Padmalaya Padhy

Inspirational

3  

Padmalaya Padhy

Inspirational

କଣ୍ଢେଇ

କଣ୍ଢେଇ

5 mins
279


ଆଜିକୁ ଦୁଇ ଦିନ ହେଲାଣି ଅର୍ଣ୍ଣବର ଗୋଧୂଳି ସହିତ ମୁହଁ ଫୁଲାଫୁଲି l ସେଦିନ ପାର୍ଟିରେ ମିଷ୍ଟର ତେଜୱାନୀ କଣ ଟିକେ ଗୋଧୂଳିକୁ ପ୍ରଶଂସା କରି ପକାଇଲେ ଦେଖି ଅର୍ଣ୍ଣବ ଦେହରେ ଯେମିତି ବିଛୁଆତି ଲାଗି ଯାଇଥିଲା l ଆରେ ଭାଇ ତୁମେ ହିଁ ତ କହିଛ ନିଜକୁ ନିଜେ ମେଣ୍ଟେନ କର ଠିକ ଠାକ ସଜବାଜ କରି ଲୋକଙ୍କ ସାମ୍ନାକୁ ଆସିବା ପାଇଁ ଏବେ ପୁଣି କଣ ହେଉଛି ତୁମର ? ଗୋଧୂଳି ଭାବୁଛି ନା ସିଏ ପାର୍ଟିକୁ ଯାଇଥାନ୍ତା ନା ଏତେ କଥା ହୋଇଥାନ୍ତା l ହେଲା ତ ହେଲା ଛାଡ଼ ଏବେ ଆଉ କଣ କରି ହେବ l


--ଶୁଣ ଆଜି ମୋ ସାଙ୍ଗମାନେ ଆସିବେ କ୍ୟାଟେରିଙ୍ଗକୁ ଅର୍ଡର ଦେଇ ସାରିଛି l ତୁମେ ଯେମିତି ଠିକଠାକ ଦେଖା ଯାଉଥିବ l ସେମିତି ତେଲିଆ ମଳିଆ ମୁହଁ ନେଇ… l ଆଉ କଣ କହି ଆସୁ ଆସୁ ରହିଗଲା ଅର୍ଣ୍ଣବ l


--କ୍ୟାଟେରିଙ୍ଗ କଣ ଘର ଭଳିଆ ଦେଇ ପାରିବ ? ମୋତେ କହିଲନି ଘରେ ଦି ଚାରି ପ୍ରକାର ଆଇଟମ କରି ଦେଇଥାନ୍ତି l


--ତୁମେ ମୋ ମୁଣ୍ଡ ଗରମ କରିବ ବୋଲି ଠିକା ନେଇଛ କି l ମୁଁ ଯାହା କହୁଛି ତୁମେ ତାର ଓଲଟା ହିଁ କରି ଆସୁଛ l ଏମିତି ଆଲୁରୀ ବାଲୁରି ବେଶକୁ ସେଇ ଯୋଉ ମୁଣ୍ଡରେ ଚଢ଼େଇ ବସା ନା, ମୋ ପ୍ରେଷ୍ଟିଜକୁ ଯେମିତି ଆଞ୍ଚ ନ ଆସେ l


ଏମିତି ଥରେ ନୁହେଁ ଅନେକ ଥର ଘଟିଛି l ଅର୍ଣ୍ଣବ ଚାହୁଁଥିବା ପରଫେକ୍ଟ ଲୁକ ଗୋଧୂଳି ଆଣି ପାରେନା l ତେଣୁ ବଡ଼ ବଡ଼ିଆଙ୍କ ପାର୍ଟିକୁ ସେ ଗୋଧୂଳିକୁ ନିଏ ନାହିଁ l ଯଦି ତା ବସ ଆସିଥିବେ ତ ପ୍ରଶ୍ନ ହିଁ ଉଠୁ ନାହିଁ l ଦିନେ ସ୍ନେହରେ ଗୋଧୂଳି କହିଥିଲା


--ମୋ ନାଆଁ ଯଦି ଗୋଧୂଳି ହେଲା ତୁମ ନାଆଁ ବି ଆଦିତ୍ୟ ହେବା କଥା ନହେଲେ ଆମ ଦୁହିଁଙ୍କର ମିଳନ କିପରି ହେବ ? ଚିହିଁକି ଉଠିଥିଲା ଅର୍ଣ୍ଣବ l


--ଆଉ କଣ ଆସେ କି ? ସେଇ ଗଳ୍ପ କବିତାକୁ ଛାଡିଦେଲେ ତ ପାଠଘର ଶୂନ l ମୁଣ୍ଡରେ ମସଲା ଥିଲେ ତ ଅନ୍ୟ ବିଷୟ ଢୁକିବ ?


