Sitaram Budhibaman Behera

Classics

4.1  

Sitaram Budhibaman Behera

Classics

"କଳା ଛତା "

"କଳା ଛତା "

6 mins
268


ସେଦିନ ଉଦୁଉଦିଆ ଦ୍ବିପ୍ରହାରଟାରେ ପଟିଆ ସିଗନାଲରେ ବାଇକଟି ଅଟକେଇ ଦେଇ ନୀଳ ସିଗନାଲକୁ ଅପେକ୍ଷା କରୁ କରୁ ନଜର ପଡିଲେ ଲେଙ୍କୁଡ଼ିଦା ! ସିଗନାଲଟା ଚାଲୁ ହେବ ପୂର୍ବରୁ ବଡ଼ ତରବରରେ ରୋଡଟା ପାର ହେବାକୁ ଚାହୁଁଥିଲେ ସେ ! ପାଦରେ ମୋଚି ତିଆରି ଦେଶୀ ଚପଲ, ହାତରେ କଳା ଛତା ଓ କାଖରେ ମଧ୍ୟ ଗୋଟିଏ କଳା ଛତା ! କାନ୍ଧରେ ପଡି ଥିବା ପାଞ୍ଚ ସାତ କେଜି ସାମାନରେ ଭରା ଝୁଲା ବ୍ୟାଗଟା !


ନୀଳ ସିଗନାଲଟା ଚାଲୁ ହେବା ପୂର୍ବରୁ ମୁ ବାଇକିଟି ଷ୍ଟାର୍ଟ କରି ଦେଇ ଥିଲି ! ସିଗନାଲ ଚାଲୁ ହେବା ମାତ୍ରେ ମୋ ବାଇକ ସାଙ୍ଗରେ ଅନେକ ଗାଡି,ମାଡି ଚାଲିଥିଲେ ନିଜର ଗନ୍ତବ୍ୟ ପଥ ଆଡ଼େ !ଗେଟ ଖୋଲି କମ୍ପାଉଣ୍ଡ ଭିତରେ ପସୁ ପସୁ, ମା ବାଲକୋନୀରୁ ପାଟି କରି ପଚାରିଲେ "କିରେ ଶନିବାର ପରା, ତୋର ହାଫ ଡେ, ପୁଣି ଏତେ ଡେରି କାହିଁକି ହେଲା?" ମାଆଙ୍କର ଶନିବାର କଥା ଶୁଣି ମୁ ଟିକିଏ ଚମକି ପଡିଲି ; ଓ କାହିଁକି କେଜାଣି ଲେଙ୍କୁଡ଼ିଦାଙ୍କର ଚେହେରାଟି ମୁହଁ ସାମ୍ନାରେ ଝଲସି ପଡିଲା !


ଘରେ ରବିବାର ଦିନ ମାଆଙ୍କର ସୂର୍ଯ୍ୟ ପୂଜା, ଲେଙ୍କୁଡ଼ିଦା ଆସିଲେ ପୂଜା କରିବେ ! ପୂଜା ସାମଗ୍ରୀ ମା ସଜାଡୁ ସଜାଡୁ ମନେ ମନେ କହି ହେଉଥାନ୍ତି " ଏ ଲେଙ୍କୁଡ଼ି ଭାଇନା ନା' ସବୁ ପୂଜା ବେଳେ ଡେରି ନକରି ଆସିବେନି...ଆଉ କାହା ଘରେ ପୂଜା ସାରି ଆସିବେ ନା କଣ? ହଉ ଆଜି ଆସନ୍ତୁ, ତାଙ୍କର ଦିନେ କୁ ମୋର ଦିନେ !" ମାଆଙ୍କ ତୁଣ୍ଡରୁ କଥା ନ ସରୁଣୁ, ଗେଟ ଖୋଲିବାର ଆବାଜ ଶୁଭିଲା ଓ ଲେଙ୍କୁଡ଼ିଦାଙ୍କ ଡାକ ମଧ୍ୟ ! ଓ ଭାଉଜ , ଆହେ ସବୁ ଜିନିଷ ପତ୍ର ରେଡି ତ, କଦଳୀ ପତ୍ର, ରକ୍ତ ଚନ୍ଦନ ଆଳତି କର୍ପୁର, ଗୋମୟ, ନୁଖୁରା ସଳିତା...ଲେଙ୍କୁଡ଼ିଦାଙ୍କର ପାଟି ଶୁଣି ମାଆଙ୍କର ରାଗ ନିଆଁ ଖୁଣ୍ଟାରେ ପାଣି ପଡିଲା ପରି ଶାନ୍ତ ହୋଇ ଗଲା ! ସୂର୍ଯ୍ୟ ନାରାୟଣଙ୍କୁ ଧୂପ ଦୀପ ନୈବେଦ୍ୟ ସମର୍ପଣ ପରେ ଲେଙ୍କୁଡ଼ିଦା ତାଙ୍କ ଝୁଲା ବ୍ୟାଗରେ ଅରୁଆ ଚାଉଳ, ପନିପରିବା, ଫଳମୂଳ ସଜାଡ଼ିବାରେ ଲାଗିଲେ ! ବାବା, ମାଁ ଓ ମୁ ଆଶୀର୍ବାଦ ନେବାକୁ ତାଙ୍କ ପାଦ ସ୍ପର୍ଶ କରି ତାଙ୍କୁ ପ୍ରଣାମ କଲୁ ! ଲେଙ୍କୁଡ଼ିଦା କିଛି ମନ୍ତ୍ର ପଢି ଫୁଲ, ଚନ୍ଦନ, ଚାଉଳ ଆମମାନଙ୍କ ମୁଣ୍ଡରେ ଛିଞ୍ଚି ଦେଲେ ! ମା ଯାହା ଦକ୍ଷିଣା ଦେଲେ, ଲେଙ୍କୁଡ଼ିଦା ତାହା ନ ଗଣି ସିଧା ଝୁଲା ବ୍ୟାଗ ଭିତରେ ପକେଇ ଦେଲେ ! ମୋତେ ଟିକେ ଆଶ୍ଚର୍ଯ୍ୟ ଲାଗିଲା ! ଭାଇନାଙ୍କର ଟଙ୍କା ପଇସା ପ୍ରତି ସତେ ଯେମିତି ମୋହ ହିଁ ନଥିଲା ! ତଥାପି ଝୁଲା ଝୁଲା ଦାନ ଦକ୍ଷିଣା ନେଇ ସେ କରନ୍ତି କଣ ?


