କୋଣାର୍କରେ ସନ୍ଧ୍ୟାଟିଏ
କୋଣାର୍କରେ ସନ୍ଧ୍ୟାଟିଏ
"କୁଆଡେ ଯିବା ମାନେ? ଆଉ କୁଆଡେ ଯାଆନ୍ତେ କି? ଏଠିକି ଆସିଛେ ପରା I କଣ ଘର ପାଖଜାଗାଟି ବୋଲି ତୁମକୁ ପସନ୍ଦ ହେଲାନି ? କିନ୍ତୁ ତୁମେ ବୁଝିପାରିନ ଗୋଟାଏ ଜିନିଷ,"ବିଶ୍ବଜିତ କହିଲା I ସିଏ ଆଉ କିଛି କହିବା ପୂର୍ବରୁ ତାହାର କଥାକୁ କାଟି ଦେବସ୍ମିତା କହିଲା, "କଣ ବୁଝି ପାରିନି? ମୋତେ ସରପ୍ରାଇଜ ଦେବ କହିକି ଏହି ଜାଗାକୁ ଆଣିଲ ! ଏଠାକୁ ତ ମୁଁ ଅନେକ ଥର ଆସିଛି ପିଲା ଦିନରୁ I ଏଠାର ବାଲି , ଗୋଡି, ପଥର, ଗଛ, ଲତା, ଏହି ପଥରର କାରୁକାର୍ଯ୍ୟ ସବୁ ସହିତ ମୁଁ ଅତି ପରିଚିତ I ଏଇଟାହିଁ ଯଦି ତୁମର ସରପ୍ରାଇଜ଼ ଓ ଚମତ୍କାର ଜାଗା ତାହା ହେଲେ ଫେରି ଚାଲ ଏଇନେ ଘରକୁ I ଏହି ବୁଦା ଆଉ ଗଛ ଉହାଡ଼ରେ ମାଳ ମାଳ ହୋଇ ବସିଥିବା ଯୁଗଳ ମୂର୍ତ୍ତିଙ୍କ ମଧ୍ୟରେ ମୋର କୌଣସି ରୋମାନ୍ସର ମନ ହବନି," ଦେବସ୍ମିତା କହିଲା I
"କାହିଁକି କଣ ଖରାପ ହେଇଗଲା କି? ଦେଖୁନ କେତେ କେତେ ତୀର୍ଥଯାତ୍ରୀ ଆଉ ପର୍ଯ୍ୟଟକ ଭର୍ତ୍ତି ହୋଇଛନ୍ତି ?ଆଜି ପୁଣି କାର୍ତ୍ତିକ ପୂର୍ଣ୍ଣିମାରେ ଆଉ ଟିକେ ସଞ୍ଜ ଗଡିଗଲେ କେତେ ମନୋରମ ହୋଇଯିବ ଏହି ଜାଗାଟି କହିଲ? ଏହି ମନ୍ଦିର ପରା ଆମର ଗୌରବ, ଆମର ଅସ୍ତିତ୍ଵର ପରିଚୟ I ଦେଖୁନ କେମିତି ଗାଇଡ଼ ଗୁଡ଼ାକ କହି ଚାଲିଛନ୍ତି ଏହାର ନିର୍ମାଣର କାହାଣୀ, କେମିତି ବାର ଶହ ବଢେଇଙ୍କର ଜୀବନ ରକ୍ଷା କରିଥିଲା ଧର୍ମପଦ! ତୁମେ ସ୍ଥାନୀୟ ବୋଲି ଏହାର ମହତ୍ଵ ବୁଝିପାରିନ, ମୁଁ ହୋଇଥିଲେ ଏହି ଠାରେ ହିଁ ଘର ତୋଳି ରହି ଥାନ୍ତି, ସବୁ ଦିନେ ସନଜରେ ଏଠାରେ ବୁଲୁ ଥାଆନ୍ତି" ବିଶ୍ଵଜିତ କହିଲା I "
“ଶୁଣ ତୁମେ ଏତେ ସବୁ ମୋତେ କୁହ ନାହିଁ, କେବଳ ମୁଁ କଣ ସମଗ୍ର ଓଡ଼ିଆ ଜାତି ଆଉ ବୋଧହୁଏ ବିଶ୍ଵର ଅଧିକାଂଶ ଲୋକ କୋଣାର୍କ ବିଷୟରେ ଜାଣିଛନ୍ତି I ଆଜି କାଲି ଗୂଗଲେରେ ଅନେକ ତଥ୍ୟ ମଧ୍ୟ ମିଳି ଯାଉଛି I ଏହା ବ୍ୟତୀତ ମୋର ଏଠାରେ ଇତିହାସ କ୍ଲାସ ପାଇଁ ଟ୍ୟୁସନ ନେବାର ନାହିଁ ତୁମ ଠାରୁ I କାହିଁକି କେଜାଣି ତୁମର କଥାରେ ରାଜି ହୋଇଗଲି, ବରଂ ଆଜି ସେହି ହୋଟେଲ କୁ ଯାଇ କିଛି ସମୟ ବସିକି ରିଲାକ୍ସ କରିଥିଲେ ଭଲ ହୋଇଥାଆନ୍ତା, " ଦେବସ୍ମିତା କହିଲା I
