STORYMIRROR

Nityananda Nandi

Inspirational

4  

Nityananda Nandi

Inspirational

କଣ୍ଢେଇ

କଣ୍ଢେଇ

5 mins
279


ଘର କାମ କରୁ କରୁ ସୁମି କଣେଇ କଣେଇ ଦେଖୁଥିଲା ଅକ୍ଷରା ମେମଙ୍କୁ। କେତେବେଳଠୁ ବସିଛନ୍ତି ସେ ବାରଣ୍ଡାରେ....


ଜଣେ ମହିଳା ବି ଏତେ ଚୁପଚାପ୍ ରହିପାରନ୍ତି !! ଆଗରୁ ସେ କେବେ ଦେଖିନାହିଁ। ଆକାଶକୁ ଦେଖି ଦେଖି କଣ ଭାବନ୍ତି କେଜାଣି ? ପାଞ୍ଚ ଦିନ ହେଲା, କାମ କରୁଛି ସେ ଅକ୍ଷରାଙ୍କ ଘରେ। ନା କିଛି କହନ୍ତି ନା କେବେ ହସନ୍ତି !! ବୁଝିବାକୁ ଚେଷ୍ଟା କରି ବି ବୁଝିପାରେନି ସୁମି। 


ଅନୁରାଗ ବିଛଣାରୁ ଉଠିଆସି ବେସିନ ଆଗରେ ଦାଢି ସେଭ୍ ହୁଅନ୍ତି, ସୁମି ଭୟରେ ଛୁପିଯାଏ। ଆଦୌ କଥା ହୋଇନି ସେ ଅନୁରାଗଙ୍କ ସହିତ। ତାଙ୍କ ଆଗକୁ ଆସିବା ପାଇଁ ଡରିଯାଏ ସୁମି। ଫ୍ରେଞ୍ଚ୍ କଟ ଦାଢି, ଭାରି ଆଲାର୍ଜିକ୍ ସୁମି ପାଇଁ। ଚୁପଚାପ୍ ଚା କପଟିଏ ଥୋଇ ଦେଇଯାଏ ଡାଇନିଂ ଟେବଲ ଉପରେ। ରୋଷେଇ ଘରୁ ଲୁଚି ଲୁଚି ଦେଖେ ଅନୁରାଗଙ୍କୁ। ଚା ପିଇଲେ କି ନାହିଁ। 

ଅନୁରାଗ ବି ସବୁବେଳେ ଅନ୍ୟମନସ୍କ। ସେଭିଂ ସାରି ବେଡ଼ରୁମକୁ ପଶି ଯାଆନ୍ତି। ସୁମି ରୋଷେଇ ଘରେ ଥାଇ କପରେ କପ୍ ବଜାଇ ଶବ୍ଦ କରେ। ଅନୁରାଗଙ୍କୁ ବୋଧହୁଏ, ଚା କଥା ମନେ ପଡ଼ିଯାଏ। ସଙ୍ଗେ ସଙ୍ଗେ ଆସି ଡାଇନିଂ ଟେବୁଲ୍ ଉପରୁ ଚା କପ୍ ଉଠେଇ ନେଇଯା'ନ୍ତି। ସୁମି ମୁରୁକି ମୁରୁକି ହସେ।


ସମସ୍ତେ ହସିଲେ କିନ୍ତୁ ପୃଥିବୀଟା ଜୀବନ୍ତ ଲାଗେ, କିନ୍ତୁ ହାୟ ! ଦୁଃଖର ପ୍ରଚ୍ଛାୟା ଭିତରେ ପୃଥିବୀ ମୃତପ୍ରାୟ। ହସ ଖୁସି ନାହିଁ, ଦୁଃଖର ବନ୍ୟା। କେବଳ ସୁମି ହସିଲେ କଣ ହେବ, କିଛି ଫରକ୍ ପଡେନି ପୃଥିବୀକୁ ! ଦୁଃଖର ବଡ଼ ବଡ଼ ପାହାଡ଼ରୁ ସୁମିର ହସ ଧକ୍କା ଖାଇ ଫେରି ଆସେ ସିନା, ପାହାଡ଼ କିନ୍ତୁ ହଲେ ନାହିଁ।


କ୍ଷୀର, କର୍ନଫ୍ଲାସ୍କ୍ ଭରା କଟୋରାକୁ ଡାଇନିଂ ଟେବୁଲ ଉପରେ ରଖି ଆସିଲା। ରୋଷେଇ ଘରୁ ଦେଖିଲା, କଟୋରା ଖାଲି ହୋଇ ଯାଇଛି, ଅନୁରାଗ ଖାଇ ସାରିଛନ୍ତି, ବୋଧହୁଏ। ରୋଟି, ସନ୍ତୁଳା, ଟିଫିନ୍ ଡବାରେ ଭରି ଡାଇନିଂ ଉପରେ ଥୋଇ ଦେଲା ସେ। 