--ଯୋଉ ପାଠରେ ନିଜ ସ୍ୱାମୀ ଓ ସନ୍ତାନଙ୍କୁ ସୁଖ ଶାନ୍ତି ଦେଇ ପାରିବିନି ସେଇଟା କି ପାଠ ମ l


--ଏବେ ତ ସ୍ୱାମୀକୁ ବହୁତ ସୁଖରେ ରଖୁଛ l ତୁମର ସେ ବେଶଭୂଷା ଦେଖିଲେ ମୁଁ କାହାକୁ ମୁହଁ ଦେଖାଇ ପାରୁନି l ଲୋକ କହୁଛନ୍ତି କୁଆଡୁ ଗୋଟେ ଗାଉଁଲି ମଫସଲି ସ୍ତ୍ରୀ ଲୋକଟିକୁ ଉଠେଇ ଆଣିଛି ବୋଲି l


ନୂଆ ନୁଆରେ ଗୋଧୂଳିକୁ ଏସବୁ ଶୁଣିଲେ କଷ୍ଟ ହେଉଥିଲା ଏବେ ଦେହସୁହା ହେଇ ଗଲାଣି l ବୟସ ଅନୁସାରେ ଶରୀର ଶିଥିଳ ହେବା ସାଙ୍ଗକୁ ଭାବନା ଗୁଡିକ ବି ଶିଥିଳ ହୋଇ ଗଲେଣି l ଆଉ କାଟୁନି l ପୁଅ ଝିଅ ହଷ୍ଟେଲ ଚାଲିଗଲା ପରେ କାଠ ପଥର ଭଳି ଦିନ କାଟିବାରେ ଲାଗିଛି ଗୋଧୂଳି l ଏମିତି କି ଗୋଧୂଳି ନାଆଁଟା ବି ଅର୍ଣ୍ଣବର ପସନ୍ଦ ହୁଏ ନାହିଁ l କଣ କରାଯିବ ଆଉ l


ମଣିଷ ନିଜ ଛାଇକୁ କଣ ହାତ ମୁଠାରେ ରଖିପାରେ ? ନିଜର ପ୍ରତିବିମ୍ବକୁ କଣ ଶତ ଚେଷ୍ଟା କଲେ ବି ଧରିକି ରଖି ହୁଏ ? ସେମିତି ଅର୍ଣ୍ଣବଙ୍କୁ ମଧ୍ୟ ଛୁଇଁ ହୁଏନି କି ଧରି ରଖି ହୁଏନାହିଁ l ଗୋଟିଏ ଘରେ ରହିଲେ ବି ଅର୍ଣ୍ଣବ ଓ ତା ଭିତରେ ଯୋଜନ ଯୋଜନର ଦୂରତ୍ୱ l


ନୂଆ ବାହା ହୋଇଥାଏ ମାଆ ଘରକୁ ପ୍ରଥମ ଥର ପାଇଁ ଗଲା ଯେତେବେଳେ ଅର୍ଣ୍ଣବର ଏଇ ଗୁଣଟି ମାଆ ଆଗରେ ବଖାଣି ଥିଲା l ମାଆକୁ କହିଥିଲା ମାଆ ତୁ ତ ଯେତେ ଝାଳନାଳ ହୋଇଥିଲେ ବି ବାପା ତୋତେ ଘୃଣା କରନ୍ତି ନାହିଁ ? ପୁଣି ଅର୍ଣ୍ଣବ ଏତେ ଶିକ୍ଷିତ ହୋଇ ମଧ୍ୟ ଏତେ ସଂକୀର୍ଣ୍ଣମନା ହେଲେ କିପରି ?


