Bijayalaxmi Das

Inspirational Others romance


4  

Bijayalaxmi Das

Inspirational Others romance


କଳଙ୍କିତ ଚାନ୍ଦ

କଳଙ୍କିତ ଚାନ୍ଦ

9 mins 81 9 mins 81

ସକାଳୁ ସକାଳୁ ମିଶ୍ର ବାବୁଙ୍କ ଘରୁ ହୁଳହୁଳି, ଶଙ୍ଖଶବ୍ଦ ଶୁଣି ମୁଁ ଜାଣିଗଲି ଯେ ତାଙ୍କ ସାନବୋହୂ ଆସିଲା। ଆମ ପଛପଟ ଲେନ୍ ରେ ତାଙ୍କ ଘର। ମିଶ୍ରବାବୁ ଓ ତାଙ୍କ ସ୍ତ୍ରୀ ବାର୍ଦ୍ଧକ୍ୟରେ ଆସି ଉପନୀତ ହେଲେଣି। ବଡ଼ପୁଅ ,ବୋହୂ ଲଣ୍ଡନରେ ରୁହନ୍ତି। ସାନପୁଅର କାଲି ବାହାଘର ଥିଲା। ବାହାଘର ସାରି ମିଶ୍ରବାବୁ ପୁଅ , ବୋହୂଙ୍କୁ ଧରି ପହଞ୍ଚିଗଲେ ବୋଧେ। ମନ ମୋର ଆଉ କି ଘର କାମରେ ଲାଗେ ! ବୋହୂ ଦେଖିବାକୁ ମନ ଉଚ୍ଛନ୍ନ ହେଲାରୁ ମିଶ୍ର ବାବୁଙ୍କ ଘରକୁ ଚାଲିଲି। ପୁଅକୁ କହିଦେଇ ଗଲି କବାଟ ବନ୍ଦ କରିବାକୁ।

ଦୁଆରମୁହଁରେ ବହୁତ ଭିଡ଼ ହୋଇଥିଲା।ତାଙ୍କ ବଡବୋହୂ ମିନା ମୋ ସାଙ୍ଗ।ମୋତେ ଦେଖି ସାଙ୍ଗେସାଙ୍ଗେ ଖୁସିହୋଇ ଡ଼ାକିନେଲା ଓ ବୋହୂର ଓଢ଼ଣାଟେକି ଦେଖାଇଦେଲା।ଦେଖିକରି ମୁଁ ସ୍ତବ୍ଧହୋଇ ରହିଗଲି। ପୋଟଳଚିରା ଆଖି ଦୁଇଟି କଜ୍ଜ୍ୱଳଗାରରେ ମଣ୍ଡିତ ହୋଇଥିଲା,ଛୁଞ୍ଚିମୁନ ନାକରେ ଥିଲା ନୋଥ, ଗୋଲାପି ଅଧର ଗୋଲାପକୁ ବି ତାତ୍ସଲ୍ୟ କରୁଥିଲା। କପାଳରେ ଲାଲରଙ୍ଗର ବିନ୍ଦି, ହାତରେ ଲାଲ୍ ରଙ୍ଗର ଚୁଡ଼ି ଓ ଶଙ୍ଖା, ଚମ୍ପାକଢି ଭଳି ଆଙ୍ଗୁଠିରେ ଥିବା ସୁନାମୁଦି ଗୁଡିକ ବୋହୂର ସୌନ୍ଦର୍ଯ୍ୟ ଆଗରେ ତୁଛ ଲାଗୁଥିଲା। ପାଦଦ୍ୱୟ ଥିଲା ପଦ୍ମଭଳି,ତାକୁ ପରିବେଷ୍ଟନି କରିଥିଲା ରୂପାର ତାରକସିର ପାଉଁଜି ହଳେ।'ସୁନ୍ଦରିଆ ବୋହୂ'ମାଉସୀ ପାଇଛନ୍ତି କହି ମୁଁ ଚାଲିଆସିଲି।


ବୋହୂଦେଖା ନିଶାରେ ତ ଘରକାମ ଛାଡ଼ିଦେଇ ଆସିଥିଲି, ତରତର ହୋଇ ଦ‌ଉଡିଲି ଘରକୁ।ଦୁଆର ମୁହଁରୁ ଆରମ୍ଭ ହୋଇଗଲା ପ୍ରତିମାର କମପ୍ଲେନ୍,"ମା, କୁଆଡେ ଯାଇଥିଲ?ମୁଁ କାମ କରିବି ବୋଲି ଠିଆହୋଇଛି।"ମୁଁ ନଥିଲେ ତାର ହଜାରେ କମପ୍ଲେନ୍, ମୁଁ ଥିଲେ ଖୁସିରେ ସବୁକାମ କରି ପକାଏ। ହ‌ଉ ଚାଲ୍ କହି ଘର ଭିତରକୁ ଦି'ଜଣ ପଶିଲୁ।

-ମା! ସକାଳୁ କୁଆଡେ ଯାଇଥିଲ, କହିଲନି ଯେ?-ଆଲୋ, କୁଆଡେ ଯିବି ଯେ? ଏଇ ମିଶ୍ର ବାବୁଙ୍କ ସାନବୋହୂକୁ ଦେଖିବାକୁ ଯାଇଥିଲି।ତୁ ଦେଖିଲୁଣି?-ନାଇଁମ ମା,ମୁଁ ତ ସକାଳୁ ଆଗ ତମଘରକୁ ଆସେ କାମ କରିବାକୁ,ବାଟରେ ଶୁଣିଲି ଯେ ଗୋଟିଏ ଚାଉଳରେ ଗଢା କୁଆଡେ! ଏଇନେ ଗଲେ ଦେଖିବି ତାଙ୍କ ବୋହୂକୁ।