ଅନୁରାଗ ଅନ୍ୟମନସ୍କ ହୋଇ ଅଫିସ ବେଗ ଧରି ବାହାରିଗଲେ। ସୁମି ଦୁଇଟି ଡବା ଧରି ଧାଇଁଗଲା ମେନ ଡୋର ପାଖକୁ। ଅନୁରାଗ ଜୋତା ପିନ୍ଧୁଥିଲେ। ଧରିନେଲେ ଡବା ଦୁଇଟିକୁ ସୁମି ପାଖରୁ। ହସି ଦେଲେ ଅନୁରାଗ, ସୁମି ଲାଜେଇ ଗଲା।


ଡୋର୍ ବନ୍ଦ କରି ସୁମି ଅକ୍ଷରାଙ୍କ ପାଖକୁ ଆସି କହିଲା ମେମ, ଟିକିଏ ହସ !! ସବୁବେଳେ ଚୁପଚାପ୍ ବସିଛ କାହିଁକି ?


ଜୀବନରେ ପ୍ରଥମ ଥର କରି ଦୁଃଖରେ ଭାରସାମ୍ୟ ହରେଇଥିବା କାନ୍ଧ ଉପରେ କେହି ଜଣେ ହାତ ଆଉଁସି ଦେଲେ ମନ ଆନ୍ଦୋଳିତ ହୋଇଉଠେ। ସମୟକୁ ପଛରେ ଛାଡି ଆଗକୁ ମାଡି ଯିବା ପାଇଁ ଇଚ୍ଛା ହୁଏ। ହାତ ପା'ନ୍ତାରେ ମୃତ୍ୟୁକୁ ଦେଖିଲେ ଘୃଣା ଲାଗେ ତା ପରେ। କାହିଁକି କେଜାଣି, ପଛରେ ଛାଡି ଆସିଥିବା ପାଦ ଚିହ୍ନକୁ ଦେଖିବାକୁ ଇଚ୍ଛା ହୁଏନି। ଚଲାପଥ ବିସ୍ତାରିତ ହୁଏ ଦିଗ ବଳୟ ପର୍ଯ୍ୟନ୍ତ। ସ୍ୱପ୍ନର ତାରା ସବୁ ଆକାଶରୁ ହାତ ଠାରନ୍ତି।


ସୁମି ଅଜାଣତରେ ମେମଙ୍କ ମଥାରେ ମସାଜ୍ କରୁଥିଲା ଗେହ୍ଲେଇ ହୋଇ, ଅକ୍ଷରା ହସି ଦେଲେ। ତୋର ଛୁଆ ପିଲା କେତେ ଜଣ !ସୁମି ଭାରି ଗପୁଡି, ଆରମ୍ଭ କଲା ସେ ତା ଗପ। ପୂର୍ଣ୍ଣଛେଦ ନାହିଁ, ତା ଗପରେ। ମୋ ଝିଅକୁ ମାତ୍ର ପାଞ୍ଚ ବର୍ଷ ବୟସ, ମେମ। ନାଁ ତାର ବିଦୁଷୀ। ଜାଣିଛ ! ବିଦୁଷୀ କେତେ ଦୁଷ୍ଟ, ପାଠ ପଢ଼ାକୁ ତାର ଭାରି ଭୟ। କିଛି ଭୁଲ ଲେଖିଥିଲେ ବାପା ମାରିବେ ବୋଲି ଖାତାରୁ କାଗଜ ଚିରି ସିଧା ଗିଳିଦିଏ। କାଗଜ କିଏ ଛିଣ୍ଡେଇଲା, ପଚାରିଲେ କହେ, ମୁଁ ଜାଣିନି। ବଡ଼ ମିଛେଇ ମୋ ଝିଅ।

ଜାଣିଛ ! ମୋ ଶାଢ଼ୀ ପିନ୍ଧି ଘରୁ ବାହାରି ଆସେ ବିଦୁଷୀ। ଖେଳଣା ନେଇ ବସିଯାଏ ଭାତ ରାନ୍ଧିବାକୁ। ମୋତେ ଅର୍ଡର୍ କରେ, ବୋଉ ! ଚାଉଳ ଦେ, ପରିବା କାଟ୍। ଏମିତି ଅନେକ କିଛି। ବାପାଙ୍କୁ କିନ୍ତୁ ବହୁତ୍ ଡର। ତାଙ୍କୁ ଦେଖିଲେ ଶାଢ଼ୀ କାଢିଦେଇ ଛୁପିଯାଏ ଓଳି ପଛରେ।


ମେମଙ୍କ ଆଖି ଭରି ଆସିବା ଦେଖି, ସୁମି କିଛି ବୁଝି ପାରିଲା ନାହିଁ। କହିଲା, ଆଜି ଥାଉ, କାଲି ଗପିବା। ଶୁଣ ! କାଲି ଆମର ବିବାହ ବାର୍ଷିକୀ, ଭୋଜି ଭାତ ହେବ। ସାରଙ୍କ ବନ୍ଧୁ ବାନ୍ଧବ ଆସିବେ। ସଂଜରେ ସଜବାଜ ହୋଇ ତୁ ବି ଆସିବୁ।


ହଉ ହେଲା, ଆସିବି !! ତମେ କିନ୍ତୁ ଖୁସିରେ ଥାଅ ମେମ। କବାଟ ଧୀରେ କରି ଆଉଜି ଦେଇ ବାହାରି ଗଲା ସୁମି ।


*******

ସାର୍ ଆଉ ମେମ, କେହି ଖୁସି ନୁହନ୍ତି ? ପାଞ୍ଚ ଦିନ ହେଲା, କେହି କାହା ସହିତ ପ୍ରାୟ କଥା ହେବାର ଦେଖିନି ? ମୋ ଗପ ଶୁଣି ମେମ ଙ୍କ ଆଖି ଭରି ଆସିଲା କାହିଁକି ? ଏତେ ବଡ଼ ପ୍ରଶ୍ନର ବୋଝଟିଏ ନେଇ ଗେଟ ବାହାରକୁ ଯାଉ ଯାଉ ପଡିଶା ଘର କାମବାଲି ମାଳତୀ ସବୁ କଥା କହିଲା ସୁମିକୁ। କହିଲା, ତାଙ୍କର ଛୁଆ ପିଲା କେହି ନାହାନ୍ତି। ସବୁବେଳେ ଚୁପଚାପ୍ ବସି ଥାଆନ୍ତି ବାରଣ୍ଡାରେ। ପୂଜା, ବ୍ରତ, ଦାନ, ଧର୍ମ ସବୁ କରି ସାରିଛନ୍ତି। ଶୁଣିଥିଲି ମୁମ୍ବାଇ ଯାଇ ଅପରେସନ କରିଛନ୍ତି ସେ, ପିଲା ହେବ ବୋଲି। ତଥାପି କାହିଁ କିଛି ହେଲାନି ! ଭାରି ଭଲ ଲୋକ ସେମାନେ। ଶୁଣିଛି, ଏତେ ଦୁଃଖ ଭିତରେ ଆଦୌ ଝଗଡା ଝାଟି ନାହିଁ। ଚୁପଚାପ୍ ରହନ୍ତି ଘର ଭିତରେ, ବାସ୍।


ସୁମିର ମନ ଆଦୌ ବୁଝିଲାନି..। ମନସ୍ତାତ୍ତ୍ୱିକ ବୋଝ ମଣିଷକୁ କାବୁ କରିନିଏ କଙ୍କଡ଼ା ପରି। ଅଦ୍ଭୁତ ଏ ଚକ୍ରବ୍ୟୁହ ! ଆଖି ଆଗରେ ଫେରିବାର ରାସ୍ତା, କିନ୍ତୁ ମୁକୁଳି ପାରେନି ଏଇ ହତଭାଗା ମଣିଷ।


ଭାବନା ରାଇଜରେ ବୁଡି ଗଲା ସୁମି। 

ବିଚାରୀ ମେମ, ମାତୃତ୍ଵ ସନ୍ଧାନରେ ପାଗଳୀ ପ୍ରାୟ। ନାରୀ, ଏତେ କଷ୍ଟ ପାଏ କାହିଁକି ? ମାତୃତ୍ଵ ତାର ଅଧିକାର । ଭଗବାନ ଛଡେଇ ନିଅନ୍ତି କାହିଁକି ତା ଅଧିକାରକୁ ?? ନାରୀଟିଏ ଦିନ ରାତି କ୍ଷତାକ୍ତ ହେଉଥାଏ ମାନସିକ ବେଦନାରେ, ମହାଭାରତ ଠାରୁ ଆହୁରି ବଡ ଯୁଦ୍ଧରେ ହାରି ଯାଇ ଏକା ଏକା ବସି କାନ୍ଦେ....ମା ଟିଏ ହେବା ପାଇଁ। ଜୀବନର ସଞ୍ଚିତ ସବୁ ସ୍ନେହ ମମତା ଲୁହ ହୋଇ ଆଖିର ବନ୍ଧ ଡେଇଁଯାଏ।

*****

ଧୁମଧାମରେ ପାଳନ ହେଲା ବିବାହ ବାର୍ଷିକୀ। ସଜ ବାଜ ହୋଇ ସୁମି ଆସିଲା ଅକ୍ଷରାଙ୍କ ଘରକୁ। ସମସ୍ତେ ଉପହାର ଦେଲେ । ଦାମୀ ଦାମୀ ଘଡି, ନେକଲେସ, ଚୁଡି ଅନେକ କିଛି। ସୁମି ମଧ୍ୟ ଉପହାର ଦେଲା ତା ତରଫରୁ । ହସି ଦେଇ ସାଦରେ ଗ୍ରହଣ କଲେ ଅକ୍ଷରା,ସୁମିର ସେଇ ଉପହାରଟିକୁ।


ତା ପର ଦିନ ସକାଳ, ଇନ୍ଦ୍ରଧନୁର ରଙ୍ଗ ସବୁ ଆକାଶରେ ନେସି ହୋଇଥାଏ ପରସ୍ତ ପରସ୍ତ ହୋଇ। କ୍ଳାନ୍ତ ରାତିଟି ଛୁପି ଯାଉଥାଏ ପାହାଡ଼ ପଛ ପଟେ। ବିବାହ ବାର୍ଷିକୀର ରାଜନୀଗନ୍ଧା ଫୁଲ ସବୁ ପଡ଼ିଥାଏ ଭୂଇଁ ଉପରେ ଇତଃସ୍ତତ ହୋଇ। ମଉଳି ଗଲେଣି କେତେ ବେଳଠୁ...

ଦ୍ଵାର ଖୋଲି ଘର ଭିତରକୁ ପଶି ଆସିଲା ସୁମି। ଝାଡୁ ଆରମ୍ଭ କରିଛି କି ନାହିଁ, ଅକ୍ଷରା ବାହାରି ଆସିଲେ ବେଡରୁମ ଭିତରୁ। ଲାଗୁଥାଆନ୍ତି ଯେମିତି, ସଦ୍ୟ ବିବାହିତା, ମୁହଁ ଚିକ୍ ଚିକ କରୁଛି। ରାଜରାଣୀ ପରି ଲାଗୁଥିଲେ ଅକ୍ଷରା। ଖୁସିରେ କୋଳେଇ ନେଲେ ସୁମିକୁ।


ହଁ ମେମ, ମୁଁ ବୁଝି ପାରୁଛି। ନିଶ୍ଚୟ ମୋ କଣ୍ଢେଇ ଟି ତମକୁ ଭଲ ଲାଗିଥିବ । ହଁ ବହୁତ ଭଲ ହୋଇଛି ତୋ କଣ୍ଢେଇ....ତାକୁ ଧରି ଶୋଇଥିଲ ନା ରାତିରେ। କଣ୍ଢେଇକୁ ଜାକି ଧରି ଶୋଇଲେ ଲାଗିବ ଯେମିତି, ପାଖରେ ଟିକି ଛୁଆଟିଏ ଶୋଇଛି । ଚୁମା ଦେଇ ଗେହ୍ଲ କରିବାକୁ ଭାରି ଇଛା ହୁଏ ମେମ। ଆଖି ମିଟି ମିଟି କଲେ କଣ୍ଢେଇ ବି ଆଖି ମିଟି ମିଟି କରେ। କଥା କହିବାକୁ ଚେଷ୍ଟା କରିବ ତମ ସହିତ ,କିନ୍ତୁ ଜମାରୁ କଥା ହେବନି। ସବୁବେଳେ ହସୁଥିବ, ତମକୁ ଦେଖି। 


ଜୀବନ ନାହିଁ ବୋଲି କେତେ ନିଃସ୍ଵାର୍ଥପର ଏଇ କଣ୍ଢେଇ !! କଥା କହେନି ସିନା, କିନ୍ତୁ ଭାବପ୍ରବଣତାର ଜାଲରେ ସମସ୍ତଙ୍କୁ ବାନ୍ଧି ରଖେ । କ୍ଷତାକ୍ତ ହୃଦୟର ସବୁ ବ୍ୟଥା ନିବାରିତ ହୁଏ ତାର ମୃଦୁ ସ୍ପର୍ଶରେ। ତା ହସରେ ପାତର ଅନ୍ତର ନ ଥାଏ, ସମସ୍ତଙ୍କୁ ଦେଖି ହସୁଥାଏ ଏଇ କଣ୍ଢେଇଟି...ଯିଏ ନିରନ୍ତର ଖୁସି ଦିଏ ସେଇ ତ ନିଜର..ଜୀବନ ନ ଥାଇ ଖୁସି ବାଣ୍ଟିବା, କେତେ ଅଦ୍ଭୁତ !!!


