କଳଙ୍କିତ ଚାନ୍ଦିନୀ
କଳଙ୍କିତ ଚାନ୍ଦିନୀ
ଏ କାହାଣୀ ହେଇଛି ମୁମ୍ବାଇ ସହରରେ ରହୁଥିବା ଏକ ଝିଅ ଚାନ୍ଦିନୀର। ବୟସ ୨୩ ପାଖାପାଖି। ଗୋରା ରଙ୍ଗ, ଲମ୍ବା ଲମ୍ବା କେଶ। ଦେଖିବାକୁ ଏତେ ସୁନ୍ଦର ଯେ, ଦେଖିବା ଲୋକର ଚେହେରାରୁ ନଜର ହଟିବନି। ଯେତିକି ସୁନ୍ଦର ସେତିକି ଚଞ୍ଚଳ।
ସକାଳ ନଅଟା ସମୟ। ଠାକୁର ଘରେ ଆଳତୀ ସାରି ପୁରା ଘରେ ଆଳତୀ ଦିଏ ସୁମନ। ଆଉ ପତି ଅମରକୁ ଆଳତୀ ଦେଇ କହିଲେ-
-ତୁମ ଚା ନେଇ ଆସିବି, ନା ତୁମ ଗେହ୍ଲେଇ ଚାନ୍ଦିନୀ ହାତରୁ ପିଇବ।
-ଉତ୍ତର ତ ତମେ ଠିକ୍ ଜାଣିଛ । ପୁଣି ବାରମ୍ବାର ଏହି ପ୍ରଶ୍ନ କାହିଁକି କର କହିଲ?
-(ସୁମନ ହସି ଦେଇ) ସବୁବେଳେ ଏହା ଭାବୁଛି ଯେ, କାଳେ ଆଜି ସେହି ଦିନ। ସକାଳୁ ସକାଳୁ ମୋ ପତି ମୋ ହାତରୁ ଚା ପିଇବେ।
-(ସୁମନ ଅଳ୍ପ ହସି ଖବରକାଗଜ ଥୋଇଦେଇ) ଛାଡ ସେସବୁ। ଆରେ ଚାନ୍ଦିନୀ ଉଠିଲାଣି ନା ନାଇଁ?
-ତୁମ ଝିଅ କେବେ ନଅଟା ପୂର୍ବରୁ ଉଠିଛି ନାଁ ଆଜି ଉଠିବ। ସକାଳୁ ଦୁଇଥର ଉଠେଇବାକୁ ଚେଷ୍ଟା କଲାଣି। କିନ୍ତୁ ଉଠିବାର ନାଁ ଧରୁନି। ସବୁଦିନ ପରି ଡେରିରେ ଉଠିବ। ଆଉ ସେମିତି କ'ଣ ଦିଟା ଖାଇ ଅଫିସ ଦଉଡିବ। ଏବେ ଆଉ ଥରେ ଯାଉଛି ଡାକିବାକୁ।
ସୁମନ ହଲ୍ ର ସିଡି ଦେଇ ଚାନ୍ଦିନୀ ରୁମ୍ କୁ ଗଲା। କବାଟ ରୁ ପରଦା ହଟେଇ-
ଚାନ୍ଦିନୀ, ଉଠ୍ ବେଟା। ଅଫିସ ପାଇଁ ଡେରି ହେଇ ଯିବ ଯେ।
ଚାନ୍ଦିନୀ ତକିଆରେ ମୁହଁ ଲୁଚେଇ ଶୋଇଯାଉଥାଏ। ସୁମନ ବେଡ୍ ଉପରେ ବସି ଚାନ୍ଦିନୀ ମୁଣ୍ଡ ଉପରେ ସେହ୍ନରେ ହାତ ବୁଲେଇ-
-ଉଠ୍ ବେଟା।
ଚାନ୍ଦିନୀ ମୁହଁରୁ ତକିଆ ହଟେଇ ସୁମନ କୋଳରେ ମୁଣ୍ଡ ରଖି-
-ଆଉ କିଛି ସମୟ ଯାଉ ନା ମମି।
-ଆରେ ନଅଟା ବାଜିଲାଣି ପରା।
ଚାନ୍ଦିନୀ ଚମକି ଉଠିପଡ଼ି
-ନଅଟା ବାଜିଲାଣି! ହେ କାହ୍ନା, ଆଜି ନିଶ୍ଚୟ ଅଫିସ ପାଇଁ ଡେରି ହେଇଯିବ। ମମି ତୁମେ କାଇଁ ମୋତେ ଶୀଘ୍ର ଉଠେଇଲନି?