କାମ ସାରିଦେଇ ପ୍ରତିମା ଚାଲିଗଲା ତାଙ୍କ ଘରକୁ। ଏଇ ପାଖାପାଖି ସେ ତିନି ଘର କାମକରେ। ସନ୍ଧ୍ୟାବେଳେ ଆସି କହିଲା ଯେ, ହଁ ମା, ଭାରି ସୁନ୍ଦର ଦେଖିବାକୁ ମିଶ୍ର ମା'ଙ୍କ ବୋହୂ। ରିସେପସନ୍ ଦିନ ପୂରା ଦେବୀ ଭଳି ଲାଗୁଥିଲା ବୋହୂଟି। ମିଶ୍ର ମ‌ଉସାଙ୍କ ସାନପୁଅ ତପନ୍ ବି ଭଲ ଦେଖା ଯାଉଥିଲା।ଭଲ ପାଠ ନହେଲେ କ'ଣ ହେଲା,ଭଲ ପିଲା ଟିଏ।ଏଇଠି ଛୋଟମୋଟ ବିଜନେସ୍ ଗୋଟେ କ'ଣ କରୁଛି।ମିଶ୍ର ମଉସାଙ୍କ ପେନସନ, ଘରଭଡ଼ା ବି ଥିଲା, ଚଳିବା ଉପଯୋଗୀ ହେଇଯାଉଥିଲା।


ରିସେପସନ୍ ପରଦିନ ବଡ଼ପୁଅ, ବୋହୂ ଚାଲିଗଲେ ଲଣ୍ଡନ।ମୋ ସାଙ୍ଗ ମିନା ମୋତେ କହିଦେଇ ଗଲା ନୂଆବୋହୂଟା, ଘର‌ଆଡେ ଟିକେ ଆସୁଥିବୁ।ମୁଁ ହସିଦେଇ ସମ୍ମତି ପ୍ରକାଶ କଲି। କେତେବେଳେ କେମିତି ଟିକିଏ ସୁଯୋଗ ମିଳିଲେ ମାଉସୀଙ୍କ ଘରଆଡେ ଯାଏ, ଯେତେବେଳେ ଯାଏ ଦେଖେ ଯେ ମାଉସୀ କ'ଣ ନା କ'ଣ କାମ କରୁଥିବେ, ଆଉ ତାଙ୍କ ନୂଆ ବୋହୂ ସ୍ମିତା ବେଶ ହେଉଥିବ।ଭାବେ,ନୂଆ ବୋହୂଟା ଆସ୍ତେ ଆସ୍ତେ ସବୁ ଶିଖିଯିବନି !


ସ୍ମିତାକୁ ତପନ ପୁରୀ,କୋଣାର୍କ ବୁଲାଇବାକୁ ନେଇଥିଲା। ମୁଁ ତାଙ୍କ ଘରବାଟ ଦେଇ ଯାଉଥିବା ବେଳେ ସ୍ମିତା ମୋତେ ଡାକି ତା ଫଟୋ ସବୁ ଦେଖାଇଲା। ଇସ୍ ! ଫଟୋସବୁ କି ରୋମାଣ୍ଟିକ ହୋଇଛି ! ତପନର ବାହୁବେଷ୍ଟନୀ ମଧ୍ୟରେ ଥିଲା ସ୍ମିତା, ଦେହରେ ଥିଲା ଝୀନ ବସନ। ଉଡନ୍ତା କେଶ ସବୁ ଅନାବନା ହୋଇ ତପନର ମୁହଁସାରା ଲାଖିରହିଥିଲା।ଫଟୋଟା ସମୁଦ୍ର କୂଳରେ ଉଠାହୋଇଛି ବୋଲି ସ୍ପଷ୍ଟ ବାରି ହେଉଥିଲା। ମୋତେ ଲାଗୁଥିଲା ଯେପରି ଦୁଇଟି ଲଭ୍ ବାର୍ଡଙ୍କୁ ମୁଁ ଦେଖୁଛି। କୋଣାର୍କ ଭିତରେ ଉଠାଇଥିବା ଆହୁରି କ୍ଲୋଜ୍ ଫଟୋସବୁକୁ ଦେଖାଉ ଦେଖାଉ ମାଉସୀ ମୋ ପାଇଁ ସର୍ବତ କରି ପିଇବାକୁ ଦେଲେ,ଇଛା ନଥିଲେ ବି ମାଉସୀଙ୍କ ସ୍ନେହ ଯୋଗୁଁ ପିଇଦେଇ ଘରେ କାମ ଅଛି କହି ଚାଲି ଆସିଲି।


ଆମ କଲୋନୀରେ ସବୁ କଥାବାର୍ତ୍ତା ହେଉଥିଲେ ଯେ ,ମିଶ୍ର ବାବୁଙ୍କ ସାନବୋହୂ ଦେଖିବାକୁ ସୁନ୍ଦର, କିଛି କାମକୁ ନୁହେଁ।ଆଉଜଣେ ବୁଢ଼ୀ ମାଉସୀ ଢଗଢମାଳି କହିବାରେ ପୂରା ଓସ୍ତାଦ।ନବାବକୁ ଜବାବ ଦେବା ଲୋକ ସେ।ବଡପାଟିରେ କଲୋନୀ କମ୍ପାନ୍ତି।ଦିନେ ମୁଁ ଓ ମିଶ୍ର ମାଉସୀ ଠିଆ ହୋଇ ଗପୁଛୁ,ଆସି ଶୁଣାଇ ଶୁଣାଇ କହିଲେ , "ମହାକାଳ ଫଳ କେଡ଼େ ସୁନ୍ଦର, ତା ଭିତରଟା ପୋଡ଼ା ଅଙ୍ଗାର।"ତା ସାଙ୍ଗରେ ଥିଲା ଆହୁରି ଅଳଙ୍କାର,"ନେଡ଼ିଗୁଡ଼ କହୁଣୀକୁ ବୋହିଗଲେ ଜାଣିବ ଯେ !"ମିଶ୍ର ମାଉସୀ କହିଲେ,"ନାଇଁ, ନାଇଁ ମୁଁ ତ ତାକୁ କାମ ବତାଉନି,ବଡ଼ ତ ବାହାରେ ରହିଲା, ଇଏ ତ ଜୀବନ ସାରା ଆମ ଜଞ୍ଜାଳରେ ଘାଣ୍ଟି ହେବ। ଉପରେ ପଡ଼ିଲେ ବଳେ କରିବନି?" କହିସାରି ମାଉସୀ ଘର ଭିତରକୁ ଚାଲି ଗଲେ।


