STORYMIRROR

Priyadarshini Mishra

Drama

4.0  

Priyadarshini Mishra

Drama

କଲରାର ଅଭିଶାପ

କଲରାର ଅଭିଶାପ

2 mins
216


    ପିଲାଟିଦିନରୁ ଦିପୁକୁ କଲରା ପସନ୍ଦ ନୁହେଁ।ପିଲାଦିନେ ବାପାଙ୍କ ଡରରେ ସେ କଲରା ଖାଇଦେଉଥିଲା।କିନ୍ତୁ କଲରା ପାଟିରେ ଦେଉ ଦେଉ ତାକୁ ବାନ୍ତି ଆସୁଥିଲା ତଥାପି ପାଣି ପିଇ ପିଇ କଲରା ଢ଼ୋକିଦେଉଥିଲା।ବୋଉ ଦିପୁକୁ ବାପା ଖାଇବା ସମୟରେ ହିଁ ଖାଇବାକୁ ବାଢିଦିଏ।ଏ ଵୋଉଗୁଡା ସତରେ ଭାରି ଚାଲାକ!ଦିପୁର ଖାଦ୍ୟରେ ବାଛବିଚାର ଗୁଣ ଜାଣି ସେ ବାପା ଖାଇ ବସିଲାବେଳେ ତା'କୁ ମଧ୍ୟ ଖାଇବାକୁ ଦିଏ।ପରେ ଖାଇବ ବୋଲି ଯେତେ କହିଲେ ମଧ୍ୟ ଜମାରୁ ଶୁଣେନି।ବାପା ପାଖରେ ବସିଥିବାରୁ ଦିପୁକୁ ଥାଳି ସଫା କରି ଖାଇବାକୁ ହୁଏ। ତେଣିକି ଥାଳିରେ ତା' ମନପସନ୍ଦ ଖାଇବା ଥାଉ ଅବା ପିତା କଲରା ଥାଉ।ବୋଉ କହେ କଲରା ଦେହକୁ ହିତ। ପେଟରେ କୃମି ହେବନି।ଚର୍ମରୋଗ ହେବନି,ଇତ୍ୟାଦି ଅନେକ କଥା।ପାଟିକୁ ପିତା ହେଲେ କଣ ହେଲା ସବୁ ସୁଗୁଣ କଲରାରେ ଭର୍ତ୍ତି ହୋଇ ରହିଛି।ବୋଉ ଯେତେ କହିଲେ ମଧ୍ୟ ଦିପୁ ନିଜକୁ ବୁଝାଇ ପାରେନି।କଲରା ପିତା ଖାଇଲା ମାନେ ତାକୁ ବାନ୍ତି ଆସିବ ହିଁ ଆସିବ।ଧୀରେ ଧୀରେ ଦିପୁ ବଡ଼ ହେଲା,ଚାକିରୀ କଲା,ବାହା ହୋଇ ଘର ସଂସାର କଲା,ପିଲାଛୁଆଙ୍କ ବାପା ହେଲା କିନ୍ତୁ କଲରା ପ୍ରତି ତା'ର ଘୃଣାଭାଵ ଟିକିଏ ମଧ୍ୟ କମିନଥିଲା।ଏକଥା କୁ ନେଇ ସହଧର୍ମିଣୀ ପ୍ରୀତି ସହ ମଧ୍ୟ ଦିପୁର ଅନେକ ଥର କଥା କଟାକଟି ହୋଇଛି।ପ୍ରୀତି କହେ କଲରା ଠିକ ତୁମ ବାପାଙ୍କ ଭଳି।ବାପା ଯେପରି ଉପରେ ଶକ୍ତ କିନ୍ତୁ ସବୁବେଳେ ତୁମ ହିତ ଚିନ୍ତା କରନ୍ତି ସେହିପରି କଲରା ପାଟିକୁ ପିତା କିନ୍ତୁ ଶରୀର ପାଇଁ ହିତକାରୀ।ବୋଉ କହୁ ଅବା ପ୍ରୀତି,କାହା କଥାର ପ୍ରଭାବ ଦିପୁ ଉପରେ ପଡିନଥିଲା।

