ କରୁଥିଲା , ସତେ କି ମୋ ଝିଅ ମାମୁନି ମୋତେ ଡାକୁଛି । କୁରେଇ ପ୍ରାୟ ମୋ ପାଖରେ ପାଖରେ ରହିଥାଏ । ଘରେ ୟାଡୁ ସ୍ୟାଡୁ କାମ କରେ , ବିଦ୍ୟାଳୟରେ ପାଠ ବି ପଢେ । ପ୍ରଶ୍ନ ପଚାରି ପଚାରି ମୋତେ ନୟାନ୍ତ କରେ ।


- ବାପା , ସକାଲେ ସୁରୁଜ ଦେବତା ପୁରୁବରେ ବାହାରସନ , ଆରୁ ସଁଜବେଲେ ପଶ୍ଚିମରେ ବୁଡ଼ସନ୍ , କେନ୍ତା କରି ?


ମୁଁ ଉତ୍ତର ଦେବା ପୂର୍ବରୁ ସେ କହେ


- ମୁଇଁ ଜାନେ , ହେଇ ଧରତୀ ପେନୁର ତଲରୁ ତଲରୁ ଯାଇ ଫେର ପୁରୂବଥି ବାହାରସନ୍ ।


- ଏ ବାପା , ବର୍ଷା କେନଠୁ ହେଇସି ଗୋ ?


ଉତ୍ତର ବି ନିଜେ ଦିଏ ।


- ଇଁଦର ଦେବତାର ହାଥୀ ସୁଁଡରେ ପାଏନ ଢାଲଲେ ବର୍ଷା ହେଇସି ।


- ବାପା , ତମର ନନିକେ ଏହାଦେ ନାଇଁ ଆନବାର ଯେ । ତାକେ ଆନବ ବାପା , ମୁଇଁ ତାକେ ମକର ବନାମି ।


ଏମିତି ଚବିଶ ଘଣ୍ଟା ବକର୍ର ବକର୍ ହେଉଥାଏ , କ୍ଷଣକ ପାଇଁ ତା ପାଟି ବନ୍ଦ ନାହିଁ । ମୋତେ ମଧ୍ୟ ଭଲ ଲାଗେ । ମାମୁନି ପାଖରେ ଅଛି ଭଳି ଅନୁଭବ ହୁଏ ।


ଦିନେ ଖେଳୁ ଖେଳୁ ଚିତ୍କାର କଲା , ସାଁପ , ସାଁପ ।


ମୁଁ ବାହାରକୁ ଯିବା ବେଳକୁ ସେ ସାପଟିକୁ ଲାଞ୍ଜରୁ ଧରି ସାରିଥିଲା । ତାର ମୁଣ୍ଡକୁ ଗୋଟିଏ ଗଛରେ ପିଟି ମାରିଦେଲା ।


ମୁଁ ପଚାରିଲାରୁ , ମୁକ୍ତା ଦନ୍ମପନ୍ତି ଦେଖାଇ ହସି ହସି କହିଲା ,


- କାଏଁ ଯେ ନାଇଁ ମାରମି । ମୋର ମା ତରକାରୀ ବନାବା । ବେଜାଇଁ ସୁଆଦ ଗୋ ବାପା । ତୁମେ ଖାଇବ କାଏଁ ?


ଦେଖୁ ଦେଖୁ ମୋ ସାମନାରେ ସେ ବଡ଼ ହୋଇଗଲା । କୁରେଇ ପାଇଁ ସବୁ ଟୋକା ପାଗଳ ସେ ଗାଆଁରେ । ହେଲେ କୁରେଇ ମନ ଦେଇଥିଲା ପାଖ ଗାଆଁର ଶିବନୁ କୁ । ଶିବନୁ ମୋର ପୂର୍ବତନ ଛାତ୍ର ଥିଲା । ଅତ୍ୟନ୍ତ ମେଧାବୀ । କର୍ଦ୍ଦମରେ ପଙ୍କଜ ସଦୃଶ୍ୟ । ନିଜ ପରିବାରକୁ ଏକ ସ୍ଵତନ୍ତ୍ର ପରିଚୟ ଦେବା ଉଦ୍ଦେଶ୍ୟରେ ସେ ବୁର୍ଲାରୁ ବି ଟେକ କରି ରାଉରକେଲା ଇସ୍ପାତ କାରଖାନାରେ କନିଷ୍ଠ ଯନ୍ତ୍ରୀ ଭାବରେ ଯୋଗ ଦେଲା । କେମିତି କେଜାଣି କୁରେଇ ସହିତ ତାର ଭାବ ଦିଆ ନିଆ ହେଲା ? ବୋଧେ ପରୋକ୍ଷରେ ଏହାର ସୂତ୍ରଧର ମୁଁ ହିଁ ଥିଲି । ସେ ଛୁଟିରେ ଗାଆଁକୁ ଆସିଲେ ମୋର ପାଦ ଛୁଇଁବା ପାଇଁ ନିଶ୍ଚିତ ଆସୁଥିଲା । ଏହିଠାରେ ହିଁ ସେ ଦୁହିଁଙ୍କ ପ୍ରେମର ଅଙ୍କୁରୋଦ୍ଗମ ହୋଇଥିଲା ବୋଧହୁଏ ।


