STORYMIRROR

Ajita Mishra

Tragedy

4  

Ajita Mishra

Tragedy

ପରିବର୍ତ୍ତନ

ପରିବର୍ତ୍ତନ

3 mins
267


      

    ଗ୍ରୀଷ୍ମ ଛୁଟିରେ ନିଜ ଗାଆଁ କୁ ଆସି ଗେହ୍ଲି ଦେଖିବାକୁ ପାଇଲା ତା'ର ଅତି ପରିଚିତ ସେଇ ଗହଳିଆ ଆମ୍ବ ଗଛକୁ ।ହେଲେ କାହିଁକି କେଜାଣି ସେଥିରେ ଆମ୍ବ କଷି ଧରିନି । ଆରେ ହଁ ପ୍ରକୃତି ବି ଦୁଇ ବର୍ଷ ରେ ଥରେ ଏହି ଗଛଟିକୁ ପରିପୁଷ୍ଟ କରିଥାଏ । ଗେହ୍ଲି ପିଲା ଥିଲା , ଆମ୍ବ କଷିରେ ଲୁଣ ମଡ଼େଇ ଖାଇବା, ପାହାଡିଆ ନଇର କାଚ କେନ୍ଦୁ ପାଣିରେ ଦେହକୁ ଘଷିମାଜି ଏକୂଳରୁ ସେ କୂଳ ପହଁରିଯିବା ବେଳେ ଅଫୁରନ୍ତ ଆନନ୍ଦ ମିଳୁଥିଲା ତାକୁ । 

ନିଜ ଘରଠାରୁ ବିଦ୍ୟାଳୟ ଯିବା ରାସ୍ତା ମଝିରେ ଏ ଆମ୍ବ ଗଛଟି। ଅନେକ ଦୁଃଖ ସୁଖର ମୁକସାକ୍ଷୀ । ଆଜିବି ପିଲାବେଳ କଥା ମନେ ପଡିଲେ ତା'କୁ ଡର ଲାଗେ କେମିତି ଏକ ଦୁଃସ୍ୱପ୍ନ ପରି ସେ ଝାଳେଇଯାଏ ।


      ପାଞ୍ଚ ବର୍ଷ ନ ପୁରୁଣୁ ବିଦ୍ୟାଳୟରେ ନାମ ଲେଖା ହେଲା ଗେହ୍ଲିର । କି ଆନନ୍ଦର ଦିନଥିଲା ସେଦିନ। ବୋଉ କହୁଥାଏ ଏଥର ମୋ ମାଆ ପାଠ ପଢ଼ିବ , କେତେ ନୂଆ କଥା ଜାଣିବ .....


ବାପାଙ୍କ ସାଇକେଲ ପଛପଟେ କାରିଅର ରେ ବସି ସ୍କୁଲ ରେ ପହଞ୍ଚିବା ଖୁସିର ଦିନଟି ଏଯାବତ୍ ସେ ମଧୁରସ୍ମୃତି କରି ମନ ରେ ସାଇତି ରଖିଛି। ତହିଁ ପରଦିନ ଠାରୁ ସେ ନିଜେ ଏକୁଟିଆ ଯାଆ ଆସ କରିବ । ବାପା କାମକୁ ଯିବେ । ଘରେ ଆଉ କିଏ ଅଛି ଯେ ତା ସହ ଯିବ ସାଥି ହୋଇ ବିଦ୍ୟାଳୟ କୁ । ଦିନ ନାଇଁ ରାତି ନାଇଁ ବୋଉର ନାନା ରକମର କାମ। 


ବିଦ୍ୟାଳୟ କୁ ଆସିବା ସମୟରେ ଗେହ୍ଲି ର ମନେପଡ଼େ ବୋଉର ଆଦର ଯତ୍ନ ।ତରତର ରେ ଦି ମୁଠା ଭାତ ,ଡାଲି ଆଳୁ ଚକଟି ବୋଉ ଖୋଇ ଦିଏ। ସେଇ ଦିଗୁଣ୍ଡା ଖାଦ୍ୟ ଝିଅଟି ଦେହରେ ଫୁଟି ଦିଶେ।


ଡହ ଡହ ଖରାରେ ଆମ୍ବ ପାଚିବା ଆଗରୁ କଞ୍ଚା ଆମ୍ବ ବାଛି ନେଇ ସାଙ୍ଗସାଥି ଙ୍କୁ ଗେହ୍ଲି କହେ " ହେଇ ଦେଖ ଦେଖ ମୁଁ ସବୁରି ଲାଗି ଆମ୍ବ କଷି ଆଣିଛି " ସାଙ୍ଗ ମାନେ ଖୁସି ରେ ଝପଟି ନେବାରେ ଗେହ୍ଲି ର ଖୁସି। 


ଗଛ ଠାରୁ ଅଳ୍ପ ଦୂରତାରେ ବିକ୍ରମ ବାବୁଙ୍କ ବିରାଟ ଘର । ବିଦ୍ୟାଳୟ ଫେରନ୍ତା ସମୟ । ବିକ୍ରମ ବାବୁ ତା'କୁ ପାଖକୁ ଡାକି ଭାରି ଆଦର କରନ୍ତି। ସେ, ତା' ବାପାଙ୍କ ପରିଚିତ। ଏଥିପାଇଁ ବୋଧହୁଏ ସରୁ ପାଦଚଲା ରାସ୍ତା ଟି ଗେହ୍ଲି ପାଇଁ ଅତି ପରିଚିତ। ନିର୍ଭୟରେ ସେହି ରାସ୍ତାଟିକୁ ନିଜର ଅତି ଆପଣାର ଭାବେ।ପେଟ ରେ ଭୋକ ନ ଥାଏ ହେଲେବି ବିକ୍ରମ ଝିଅଟିକୁ ଚକ୍ଲେଟ୍ ବିସ୍କୁଟ ଖାଇବା କୁ ଦିଅନ୍ତି ।