ମାଆ ବୁଝାଇ ଦେଇଥିଲା ଯେ ନିଜେ ଚାହିଁବା ଅନୁସାରେ ଯଦି ମଣିଷମାନେ ଆମକୁ ମିଳି ଯାଇଥାନ୍ତେ ତ ଦୁନିଆରେ ଦୁଃଖ ରାଗ ଦ୍ୱେଷ ଆଦି କିଛି ହେଲେ ନଥାନ୍ତା l ଆମେ ଯୋଉ ବାପା ମାଆ ଚାହିଁବା ସେଇଠି ଜନ୍ମ ହେବା ଆମେ ଯେମିତି ଚାହିଁବା ଆମ ପିଲାମାନେ ସେମିତି ହେବେ, ସାଙ୍ଗ ସାଥି ସ୍ୱାମୀ ସ୍ତ୍ରୀ ସବୁ ଆମ ଇଚ୍ଛା ଅନୁସାରେ ମିଳିଯିବେ l ଏମିତି କଣ ହୁଏ କିରେ ମାଆ ?


ପୁଣି ବାପା କହିଥିଲେ ମାଆଲୋ ଗଳ୍ପ ଉପନ୍ୟାସର ଦୁନିଆରେ ସେ ସବୁ ସମ୍ଭବ l ସେଇଠୁ ବାହାରି ଆସିଲେ ଦେଖିବୁ ଏତେବଡ ଦୁନିଆରେ କେହି ଜଣେ ବି ସୁଖରେ ନାହିଁ l ସମସ୍ତେ କିଛି ନା କିଛି ଅନ୍ୱେଷଣ କରି ଚାଲିଛନ୍ତି l ଜଣେ ଲୋକ ପାଖେ ଏମିତି କେତେ ସ୍ଵଭାବ ଥାଏ ଯାହା ଅନ୍ୟ ଜଣକୁ ପସନ୍ଦ ହୁଏ ନାହିଁ l ସେଇ ଭିନ୍ନତା ମଧ୍ୟରେ ହିଁ ଚଳିବାକୁ ହୁଏ l ଏହା ସଂସାରର ନିୟମ ପରା l ବାସ ବାପାଙ୍କ କଥା ଶୁଣି ସେ ଆଉ କିଛି କହି ନଥିଲା ଏବଂ ଅର୍ଣ୍ଣବର ପ୍ରକୃତିକୁ ସଂସାରର ଗୋଟିଏ ନିୟମ ବୋଲି ମାନି ନେଇଥିଲା l


ଏମିତିରେ ପଚିଶ ବର୍ଷ କଟିଗଲା l ପିଲାମାନେ ବଡ଼ ହୋଇ ଯିଏ ଯୁଆଡେ ଚାଲିଗଲେ l ଏବେ ଅର୍ଣ୍ଣବର କଥା ଗୁଡିକୁ ତର୍ଜମା କରିବାର ସମୟ ଆସିଛି l


--ଦେଖ ଏଇଟା ଖାଲି ଡିନର ପାର୍ଟି ନୁହଁ ଏଥିରେ ମୋର ଆଗାମୀ ପ୍ରମୋସନ ବି ନିର୍ଭର କରୁଛି l ତେଣୁ ପ୍ଲିଜ ଶେଷ ଥର ପାଇଁ ମୋତେ ଦୟା କର ଏବଂ ତୁମର ବେଶଭୂଷା ଟିକିଏ ବାଗେଇ କରି ସଜାଡ଼ l


ଗୋଧୂଳି ଯେ ସଜେଇ ହେବାକୁ ଚାହେଁନାହିଁ କିମ୍ବା ତା ପାଖରେ ସମୟର ଘୋର ଅଭାବ ସେମିତି କିଛି ନାହିଁ l କିନ୍ତୁ ଏମିତି ସଜବାଜ ହୋଇ ଚବିଶ ଘଣ୍ଟା କଣ୍ଢେଇ ପରି ରହିବାକୁ କେମିତି ଗୋଟେ ବୋଝ ଭଳି ଲାଗେ ଓ ମାଡି ମାଡି ପଡେ l ଗୋଧୂଳି ଅନେକ ଥର ଚେଷ୍ଟା ବି କରି ସାରିଛି l କିନ୍ତୁ କେବେ କେଶ ବିନ୍ୟାସରେ ତ୍ରୁଟି ମାନେ ଦି ଚାରି କେରା ବାଳ ଖସି ଯାଇ ମୁହଁଟା ଅବାଗିଆ ଦିଶୁଥିବ ତ ପୁଣି କେବେ ଶାଢ଼ୀର ଦୁଇଟି ପ୍ଲିଟ ପିନ ଲାଗି ଥିଲା ବେଳେ ତିନୋଟି ସେପଟେ ଖସି ଭୂଇଁରେ ଲୋଟୁଥିବ l