ଏମିତି ୩-୪ ମାସ ଚାଲିଗଲା। ମୁଁ ସନ୍ଧ୍ୟାବେଳେ ସେହିବାଟ ଦେଇ କ୍ଷୀର ଆଣିବାକୁ ଯାଏ। ଦେଖିଲି, ସ୍ମିତା ବସିଥିଲା ତପନର ଦେହ ସଂଲଗ୍ନ ହୋଇ ବଗିଚା ଭିତରେ ଏକ ସିମେଣ୍ଟ ବେଞ୍ଚରେ। ବଗିଚାର ପ୍ରତିଟି କୋଣ ଅନୁକୋଣରେ ଋତୁରାଜ ବସନ୍ତର ସ୍ପର୍ଶ। କୋଣରେ ଥିବା ଜଳାଶୟଟି କ‌ଇଁ,ପଦ୍ମରେ ଭରିହୋଇଥିଲା। ପକ୍ଷୀସବୁ ଡେଣା ମେଲାଇ ଉଡିଯାଉଥିଲେ ନିଜ ନିଜ ନୀଡ଼କୁ।ମାଉସୀ ସନ୍ଧ୍ୟାଦୀପ ଧରି ଚ‌ଉରା ମୂଳରେ ଥୋଇବାକୁ ଯାଉଥିଲେ। ମୁଁ ଭାବୁଥିଲି ଆମ କାଳରେ ସ୍ୱାମୀ ମାନଙ୍କ ପାଖରେ ବସିବା ପାଇଁ ଅନୁମତି ଦେଉନଥିଲେ ଆମ ଶାଶୁ ମାନେ। କେତେ ଖୋଲାଖୋଲି ଆଜିକାଲିର ଯୁଗ ହୋଇଗଲା !!!


ଖଟା କରିବାକୁ ଟିକେ ଇଚ୍ଛା ହେବାରୁ ଭୃସଙ୍ଗ ପତ୍ର ଆଣିବାକୁ ମା‌ଉସୀଙ୍କ ଘରକୁ ଗଲି। ଭୃସଙ୍ଗ ପତ୍ର ତୋଳୁତୋଳୁ ମାଉସୀ ଏକ ଶୁଭସମ୍ବାଦ ଦେଲେ। ଖୁସିରେ ଗଦଗଦ୍ ହୋଇ କହିଲେ ,"ଜାଣିଲ ଝିଅ ମୁଁ ଜେଜେମା' ହେବାକୁ ଯାଉଛି।ମିଠା ଖାଇକି ଯିବ।"ସ୍ମିତା ଆଡେ ଅନାଇ ମୁଁ ମୁରୁକି ହସା ମାରିଦେଲି। ଲାଜରେ ସେ ଝାଉଁଳି ପଡ଼ିଥିଲା, ଆଉ ଖୁସିସବୁ ଉଙ୍କି ମାରୁଥିଲେ ତା' ମୁଖମଣ୍ଡଳ ସାରା। କେବଳ ଜଣେ ନାରୀ ହିଁ ଜାଣିପାରିବ ଆଉ ବର୍ଣ୍ଣନା କରିପାରିବ ଏ ଅନୁଭୂତିକୁ। ଏ ମଧ୍ୟରେ ମାଉସୀ ମିଠା ଆଣି ଦେଲେ , ମୁଁ ଚଟାପଟ୍ ଖାଇ ଦେଇ ଚାଲିଆସିଲି ଘରକୁ।


ଏମିତି ଦିନ ପରେ ଦିନ ଗଡି ଚାଲିଥିଲା। କେତେବେଳେ ଯେ ସମୟ ଗଡି ଚାଲିଗଲା ଜାଣି ହେଲାନି। ହଠାତ୍ ଦିନେ ପ୍ରତିମା ଆସି କହିଲା,"ମା, ମିଶ୍ର ମା'ଙ୍କ ବୋହୂ ଆଜି ହସ୍ପିଟାଲ ସକାଳୁ ଗଲେଣି, ତପନ ବାବୁ ସାଙ୍ଗରେ ଯାଇଛନ୍ତି।"ପୁଅ କି ଝିଅ ଯାହା ବି ହେଉ ମା' ଓ ପିଲା ଭଲ ଥାଆନ୍ତୁ କହି ମୁଁ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଲି। ସଂଧ୍ୟାବେଳକୁ ଆମେ ଖବର ପାଇଗଲୁ ଯେ ଯାଆଁଳା ଝିଅ ହୋଇଛନ୍ତି। ମୁଁ ହସ୍ପିଟାଲ ଗଲି ଦେଖିବାକୁ, ମାଉସୀ ଓଠରେ ହସ ଖେଳେଇ କହିଲେ,"ମୋ ଘରକୁ ଲକ୍ଷ୍ମୀ, ସରସ୍ଵତୀ ଆସିଛନ୍ତି।"ସ୍ମିତାର ମା', ବାପା ଆସିଥିଲେ,କିନ୍ତୁ ସେମାନେ ଯେ ଖୁସି ନଥିଲେ ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହେଉଥିଲା। କହିଲେ," ଆମ ସ୍ମିତାଟା ହ‌ଇରାଣ ହୋଇଯିବ।"ମାଉସୀ ହସିଦେଇ କହିଲେ "ସମୁଦୁଣୀ, ମୁଁ କ'ଣ ପାଇଁ ଅଛି!"ମୋତେ ଇଚ୍ଛା ହେଉଥିଲା କହିଦେବାକୁ ଯେ, ଏମିତିରେ ତ ମାଉସୀ ହିଁ ସବୁ କରନ୍ତି।ଭାବିଲି , ଛାଡ, ଦିନେଅଧେ ଆସିଛନ୍ତି, କହିକି କ'ଣ ଲାଭ ହେବ?


କିଛିଦିନ ପରେ ସ୍ମିତା ହସ୍ପିଟାଲରୁ ଫେରିଲା। ଝିଅ ଦୁଇଟି ଭାରି ସୁନ୍ଦର ଓ ଗୁଲୁଗୁଲିଆ ହୋଇଛନ୍ତି।ତପନ ଓ ମ‌ଉସା ପିଲାଙ୍କୁ ସମ୍ଭାଳି ନେଉଥିଲେ, ମାଉସୀ ରୋଷେଇ କରି ଦେଉଥିଲେ। ସ୍ମିତା କିନ୍ତୁ ବେଶ ହେବାରେ ପୂର୍ଣ୍ଣଛେଦ ପକାଉନଥିଲା।ତପନ ଗାଳିଦେଲେ ତାକୁ ଫରକ ପଡୁ ନଥିଲା।ମନହେଲେ ପିଲାଙ୍କୁ ଧରେ,ନ ହେଲେ ସଜବାଜ ହୋଇ ବଗିଚା ଭିତରେ ମୋବାଇଲ ଧରି ସିମେଣ୍ଟ ବେଞ୍ଚରେ ବସି କ'ଣ ସବୁ ଟିପଟାପ୍ କରୁଥାଏ କେବଳ ଭଗବାନଙ୍କୁ ଜଣା।ମୁଁ ଦିନେ ତାକୁ ବୁଝେଇଲି ଯେ ଯାଉନୁ ମାଉସୀଙ୍କୁ ଟିକେ ସାହାଯ୍ୟ କରିଦବୁ, ସେଇଦିନ ଠାରୁ ମୋ ସାଙ୍ଗରେ କଟି। ମୀନା ଫୋନ୍ କଲେ ମୁଁ ସବୁ ତାକୁ କୁହେ,ଓଲଟି ସେ କୁହେ,ଯାଉନୁ,ସାନବୋହୂ ବୋଲି ତାକୁ ମୁଣ୍ଡରେ ବସାଇଛନ୍ତି।ସେ ବି ଆଉ ଆଗଭଳି ଘରକୁ ଆସୁନାହିଁ।'ମା' ମାନଙ୍କୁ ଭଗବାନ କେଉଁ ଉପାଦାନରେ ଗଢିଥାନ୍ତି କେଜାଣି, ଦେହ‌,ମନ ସବୁ ଟିକ୍ ଟିକ୍ କରି ଶାଗୁଣାମାନେ ରକ୍ତାକ୍ତ କରିଦେଲେ ବି କାଠଗଡ଼ାରେ ସେମିତି ନିଶ୍ଚଳହୋଇ ଛିଡ଼ାହୋଇଥାନ୍ତି।'ମୁଖ ନ ଫିଟିଲେ ଦୁଃଖ ନ ଯାଏ'କହି ଆଗକାଳିଆ ଶାଶୁମାନେ ରକ୍ତ ନିଗାଡି ନିଗାଡି କାମ ଆଦାୟ କରନ୍ତି।ଆଜିକାଲି କିନ୍ତୁ ଏ ଉକ୍ତି ଆଉ କାମ ଦେଉନି।


ଏମିତି ୩-୪ ବର୍ଷ ଚାଲିଗଲାଣି।ଦୁଇପିଲାଙ୍କୁ ସ୍କୁଲରେ ନାଁ ଲେଖାଇଦେଇଛି ତପନ୍। ଯା'ହେଉ ସ୍କୁଲ ଛଡ଼ାଅଣା କାମଟା କରିଦେଉଛି ସ୍ମିତା।କିନ୍ତୁ କ'ଣ ହେବ,ସେଇଠି ଠିଆ ହୋଇ ଖଟି କରି ଘରକୁ ଫେରିଲା ବେଳକୁ ସବୁକାମ ମାଉସୀ ସାରି ଦେଇଥାନ୍ତି।ତାକୁ ଜମା ମାଡି ପଡେନି।


ମାଉସୀ ଆସିଥିଲେ ଆଜି ତାଙ୍କ ନାତୁଣୀ ଦୁହିଁଙ୍କର ଜନ୍ମଦିନ ନିମନ୍ତେ ଡାକିବାକୁ। ମାଉସୀଙ୍କ କଥା ଭାଙ୍ଗିପାରେନି, ତେଣୁ ଯିବାକୁ ବାଧ୍ୟ ହେଲି। କେକ୍ କଟାହେବା ପରେ ଖାଇବାକୁ ଆମେ ବସିବାକୁ ଯାଉଛୁ,ସ୍ମିତା ବେସିନରେ ଯାଇ ଭକଭକ୍ କରି ବାନ୍ତି କଲା‌। ମାଉସୀ ସାଙ୍ଗେସାଙ୍ଗେ ଯାଇ ସ୍ମିତାକୁ ଆଉଁସି ପକାଇଲେ।ସାଇଡଘର ବୁଢ଼ୀ ମାଉସୀ କହିଲେ,ଉଁ..ଫବେଇ ହ‌ଉଛି। ଏ ବୁଢ଼ୀ ମାଉସୀ ହିଁ ଏମିତି,କ'ଣ ନା କ'ଣ ଦେଖେଇ ଶିଖେଇ କହିବେ। ରାତି ଅଧିକା ହୋଇଯାଇଥିଲା,ଆମେ ମାଉସୀଙ୍କୁ କହିଦେଇ ଘରକୁ ଚାଲିଆସିଲୁ।


ତା'ପରଦିନ ସ୍ମିତାକୁ ଦେଖିବାକୁ ଗଲି। ମାଉସୀ ହସିହସି ମୋତେ ଦୁଆର ମୁହଁରୁ ନେଇଗଲେ ଓ ଫ୍ରିଜରୁ ମିଠା ଦିଇଟା ଆଣି ମୋ ପାଟିରେ ମାଡ଼ିଦେଲେ।କହିଲେ,"ଜାଣିଲୁ ଆମ ଘରକୁ ଆଉଜଣେ ନୂଆ ଅତିଥି ଆସିବେ।"ମୁଁ ବୁଝିଗଲି ସ୍ମିତା ଅନ୍ତଃସତ୍ତ୍ୱା ଅଛି ବୋଲି।ସ୍ମିତା ମୋତେ ଅନାଇଲା,କିନ୍ତୁ କିଛି କହିଲାନି।ମୋତେ କିଛି ଫରକ୍ ପଡିଲାନି।ମୁଁ ଚାଲି ଆସିଲି।


ଏ ମଧ୍ୟରେ ୮-୯ ମାସ ଚାଲିଗଲାଣି,ମୁଁ ଆଗଭଳି ଆଉ ତାଙ୍କ ଘରକୁ ଯାଉନଥିଲି।ମାଉସୀ ଦିନେ ଫୋନ୍ କରି କହିଲେ ଯେ ସ୍ମିତାର ପୁଅଟିଏ ହୋଇଛି।ଏକୋଇଶିଆ ଭୋଜିକୁ ଡାକିଥିଲେ।ସଂଧ୍ୟାବେଳେ ତାଙ୍କ ଘରକୁ ଗଲି। ଦେଖିଲି ମୋ ସାଙ୍ଗ ମୀନା ଆସିଛି ଲଣ୍ଡନରୁ‌।ତାକୁ ଦେଖି ବହୁତ ଖୁସି ହୋଇଗଲି।ଦି'ଜଣ ମିଶିକି ଗୁଡେ କାମ କରିପକାଇଲୁ। ମୀନା କିଛିଦିନ ରହି ଚାଲିଗଲା।


ଝିଅ ଦୁଇଜଣଙ୍କୁ ସ୍ମିତା ଛାଡ଼ିବାକୁ ସବୁଦିନ ଯାଉଥିଲା। କୁନିପୁଅକୁ ଓ ଘରକାମ ମ‌ଉସା, ମାଉସୀ ସମ୍ଭାଳି ନେଉଥିଲେ।ଏବେ ବି ଘରକାମରେ ସେ ମନଦେଉ ନଥିଲା।ଖାଲି ବେଶ ହେବ ନହେଲେ ଟିଭି କିମ୍ବା ମୋବାଇଲ୍ କୁ ଅନାଇ ରହିଥିବ।ଦିନେ ମନ୍ଦିରକୁ ଗଲାବେଳେ ଦେଖିଲି ଯେ ସ୍ମିତା କେଉଁ ଜଣେ ଅଜଣା ଯୁବକ ସାଙ୍ଗରେ ଗପୁଛି।ଦୁହେଁ ପରସ୍ପର ସହ ଗପରେ ଏତେ ମଜି ଯାଇଥିଲେ ଯେ ମୋ ଆଡେ ଟିକିଏ ବି ଦୃଷ୍ଟି ପଡ଼ିଲାନି। ଦିନ ଆସି ୧୧ଟା ବାଜିଲାଣି, ଝିଅ ଦୁହିଁଙ୍କୁ ଛାଡ଼ିଦେଇ ଏଇଠି ଆସି ଗପ ଜମାଇଦେଇଛି ବୋଧେ।ଟିକିଏ ବି କ'ଣ ଛୋଟପୁଅ କଥା ସେ ଭାବି ପାରୁନି!


ତା'ପରଦିନ ସଂଧ୍ୟାବେଳେ କ୍ଷୀର ଆଣିବାକୁ ଗଲାବେଳେ ଯୁବକଟି ତାଙ୍କ ଘରେ ପଶିବାର ଦେଖି କୁନି ପୁଅକୁ ଦେଖିବା ଆଳରେ ମୁଁ ପଶିଗଲି। ମାଉସୀ ମୋତେ ଚିହ୍ନା କରାଇ ଦେଲେ ଯେ ଯୁବକ ଜଣକ ସ୍ମିତାର ଭାଇର ସାଙ୍ଗ। ମାଉସୀସରଳିଆ ଲୋକ ସିଏ କ'ଣ ବା ଜାଣିବେ? ଯେଉଁ ସ୍ମିତା ପାଣି ଗ୍ଲାସ୍ ଟେ କାହାକୁ ଦିଏନା,ସେ ପୁଣି କୋଲ୍ଡଡ୍ରିଙ୍କ୍ ଦେଇ ଯୁବକଟିକୁ ଆପ୍ୟାୟିତ କରୁଛି! ତପନ ବି ଫେରି ନଥିଲା। ମୁଁ ଚାଲିଆସିଲି ଘରକୁ, ମୋତେ କିଛି ଭଲ ଲାଗୁନଥିଲା।