-ଥାଉ ଥାଉ। ଚାଲ୍ ଏବେ ଶୀଘ୍ର ବାହାରି ତଳକୁ ଚାଲିଆସ୍।ତୋ ବାବା କେତେବେଳୁ ଅପେକ୍ଷା କରିଛନ୍ତି ଚା ପିଇବାକୁ। ମୁଁ ତୋ ପାଇଁ ଜଳଖିଆ ତିଆରି କରୁଛି।
- ହଁ ଯେ ମମି, ଏବେ ଟିକେ ମ୍ୟୁଜିକ୍ ଲଗେଇ ଦିଅ ନା। ପ୍ଲିଜ୍।
ସୁମନ ମ୍ୟୁଜିକ ଲଗେଇ
-ଶୀଘ୍ର ତଳକୁ ଆସିବୁ ବେଟା।
ଚାନ୍ଦିନୀ ବେଡ୍ ରୁ ଉଠି ମ୍ୟୁଜିକ ର ଭଲ୍ୟୁମ୍ ଅଧିକ କରି ୱାସ୍ ରୁମ୍ କୁ ଗଲା।
ଚାନ୍ଦିନୀ ମ୍ୟୁଜିକ୍ ର ତାଳେ ରେ ନାଚି ନାଚି ରେଡ୍ଡି ହୋଇ ତଳ ହଲ୍ କୁ ଆସିଲା। ସୋଫା ଉପରେ ବସିଥିବା ବାପାଙ୍କୁ ପଛପଟୁ ଜାବୁଡ଼ି ଧରି
-ଗୁଡ୍ ମର୍ଣିଂ ବାବା।
ଅମର ଚାନ୍ଦିନୀ ର ମୁଣ୍ଡ ଉପରେ ହାତ ରଖି
-ସକାଳୁ ସକାଳୁ ମୋ ଝିଅର ଚାନ୍ଦ ପରି ମୁହଁକୁ ଦେଖିଦେଲି। ଏବେ ସକାଳ ତ ମୋର ଆପେ ଆପେ ଶୁଭ ହିଁ ହବ। ଆଉ ମୋର ଚା?
-ଏବେ ଆଣୁଛି ବାବା।
ଚାନ୍ଦିନୀ ରୋଷେଇ ଘରେ ଚା ବନଉ ଥାଏ। ଆଉ ମ୍ୟୁଜିକ୍ ସେପଟେ ବାଜି ଚାଲିଥାଏ। ଚାନ୍ଦିନୀ ବି ଗୀତ ଗାଇ ନାଚି ଚା କରି ବାପାଙ୍କୁ ଚା ଦେଲା। ସୁମନ ଜଳଖିଆ ଟେବୁଲ୍ ଉପରେ ରଖି
-ଇଏ ଆଉ ୟାର ପୁରୁଣା ହିନ୍ଦୀ ଗୀତ ଦୁହେଁ ସମାନ। ଆସ୍ ଚାନ୍ଦିନୀ ଜଳଖିଆ କରି ନେ।
ଚାନ୍ଦିନୀ ହାତରେ ଗାଡ଼ି ଚାବି ଆଉ ବ୍ୟାଗ୍ ଧରି
-ଅଫିସ୍ ପାଇଁ ଡେରି ହେଲାଣି ମମି। ଅଫିସ୍ ରେ କିଛି ଖାଇନେବି। ଏବେ ଯିବାକୁ ଦିଅ।
- ବିଲକୁଲ୍ ନାଇଁ। ଖାଲି ପେଟରେ ତୋତେ ଜମା ଅଫିସ ଯିବାକୁ ଦେବିନି। ଏବେ ଯାଇ ଚୁପଚାପ ଜଳଖିଆ କର।
ଚାନ୍ଦିନୀ ମୁହଁ ଫୁଲେଇ ଠିଆହେଲା। ସେହି ସମୟରେ କାହାର ପାଟି ଶୁଭିଲା।
-ଚାନ୍ଦିନୀ, ଚାନ୍ଦିନୀ.. ଶୀଘ୍ର ଆସ୍ ଡେରି ହଉଛି।
-ଏବେ ତ ପିଙ୍କି ବି ଆସିଲାଣି। ଯିବାକୁ ଦିଅନା ମମି। ମୁଁ ନିଶ୍ଚେ ଅଫିସ ରେ ଖାଇ ନେବି।