      ଦିନେ ହଠାତ୍ ବିକ୍ରମ୍ ବାବୁ ଗେହ୍ଲିକୁ ତାଙ୍କ ବିଭିନ୍ନ ଅଙ୍ଗ ର ନାମ ପଚାରନ୍ତି। ତା'ପରେ ଗେଲ୍ହୀ କୁ ଜାବୁଡ଼ି ଧରନ୍ତି । ଆଉ ତାପରେ ପ୍ରତିଦିନ ସେଇ ଏକା ସମୟରେ ଝିଅଟି ର ସେହି ଦୁଃଖ। କୌଣସି କାମ ଗେହ୍ଲି ଠିକ୍ ରୂପେ କରି ପାରେନି । ବିଦ୍ୟାଳୟର ଶେଷ ଘଣ୍ଟା ବାଜିବା ମାତ୍ରେ ଅଣନିଃଶ୍ବାସୀ ହେଇ ଘର ମୁହାଁ ଧାଇଁବାକୁ ସେ ନିଜକୁ ସଜାଗ ରଖେ । ଗୋଡ଼ ଦିଇଟା ରେ ପକ୍ଷ ଲାଗି ଯାଆନ୍ତା କି ! ସେ ଆଖିପିଛୁଳାକେ ଘରେ ପହଞ୍ଚି ଯାଆନ୍ତା !

ମାତ୍ର ଆଜି ପୁଣି ଛକି ବସିଥାଏ ସେହି ଦୁଷ୍ଟ ଲୋକଟା । ଡେଙ୍ଗା ବଡ଼ ମଣିଷଟିର ହାତର ଫାଶ କୁ ଛୋଟ ଝିଅଟି ଛଡ଼ାଇ ପାରେନି ...

ବାରମ୍ବାର ବିଦ୍ୟାଳୟ ଯିବା ରାସ୍ତାରେ ପ୍ରାୟ ନିଇତି ସେଇକଥା । ସେ ଲୋକଟା ଧମକ ଦିଏ ,କାହାକୁ କିଛି କହିଲେ ପ୍ରାଣ ରୁ ମାରିଦେବ ।

     ପରିଣତ ବୟସ ରେ ଆମ୍ବ ଗଛଟି ମନେପକାଇ ଦେଉଛି ,ଶୈଶବ କିପରି ଯନ୍ତ୍ରଣା ରେ ଘାଣ୍ଟି ଚକଟି ହୋଇ ଜଟିଳତା ଆଡ଼କୁ ଅଗ୍ରସର ହୁଏ । ଛଳନାରହିତ କିଶୋରୀ ବୟସ ,କେତେ ସ୍ୱପ୍ନ ଦେଖି ଭାଙ୍ଗିଯାଏ....

      ଠିକ୍ ସମୟରେ ବିଦ୍ୟାଳୟ ରେ ପହଞ୍ଚି ପାରେନି ଝିଅଟି । ଦିଦି ଯାହା ପଚାରିଲେ ବି କିଛି ଯେମିତି ତାକୁ ଶୁଭା ଯାଏନି । ସେ ସଂପୂର୍ଣ୍ଣ ଚୁପ୍ ଥାଏ କେବଳ।ପିଠିରେ ଦି ପାହାର ପିଟିଦେଲେ ଯାହା ରାହାଧରି କାନ୍ଦେ....ହେଲେ କାହାକୁ କିଛି କହି ପାରେନି । ପରିବାରରେ ଅସାବଧାନତା ଯୋଗୁଁ ସବୁରି ଅଲକ୍ଷ୍ୟ ରେ ଗେହ୍ଲି ଝିଅ ପାଲଟିଯାଏ ଓଲି। ବହି ବସ୍ତାନି ସହ ବିଦ୍ୟାଳୟ କୁ ଯିବା ସମୟଟା ଗେହ୍ଲିକୁ କରିଦିଏ ଆହୁରି ଅଣନିଶ୍ୱାସୀ | 

       ଦିନସାରା ର ହଇଚଇ ମଧ୍ୟରେ ସଂଧ୍ୟା ଘୁମେଇ ଆସେ । ପାଠ୍ୟପୁସ୍ତକ ଉପରେ ଘୁମେଇ ପଡ଼େ ଛୋଟ ସରଳ ଝିଅଟି।ଘରଲୋକ କଥା ହୁଅନ୍ତି ରାତି ନହେଉଣୁ ଶୋଇ ପଡ଼ିଲା ଓଲି ....ଏ କି ପାଠ ପଢ଼ିବ.....!

ପରିବାର ଘର ଜଞ୍ଜାଳ ରେ ସନ୍ତୁଳିତ ହେଉଥିବା ବୋଉଟି ମଧ୍ୟ ଧୀରେ ଧୀରେ ଗେହ୍ଲି ର ଅକୁହା ଅବୁଝା ଚୁପଚାପ୍  ଗୁଣ କୁ ଆଦରି ନେଇ କହେ "ମୋ ଗେହ୍ଲିଟା ଟିକିଏ ଓଲି ....."


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy