କୋଇଲି ଲୋ କେଶବ ଯେ ମଥୁରାକୁ ଗଲା
କୋଇଲି ଲୋ କେଶବ ଯେ ମଥୁରାକୁ ଗଲା
ବାଲ୍ୟକାଳରୁ କୃଷ୍ଣ ବଳରାମଙ୍କୁ ବଧ କରିବାପାଇଁ କଂସ, ବହୁ ରାକ୍ଷସ ରାକ୍ଷସୀ ମାନଙ୍କୁ ଗୋକୁଳକୁ ପଠାଉ ଥାଏ l କିନ୍ତୁ ସମସ୍ତଙ୍କୁ ବେନିଭାଇ, ଗୋଟି ଗୋଟି କରି ସଂହାର କରିଦେଲେ l ଥରେ ଅରିଷ୍ଟି ନାମରେ ଏକ ଦୈତ୍ୟକୁ କଂସ ପଠାଇଲା l ସେହି ଷଣ୍ଢ ରୂପୀ ଦୈତ୍ୟକୁ ମଧ୍ୟ ଶ୍ରୀକୃଷ୍ଣ ମାରି ଦେଲେ l ଷଣ୍ଢାସୁର ମୃତ୍ୟୁ ଖବର ପାଇ ମହର୍ଷି ନାରଦ ଖୁବ ଉଲ୍ଲସିତ ହୋଇପଡ଼ିଲେ l କଅଣ ଭାବି ସେ ଆସି ମଥୁରା କଂସ ରାଜ ସଭାରେ ପହଞ୍ଚିଲେ l ମୁନିଙ୍କୁ ଦେଖି ଭୋଜରାଜ ସିଂହାସନରୁ ଉଠି ଯଥା ମାନ୍ୟ କରି ତାଙ୍କର ପାଦ ପୂଜା କଲା l ମହର୍ଷିଙ୍କ କୁଶଳ ଜିଜ୍ଞାସା କରି ପଚାରିଲା, ହେ ମହାତ୍ମା କି କାରଣେ ଆପଣଙ୍କ ମଥୁରା ଆଗମନ ହେଲା l
କଂସର ଚର୍ଚ୍ଚାରେ ନାରଦ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରି କହିଲେ,ବାବୁରେ, ଗୋଟିଏ କଥା ଜାଣି ମୋ ମନରେ ବଡ଼ ଖେଦ ଉପୁଜିଛି l ପୂର୍ବେ ମୁଁ ତୋତେ ଯାହା କହିଥିଲି,ତାହା ତୁ କାନକୁ ନେଲୁନାହିଁ l ମୁଁ ଦେବତା ମାନଙ୍କ ଠାରୁ ଶୁଣି ଆସିଲି ଯେ ତୋର ମରଣ ଆଉ ବେଶି ଦିନ ବାକି ନାହିଁ l ତୋ' ନିଜ ଭିଣୋଇ ତୋ ସହିତ କପଟକରି ନେଇ ତା ଦୁଇ ପୁଅକୁ ଗୋପପୁରରେ ମିତ୍ର ନନ୍ଦ ଗୃହରେ ଲୁଚାଇ ରଖିଛି l ସେମାନେ ଦିନୁଦିନ ବଳିଆର ହେବାରେ ଲାଗିଛନ୍ତି l ସେମାନେ ତୋତେ ମାରିବେ l ଏବେ ମଧ୍ୟ ବେଳ ଅଛି ତୁ କିଛି ଉପାୟ କର l ତୋ ହିତ ପାଇଁ ମୁଁ ଏତିକି କହିଲି,"ନାରାୟଣ, ନାରାୟଣ"l ମୁନି ଏହା କହି ପ୍ରସ୍ଥାନ କଲେ l କଂସ ମହା ଭୟ ପାଇ ପୁଣି ନେଇ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି ରଖିଲା l