ଆଉଦିନେ ଯୁବକଟିର ବାଇକ୍ ପଛରେ ସ୍ମିତାକୁ ବସିକି ଯିବାର ଦେଖିଲି। ଡାର୍କ ମେରୁନ୍ କଲର୍ ଶାଢ଼ୀ ସାଙ୍ଗକୁ ମ୍ୟାଚ କରି ସ୍ଲିଭଲେସ୍ ବ୍ଲାଉଜ ପିନ୍ଧିଥିଲା, କେହି ବି ଜାଣିପାରିବେନି ସେ ତିନୋଟି ଛୁଆର ମା' ବୋଲି।ଏଇ ସମୟରେ ତପନ ନଥାଏ।ତାକୁ ତେଣୁ ସୁବର୍ଣ୍ଣ ସୁଯୋଗ। ତଥାପି ମୁଁ ମାଉସୀଙ୍କୁ ଫୋନ୍ କରି ପଚାରିଲି ସ୍ମିତା ବିଷୟରେ। ମାଉସୀ କହିଲେ ଯେ ସ୍ମିତାର ମା'ଙ୍କ ଦେହ ଖରାପ ଅଛି ବୋଲି ଫୋନ୍ ଆସିଲା, ତେଣୁ ସେ ତରବର ହୋଇ ଯାଇଛି।


ସଂଧ୍ୟାବେଳେ ସ୍ମିତାର ଭାଇ ଆସି ପହଁଚିବାରୁ ଅସଲ କଥା ଜଣାପଡ଼ିଲା। ପ୍ରକୃତରେ ସ୍ମିତା ମିଛ କଥା କହିଥିଲା। କିଛି ଫୋନ୍ ଆସିନଥିଲା। ମ‌ଉସା ତପନକୁ ଫୋନ୍ କରି ଡାକିଲେ। ସବୁ ଶୁଣି ତପନ ତା ରୁମ୍ କୁ ଅନ୍ଧାର କରି ମୁହଁ ମାଡି ଶୋଇପଡ଼ିଲା। ମୋତେ ମାଉସୀ ଫୋନ୍ କରି ଡାକିଲେ,ମୁଁ ପହଞ୍ଚି ତପନ୍ ରୁମ୍ କୁ ଗଲି। ଅନ୍ଧାରରେ ମୁହଁ ଲୁଚାଇ କାନ୍ଦୁଥିଲା ବୋଧେ। ମୋତେ ସେ ଭାଉଜ ବୋଲି ଡାକେ ଆଉ ଖୁବ୍ ସମ୍ମାନ ଦିଏ। ଯେତେ ଡାକିଲେ ବି ସେ ଉଠିଲାନି। ମ‌ଉସା ଓ ସ୍ମିତାର ଭାଇ ମୁଣ୍ଡରେ ହାତ ଦେଇ ବସିଥାନ୍ତି।କୁନି ପୁଅଟି କ‌ଇଁକ‌ଇଁ ହୋଇ କାନ୍ଦୁଥାଏ,ଆଉ ତା' କ୍ରନ୍ଦନ ଘରର ଅଖଣ୍ଡ ନୀରବତାକୁ ଭଙ୍ଗ କରୁଥିଲା।ଝିଅ ଦୁଇଟି ଜାକିଜୁକି ହୋଇ ସୋଫା ଉପରେ ବସିଥିଲେ। ଏ ଦୃଶ୍ୟ ଦେଖି ମୋତେ ସେଠାରେ ଆଉ ଟିକେ ରହିବାକୁ ଇଚ୍ଛା ନଥିଲା।କିନ୍ତୁ ପିଲାମାନଙ୍କୁ ଏମିତି ଛାଡ଼ିଦେଇ ଆସିବାକୁ ମୋ ବିବେକ ବାଧା ଦେଲା। ସମସ୍ତଙ୍କୁ ଯାଚିଲି ଖାଇଦିଅ ବୋଲି କ'ଣ, କେହି ଖାଇଲେନି। ଏଭଳି ପରିସ୍ଥିତିରେ କାହାକୁ ବା ଇଛା ହୁଏ ଖାଇବାକୁ?ପିଲାମାନଙ୍କୁ ଖାଇବାକୁ ଦେଇ ଘରକୁ ଆସିଲି। ଘରକାମ ମୋର ବହୁତ ଥିଲା,ତାକୁ ପୁଣି ଆସି ସାରି ଶୋଇବା ବେଳକୁ ରାତି ୧୨ଟା।


ସକାଳୁ କିଛି ଭଲ ଲାଗୁନଥିଲା। ବାପ,ପୁଅ ଖାଇ ଅଫିସ୍ ଗଲାପରେ ତାଲାପକାଇ ମାଉସୀଙ୍କ ଘର‌ଆଡେ ଗଲି। ତୁଣ୍ଡ ବାଇଦ ସହସ୍ର କୋଶ।କଲୋନୀ ସାରା ଖବର ବ୍ୟାପି ଯାଇଥିଲା।ଦୁଆର ମୁହଁରୁ ଆରମ୍ଭ କରି ଘର ଭିତର ଯାଏଁ ସ୍ତ୍ରୀ ଲୋକ ଭର୍ତ୍ତି ହୋଇଥିଲେ।ବୁଢ଼ୀ ମାଉସୀ ବି ଥିଲେ, ମା‌ଉସୀଙ୍କୁ ଅନାଇ କହିଲେ,"ହେଲା ମୁଁ କ'ଣ କହୁଥିଲି... ନେଡ଼ିଗୁଡ଼....ମୁଁ ଆଉ ଚୁପ୍ ରହି ପାରିଲିନି, ମୋ ପାଟିରୁ ବାହାରି ପଡ଼ିଲା,"ମାଉସୀ! କାହିଁକି କଟା ଘା'ରେ ଚୂନ ମାରୁଛ?ଯାଆନ୍ତୁ ଏଠୁ।ସେ ଦୁମଦୁମ୍ କରି ବଡ଼ ବଡ଼ ଆଖିରେ ମୋତେ ଅନାଇ ଚାଲିଗଲେ। ଭଲହେଲା, ସେ ଚାଲିଗଲେ।ମୋତେ ଟିକେ ଆଶ୍ୱସ୍ତି ଲାଗିଲା।ମୁଁ ଭାବୁଥିଲି, ସ୍ମିତା ଏକ ମା' ନା ଆଉ କ'ଣ ? ମା'ମନ ତା'ର କିପରି ବିଳପିଉଠିଲାନି,ଏଇ କ'ଣ ମାତୃତ୍ଵ? ଶିକ୍ଷାଦିକ୍ଷା, ସଭ୍ୟତା,ସବୁକିଛି ପାଇ ବି ଅପ୍ରାକୃତ ଯୌନ ସଂପର୍କ ପାଇଁ ମଣିଷ ଆଜି କେତେ ପାଗଳ। ଆଜିର ସମାଜ ହୋଇଯାଉଛି ଦୂଷିତ, ରୋଗଗ୍ରସ୍ତ। ମନେପଡିଲା ମୋର ପିଲାଦିନେ ଆମେ ବହିରେ ପଢିଥିଲୁ :               