"କିନ୍ତୁ ତୁମେ ବୁଝି ପାରିନାହଁ ମୁଁ କଣ କହିବାକୁ ଚାହେଁ, ମୁଁ ତୁମକୁ ଏହି ରଥର ଚକରେ ଥିବା ସମୟର ମାପକାଠି ରେ ଜୀବନର ଅବଧି ମାପିବାକୁ କହିବିନି," ବିଶ୍ଵଜିତ କହିଲା, " ବରଂ ଥରେ ଭାବି ଦେଖ ଏହା ଠାରୁ ଆଉ ଭଲ ଜାଗା କଣ ହେବ ତୁମକୁ କହିବା ଲାଗି ମୋର ମନର କଥାଟିଏ?"ବିଶ୍ବଜିତ ପୁଣି କହିଲା I
"ଏତେ ନାଟକ କର ନାହିଁ, ଯାହା କହିବା କଥା ଶୀଘ୍ର କୁହI ମୁଁ ଜାଣେ ବହୁତ କିଛି କୋଣାର୍କ ବିଷୟରେ, ମୁଁ ଓଡିଶୀ ମଧ୍ୟ ଶିଖିଛି, ସେଦିନ ତ ଆସିଥିଲ ମୋର ପ୍ରୋଗାମକୁ, ଭୁଲିଗଲ କି? ," ଦେବସ୍ମିତା କହିଲା I
"ନା ମନେ ଅଛି ତୁମର ସେ ପରିବେଷଣ I ଭୁଲିବା ଅସମ୍ଭବ," ବିଶ୍ଵଜିତ କହିଲା I
" ଆଉ ତାହା ହେଲେ, ଗୋଟିଏ ଓଡିଶୀ ନୃତ୍ୟ ଶିଳ୍ପୀ, ଯାହାର ଆତ୍ମାରେ କୋଣାର୍କ ରହିଛି ଆଉ ଯାହାର କଳା କୋଣାର୍କର ଜ୍ଞାନ ବିନା ଅସମ୍ପୂର୍ଣ୍ଣ, ତାକୁ କୋଣାର୍କ ବିଷୟରେ ଏତେ ଜ୍ଞାନ ଦେବାର ଅର୍ଥ କଣ?" ଦେବସ୍ମିତା ପଚାରିଲା I
ଦୁଇ ଦିନ ଆଗରୁ ଦେବସ୍ମି
ତାକୁ କହିଥିଲା ବିଶ୍ବଜିତ ଗୋଟିଏ ଜାଗାକୁ ନେବ ତାକୁ ବୁଲେଇବାକୁ ଆଉ ଖାସ କଥା କିଛି କହିବ I ଅସ୍ତରଙ୍ଗରେ ପିଲାଦିନ ଆଉ ପରେ ପୁରୀରେ ତାହାର କଲେଜ ଦିନ ବ୍ୟତୀତ କରି ସାରିଛି ଦେବସ୍ମିତା I ବିଶ୍ବଜିତ ଘର ସମ୍ବଲପୁର, ଛଅ ମାସ ହେଲା ପୁରୀ ଟ୍ରାନ୍ସଫର ହୋଇ ଆସିଛି, ତେଣୁ ଆଖ ପାଖ ଜାଗା ବୁଲିବା ଲାଗି ଭାରି ଇଛୁକ I ଗତ ସପ୍ତାହରେ କୋଣାର୍କ ଆସି ଥିଲା ଏବଂ ମନରେ ଭାବିଥିଲା ଏହା ଠାରୁ ଆଉ ଭଲ ସ୍ଥାନ କଣ ହୋଇ ପାରେ ନିଜର ମନ କଥା କହିବାକୁ ଦେବସ୍ମିତା କୁ?ଦେବସ୍ମିତା ବହୁତ ଚଞ୍ଚଳ ପ୍ରକୃତିର I କିନ୍ତୁ ବହୁତ ମାନେ ବିଶ୍ବଜିତକୁ I ନିଶ୍ଚୟ କିଛି ଗୋଟାଏ ମନରେ ଭାବିଛି ବିଶ୍ଵଜିତ, ନଚେତ ଏମିତି ଅଚାନକ ଅଫିସରୁ ଦୁଇ ପହରରେ ତାକୁ ଟାଣି ଆଣି ଛୁଟି ନେଇ ବାହାରି ନଥାଆନ୍ତା ! କିନ୍ତୁ କୋଣାର୍କ ଆସି ମନଟି ଟିକିଏ ଊଣା ହୋଇ ଯାଇଛି ଦେବସ୍ମିତାର I ବିଶ୍ଵଜିତ କଣ ଜାଣିନି ସିଏ ସ୍ଥାନୀୟ ବାସିନ୍ଦା ବୋଲି? ଏଠାକୁ ଆଣିବାର କାରଣ କଣ? ଭାବୁ ଭାବୁ ସମୟ କେମିତି ବିତିଗଲା ଜାଣି ପାରିଲା ନାହିଁ ଦେବସ୍ମିତା I