ସଭାରେ ବିଜେ କରି ଚାଣୁର, ମୁଷ୍ଟିକ ଆଦି ଅଷ୍ଟ ମଲ୍ଲଙ୍କୁ ଡକାଇ କହିଲା," ମହର୍ଷି ନାରଦ ମୋତେ କହିଗଲେ ଗୋପ ପୁରରେ ଲୁଚି ରହିଥିବା ମୋର ଦୁଇ ଶତ୍ରୁ ଦିନୁ ଦିନ ବଳିୟାର ହେଲେଣି l ତୁମେ ମାନେ ତ ଜାଣ ମୋର କେତେ ଦୂତଙ୍କୁ ସେମାନେ ମାରି ସାରିଲେଣି,ଏବେ ସେମାନଙ୍କ ବିନାଶ ପାଇଁ ମୁଁ ଗୋଟିଏ ନୂତନ ଯୋଜନା କରୁଛି l ରଙ୍ଗସଭା ଗୋଟିଏ କରିବି l ଧନୁ ଉତ୍ସବ କରି ତାଙ୍କୁ ଡକାଇ ଆଣିବି l ତୁମେ ମାନେ ମୋତେ ସାହାଯ୍ୟ କର l ସେମାନଙ୍କୁ ଏଠାରେ ହାତୀ ପିମ୍ପୂଡ଼ିକୁ ଦଳିଦେଲା ପରି ମାରି ଦେବା l ମଞ୍ଚା ଉପରେ ବସି ଦେବକୀ ବସୁଦେବ ଓ ସମସ୍ତ ଗୋପାଳଗଣ ତାଙ୍କ ମରଣ ଦେଖିବେ l ତୁମମାନଙ୍କୁ ବହୁ ଧନ ରତ୍ନ ଉପହାର ଦେବି l ଯାଅ, ସମସ୍ତେ ଏ ଉତ୍ସବ ଆୟୋଜନରେ ଲାଗି ପଡ଼ ଓ ଚତୁର୍ଦ୍ଦିଗରେ ସମ୍ବାଦ ଦିଅ, ସମସ୍ତ ପ୍ରଜାଗଣ ଧନୁଯାତ୍ରା ଦେଖିବାକୁ ଆସିବେ l
ମଲ୍ଲମାନଙ୍କୁ ଏମିତି ପ୍ରସ୍ତୁତ କରିସାରି କଂସ ଯାଇ ମହାମନ୍ତ୍ରୀ ଅକ୍ରୁରଙ୍କ ପୁରରେ ପହଞ୍ଚି ତାର ସମସ୍ତ ଯୋଜନା ବିଷୟରେ କହିଲା ଓ ତାଙ୍କୁ ଅନୁରୋଧ କଲା,ହେ ମୋର ପରମ ମିତ୍ର ! ତୁମେ ଅବିଳମ୍ବେ ଯାଇ ଗୋପପୁରରୁ ଦୁଇ ଭାଇଙ୍କୁ,ନନ୍ଦ, ଯଶୋଦା ଓ ଗୋପାଳ ମାନଙ୍କ ସହ ଘେନିଆସ l ଦେବକୀ, ବସୁଦେବଙ୍କ ସହ ଏ ସମସ୍ତଙ୍କୁ ମୁଁ ପ୍ରାଣରେ ମାରି ସାରିଲେ ଯାଇ ଶାନ୍ତିରେ ନିଶ୍ୱାସନେବି l ସମସ୍ତଙ୍କୁ ଧରି ଆଣି ମୁଁ ହାତୀ ପାଦରେ ମନ୍ଥାଇ ମରାଇବି l ସେଥିରୁ ଯଦି ଉବୁରି ଯାଆନ୍ତି, ତେବେ ସମସ୍ତଙ୍କୁ ଗୋଟି ଗୋଟି କରି ହାଣି ପକାଇବି l
ଅକ୍ରୁର ତ କୃଷ୍ଣଙ୍କ ପରମଭକ୍ତ,ମାତ୍ର ରାଜାନ୍ନ ଖାଇ ରାଜକାର୍ଯ୍ୟ ନ କରନ୍ତେ କିପରି,ସେ ସମ୍ମତି ଦେଇ କହିଲେ,ହେ ରାଜନ୍! ତୁମେ ଉଚିତ କଥା କହିଲ, ଶତ୍ରୁକୁ ବୁଦ୍ଧି ବଳରେ ସାଧିବାକୁ ହେବ,କିନ୍ତୁ ଦୈବ ବଳ ବଡ଼ ବଳୀୟାର l ମନୁଷ୍ୟକୁ ତାର କର୍ମଫଳ ଭୋଗ କରିବାକୁ ପଡ଼ିବ l କଂସ ଅତି ଆନନ୍ଦରେ ଅକ୍ରୁରଙ୍କୁ କୋଳାଗ୍ରତ କରି ବାହୁଡ଼ି ଗଲା, ଅକ୍ରୁର ପ୍ରସ୍ତୁତ ହେଲେ ଗୋକୁଳ ଯିବା ପାଇଁ l
