ମେସେଜ୍ ଆଠପେଜ୍
ମେସେଜ୍ ଆଠପେଜ୍


ଦୁନିଆଁ ର ସବୁ ଜିନିଷ ଟଙ୍କାରେ କିଣାଯାଇପାରେ , କିନ୍ତୁ ସମ୍ପର୍କ ଅଙ୍କୁରିତ ହୁଏ ସଦ୍ ବ୍ୟବହାର ,, ମିଠା କଥାରେ ।
ସକାଳୁ ଚା ପିଉପିଉ ମିନୁ ଦେଖିଲା ହ୍ୱଆଟ୍ସ ଆପ୍ ସୋ କରୁଛି " ତୁମପାଇଁ ଆଠଟି ପେଜ୍ ମାତ୍ର " ସେ ଡରିଗଲା , ଛାତି ଧଡ୍ କଲା । ଆଠଟି ପୃଷ୍ଠା ର ଲେଖା ଏମିତି କ'ଣ ହୋଇଥାଇପାରେ ! ଦିନ ରାତି ଫାଇଲ୍ ପତ୍ର , ନାନା ରକମର ମିଟିଙ୍ଗ୍ ରେ ବ୍ୟସ୍ତ ଥିବା ଲୋକ ବି ଅନେକ ଅଛନ୍ତି , ଯେଉଁ ମାନେ ଭାଷା ,କଥା, କାହାଣୀ ରେ ଦକ୍ଷତା ଅର୍ଜନ କରିଛନ୍ତି ।
ସିଦ୍ଧାର୍ଥଙ୍କ ନାଆ , ପ୍ରତିପତ୍ତି ଚତୁର୍ଦ୍ଦିଗ ରେ । ସେ କିଛି ଗୋଟିଏ ମିସ୍ କରିବାର ଅର୍ଥ ନିଜ ଚତୁର୍ପାଶ୍ୱର କର୍ମଚାରୀ ଙ୍କ ସହ କମ୍ପରମାଇଜ୍ କରିବା । ସବୁଠି ଲୋକେ ତାଙ୍କୁ ଲୋଡ଼ି ଥାଆନ୍ତି । କାଲି ଭୂବନେଶ୍ୱର କ୍ଲବ ସାମ୍ନାରେ ତାଙ୍କ ଗାଡ଼ି କୁ ମିନୁ ଦେଖି ଥିଲା , ହେଲେ ସେ ସାମ୍ନା କରିପାରେନି ।
ହୁଆଟ୍ସ୍ଆପ୍ ଫେସ୍ ବୁକ୍ ରେ ବନ୍ଧୁତା ହେଇଗଲେ କ'ଣ କେହି କାହାକୁ ପ୍ରାଞ୍ଜଳଭାବେ ବିଶ୍ଳେଷଣ କରିପାରେ ! ଏ ଏକ ଅଲୋଡ଼ା ସମ୍ପର୍କ ଯାହା ପ୍ରାୟ ନିଜ ନାମ ବଦଳାଇଥାଏ , ଚେହେରା ମଧ୍ୟ ଭିନ୍ନ ଭିନ୍ନ ଦର୍ଶାଇ ଥାଏ । ହେଲେ ସବୁବେଳେ ମଣିଷ ଏକ ସାର୍ବଜନୀନ ଡାକ ଶୁଣିବାକୁ ଚାହେଁ । ଲୋକ ଲୋଚନ ର ଉହାଡରେ ମଣିଷ କେତେ କ'ଣ ଭାବେ ଓ କରେ.... ।
ଆଜି ମିନୁ ତା' ସ୍ୱାମୀଙ୍କ ପାଇଁ କେଡେ ଦାମିକା ବସ୍ତୁ ! ଯାହାର ମୂଲ୍ୟ ସିଦ୍ଧାର୍ଥ ଜାଣି ନାହାନ୍ତି । ସରଳ ମିନୁର ମନ ସହ ବନ୍ଧୁତା ଗ୍ରହଣୀୟ ମାତ୍ର ସ୍ଫଟିକପରି ସ୍ୱଚ୍ଛତା ଆବଶ୍ୟକ। ସମ୍ପର୍କ ରେ ଆବିଳତା ତାର ପସନ୍ଦ ନୁହେଁ ।
ଛୋଟପିଲା, ଅନେକ କାମ । ଯୌଥ ପରିବାର ର ବୋହୂ ସିଏ । ଘରେ ସଦାବେଳେ ଅତିଥି ଚର୍ଚ୍ଚା । ଫୁର୍ସତ ମିଳିଲେ ମିନୁ ଲେଖାଲେଖି ପଢ଼ାପଢ଼ି କଥା ଭାବେ। ଏସବୁ ଠାରୁ ବନ୍ଧୁ ସିଦ୍ଧାର୍ଥ ଅନେକ ଦୂରରେ । ତାଙ୍କୁ ସିଏ କାହିଁକି ଏତେକଥା ବୁଝାଇବ !