ସୁମନ ଚାନ୍ଦିନୀର ହାତ ଧରି ଟେବୁଲ୍ ରେ ବସେଇ ଦେଲା।
-ଚୁପଚାପ ଜଳଖିଆ କର। ତା'ପରେ ଯିବାକୁ ଦେବି।
ଚାନ୍ଦିନୀ ମୁହଁ ଫୁଲେଇ ଜଳଖିଆ କରିବାକୁ ଲାଗିଲା।
ପିଙ୍କି- ଏ ମା.. ଆଳୁ ପରଟା! ମୁଁ ବି ଖାଇବି ଆଣ୍ଟି।
ସୁମନ ପିଙ୍କିକୁ ପରଟା ଦେଇ -କିଛିତ ଶିଖ୍ ତୋ ବେଷ୍ଟଫ୍ରେଣ୍ଡ ଠୁ। ସେ କେବେ ଖାଇବାକୁ ମନା କରେନି। ହେଲେ ତୁ ସବୁବେଳେ ନ ଖାଇବାକୁ ଜିଦ୍ କରୁ।
-ଖାଇ ଖାଇ ମୋଟି ହେଇଗଲାଣି ମମି। ମୋତେ ହବାର ନାହିଁ ଏ ପିଙ୍କି ପରି ମୋଟା। ମୋ ଜଳଖିଆ ହେଇଗଲା। ମୁଁ ଏବେ ଅଫିସ୍ ଚାଲିଲି।
ପିଙ୍କି କୁ ଉଠେଇ
-ଚାଲ୍, ଡେରି ହେଇ ଯିବ ପରା। ବାବା ମୁଁ ଆସୁଛି। ହବ ଯଦି ତୁମେ ଅଫିସ୍ ରୁ ଫେରିଲା ବେଳକୁ ମୋତେ କଲ୍ କରିବ। ଏକାଠି ଆସିବା। ବାଏ।
-ଓକେ ବେଟା।
ସଂନ୍ଧ୍ୟା ୫ଟା ହେଲାଣି। ଅମର ଅଫିସରୁ ବାହାରିଲେ ଘରକୁ।
-ଆଜି କେତେ ଡେରି ହେଲାଣି! ଚାନ୍ଦିନୀ ବୋଧେ ପଳେଇ ଯିବଣି ନା କ'ଣ। ହଉ ମୋତେ ଶୀଘ୍ର ଫେରିବାର ଅଛି। ଚାନ୍ଦିନୀ ଅପେକ୍ଷା କରିଥିବ ମୋତେ। ଗଲେ ଏକାଠି ଖାଇବା ଲାଗି।
ଅମର ବୁଲେଟ୍ ଷ୍ଟାର୍ଟ ମାରି ଦ୍ରୁତ ଗତିରେ ଘରକୁ ଫେରୁଥାନ୍ତି। ଏବେ ସେ ଘର ପାଖାପାଖି। "ଏ କ'ଣ? ଘର ସାମ୍ନାରେ ଏତେ ଭିଡ଼! କାନ୍ଦ ବୋବାଳି ଶୁଭୁଚି ନାଁ କ'ଣ? ଆରେ ଏ ବୋଧେ ତ ସୁମନର ସ୍ଵର...।"
ଗାଡ଼ିର ଷ୍ଟାଣ୍ଡ ମାରିବାକୁ ବି ତର ନାହିଁ। ଲୋକଙ୍କ ଭିଡ଼କୁ ଆଡେଇ ଦେଖିଲା ମଥା ପିଟି ସୁମନ କାନ୍ଦୁଛି। ଅମରକୁ ଦେଖି ଭୋ ଭୋ କାନ୍ଦି ଉଠିଲା।
-ମୋ ଗେହ୍ଲି ଚାନ୍ଦିନୀ.., ମୋ ଝିଅ.., ମୋ ବେଟି ନୁହଁ ସେ ମୋ ବେଟା..କୁଆଡେ ଗଲା..କାଇଁ ସେ..।
ଆଉ କିଛି କହିବା ଆଗରୁ ଚେତା ବୁଡିଗଲା ତା'ର। ସେହି ଧୂଳି ସର ସର ଦାଣ୍ଡରେ ଲୋଟି ଗଲା। କିଛି ବୁଝା ପଡୁ ନଥାଏ ଅମରକୁ।