ପରଦିନ ପ୍ରତ୍ୟୁଷରେ କଂସ ଡଗର ପଣରେ କୃଷ୍ଣ ଭକ୍ତ ଅକ୍ରୁର ରଥ ଛୁଟାଇଦେଲେ,ବ୍ରଜ ଅଭିମୁଖେ, ଚିନ୍ତା ଚେତନା ମଧ୍ୟରେ ରହିଥାନ୍ତି କୃଷ୍ଣ l ପଥରେ ଭାବି ଚାଲିଥାନ୍ତି :-
ପଥେ ସେ ଭାବୁଥାନ୍ତି ମନେ
କୃଷ୍ଣଙ୍କୁ ଦେଖିବି କେସନେ ।
ସତେ କି ଦେଖିବି ଶ୍ରୀମୁଖ
ଖଣ୍ଡିବି କୋଟି ଜନ୍ମ ଦୁଃଖ l
ଅକ୍ରୁର ପୁଣି ଭାବୁଥାନ୍ତି, ଆଃ ମୋର ଆଜି କେଡ଼େ ସୌଭାଗ୍ୟ ଯେଉଁ ପାଦପଦ୍ମକୁ ଯୋଗୀଜନ ମାନେ ଧ୍ୟାନ କରନ୍ତି ତହିଁରେ ମୋର ଶିର ଲାଗିବ l ଧନ୍ୟ ମୋର ଜୀବନ,କଂସ ଦୟାରୁ ମୋତେ ଆଜି ଏହା ପ୍ରାପ୍ତ ହୋଇଛି l ଶୁଭ ଲକ୍ଷଣଟିଏ ଦେଖାଗଲାଣି l ବାମ ପଟରେ ଶୃଗାଳଟିଏ ଯାଉଛି l
ଶୁଭ ଲକ୍ଷଣ ଆଜ ଦିନେ l
ଶୃଗାଳ ଯାଉଅଛି ବାମେ l
ଏମିତି ମନ ମଧ୍ୟରେ କେତେ କେତେ କଳ୍ପନାକରି ସୂର୍ଯ୍ୟାସ୍ତ ବେଳକୁ ସେ ଯାଇ ପହଞ୍ଚି ଗଲେ ଗୋପ ପୁରରେ l ବାଟରେ ବାଲି ବନ୍ଧଟିଏ ପଡ଼ିଲା,ସେଠି ଅକ୍ରୁର ଦେଖିଲେ, ଧ୍ୱଜ ଅଙ୍କୁଶ ଚିହ୍ନ ଯୁକ୍ତ କୃଷ୍ଣଙ୍କ ପାଦ ଚିହ୍ନ ମାନ ପଡ଼ିଛି l ସେ ରଥରୁ ଡେଇଁ ପଡ଼ି ମୁଠା ମୁଠା ବାଲି ଆଣି, ପ୍ରେମାନନ୍ଦରେ ଶିରରେ ବୋଳି ହୋଇ ପଡ଼ିଲେ l ସମ୍ପୂର୍ଣ୍ଣ ବ୍ରଜ ଭୂମି ତାଙ୍କୁ କୃଷ୍ଣମୟ ଦିଶୁଥାଏ l ଏମିତି ଭାବାବେଶରେ ସେ ଗୋପରେ ପହଞ୍ଚି ଦେଖିଲେ ଗୋପାଳମାନେ ଗୋ ଦୋହନ କରୁଛନ୍ତି l ସମସ୍ତେ ତାଙ୍କୁ ଗୋଟିଏ ରୂପ ଦେଖା ଯାଉଥାନ୍ତି l ସମସ୍ତେ ତାଙ୍କୁ କୃଷ୍ଣଙ୍କ ପ୍ରାୟେ ଦେଖା ଯାଉଛନ୍ତି,ସିଏ ପୁଣି ରାମ କୃଷ୍ଣଙ୍କୁ ଚିହ୍ନିବେ କିପରି? ଅକ୍ରୁରଙ୍କ ଏପରି ଭାବନାକୁ ପ୍ରକାଶ କରି କବି ଦୀନକୃଷ୍ଣ ଲେଖିଲେ :-
କୃଷ୍ଣ ଯେତେବେଳେ ଗୋପପୁରେ ଥିଲେ,
ଅକ୍ରୁର ଆଣିଣ ଗଲା ତ
ଗାଈ ଦୁହୁଁ ଦୁହୁଁ କେଶ ଫିଟିଗଲା
ଚତୁର୍ଭୁଜ ହେଲେ ଅନନ୍ତ l
ନାହିଁ ନାହିଁ ତ,ଜଗବନ୍ଧୁ ପରି ଜଣେ ସାମନ୍ତ l