"ଥିଲେ ଥାଉ ପଛେ ରୂପ ହଜାର          

ଚରିତ୍ର ନଥିଲେ ସବୁ ଅସାର।"


ତପନର ଫୋନ୍ ରିଂ ହେବାରୁ ମୋ ଭାବନାରେ ପୂର୍ଣ୍ଣଛେଦ ପଡ଼ିଲା। ସ୍ମିତାର ଫୋନ୍ ଥିଲା, କହିଲା,"ମୋତେ କେହି ଖୋଜିବନି,ସେମିତି କିଛି କଲେ ମୁଁ ସୁଇସାଇଡ୍ କରିଦେବି। ତା'ପରେ ଫୋନ୍ କାଟିଦେଲା।ତପନ୍ ରାଗିକି ଫୋନ୍ କଚାଡି ଦେଇ ବାହାରକୁ ଚାଲିଗଲା।


ସନ୍ଧ୍ୟାବେଳେ ପ୍ରତିମାକୁ ମାଉସୀଙ୍କ ବିଷୟରେ ପଚାରିବାରୁ ସେ କହିଲା,"ମା' ପିଲାଙ୍କୁ ଖୋଇଦେଉଥିଲେ।ତପନ ବାବୁ ଶୋଇଥିଲେ।ବୁଢ଼ା ବାବୁ ମୁଣ୍ଡରେ ହାତ ଦେଇ ବସିଛନ୍ତି।ବୋହୂମା' ଯାହା କଲେ କିଛି ଭଲ କଲେନି ମା'!" କ'ଣ ବା କରିପରିବା ଆମେ, ଉପାୟଶୂନ୍ୟ ହୋଇ ମୁଁ କହିଲି। ଯାହା ରୋଷେଇ କରିଥିଲି, ଟିଫିନ୍ ରେ ଅଧା ପଠାଇଦେଲି ପ୍ରତିମା ହାତରେ ମାଉସୀଙ୍କ ଘରକୁ।


ତା'ପରଦିନ ମୋ ଶାଶୁ ଗାଁରୁ ଆସିଲେ। ତାଙ୍କ ଯତ୍ନ ନେଇ ଘରକାମ କରୁକରୁ ସମୟ ଚାଲିଯାଉଥିଲା। କେତେବେଳେ କେମିତି ଟିକିଏ ମାଉସୀଙ୍କ ପାଖରେ ମୁ‌ହଁମାରି ଚାଲି ଆସୁଥିଲି। ଶୁଣୁଥିଲି ମୀନା ଆସିଲେ ବାପଘରେ ରହି ଚାଲି ଯାଉଛି।ମ‌ଉସା ଆମ ଗଳିଦେଇ ନ‌ଇଁନ‌ଇଁ ଯାଆନ୍ତି,ହାତରେ ଥାଏ ଘୁଗୁନିର ଥଳିଟିଏ। ତାଙ୍କ ଅବସ୍ଥା ଦେଖି ଦୁଃଖ ଲାଗୁଥିଲେ ବି କିଛି କରିହେଉନଥିଲା।


ଏମିତି ୬ ମାସ ଚାଲିଗଲାଣି। ସୂର୍ଯ୍ୟଚନ୍ଦ୍ର ଆତଯାତ ହୁଅନ୍ତି, ସଂସାର ତା'ବାଟରେ ଚାଲିଥାଏ,କିଛି କାମ କାହାର ଅଟକି ଯାଏ ନାହିଁ। ଦୁନିଆର ରୂପ ହିଁ ଏଇଆ।ବହୁତ ଦୁଃଖରେ କଟୁଥିଲା ମାଉସୀଙ୍କ ପରିବାର।ସମସ୍ତେ ଯେପରି ନିୟତିର ଖେଳନା।ମଣିଷ ଚାହିଁଲେ ବି କିଛି ହୁଏନାହିଁ।