ସେଇ ଦଶ ବର୍ଷ ତଳର ନାଇଟି ଯୋଉଥିରେ ଅମାନିଆ ତେଲ ଦାଗଗୁଡିକ ବର୍ଷ ବର୍ଷ ଧରି ଲାଗି ରହି ଗୋଟେ ଗୋଟେ ପ୍ରିଣ୍ଟ ସୃଷ୍ଟି କରୁଛନ୍ତି ସେଇଟି ପିନ୍ଧିଲେ ଯୋଉ ଶାନ୍ତି ଏମିତି ଓଜନିଆ ଜରି ଚୁମକି ବସା ଲୁଗାପଟା ଗହଣା ସାଙ୍ଗକୁ ଚୁଟି ପୁଣି ଛାଡିକି ଯିବାକୁ ହେବ - ସବୁ ଗୋଟିଏ ଗୋଟିଏ ବୋଝ ଥିଲା ଗୋଧୂଳି ପାଇଁ l ଅର୍ଣ୍ଣବର ଫର୍ମାଇସ କଣ କରାଯିବ ଆଉ l


ତେଣୁ ସେଦିନ ନିଜ ମନକୁ ଅନେକ ମନେଇ ସାରିବା ପରେ ନିକଟସ୍ଥ ପାର୍ଲରକୁ ଯାଇଥିଲା ଅଳ୍ପ ବାଗେଇବା ପାଇଁ ଯାହା କି ଅତି କମରେ ଦୁଇ ଘଣ୍ଟା ଯାଏଁ ଅର୍ଥାତ ଡିନର ସରିବା ପର୍ଯ୍ୟନ୍ତ ରହିବ l ଅର୍ଣ୍ଣବ ତ ନିରିଖେଇ ଦେଖିଲା ନାହିଁ ବରଂ ମିଷ୍ଟର ତେଜୱାନୀଙ୍କ ପ୍ରଶଂସା ଶୁଣି ଦୁଇ ଦିନ ହେଲା ଗର ଗର ହଉଛି l


ଦୁଇ ତିନି ଦିନ ପରେ ଗୋଧୂଳିକୁ ସପିଙ୍ଗ କରିବାକୁ ଏକା ଏକା ବାହାରିବା ଦେଖି ଅର୍ଣ୍ଣବ କହିଲା


--ଢ଼େର ହେଲା ପାର୍ଟି ପିକନିକ l ଏମିତି ଆଉ ସଜବାଜ ହୋଇ କେଉଁଆଡେ ଯିବା ଦରକାର ନାହିଁ l ତୁମେ ଯେମିତି ଥିଲ ସେମିତି ହିଁ ଠିକ ଲାଗୁଛ l ଏତେ ମେକଅପ ବୋଳି ରଙ୍ଗୀନ ହୋଇ ବାହାରିବା ଦରକାର ନାହିଁ l


--କାହାକୁ ଦରକାର ନାହିଁ ବୋଲି କହୁଛ ? ତୁମକୁ ଦରକାର ନାହିଁ ? କିନ୍ତୁ ମୋତେ ଦରକାର ଅର୍ଣ୍ଣବ l ଏମିତି ବେଶଭୁଷା ହେଲେ ମୋତେ ଆଜିକାଲି ଭଲ ଲାଗୁଛି l


--ହଁ ମିଷ୍ଟର ତେଜୱାନୀଙ୍କ ପ୍ରଶଂସା ଶୁଣିଲେ ତ ଆହୁରି ଭଲ ଲାଗିବ ଯେ l


--ଖାଲି ତେଜୱାନୀ ନୁହନ୍ତି ତାଙ୍କ ସ୍ତ୍ରୀ ଓ ଅନ୍ୟ ସ୍ତ୍ରୀ ଲୋକମାନେ ମଧ୍ୟ ମୋତେ ସେଦିନ ବହୁତ ପ୍ରଶଂସା କରିଥିଲେ l ତୁମେ ତ ଜାଣ ମୁଁ ପ୍ରଶଂସା ପଛରେ ଗୋଡ଼ାଏ ନାହିଁ l ମୋର ଉଦ୍ଦେଶ୍ୟ ଅନ୍ୟ ପ୍ରକାର l ମୋର ବୋହୂ ଆସିଲେ ତା ଶାଶୁ ଘରେ ଗୋଟିଏ ସୁସ୍ଥ ପରମ୍ପରା ଦେଖିବ l ନା ମୋର କୌଣସି ଅପୂର୍ଣ୍ଣ ଇଚ୍ଛା ଥିବ ନା ମୋର ବୋହୂକୁ ସେସବୁ କରିବା ଦେଖିଲେ ମୋ ମନରେ ଈର୍ଷା ହେବ l