ଭାବଗ୍ରାହୀ ଭଗବାନ ଭକ୍ତର ମନ ବେଦନା ଜାଣି ପାରିଲେ l ନିଜ ରୂପ ଧରି ଦୁଇଭାଇ ଗାଇଦୁହିଁବା ଆରମ୍ଭ କଲେ l ତାଙ୍କ ରୂପ କାନ୍ତିରେ ବିମୋହିତ ଅକ୍ରୁର ଧାଇଁ ଯାଇ ତାଙ୍କ ପାଦ ତଳେ ପଡ଼ିଗଲେ l ତାଙ୍କୁ ଉଠାଇ ଦୁଇଭାଇ ହୃଦୟରେ ଲଗାଇଲେ l ଅକ୍ରୁର ତ ସ୍ଵଭାଵରେ ତାଙ୍କ ଖୁଡ଼ୁତା l ସସମ୍ମାନେ ତାଙ୍କୁ ଦୁଇଭାଇ ନିଜ ଘରକୁ ଘେନି ଗଲେ l ତାଙ୍କୁ ଦିବ୍ୟ ଆସନରେ ବସାଇ କୃଷ୍ଣ ତାଙ୍କ ପାଦ ଧୋଇ ଦେଲେ,ବଳରାମ ପାର୍ଶ୍ୱରେ ରହି ଆଲଟ ବ୍ୟଜନ କରୁଥାନ୍ତି l ନିଜେ ଦୁଇ ଭାଇ ସ୍ଵହସ୍ତରେ ଭୋଜନ କରାଇ ପବିତ୍ର ବିଡ଼ିଆ ମୁଖ ବାସରେ ଆପ୍ୟାୟିତ କରିବାରୁ ତାଙ୍କର ଯାତ୍ରା କଷ୍ଟ ଦୁର ହେଲା l
ଅକ୍ରୁର ଧୀର ହୋଇ ବସିବାରୁ ନନ୍ଦ ଆସି ତାଙ୍କର କୁଶଳ ଜିଜ୍ଞାସାକଲେ l ନନ୍ଦ କହିଲେ,କୁହନ୍ତୁ ଯଦୁ ବୀର, ମଥୁରାରେ ଯାଦବ ମାନେ କିପରି ଅଛନ୍ତି l ଅକ୍ରୁର କହିଲେ, କଅଣ ବା କହିବି ଯାଦବମାନେ, 'ପଶୁମାରକ ଘରେ ଯେହ୍ନେ, ବନ୍ଦୀରେ ଥାନ୍ତି ପଶୁ ଗଣେ' ସେପରି ଅବସ୍ଥାରେ ଅଛନ୍ତି l ଯେ ପର୍ଯ୍ୟନ୍ତ କଂସ ଜୀବିତ ରହିଛି ଯଦୁ ମାନଙ୍କର ସୁଖ କାହିଁ l ଅକ୍ରୁରଙ୍କ ବିକଳ ଦେଖି ନନ୍ଦ ରାୟଙ୍କ ଆଖି ଛଳ ଛଳ ହୋଇ ଯାଉଥାଏ l
କୃଷ୍ଣ କହିଲେ ହେ ତାତ ! ସତରେ ଆପଣ ମାନେ କେଡ଼େ କଷ୍ଟରେ ଅଛ,ମୋର ମଉଳା ହୋଇ ସେ ଦୁଷ୍ଟ ମୋର ପିତା ମାତାଙ୍କୁ ଶାଙ୍କୁଳି ପକାଇ ବନ୍ଦୀ କରି ରଖିଛି ! ତେବେ ଆପଣ କୁହନ୍ତୁ,କି କାରଣେ ଆପଣଙ୍କ ବ୍ରଜପୁରକୁ ଆଗମନ ହେଲା ? ଅକ୍ରୁର କହିଲେ, କଅଣ ଆଉ କହିବି, ତୁ ତ ଭାବଗ୍ରାହୀ କେଉଁ କଥା ବା ତୋତେ ଅଜଣା,କଂସ ଧନୁଯାତ୍ରା ଆୟୋଜନ କରିଛି l ମୁଁ ଆସିଛି ଗୋପାଳଙ୍କ ସହ ତୁମ ଦୁଇ ଭାଇଙ୍କୁ ଘେନି ଯିବା ପାଇଁ l