କୁନି ବୋଉ କୋଳକୁ ସୁମନକୁ ଦେଇ ଘର ଭିତରକୁ ଦୌଡିଲେ ଅମର। ଝିଅ ଚାନ୍ଦିନୀର ଡ୍ରେସ୍ ସବୁ ଅଧା ଅଧା ଚିରି ଯାଇଥାଏ। ଘର କୋଣରେ ଜାକିଜୁକି ହୋଇ ବସିଛି ସେ। କେଡେ ବିଭତ୍ସ ରୂପ ତା'ର..! ଆଉ ଦେଖି ପାରିଲାନି ଅମର। ଯୋଉ ଭୟ ଦୀର୍ଘ ୨୨ ବର୍ଷ ହେଲାଣି ଅମରକୁ ଗୋଡାଉ ଥିଲା ସେ ଆଜି ସର୍ବହରା କରିଦେଲା। ୨୨ ବର୍ଷ ଧରି ଯତ୍ନରେ ସାଇତି ଥିବା ସୁନା କଣ୍ଢେଇଟି ଆଜି ମାଟି କଣ୍ଢେଇ ପରି ଦିଶୁଥାଏ।
ବଡ଼ କଷ୍ଟରେ ଆଖି ଖୋଲିଲା ଅମର। ନିଜ ମନକୁ ଲୁହା ଠାରୁ ଅଧିକ ଶକ୍ତ କଲେ ଅମର। ଝିଅ ପାଖକୁ ଯିବାପାଇଁ ଦୁଇ ପାଦ ଆଗକୁ ବଢ଼ାଇଲା ବେଳକୁ..।
ସେ ଆଣ୍ଠୁ ଭିତରେ ମୁହଁ ଗୁଞ୍ଜି ଘୁଞ୍ଚି ଯାଉଥିଲା ପଛକୁ ପଛକୁ। କାନ୍ଥ ଭିତରେ ପଶି ଯିବ ଅବା। ଝାଳରେ ଓଦା ଅଲରା କେଶ ଦେଇ ହେଉଥିଲା ତା'ର ଭୟ ଭରା ସଦ୍ୟ ଲୁହ ଭିଜା ଆଖିକୁ।
ଅଫିସରୁ ଘରକୁ ଫେରିଲେ ଖାଇବା ପାଇଁ ଯିଏ ବାବା ବାବା କହି ଘର କମ୍ପଉ ଥିଲା। ଅଳ୍ପ ଖାଇ ସୁମନ ଆଗରେ ଅଧିକ ଖାଉଛି ବୋଲି ମିଛ କହିବାକୁ ଯିଏ ବାଧ୍ୟ କରୁଥିଲା। ସେ ଆଜି ପାଖକୁ ଆସିବାକୁ ଡରୁଛି। ପାଖକୁ ଗଲେ କାମୁଡି ରାମ୍ପୁଡି ପକଉଛି। ଯାହା ବି କରୁ, ସେ ଅମରର ପ୍ରାଣ। ବହୁତ କଷ୍ଟରେ ଅମର ଡାକ୍ତରଖାନା ନେଇଗଲେ ତାକୁ। ଘଣ୍ଟାକୁ ଘଣ୍ଟା ହୋସ୍ ଆସୁଥାଏ ପୁଣି ଯାଉଥାଏ। ସୁମନର ମଧ୍ୟ ସମାନ ପରିସ୍ଥିତି। ଦୁଇ ସପ୍ତାହ ପରେ ମା, ଝିଅଙ୍କୁ ଧରି ଘରକୁ ଫେରିଲେ ଅମର।
ଅମର ଭାବୁଥିଲେ ବୋଧହୁଏ ଝିଅ କିଛି ଦିନ ପରେ ଏସବୁ ଭୁଲିଯିବ। କିନ୍ତୁ ସେ ଆଉ ପୂର୍ବ ପରି ନଥିଲା। ବାହାରର ଯେକୌଣସି ପୁଅଙ୍କୁ ଦେଖିଲେ ବି ଚିତ୍କାର କରୁଥିଲା ସେ। ଘରୁ ବାହାରକୁ ବାହାରୁ ନଥିଲା, ବାପା ଅମରଙ୍କ ପାଖକୁ ଆସିବା ତ ଦୂରର କଥା।