ବିଶ୍ଵଜିତ କହି ଚାଲିଥାଏ ତାହାର ବହୁତ କିଛି କଥା କୋଣାର୍କ ବିଷୟରେ I ଅନ୍ୟମନସ୍କ ହୋଇ ଶୁଣି ଅଶୁଣା କରି ଚାଲି ଥିଲା ଦେବସ୍ମିତା I ବୋର କରିଦେଲା ଆଜି ବିଶ୍ଵଜିତ ! ସଞ୍ଜ ନଇଁ ଆସିଲା ଆଉ ପୂର୍ଣ୍ଣମୀ ଚାନ୍ଦର ଆଲୋକରେ ସମ୍ମୋହିତ କରିବାକୁ ଲାଗିଲା କୋଣାର୍କ I କାନ୍ଧରେ ବିଶ୍ଵଜତର ସ୍ପର୍ଶ ପାଇଁ ନିଜର ଭାବନାର ଦୁନିଆଁରୁ ବାହାରି ଆସିଲା ଦେବସ୍ମିତା I ବିଶ୍ଵଜିତ ଇଙ୍ଗିତ କରୁ ଥିଲା ନର୍ତ୍ତକୀଟିଏ ଆଡକୁ I ପୂର୍ଣ୍ଣିମାର ଆଲୋକରେ ଲାଗୁଥିଲା ଆଉ କିଛି ସମୟ ପରେ ପରବର୍ତ୍ତୀ ପାଦଟି ପକେଇବ ନର୍ତ୍ତକୀ ଆଉ ତାହାର ନୁପୁରର ରୂମଝୁମ ଶବ୍ଦରେ ପ୍ରକମ୍ପିତ ହେବ ଖଣ୍ଡ ମଣ୍ଡଳ I
" ଏଇଟା ମୋର ବହୁତ ପସନ୍ଦ ହୋଇଛି, ଭାବୁଛି ଏହାକୁ ନେଇ ଘରେ ରଖିବି ଆଉ ପ୍ରତି ଦିନ ଦେଖିବି ତାହାର ନୃତ୍ୟ ପରିବେଷଣ," ବିଶ୍ଵଜିତ କହିଲା I
"ଧେତ ପାଗଳ କୋଉଠିକାର, ପୁରାତତ୍ୱ ବିଭାଗ ସିଧା ମାମୁଁ ଘରେ ନେଇ ଭର୍ତ୍ତି କରିଦେବ I ଏତେ ଶିକ୍ଷିତ ହୋଇ ଏତିକି ମଧ୍ୟ ଜାଣି ନାହଁ ? ଏହି ସବୁ ହେଲା ଆମର ଜାତିର ଗୌରବ, ଏହାର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ଵ I," ସ୍କୁଲ ଦିଦିଙ୍କ ଭଳି କହିଲା ଦେବସ୍ମିତା I
"ସେଥି ପାଇଁ ତ ଭାବୁଛି ମୋ ଘରେ ରଖିବି, ସୁରକ୍ଷିତ ହୋଇ ରହିବ ସବୁ ଦିନ ପାଇଁ ," ବିଶ୍ଵଜିତ କହିଲା I
"ହଉ ନେଇ ଯାଅ, ଆଉ ବୋର କରନି," ଦେବସ୍ମିତା କହିଲା I
"ହଁ କିନ୍ତୁ ତୁମେ ରାଜି କି?" ବିଶ୍ଵଜିତ ପଚାରିଲା ଆଣ୍ଠେଇ ଦେଇ ତାହା ଆଗରେ, ହାତରେ ତାହାର ମୁଦିଟିଏ I ଲାଜେଇ ଗଲା ଦେବସ୍ମିତା I "ତୁମର ସେଦିନର ନୃତ୍ୟ ଦେଖିଲା ପରେ ଆଉ କାହାକୁ ରଖିବାକୁ ଇଛା ହେଇନି ଏହି ମନର କୋଣାର୍କରେ ଦେବସ୍ମିତା," ବିଶ୍ଵଜିତର ଶବ୍ଦ ଗୁଡିକ ଭରିବାକୁ ଲାଗିଥିଲା ଏକ ସ୍ଵପ୍ନ ଦେବସ୍ମିତାର ଆଖିରେ I କଳାକାର ଆଉ ତାହାର ଦର୍ଶକ ମଧ୍ୟରେ ଗଢି ଉଠିଟିଲା ଏକ ଅଭଙ୍ଗ ସମ୍ପର୍କଟିଏ କୋଣାର୍କର ପୃଷ୍ଠଭୂମିରେ I