ଏହା ଶୁଣି ରାମକୃଷ୍ଣ ଦୁଇଭାଇ ପିତା ନନ୍ଦରାଜାଙ୍କୁ ଡାକି ଅକ୍ରୁରଙ୍କ ପାଖରେ ବସାଇ କହିଲେ,"କଂସ କୋପ ନକରୁ, ଏଥି ପାଇଁ କାଲି ପ୍ରଭାତରୁ ଆମେ ସମସ୍ତେ ମଥୁରା ଯିବାକୁ ଆୟୋଜନ କରାଯାଉ l ସାଥିରେ ଶତେ ଭାର ସର,ଲବଣୀ,ଦହି, ଛେନା, ଗୋରସ ଆଦି ଶକଟରେ ଧରିଯିବା l ଅକ୍ରୁର ଏହି ସମୟରେ ନନ୍ଦଙ୍କୁ କଂସ ପଠାଇ ଥିବା ଚିଟାଉଟି ବଢ଼ାଇ ଦେଲେ l ଚିଟାଉରୁ ନନ୍ଦ ସମସ୍ତ ଅବଗତ ହୋଇ ଗୋକୁଳରେ ଘୋଷଣା କରି ଦେଲେ କାଲି ପ୍ରଭାତରୁ ଆମେ ସମସ୍ତ ସମ୍ଭାର ସହ ଧନୁ ଯାତ୍ରା ଦେଖିବା ପାଇଁ ମଥୁରା ଯିବା l
କଥା ଗୋପିମାନଙ୍କ କାନରେ ବାଜିଲା,'ଗୋପରେ ଶୁଭିଲା ଘୋଷଣ,ମଥୁରା ଯିବେ ନାରାୟଣ'l ବଜ୍ର ପଡ଼ିଗଲା ମୁଣ୍ଡରେ l ପରସ୍ପର ଭିତରେ କୁହାକୁହି ହେଲେ,"କହ୍ନେଇ ତ ଆମର ଜୀବନ,ତାଙ୍କୁ ଛାଡ଼ି ଆମେ କେମିତି ବଞ୍ଚିବା l କିଏ ମୁର୍ଚ୍ଛା ହୋଇଗଲା ତ କିଏ ଶିରରେ ପଥର ଆଣି ମାରିଲା l ସମସ୍ତେ କରରେ ଶିରକୋଡ଼ି ବିଳାପ କରିବାକୁ ଲାଗିଲେ l ସମସ୍ତେ ମିଶି କହିଲେ ଚାଲ ସେହି କଂସ ଡଗର ଅକ୍ରୁରଟାକୁ ମାରିବା l ସବୁ ଗୋପୀ ମାନେ ଯାଇ ଅକ୍ରୁରଙ୍କୁ ଘେରିଯାଇ କହିଲେ,ଆରେ ତୁ ତ ଜମା ଭଲ ଲୋକ ନୋହୁଁରେ l ତୁ ଆମ ଆଖି ଦୁଇଟାକୁ ତାଡ଼ିନେବାକୁ ଆସିଛୁ l ରାଗରେ କହିଲେ, ଆରେ ତୋର ନାମ ରଖିଛୁ ଅକ୍ରୁର l ପୁଣି ତୋର ଏ କ୍ରୁର ସ୍ଵଭାଵ କାହିଁକି ? "ତୁ ଯେବେ ଅକ୍ରୁର ବୋଲାଉ, କ୍ରୁର ସ୍ଵଭାଵ କିମ୍ପା ବହୁ l"ଆମ ନନ୍ଦରାଜା,ରାଣୀ ଯଶୋଦା ବି ସେଇମିତି l ଏ ଗୋପ ଗଉଡ଼ମାନେ ମଧ୍ୟ ଅକ୍ରୁର କଥାରେ ବାଇ ହୋଇଛନ୍ତି l ସମସ୍ତେ ଆସ ଅକ୍ରୁର ରଥକୁ ଓଗାଳିବା, ଦେଖିବା କେମିତି ଆମ ରାମକୃଷ୍ଣଙ୍କୁ ଘେନିଯିବ l 'ରଥ କରିବା ଖଣ୍ଡ ଖଣ୍ଡ, ଛେଚିବା ଅକ୍ରୁରର ମୁଣ୍ଡ l
ଗୋପୀମାନଙ୍କର ଏପରି ବ୍ୟାକୁଳତା ଓ ଅକ୍ରୁରଙ୍କୁ ଝିଙ୍ଗାସ ଦେଖି ନନ୍ଦଙ୍କୁ ଅକ୍ରୁର କହିଲେ,ତାହେଲେ ମୁଁ ଫେରିଯାଉଛି l ହାନିଲାଭ ଯାହାହେବ ବୁଝିବ, ଭଲ ଗତି ଅଛି ତ ତୁମେ ପଛକେ ନ ଯାଅ, ରାମ ଗୋବିନ୍ଦ ଦୁଇ ଜଣକୁ ମୋ ସହିତ ପଠାଇ ଦିଅ l ମା' ରୋହିଣୀ ଯଶୋଦା ମଧ୍ୟ କାନ୍ଦିକାନ୍ଦି ଭୂମିରେ ଲୋଟି ଯାଉଥାନ୍ତି l ଯଶୋଦା ବାଇ ପ୍ରାୟ ହୋଇ ବଳରାମଙ୍କୁ କହିଲେ ବାବୁରେ,ତୁ ତ ଟିକିଏ ବଡ଼, ମୋ କୃଷ୍ଣଙ୍କୁ ଟିକିଏ ଧ୍ୟାନ ରଖିଥିବୁ l ତାକୁ ଗହଳ ମଥୁରା ଦାଣ୍ଡରେ କେବେ ସାଙ୍ଗ ଛାଡ଼ିବୁ ନାହିଁ :-