--- ଆଠପେଜ୍ ର ଲେଖାଟେ ପଠାଇଦେଲେ । ମଲା ମଣିଷ , ଆଚ୍ଛା ଭାଲୁ ଧରିଲି.... ପଢ଼ିବି କେତେବେଳେ ? ଯାହା ହେଲେବି ରିସିଭ୍ କଲାମାତ୍ରେ ଉତ୍ତର ଦେବାକୁ ପଡ଼ିବ । ନହେଲେ ସେ ମନ ଖରାପ କରିବେ । ଏଣୁ ମେସେଜ୍ ଟିକୁ ବର୍ତ୍ତମାନ ନ ଖୋଲିବାହିଁ ଠିକ୍ .....
ଏକ ଗୁଡେଇତୁଡେଇ ହେଉଥିବା ଭାବନା ଭିତରେ ସାରାଦିନ ବିତିଗଲା । ରାତି ହେଇ ଆସିଲାଣି, ମନ ଘାଣ୍ଟି ଚକଟି ହେଉଛି... " କ'ଣ ଅଛି ଆଠ ପେଜ୍ ର ମେସେଜ୍ ରେ..... ନାନାଦି ଭାବନା , ଖୁବ୍ ଆନମନା କରୁଥାଏ ମିନୁକୁ ।
ଡାଇନିଂ ଟେବୁଲ୍ ରେ ସଭିଙ୍କ ଦୃଷ୍ଟିକୁ ସେ ଚକ୍-ମା ଦେଇ ପିଡିଏଫ୍ କୁ ଖୋଲିଲା..... ରାତ୍ରର ଚାରିଘଡି଼ର ନିଦ୍ରାଟେ ପାଇଁ ଆଠ ପେଜ୍ ର ଜ୍ଞାନକୁ ନ ପଢ଼ିଲେ ତ୍ରାହି ନାହିଁ ଆଜି.....
କେତେ ଡେରି ଲାଗୁଛି ପିଡିଏଫ୍ ଖୋଲିବାକୁ ।ଶିଘ୍ର ଖୋଲିଯା ଖୋଲିଯା ...
- ହଁ ବାସ୍ , ଆଠ ପେଜ୍ ଆସିଲା ...
୧ . ଖରା
୨ . ଦିନ
୩ . ନିଜର
୪ . ଯତ୍ନ
୫ . ନେବ
୬ . ପାଣି
୭ . ପ୍ରଚୁର
୮ . ପିଇବ
ମିନୁ : ଈଃ କି ଦୁଃଷ୍ଟ ! ମୁଣ୍ଡକୁ ପିତ୍ତ ଉଠିଗଲା ।ମନେ ମନେ କେତେ ନୂଆପୁରୁଣା ଗାଳି ବକିଦେଲା ।
- ସିଦ୍ଧାର୍ଥ ପରି ପରିପକ୍ୱ ମଣିଷ ଗୁଡ଼ା ହୃଦୟର ଗୋପନୀୟତାକୁ ଏମିତି ସନ୍ତର୍ପଣରେ ପ୍ରକାଶ କରନ୍ତି ବୋଧହୁଏ ।
ସାରା ଦିନର ଅଜସ୍ର ଅନ୍ତର୍ଦ୍ୱନ୍ଦ ଭିତରେ ଅଣନିଃଶ୍ବାସୀ ହୋଇଯାଇଥିଲା ମିନୁ ....ପ୍ରକୃତିସ୍ଥ ହୋଇ ଏକ ତୃପ୍ତିର ହସ ହସିଲା । ରିପ୍ଲାଇଟିଏ ଟାଇପ୍ କଲା "ରୌଦ୍ରତାରେ ଜଳ ଦାନ କଲେ ପୂଣ୍ୟ ହୁଏ , ନିଜର ଯତ୍ନ ନେବ । ରହିଲି..."
-ଜୟ ଜଗନ୍ନାଥ-