କୋବି
କୋବି
ଶୀତ ଦିନର ଏଇ କାକର ଭିଜା ରାତି ଗୁଡ଼ିକ ଅନେକ ଲମ୍ବା ଲାଗେ ପହିଲିକୁ। ତଥାପି ଶ୍ରୀକ୍ଷେତ୍ରର ଜନପଥ ସଂପୂର୍ଣ୍ଣ ଶୋଇଯିବା ସେ କେବେ ଦେଖିବାକୁ ପାଇନି। କୋଡ଼ିଏ ବର୍ଷ ର ଅନୁଭୂତି କୁ ବଖାଣିବାକୁ ଯାଇ ଲୋକେ କହୁଛନ୍ତି, ସମୁଦ୍ରକୂଳିଆ ଅଞ୍ଚଳରେ ଏଡ଼େ ଶୀତ ଯେ ବିଗତ ଶହେ ବର୍ଷର ରେକର୍ଡ଼ ଭାଙ୍ଗିଛି।
ଲୋକମାନେ ଠାଏ ଠାଏ ନଡ଼ିଆ ବାହୁଙ୍ଗା ଜାଳି,ରିକ୍ସାବାଲାଏ ବିଡ଼ି କି ସିଗାରେଟ୍ ଫୁଙ୍କି, କେଉଁଠି ପୁଣି ତାସ୍ ପାଲି ବେଡ୍ ମିଣ୍ଟନ ଖେଳି ରାତି କାଟିବାକୁ ଚେଷ୍ଟା କରୁଛନ୍ତି। ଦୁର୍ବିସହ ବାତ୍ୟାରେ ବାସହରା ମଣିଷ ର ଅବସ୍ଥା ଏଯାଏ ସୁଧୁରିବା ନଜର କୁ ଆସି ନାହିଁ। ତାପରେ ଆଉ ଏକ ଝଡ଼ ମହାମାରୀ କରୋନାର।ପେଣ୍ଠକଟା ଝୁମ୍ପୁଡି଼ ବସ୍ତିର ଦୁଃଖ ର କାହାଣୀ ବର୍ଣ୍ଣନା କରିବା ର ଅର୍ଥ ଏକ ଗୋଷ୍ଠୀ ନିମନ୍ତେ କିଛି ଅନୁଦାନ ମାଗିବା କିମ୍ବା କେଉଁ ସମ୍ବେଦନଶୀଳ ପାଠକର ମସ୍ତିଷ୍କ କୁ ମାନସିକ ଉତ୍ତାପ ଗ୍ରସ୍ତ କରିବା।
ରେଳବାଇ ବାଲିଉପର ବସ୍ତିରେ ଜରିପାଲତଳେ ଦୁଇ ତିନି ଜଣ ଚିରା ଚାଦର ଜାକିଜୁକି ଶୋଇଥୀବା, ସେମାନଙ୍କ ଶରୀରକୁ କୁକୁର ବିଲେଇ ର ଉଷ୍ନତା ପ୍ରଦାନର ଦୃଶ୍ୟ ଯିଏ ଥରେ ହୃଦୟଙ୍ଗମ କରିବ ସେ ବୁଝିପାରିବ ଦେହଥରା ଜାଡ଼ କିଭଳି କଷ୍ଟ ଦାୟକ।
ପହିଲି ବଡ଼ି ଭୋର୍ ରୁ ଯାଏ ଷ୍ଟେସନ କୁ ନିଜ ଟ୍ରଲି ରିକ୍ସା ନେଇ।ଥରେ ବଡ଼ଦାଣ୍ଡ ରେ ସାକ୍ଷାତ ହେଲା ଅଧିକାରୀ ବାବୁସହ।ବାବୁ ପଚାରିଲେ ଶୀତରେ ଥରି ଥରି ରାତି ନପାହୁଣୁ କୁଆଡ଼େ ଯାଉଛ?ପହିଲି କହିଲା ବାବୁ ମୁଁ ଶୀତ ଦିନିଆ ଫୁଲ ବେପାରୀ। ଯେଉଁ ଫୁଲଟି ଗଜରାଟେ ନ ହେଇପାରିଲେ ବି ଭୋଜିମଉଛବ ରୋଷେଇ ଘରେ ସବୁଠାରୁ ବେଶୀ ଚାହିଦା ଅକ୍ତିଆର କରିଥାଏ।
ପୁରୀର ପ୍ରସାରିତ ପଥରେ କୁହୁଡ଼ି କାକର ବହଳିଆ ହେଇ ଘନେଇ ଆସିଲେ ପହିଲିକୁ ଶୀତ ଉପହାସ କଲାପରି ଲାଗେ।
"କୋଡିଏରେ ଦିଇଟି ଫୁଲ ଦିଇଟିଫୁଲ, ନିଅ ନିଅ" ପହିଲି ପାଟିରୁ ଅନର୍ଗଳ ଏ ଶବ୍ଦ ବାହାରିଆସେ ଓ ବଡ଼ଦାଣ୍ଡ କୁ କୋଳାହଳ ମୟ କରେ।ଫୁଲକୋବି, ବନ୍ଧାକୋବି,ବ୍ରୋକଲି, ଭଳି ପରିବା ବଜାର ର ଶୋଭା ବର୍ଦ୍ଧନ କରେସିନା ଗରୀବ ଅସହାୟ କୁଡ଼ିଆରୁ ଦୂର କରି ପାରେନି ହା ହତାଶା କୁ।
ସତରେ କ'ଣ ଏ ମହରଗ ଦୁନିଆରେ ଦଶ ଟଙ୍କାରେ କୋବିଟିଏ ବିକି ବେପାରୀ ନିଜ ପରିବାରର ଖର୍ଚ୍ଚ ତୁଲାଇବା ପାଇଁ ସମର୍ଥ ହୋଇପାରିବ?