ସଙ୍ଗ ତୁ ନଛାଡ଼ିବୁ ଦଣ୍ଡେ
ଗହଳ ମଥୁରାର ଦାଣ୍ଡେ l
ଏତେ ଗୋଳ ଭିତରେ ରାମ କୃଷ୍ଣ ଦୁଇ ଭାଇ ସଜ ହୋଇ ପଡ଼ି ଅକ୍ରୁର ରଥରେ ବସି ପଡ଼ିଲେ l ଆଗ ପଛ ହୋଇ ଗୋପାଳ ମାନେ ଦଧି, ଘୃତ ଇତ୍ୟାଦି ସମ୍ଭାର ମାନ ଶକଟ ମାନଙ୍କରେ ଭରି ଚାଲିଥାନ୍ତି l ରାମ କୃଷ୍ଣଙ୍କ ମଥୁରା ଯାତ୍ରା,ଅପୂର୍ଵ ସେହି ଦୃଶ୍ୟ l ସ୍ୱର୍ଗରୁ ଦୁନ୍ଦୁଭି ନାଦ ସହ ପୁଷ୍ପ ବୃଷ୍ଟି ହେଉ ଥାଏ l ଏହି ସମୟରେ ଗୋପୀମାନେ ଆସି ପହଞ୍ଚି ଯାଇ ପଥ ଓଗାଳି ବସିଲେ l ତାଙ୍କର ଏକା ଜିଦ ଆମେ ଆମ ରାମ କୃଷ୍ଣଙ୍କୁ ଛାଡ଼ିବୁନାହିଁ l ଶେଷରେ ଯାଇ ସେମାନେ କୃଷ୍ଣଙ୍କୁ ବେଢ଼ି କହିଲେ,ଆରେ କହ୍ନେଇ ତୁ ଏଡ଼େ ନିର୍ଦ୍ଦୟ ହେଉଛୁ କିପରି, ତୁ କଅଣ ଜାଣି
ନାହୁଁ ତୁ ଆମର ଜୀବନ, ଏବେ କାକ ଘରେ ପିକ ପରି ଆମକୁ କିପରି ପାଶୋରି ଦେଉଛୁ l ତୁ ପରା ଗୋପୀନାଥ, ଆମକୁ କେମିତି ଅନାଥ କରି ଚାଲି ଯାଉଛୁ l ଆମେ ମଧ୍ୟ ତୋ ସହିତ ଯିବୁ l
କୃଷ୍ଣ କହିଲେ,ହେ ବ୍ରଜବଧୂ,ଆମେ ରାଜା ଭଣଜା, ଯାଉଛୁ ରାଜାଙ୍କ ଧନୁ ଉତ୍ସବ ଦେଖିବାକୁ l ରାଜା ବହୁତ ଖୁସି ହେବ, ଆମକୁ ବହୁ ଧନରତ୍ନ ଦେବ l ସେଠାକୁ କେତେ ଆଡ଼ୁ ଲୋକ ମାନେ ଆସୁଛନ୍ତି l ତୁମେ ମାନେ ସବୁ ଘରକୁ ଫେରି ଯାଅ, ମୁଁ କଣ୍ଟ କରି ଯାଉଛି ମାତ୍ର ଚାରିଦିନରେ ଫେରି ଆସିବି l କୁମୁଦକୁ ଛାଡ଼ି, କୁମୁଦ ବନ୍ଧୁ କ'ଣ ରହି ପାରେ l ଏହା ମୋର ସତ୍ୟ ବଚନ l
ମୋହର ସତ୍ୟ ଏ ବଚନ
ଏଥକୁ ସାକ୍ଷୀ ନିରଞ୍ଜନ l
ଏମିତି ଚାଟୁ ବାକ୍ୟରେ ଗୋପୀ ମାନଙ୍କୁ ମୋହିତ କରାଇ,କୃଷ୍ଣବଳରାମ ଅକ୍ରୁର ରଥରେ ଚାଲିଲେ l ଗୋପୀମାନେ ନିର୍ଣ୍ଣିମେଷ ନୟନରେ ଚିତ୍ରପ୍ରତିମା ପ୍ରାୟ ତାଙ୍କ ପଥକୁ ଅନାଇଁ ରହିଲେ l