ଅନେକ ସମୟରେ ମୁଁ ସେ ଦୁହିଁଙ୍କୁ ଏକତ୍ର ଦେଖିଛି । ଦୁହିଁଙ୍କ ଭିତରେ ଥିବା ସର୍ବଥା ପବିତ୍ର ସମ୍ବନ୍ଧକୁ ଅନୁଭବ କରିଛି । ଯେହେତୁ ଦୁହେଁ ଯାକ ମୋ ସଂସ୍ପର୍ଶରେ ଆସିଥିଲେ ତେଣୁ ଶାଳୀନତା ତାଙ୍କର ସ୍ଵଭାଵଗତ ହୋଇ ଯାଇଥିଲା । ପ୍ରାୟ ମୋ ବାସଗୃହର ପାଖାପାଖି ସେମାନେ ତାଙ୍କର ମିଳନସ୍ଥଳି ସ୍ଥିର କରିଥିଲେ । କୁରେଇ ନିଜର ସୁଲଳିତ କଣ୍ଠରେ ଗୀତ ଗାଉଥିଲା ତା ସହ ବଂଶୀରେ ତାଳ ମିଳଉଥିଲା ଶିବନୁ । ମୁଁ ନିଜକୁ ଲୁକ୍କାୟିତ କରି ତାଙ୍କର ମିଳନର ନୀରବ ଦ୍ରଷ୍ଟା ଓ ପ୍ରେମର ଗୁପ୍ତ ସାକ୍ଷୀ ହେଇ ଯାଉଥିଲି । ମୁଁ କୁରେଇକୁ କେବେ ଯେ ମାମୁନି ସ୍ଥାନରେ ରଖି ପକାଇଥିଲି ଜଣା ନାହିଁ ।


ସେହି କୁରେଇ ଓ ତାର ପ୍ରେମ ଆଜି ସଂକଟାପନ୍ନ । ନିଜକୁ ମୁଁ ଅସମର୍ଥ ପାଇଥିଲି ଯେତେବେଳେ ତାର ବାପା ତାକୁ ଟାଣି ଟାଣି ଅମାନୁଷିକ ଭାବେ ନେଇ ଯାଇଥିଲା । ଶିବନୁ ସହ ତାର ସମ୍ପର୍କ ବିଷୟରେ ସେ ଜାଣି ପାରିଥିଲା ଯାହା କି ତାକୁ କ୍ରୋଧାନ୍ଧ କରିଦେଇଥିଲା । କାରଣ ଶିବନୁ ଥିଲା ତା ବଇରୀ ର ପୁଅ । ଦୁଇ ଗ୍ରାମ ମଧ୍ୟରେ ବୈମନସ୍ୟ ଅତି ଉଗ୍ର ରୂପ ଧାରଣ କରିଥିଲା । କୁରେଇର ନିରୀହ ଆଖି ଦୁଇଟି ସତେକି ମୋତେ ଅଭିଶାପ ଦେଉଥିଲେ । ଏହା ଏକ ବଣୁଆ ଜନବସତି । ତାଙ୍କର ନିଜର ନିୟମ କାନୁନ୍ ଅଛି । ସେଥିରେ ହସ୍ତକ୍ଷେପ କଲେ ଜୀବନ ହରାଇବାର ଆଶଙ୍କା ଥିବାରୁ ମୁଁ ନିର୍ଲିପ୍ତ ରହିଲି । ଯଦି ଚ ମୋର ବିବେକ ମୋତେ ବାରମ୍ବାର ଚୋଟ ମାରୁଥିଲା ।