--ଗୋଟେ ନାରୀ ଖାଲି ଅନ୍ୟ ପାଇଁ ଜୀଇଁବ କି ଅର୍ଣ୍ଣବ ? ବାହା ହେବା ପୂର୍ବରୁ ମାଆ ବାପାଙ୍କ ପସନ୍ଦ, ହେଲା ପରେ ସ୍ୱାମୀ ଓ ଶାଶୁ ଶଶୁରଙ୍କ ପସନ୍ଦ ଓ ବୃଦ୍ଧବସ୍ଥାରେ ପିଲାଙ୍କ ପସନ୍ଦ ଓ ନାପସନ୍ଦ ଦେଖି ଜଗି ରଖି ଚଳି ଇଚ୍ଛା ଗୁଡିକୁ ନିଜ ଭିତରେ ମାରି ମାରି ଚାଲିଥିବ ଏବଂ ଯେଉଁ ମୁହୂର୍ତ୍ତରେ ବୋହୂଟିଏ ଘରକୁ ଆସିବ ତାକୁ ଉପଭୋଗ କରି ଖୁସିବାସୀ ହେବା ଦେଖିଲେ ଦେହ ଜଳି ଯାଉଥିବ କାହିଁକି ନା ଶାଶୁଟିଏ ତା ଜୀବନରେ କିଛି ପାଇ ନଥିବ l ମୋ ବୋହୂ ପାଇଁ ଉପଯୁକ୍ତ ପରିବେଶ ମୁଁ ନିଶ୍ଚୟ ତିଆରି କରିବି l


--ମୁଁ ଏତେ କଥା ଜଣେ ନାହିଁ ଗୋଧୂଳି l ତୁମେ ଆଉ ଏମିତି ସଜବାଜ ହୋଇ ବାହାରକୁ ବାହାରିବ ନାହିଁ କହିଦେଉଛି l


--ତୁମେ କଣ ମୋତେ ଗୋଟିଏ ଖେଳନା ଭାବିଛ କି ଅର୍ଣ୍ଣବ ? ତୁମ ଇଚ୍ଛା ଅନୁସାରେ ମୋ ନିଜର ମନ ନଥିଲେ ବି ରଙ୍ଗ ମାଖିବି ତୁମେ ମନା କଲେ ପୁଣି ଫେରିଯିବି ପୂର୍ବ ଅବସ୍ଥାକୁ ? ମୁଁ ଗୋଟେ ମଣିଷ ବୋଲି ତୁମେ ବୋଧେ ଭୁଲି ସାରିଲଣି l କିନ୍ତୁ ମୁଁ ତୁମକୁ ଭୁଲିବାକୁ ଦେବି ନାହିଁ ସେଇଥିପାଇଁ ମନେ ପକାଇ ଦେଉଛି l


-- ଆଜିଠୁ ମୁଁ ମୋ ନିଜର ଯତ୍ନ ନେବି l ଆଉ ହଁ ରଙ୍ଗ ବେରଙ୍ଗ କଥା କହୁଥିଲ ନା ? ହଁ ମୋତେ ଏଭଳି ରଙ୍ଗ ବେରଙ୍ଗ ହେବାକୁ ଭଲ ଲାଗୁଛି l ସୁତରାଂ ଆଜିଠୁ ମୋର ଏପରି ବେଶଭୁଷା ତୁମେ ନିତି ଦେଖିବ l ହଉ ମୁଁ ଟିକିଏ ମଲ ରୁ ଆସୁଛି l ତୁମ ପାଇଁ କ୍ଷୀର ଗରମ ହୋଇ ଟେବୁଲ ଉପରେ ଅଛି ପିଇ ନେବ l


ଗୋଧୂଳି ଚାଲିଥିଲା ଅସରନ୍ତି ପଥ l ଆଜି ସେ କାହାର ପତ୍ନୀ କିମ୍ବା ମାଆ ନୁହେଁ l ସେ ହେଉଛି ଗୋଧୂଳି… ଗୋଧୂଳି ଛଡା ଆଉ କିଛି ନୁହେଁ l



Rate this content
Log in

Similar oriya story from Inspirational