ଏହା ପରେ ଅକ୍ରୁର ରାମ କୃଷ୍ଣଙ୍କୁ ରଥରେ ବସାଇ ପବନ ବେଗରେ ବାହି ନେଇ ଚାଲିଲା l ବାଟରେ ପଡ଼ିଲା ଯମୁନା l ଦୁଇ ଭାଇ ଅକ୍ରୁରଙ୍କୁ କହି ରଥ ଅଟକାଇ ଯମୁନା ଜଳ ପାନ କଲେ l ଅକ୍ରୁର ଏହି ସମୟରେ ଭଗବାନଙ୍କ ସମ୍ମତିରେ, ଯାଇ ଯମୁନା ସ୍ନାନ କଲେ l ସେ ଯମୁନାରେ ବୁଡ଼ ମାରି ଦେଖନ୍ତି ତ ଜଳ ଭିତରେ ରାମ, କୃଷ୍ଣ l ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ l ମନେମନେ ଭାବିଲେ,କଂସ ଭୟରେ ଦୁଇଭାଇ ପଳାଇ ଜଳରେ ଲୁଚିଲେ କି? ଆହା ! ମୋର କପାଳ ଫାଟିଲା l କଂସ ହାତରେ ମୋର ମରଣ ଧ୍ରୁବନିଶ୍ଚିନ୍ତ l ପୁଣି ସେ ଜଳରୁ ଉଠି ଆସି ଦେଖନ୍ତି ତ, ରଥରେ ରାମ କୃଷ୍ଣ ଦୁଇ ଭାଇ ବସିଛନ୍ତି l ସନ୍ଦେହ ହେବାରୁ, ସେ ପୁଣି ପାଣିରେ ବୁଡ଼ିଲେ l ଏଥର ଅକ୍ରୁର ଦେଖିଲେ ସହସ୍ର ସହସ୍ର ଫଣାଯୁକ୍ତ ଅନନ୍ତଙ୍କ କୋଳରେ ନୀଳଜୀମୂତକାନ୍ତି ଧରି ବିରାଜମାନ କରିଛନ୍ତି ଶଙ୍ଖ,ଚକ୍ର,ଗଦା,ପଦ୍ମ ଧାରୀ ଚତୁର୍ଭୁଜ ଭଗବାନ l ଅକ୍ରୁରଙ୍କ ମୋହ ତୁଟି ଗଲା,ଯମୁନା ଜଳ ମଧ୍ୟରେ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକଙ୍କର ସେ ସ୍ତୁତି କରିବାକୁ ଲାଗିଲେ l
ଧ୍ୟାନ ଭଗ୍ନ ହେବାରୁ, ସେ ଦେଖିଲେ କେହି ନାହିଁ l ଜଳ ମଧ୍ୟରେ ଭଗବାନଙ୍କ ମାୟା ଦେଖି ଉପରକୁ ଉଠି ଆସି ଦେଖନ୍ତି ତ, ରାମ ବନମାଳୀ ରଥରେ ବିଜେ ଅଛନ୍ତି l ସେ ଆସି କୃଷ୍ଣଙ୍କ ପାଦତଳେ ପଡ଼ି ମୁଣ୍ଡିଆଟିଏ ମାରି ଠିଆ ହେଲେ l ପ୍ରଭୁ ହସି ହସି କହିଲେ, ଆପଣ ତ ବହୁତ ଡେରି କରିଦେଲେଣି, ମଥୁରା କେତେ ବେଳେ ଯିବା l ଯମୁନା ଜଳରେ ଆପଣ କଅଣ ସବୁ ଦେଖିଲେ l ଅକ୍ରୁର ସଙ୍କୋଚ ଭାବ ଏବଂ ଭକ୍ତିମିଶ୍ରିତ କଣ୍ଠରେ କହିଲେ,'ଜଳେ ଦେଖିଲି ମୁହିଁ ଯାହା,ଭୋ ନାଥ ନଜାଣୁକି ତାହା l' ଶ୍ରୀକୃଷ୍ଣ ଏହା ଶୁଣ କହିଲେ,ହଉ ! ତେବେ ଶୀଘ୍ର ରଥ ଚଳାଅ l