ଏତେ ବଡ଼ ଖୁସିର ସଂସାରରେ କାହାର ନଜର ଲାଗିଗଲା? କିଏ ଏସବୁ ପାଇଁ ଦାୟୀ? ଏମିତି ସବୁ ପ୍ରଶ୍ନ ବ୍ୟଥିତ କରୁଥିଲା ସୁମନକୁ। ଲୋକଙ୍କ ଟାହି ଟାପରା ବି କିଛି କମ୍ ନଥିଲା। ସୁମନ ଏସବୁ ସହି ନପାରି ଶେଷରେ ଆତ୍ମହତ୍ୟା କରିଦେଲେ।
ଗଣମାଧ୍ୟମ ବାଲା ସବୁବେଳେ ଏହା ଉପରେ ଚର୍ଚ୍ଚା କରି କରି ଶେଷରେ ଥକି ଗଲେ। ପୋଲିସ ମଧ୍ୟ ଅପରାଧୀକୁ ନ ପାଇ ହାତ ବାନ୍ଧି ବସି ରହିଲା। କେଇଟା ମାସ ପରେ ବନ୍ଦ୍ ହୋଇଗଲା ଫାଇଲ୍।
ଅଭାଗା ଆମ ପରି ବାପ ମା' ମାନେ ଆଜି କରିବେ ବା କ'ଣ? ଘରେ ବାହାରେ ସବୁଆଡେ ଜିଭ ଲହ ଲହ କରି ନର ପିଶାଚ ମାନେ ସୁଯୋଗ ଅପେକ୍ଷାରେ। କୋଉଠି ଲୁଚେଇ ରଖିବୁ ଏପରି ରତ୍ନ ଙ୍କୁ? କେଉଁଠି ସେମାନେ ସୁରକ୍ଷିତ? ଯେଉଁମାନେ ନିଜର ଓରମାନା ମେଣ୍ଟାଇବା ପାଇଁ ଅମରଙ୍କ ଝିଅ ଜୀବନକୁ ଏପରି ନର୍କ କରିଦେଲେ ସେମାନେ ନିଜ ସଂସାରରେ ମସଗୁଲ। ଯଦି ବି ଆଇନ ଆଗରେ ଧରା ପଡିଥାନ୍ତେ, କେଇଟା ଦିନରେ ଜେଲ୍ ରୁ ମୁକୁଳିଥାନ୍ତେ। ପୁଣି ଘଟଣାର ପୁନରାବୃତ୍ତି ହୋଇଥାନ୍ତା। କିନ୍ତୁ ଚାନ୍ଦିନୀ ବଳାତ୍କାର ର ଶିକାର ହୋଇ ପାଇଲା କ'ଣ? କେବଳ ଲାଞ୍ଛନା। ଯଦି ଚାନ୍ଦିନୀ ଏହାକୁ ନେଇ ସଂଘର୍ଷ କରି ନପାରେ, ତେବେ କ'ଣ..! ନାଇଁ ମୁଁ ସେମିତି ହବାକୁ ଦେବିନି। ମୋ ମା ମତେ ଡରୁଛି, ଘୃଣା କରୁଛି। କାରଣ ମୁଁ ଜଣେ ପୁରୁଷ! ୟା ଠାରୁ ବଳି ଶାସ୍ତି କ'ଣ ହେଇପାରେ ମୋ ପାଇଁ? ମୋତେ ଏ ଘୃଣ୍ୟ ପୁରୁଷ ଜନ୍ମରୁ ମୁକ୍ତ କର ପ୍ରଭୁ ମୁକ୍ତ କର! ଏହା ମତେ କେତେ ବି କଷ୍ଟ ଦଉନା କାହିଁକି ମୋ ଝିଅ ସହ ମୁଁ ଅଛି। ତାକୁ କେବେ ଭାଙ୍ଗି ପଡ଼ିବାକୁ ଦେବିନି।