କିନ୍ତୁ ସେ ଦୁହିଁଙ୍କ ବିଷୟରେ ମୋର ଚିନ୍ତାକୁ ଅବ୍ୟାହତ ରଖି ପାରିଲି ନାହିଁ ।


ଦିନେ ରାତିରେ ମୁଁ ଗୋଟାଏ ଟ୍ୟୁସନ୍ ରୁ ଫେରୁଥାଏ । ଗଁ ଗଁ ସଁ ସଁ ଶବ୍ଦ ଶୁଣି ମୋ ମନରେ ଛନକା ପଶିଲା । ଟର୍ଚ୍ଚ ମାରି ପାଦଚଲା ରାସ୍ତା ଛାଡ଼ି ଟିକେ ଜଙ୍ଗଲ ଭିତରକୁ ଅଗ୍ରସର ହେଲି ସେ ଶବ୍ବଟିକୁ ଅନୁସରଣ କରି । କୋରେଇ ଫୁଲର ମତୁଆଲା ବାସ୍ନା ନାକରେ ବାଜିଲା । ମୁଁ ଆହୁରି ଆଶଙ୍କିତ ହୋଇ ପଡ଼ିଲି । ଯାହା ଦେଖିଲି , ମୋର ଆଖି ବିସ୍ଫାରିତ ହୋଇଗଲା । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଗଲା । ଆଖିରୁ ଜୁଳୁଜୁଳିଆ ପୋକ ବାହାରିଲେ । ଏ କଣ ! କୁରେଇ ପଡ଼ିଛି କ୍ଷତାକ୍ତ ହୋଇ ଅର୍ଦ୍ଧନଗ୍ନ ଅବସ୍ଥାରେ ,ରକ୍ତରେ ଭାସୁଛି ତାର ହଳଦିଆ ଶାଢ଼ୀ । ସମଗ୍ର ଶରୀର ପ୍ରମାଣ ଯୋଗାଉଛି ତା ଉପରେ ହୋଇଥିବା ପାଶବିକ କୁକର୍ମର । ଧର୍ଷିତା ହୋଇଛି ସିଏ । ପଶ୍ଚାତାପରେ ମୁଁ ନିଜ ସହିତ ଦୃଷ୍ଟି ମିଳାଇ ପାରୁ ନଥିଲି । ଏସବୁ ପାଇଁ ଦାୟୀ କେବଳ ମୁଁ ଭଳି ମୋତେ ଲାଗୁଥିଲା । ମୋତେ ମୋ ଝିଅ ମାମୁନିର ନିଷ୍ପାପ ମୁହଁ ଦେଖା ଯାଉଥିଲା । ସଙ୍ଗେ ସଙ୍ଗେ ମୁଁ ତାକୁ ନିଜ ଘରକୁ ନେଇ ଆସି , ଫୋନରେ ଡାକ୍ତର ଡାକିଲି । ପୋଲିସକୁ ମଧ୍ୟ ଖବର ଦେଲି । ମୁମୂର୍ଷୁ କୁରେଇର ଭୟ ଓ ଯନ୍ତ୍ରଣା କାତର ଦୃଷ୍ଟି ମୋତେ ବ୍ୟାକୁଳ କରୁଥାଏ । । ପ୍ରାଥମିକ ଚିକିତ୍ସା ପରେ ସେ ଟିକେ ସୁସ୍ଥ ହେଲା ଓ ପ୍ରଳାପ କରିବାକୁ ଲାଗିଲା । ଖଣ୍ଡ ଖଣ୍ଡ ପ୍ରଳାପକୁ ଏକତ୍ର କରି ମୁଁ ଜାଣି ପାରିଲି ଯେ ବାଘା ଓ ତାର ସାଙ୍ଗମାନେ ମିଶି ରାଗ ସୁଝାଇବାକୁ ଏ କୁକର୍ମ କରିଛନ୍ତି ।