     ସେ ଏବେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ବାପାଙ୍କ ଖାଇବା ସମୟରେ ଖାଇପାରୁନଥିଲା।ତେଣୁ ଘରେ କଲରା ରୋଷେଇ ହେଲେ ନାନା ବାହାନା କରି ନ ଖାଇ ଉଠିଯାଉଥିଲା।ତା'କୁ ଦେଖି ତା'ପୁଅ ଝିଅ ମଧ୍ୟ କଲରା ଖାଉନଥିଲେ। କିନ୍ତୁ ସେ ପିଲାମାନଙ୍କୁ କିଛି କହୁନଥିଲା।ପ୍ରୀତି ପିଲାମାନଙ୍କୁ କିଛି କହିଲେ ସେମାନଙ୍କ ଯାହା ଇଚ୍ଛା ଖାଆନ୍ତୁ କହି ପ୍ରୀତିର ମୁହଁ ବନ୍ଦ କରିବାକୁ ଚେଷ୍ଟା କରୁଥିଲା। ପ୍ରୀତି କିନ୍ତୁ ନଛୋଡବନ୍ଧା।ଛୁଆଙ୍କର ଏଭଳି ଜିଦକୁ ଆଦୌ ପ୍ରଶ୍ରୟ ଦେଉନଥିଲା।ପିଲାମାନଙ୍କର ସବୁ ପରିବା ଖାଇବା ଉପରେ ଜୋର ଦେଉଥିଲା,ଠିକ ତା'ବୋଉ ପରି।ସଂସାର ଏହିପରି ଚାଲିଥିଲା।

     କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅତ୍ୟଧିକ ମାନସିକ ଚାପ ଯୋଗୁଁ ଦିପୁ ଉଚ୍ଚ ରକ୍ତଚାପ ରୋଗର ଶୀକାର ହେଲା। ଖାଦ୍ୟପେୟରେ ସାବଧାନତା ସହ ତେଲମସଲାଯୁକ୍ତ ଖାଦ୍ୟ ଦିପୁକୁ ବାରଣ କରାଗଲା। ଔଷଧ ଠିକ ସମୟରେ ଖାଇ,ଖାଦ୍ୟପେୟ ପ୍ରତି ଯତ୍ନବାନ ହେଲେ ସୁଦ୍ଧା ଦିପୁକୁ ଭଲ ଲାଗୁନଥିଲା।ଡାକ୍ତରଙ୍କ ପୁନଃ ପରାମର୍ଶ କ୍ରମେ ବିଭିନ୍ନ ପରୀକ୍ଷଣରୁ ତା'ର ମଧୁମେହ ରୋଗରେ ଆକ୍ରାନ୍ତ ହେବା ମଧ୍ୟ ଜଣାପଡିଲା।ବର୍ତ୍ତମାନ ଡାକ୍ତରଙ୍କ କଥା ଅନୁସାରେ ପ୍ରତିଦିନ କଲରା ଖାଇବାକୁ ହେବ।ତାହା ପୁଣି କମ ତେଲରେ ରନ୍ଧା ହୋଇଥିବା ଆବଶ୍ୟକ।ଚିକିତ୍ସାବିଜ୍ଞାନ କଣ କହୁଛି କହୁ ଦିପୁ ଭାବୁଥିଲା ପିଲାଦିନରୁ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ କଥା ଶୁଣି କଲରା ଖାଇଥିଲେ ଆଜି ଏଭଳି ପରିସ୍ଥିତି ନଥା'ନ୍ତା।କଲରା ପରିବାଟିକୁ ଘୃଣା କରିନଥିଲେ ଏପରି ପରିସ୍ଥିତି ନଥା'ନ୍ତା।ସବୁବେଳେ ପିଲାଙ୍କ ସାମ୍ନାରେ କଲରା ନଖାଇ ଉଠିଯାଉଥିଲା,ସେପରି କରିନଥିଲେ ହୁଏତ ଆଜି ଏପରି ପରିସ୍ଥିତି ନଥା'ନ୍ତା।କଲରା ସତେ ଆଉ ଅଭିଶାପ ଦେଲା କି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Drama