କୃଷ୍ଣଙ୍କଠାରୁ ଆଜ୍ଞା ପାଇ ଅକ୍ରୁର ପବନ ବେଗରେ ରଥ ବାହିନେଇ ମଥୁରାର ଉପକଣ୍ଠରେ ପହଞ୍ଚାଇ ଦେଲେ l ସେଠାରେ ଏକ ତୋଟା ନିକଟରେ କୃଷ୍ଣ ବଳରାମ ରଥରୁ ଓହ୍ଲାଇପଡ଼ି କହିଲେ,ହେ ତାତ, ତୁମେ ରଥ ଘେନି ଯାଅ ଏବଂ କଂସକୁ ଖବରଦିଅ ଆମେ ଅସିଗଲୁ ବୋଲି l ଆମ୍ଭେ ଏଠାରେ ଟିକେ ଅପେକ୍ଷା କରୁଛୁ, ସମସ୍ତ ଗୋପାଳ ଓ ଉପହାର ସାମଗ୍ରୀ ମାନ ଆସି ପହଞ୍ଚିଲେ ଆମେ ସବୁ ସାଥ ହୋଇ କଂସ ପୁରୀରେ ପହଞ୍ଚିବୁ l ବହୁ ଶ୍ରମ କରି ତୁମର କାର୍ଯ୍ୟ ଏବେ ସମାପ୍ତହୋଇଛି l ହେ ତାତ, ଏବେ ନିଜ ଘରକୁ ଯାଅ l ଅକ୍ରୁର ତହୁଁ ବହୁ ଜିଦ କରି କହିଲେ, ହେ ନାଥ ଯେବେ ମୋତେ ତୁମେ ନିଜ ବାନ୍ଧବ ବୋଲି ଭାବୁ ଥାଅ, ତେବେ ଘରକୁ ମୋର ବିଜେ କରି ମୋର ଜୀବନ ଧନ୍ୟ କରନ୍ତୁ l
ପ୍ରଭୁ ଟିକିଏ ସ୍ମିତ ହାସ୍ୟ କରି ଅକ୍ରୁରଙ୍କ ସ୍କନ୍ଧରେ ହସ୍ତରଖି କହିଲେ,ତୁମେ ବିଶ୍ୱାସ ରଖ ମୁଁ ନିଶ୍ଚୟ ହଳଧରଙ୍କ ସହ ତୁମ ମନ୍ଦିରକୁ ଯିବି l ଆଗେ ମୁଁ କଂସର ଦର୍ପ ଚୁର୍ଣ୍ଣ କରି ଆସେ l ଶ୍ରୀକୃଷ୍ଣଙ୍କ ଠାରୁ ଏଭଳି ମିଠା କଥା ଶୁଣି ଅକ୍ରୁର ପରମ ସନ୍ତୋଷ ଲାଭ କଲେ ଓ ପ୍ରେମ ଗଦ ଗଦ ହୋଇ ରଥ ଧରି ବାହାରି ଯାଇ କଂସକୁ ଜଣାଇ ଦେଲେ " ମୁଁ କୃଷ୍ଣ ବଳରାମଙ୍କୁ ଘେନି ଆସିଲି"l ରାମକୃଷ୍ଣ ଦୁଇଭାଇ ମଥୁରା ଗଲାଦିନୁ ମାତା ଯଶୋଦାଙ୍କ ଚକ୍ଷୁରୁ ଆଉ ଲୁହ ସୁଖୁ ନଥିଲା l କୃଷ୍ଣବଳରାମଙ୍କ କଥା ବାହୁନି ବାହୁନି ମାଆ ବାତୁଳି ପ୍ରାୟ ଭୂମିରେ ଲୋଟି ଯାଉ ଥିଲେ l ପ୍ରାଚୀନକବି ମାର୍କଣ୍ଡ ଦାସ ତାଙ୍କ କେଶବ କୋଇଲିରେ ଯଶୋଦା ବିଳାପର ଅତି ମର୍ମସ୍ପର୍ଶୀ ବର୍ଣ୍ଣନା କରିଛନ୍ତି l ସେଥିରୁ ପଦଟିଏ :-
କୋଇଲି, ଦୂତପଣେ ଅଇଲା ଅକ୍ରୂର
ଯାତ୍ରାବୋଲି ଭଣ୍ଡିନେଲା ବସାଇ ରଥର l
କୋଇଲି, ଝୁରୁ ଝୁରୁ ଲୁହ ନ ରହିଲା
ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା l