ଏହି ଘଟଣାରେ ସମ୍ପୃକ୍ତ ହୋଇ ମୋର ଜୀବନ ମଧ୍ୟ ବିପନ୍ନ ହୋଇ ପଡ଼ିଲା । କୁରେଇର ବାପା ଆସି ପୋଲିସ ସାମନାରେ ତାକୁ ନେଇଗଲା ଓ ମୋତେ ଧମକ ଦେଇ ଗଲା । ପୋଲିସ ମାନେ ମଧ୍ୟ ଏହି ସମସ୍ତ ସ୍ଥାନମାନଙ୍କରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଆନ୍ତି । ମୋର ବାରଣ ସତ୍ତ୍ଵେ ମୋ ସୁରକ୍ଷା ନିମନ୍ତେ ମଧ୍ୟ କିଛି କମାଣ୍ଡୋ ନିଯୁକ୍ତ ହେଲେ । ଏବଂ ତୁରନ୍ତ ସ୍ଥାନାନ୍ତରଣ ନିମନ୍ତେ ଦରଖାସ୍ତ ଦେବାପାଇଁ ନିର୍ଦ୍ଦେଶ ହେଲା ଉପରୁ ।


ମୁଁ ସେଠାରୁ ସ୍ଥାନାନ୍ତରିତ ହୋଇ ଆଉ ଗୋଟିଏ ଗ୍ରାମରେ ଶିକ୍ଷକତା କଲି । ଦିନେ ଖବରକାଗଜର ମୁଖ୍ୟ ପୃଷ୍ଠାରେ କୁରେଇ ଓ ଶିବନୁର ଫଟୋ ଦେଖି ଚମକି ପଡ଼ିଲି । ବାଘା ସହ ଆଉ କେତେକ ମାଓବାଦୀଙ୍କୁ ଗିରଫ କରେଇଛନ୍ତି ଏ ଦୁଇଜଣ । ତାଙ୍କର ସମ୍ପୂର୍ଣ୍ଣ କାହାଣୀ ଛପା ହୋଇଥିଲା । ଶିବନୁ କୁରେଇକୁ ସମସ୍ତଙ୍କ ଅଗୋଚରରେ ତା ବାପା ଓ ବାଘା ଆଖିରେ ଧୂଳି ଦେଇ ରାଉରକେଲା ନେଇ ଯାଇଥିଲା ଓ ଅନେକ ସଂସ୍ଥା ସହ ମିଳିମିଶି ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲା । ସାକ୍ଷାତକାରରେ ସେମାନେ ଦୁହେଁ ମୋତେ ପଥପ୍ରଦର୍ଶକ ଓ ପ୍ରେରଣା ବୋଲି ଉଲ୍ଲେଖ କରିଥିଲେ । ଯଥାର୍ଥ ପ୍ରତିଶୋଧ ନେଇ ଥିଲା କୁରେଇ ତା ପ୍ରତି ହୋଇଥିବା ଅତ୍ୟଚାରର । ତାଙ୍କର ପ୍ରେମର ମଧ୍ୟ ଜୟ ହୋଇଥିଲା । ମୋର ମୁଣ୍ଡରୁ ମସ୍ତବଡ ଏକ ବୋଝ ଓହ୍ଲେଇ ଯାଉଥିଲା ।


କୋରେଇ ଫୁଲର ମନ ମତାଣିଆ ସୁଗନ୍ଧ ମୋତେ ଅଚାନକ ବିଭୋର କଲା । ସୁଗନ୍ଧର ଉତ୍ସ ଖୋଜିବାକୁ ମୁଁ ବାହାରକୁ ଅନାଇଲି । କୁନି ଝିଅଟିଏ ଗୋଛାଏ କୋରେଇ ଫୁଲ ଧରି ମୋତେ କହୁଥିଲା ,

- ସାର୍ , ଏତେ ତାରା ଆକାଶଥି , ଆରୁ ଅନ୍ଧାର ରାତି । ଗୁଟେ ସୁରୁଜ ଦେଖ , ଦିନ୍ ଟାକେ କେନ୍ତା ଫର୍ଚ୍ଚା କରି ଦେଉଛେ ।


ମୁଁ ହସୁଥିଲି ତା କଥା ଶୁଣି ।


ଦୂରରୁ ପିଲାମାନଙ୍କ ସମବେତ ସ୍ଵର ଭାସି ଆସୁଥିଲା,


ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞନାଞ୍ଜନ ଶଳାକୟା ............










Rate this content
Log in

More oriya story from Arati Sahoo

Similar oriya story from Inspirational