ଏଇ ଦେଖୁନା, ଆମ ବିଦୁଷୀ ମିଛେଇଟିଏ। ଜୀବନ ଅଛି ବୋଲି କେତେ ସ୍ୱାର୍ଥପର ଆମ ଝିଅଟି !!!! 


ତାକୁ ସଂଜ ହେଲେ ନୂଆ ନୂଆ ଡ୍ରେସ୍ ପିନ୍ଧେଇ ମଥା କୁଣ୍ଡେଇ ଦେବ ମେମ। ରିବନ୍ ବାନ୍ଧି ନାଲି ନୀଳ ଫୁଲ ବନେଇ ଦେବ ଦୁଇ ପାଖରେ। ସାର୍ ଆଉ ତମେ, ଦୁହିଙ୍କ ମଝିରେ ଶୋଇବ ସେ ରାତି ହେଲେ। ଦେଖିବ, ସବୁ ଦୁଃଖ ତମେ ଭୁଲିଯିବ। 


ଗୋଟାଏ କଥା କହିବି ! କହିବନି କାହାକୁ। ତମ ପରି ମୋର ବି ଛୁଆ ପିଲା ନାହିଁ ! ଏଇ କଣ୍ଢେଇଟିକୁ ମୋ ବର ମୋତେ ଉପହାର ଦେଇଥିଲା, ଏମିତି ଥରେ ବିବାହ ବାର୍ଷିକୀରେ। ତା ପରଠୁ ମୋ ଜୀବନ ବଦଳିଗଲା ମେମ। ତାକୁ କୋଳେଇ ଧରି ତାର ଉଷ୍ମତାକୁ ଅନୁଭବ କଲି। ତାକୁ ସ୍ନେହ କଲି। ରାତି ସାରା ଏଇ କଣ୍ଢେଇକୁ ଭିଡ଼ି ଧରି ଶୋଇଲି ।

 

ବିଦୁଷୀ କଣ ମୋ ନିଜ ଝିଅ ! ମୋ ବର ତାକୁ ଅନାଥଶ୍ରମରୁ ଆଣିଛି। ଏଇ କଣ୍ଢେଇ ଆସିବା ପରେ ହିଁ ବିଦୁଷୀକୁ ମୁଁ ପାଇଛି। ଭାରି ଶୁଭ ଏଇ କଣ୍ଢେଇ। ତାକୁ ସ୍ନେହ କର, କିଛି ନା କିଛି ରାସ୍ତା ବାହାରି ଆସିବ ତମ ପାଇଁ !


ବିଦୁଷୀ ତା ନିଜ ଝିଅ ନୁହେଁ, କିନ୍ତୁ ଏତେ ସ୍ନେହ, ମମତା.... ଆକ୍ଷରାଙ୍କ ଲୁହରେ ସମ୍ପୂର୍ଣ୍ଣ ଭିଜି ଯାଇଥିଲା ସୁମି।

ଯା ! କାମ ଆରମ୍ଭ କର, ଭାରି ସୁନ୍ଦର ହୋଇଛି ତୋ କଣ୍ଢେଇଟି !


ହଁ ! କାଲି ତୋ ବରକୁ ପଚାରି ଆସିବୁ, ଅନାଥଶ୍ରମଟି କୋଉଠି ? ମୁଣ୍ଡ ହଲେଇ ସୁମି ହସିଦେଲା.... 


ଅନୁରାଗଙ୍କୁ ବେସିନ ଆଗରେ ଦାଢି ସେଭ୍ ହେବା ଦେଖି ସୁମି ଧାଇଁ ଗଲା ରୋଷେଇ ଘରକୁ ଚା ବନେଇବା ପାଇଁ।


କଣ୍ଢେଇଟିକୁ ଧରି ବାଲକୋନିରେ ବସିଥିଲେ ଅକ୍ଷରା। ଆଶାର ପୁଷ୍ପ ବୃଷ୍ଟି ହେଉଥିଲା ନୀଳ ଆକାଶରୁ। ସମ୍ଭାବନାର ବାର୍ତ୍ତା ନେଇ କାଉ ରା ରା କରୁଥିଲା ଘର ଆଗରେ...



Rate this content
Log in

Similar oriya story from Inspirational