ଶାଶୁ ଗାଁକୁ ଚାଲି ଗଲେଣି।ତେଣୁ ଦିନେ ସ‌ଂଧ୍ୟାବେଳେ ପୁଅକୁ କହିଦେଇ ମାଉସୀଙ୍କ ଘରକୁ ଗଲି।ଘରେ କ୍ଷୀରୀ କରିଥିଲି, ନେଇଗଲି ପିଲାଙ୍କ ପାଇଁ। ପୁଅକୁ ଧରି ତପନ୍ ସୋଫା ଉପରେ ବସିଥିଲା,ଝିଅ ଦୁହେଁ ପାଖରେବସି ପଢୁଥିଲେ, ମାଉସୀ ରୋଷେଇ ଘରେ ଥିଲେ।ମ‌ଉସାଙ୍କ ଦେହ ଭଲ ନଥିଲା, ତେଣୁ ଶୋଇଥିଲେ।ମୁଁ ଗଲାରୁ ମାଉସୀ ଡ୍ର‌ଇଁରୁମ୍ କୁ ଆସି ବସିଲେ,ମୋ ସାଙ୍ଗରେ କଥାବାର୍ତ୍ତା କରୁ କରୁ ତାଙ୍କ ଆଖିରୁ ଲୁହ ଝରଝର ହୋଇ ବୋହି ଯାଉଥିଲା।ଭଗବାନଙ୍କ‌ ଉପରେ ମୋର ବହୁତ ରାଗ ଆସୁଥିଲା,ଏ ଭଳି ଭଲ ଲୋକଙ୍କୁ ଏପରି ଦଣ୍ଡ କାହିଁକି?ଏତିକିବେଳେ କଲିଂ ବେଲ୍ ବାଜିବାରୁ ତପନ୍ କବାଟ ଫିଟାଇବାକୁ ଗଲା।ଏ କ'ଣ ଆମେ ଦେଖୁଛୁ.... ସ୍ମିତା ଠିଆ ହୋଇଥିଲା ମୁହଁକୁ ତଳକୁ କରି। କିଛି ସମୟଯାଏ ଘରେ ନୀରବତାର ରାଜୁତି...ସ୍ମିତା ଆଖିରେ ଆଖିଏ ଅନୁତାପର ଲୁହ ନେଇ ଦୁଆର ମୁହଁରେ ଠିଆ ହୋଇଥିଲା ବିଚାର ଅପେକ୍ଷାରେ..। ମାଉସୀ କହିଲେ, ହ‌ଇରେ ତପନ୍ ମୋ ବୋହୂକୁ ଠିଆ କରାଇଲୁ କ'ଣ, ଘରକୁ ନେଇ ଆ..।ଏମିତି ଜଣେ ମହୀୟସୀ ମହିଳାଙ୍କ ସାନ୍ନିଧ୍ୟ ପାଇ ମୁଁ ନିଜକୁ ଭାଗ୍ୟବାନ ମଣୁଥିଲି।ମା'ଙ୍କ ଆଦେଶ ମାନି ତପନ୍, ସ୍ମିତାକୁ କୁଣ୍ଢାଇ ପକାଇଲା। ମ‌ଉସା ଶବ୍ଦଶୁଣି ଧାଇଁ ଆସିଲେ... ସତେକି ଶତସିଂହର ବଳ ଆସିଗଲା।ସମସ୍ତଙ୍କ ଆଖିରୁ ଖାଲି ଲୁହ ଝରୁଥିଲା। ସ୍ମିତା ଆମ ସମସ୍ତଙ୍କୁ କ୍ଷମା ମାଗିଲା।ତପନ ଓ ମାଉସୀ ତ ତାକୁ କ୍ଷମା କରି ଦେଇଥିଲେ। ମୁଁ ନିଶ୍ଚିତ ହୋଇଯାଇଥିଲି ଯେ ଯୁବକ ଜଣକ ସ୍ମିତାକୁ ଧୋକା ଦେଇଛି। ମୁଁ ପଚାରିଲି, "ମାଉସୀ ! ଆପଣ ଏମିତି କିପରି କ୍ଷମା କରି ଦେଲେ?"ମାଉସୀ ହସିଦେଇ କହିଲେ," ସ୍ମିତା ଯାହା କଲା ତାହା କ୍ଷମାଯୋଗ୍ୟ ନୁହେଁ। କିନ୍ତୁ ନିୟତି ମୋତେ ଆଜି ଯେଉଁଠି ଠିଆ କରେଇଛି, ସେଥିପାଇଁ ଏମିତି ନିଷ୍ପତ୍ତି ନେବାକୁ ମୁଁ ବାଧ୍ୟହେଲି। ଏଇ ତିନୋଟି ଛୁଆଙ୍କର ବି ଜୀବନ ନଷ୍ଟ ହୋଇଯିବରେ ମା' ! ଭଲ ହେଉ କି ମନ୍ଦ ହେଉ ,ଏ ତିନୋଟି ଛୁଆଙ୍କ ପାଇଁ ସ୍ମିତା ଠାରୁ ଅଧିକ ଭଲ ମା' ଆଉ କିଏ ହୋଇ ପାରିବ?"


ତା' ପରଦିନ ସଂଧ୍ୟାବେଳେ ଗୋଟିଏ ପେଣ୍ଟିଂ ସ୍ମିତାକୁ ଦେଲି, କହିଲି କିଛି କାମ ନକଲେ ନାହିଁ,ପିଲାଙ୍କୁ ମା'ସ୍ନେହରୁ ବଞ୍ଚିତ କରନାହିଁ। ସ୍ମିତା କିପରି ନିର୍ଯ୍ୟାତିତା ହେଇଛି ସେ ଯୁବକ ପାଖରେ,ଗୋଟି ଗୋଟି କରି ମୋତେ କହିଲା ଓ ସେ ଏବେ ଆଉ କିଛି ବି ଭୁଲ୍ କରିବନି ବୋଲି ପ୍ରତିଶ୍ରୁତି ଦେଲା । ସଙ୍ଗେ ସଙ୍ଗେ ଆମ ସମସ୍ତଙ୍କୁ ଗରମା ଗରମ୍ ଚା' କରି ପିଆଇଲା। ମୁଁ କହିଲି ଚାନ୍ଦରେ କଳଙ୍କ ଥିଲେ ବି ସେ ସୁନ୍ଦର।         


Rate this content
Log in

More oriya story from Bijayalaxmi Das

Similar oriya story from Inspirational