ମୁ କୌତୁହଳ ଛଳରେ ପଚାରିଲି "ଲେଙ୍କୁଡ଼ି ଦା;ଏତେ ଦାନ ଦକ୍ଷିଣା ନେଇ କରୁଛ କଣ ମ ?ଘର ତ ସମ୍ପୂର୍ଣ ଭର୍ତି ହୋଇ ଜିବଣି ? ମୋ କଥାରେ ଟିକିଏ ହସି ଦେଲେ ସେ ¡ ଆଉ, ଆଗକୁ ବଢିବାକୁ ଚେଷ୍ଟା କରୁଥିବା ସମୟରେ ମୁ ପୁଣି ପଚାରିଲି " ଲେଙ୍କୁଡ଼ିଦା ; କାଲି ଏଡ଼େ ବଡ଼ ମୁଣ୍ଡଫଟା ଖରାବେଳଟାରେ ଚନ୍ଦ୍ରଶେଖରପୁର ସିଗନାଲ ଠାରେ ତର ତର ହୋଇ ଦୁଇ ଦୁଇ ଦୁଇଟା ଅର୍ଖ ନୂଆ କଳା ଛତା ଓ ତା ସାଙ୍ଗରେ ବ୍ୟାଗରେ ବ୍ୟାଗଟେ ଜିନିଷ ନେଇ କୁଆଡେ ଯାଉ ଥିଲେ କି? " ମୋ କଥାରେ ସେ ଆଉ ଆଗକୁ ଯାଇ ପାରିଲେ ନି, ସେଇଠି ଅଟକି ଯାଇ କହିଲେ "ଆଛା ଶାନ୍ତନୁ ବାବୁ, ତାହା ହେଲେ ଏଇ ବୁଢା ବ୍ରାହ୍ମଣାଟାକୁ ସବୁ ବେଳେ ମନେ ପକାଉଛନ୍ତି ବୋଧେ, ତା ନହଲେ ରାସ୍ତା ଉପରେ କାହାକୁ ନା କାହାକୁ ଦେଖି ଲେଙ୍କୁଡ଼ିଦା ବୋଲି କାହିଁକି କହୁଛନ୍ତି? " ମୋତେ ଲାଗିଲା ସେ ମୋ ଆଗରେ ତାଙ୍କର କୌଣସି କୌଣସି ରହସ୍ୟ ନିଶ୍ଚୟ ଲୁଚାଉଛନ୍ତି ! ତେବେ ସେ ଯାହା ହେଉ,ମୁଁ ଆଉ କିଛି ନ କହି ଟିକିଏ ହସି ଦେଲି ଓ ସେ ତାଙ୍କ ବାଟରେ ଚାଲିଛି ଗଲେ !


ମାଁ ଆମ ମାନଙ୍କ ପାଇଁ ଖାଇବା ପରୋସିବା ସମୟରେ ମୋତେ ପଚାରିଲେ " ସତରେ ତୁ କଣ କାଲି ଦିପହରରେ ଲେଙ୍କୁଡ଼ି ଭାଇନାଙ୍କୁ ଦେଖି ଥିଲୁ?" ମୁଁ ହଁ ରେ ମୁଣ୍ଡ ହଲେଇଲି ! ମା ଟିକେ ଗମ୍ଭୀର ହୋଇ ଗଲେ ଓ କିଛି ମନେ ପକେଇ ଗୁଣୁ ଗୁଣୁ ସ୍ୱରରେ କହିଲେ, ଚନ୍ଦ୍ରଶେଖରପୁର ସିଗନାଲ... ଶନିବାର... ତା ପରେ ହଠାତ କହିଲେ " ଓହୋ ତା ହେଲେ ଝୁନୁରାଣୀ ଘରେ ବୋଧେ ଶନି ପୂଜା ଥିଲା ! ତା ପୁଅ କୁଆଡେ ପାଗଳା ଭଳିଆ ହେଉଛି ତ, ସେଥିପାଇଁ ବୋଧେ ଶନି ପୂଜା ରଖି ଥିଲା ନା କ'ଣ? "


" ମାଁ, ସେ ପୂଜା ଫୂଜା କଥା ଛାଡ଼, ମୋତେ ଆଗ କହିଲ, ଲେଙ୍କୁଡ଼ିଦାଙ୍କର ଘରେ ଖାଇବା ପିଇବା ଓ ପିନ୍ଧିବାକୁ ତ ଏତେ ଲୋକ ନାହାନ୍ତି, ତଥାପି ଏତେ ଜିନିଷ ପତ୍ର ନେଇ ସ୍ୱାମୀ କରନ୍ତି କଅଣ ?" ମୁଁ ଉତ୍ସଚୁକାତର ସହିତ ପଚାରିଲି !


ଦ୍ବି ପହରରେ ଟିକେ ରେଷ୍ଟ ନେଇ ଉଠିଲା ପରେ ମୁଁ ପୁଣି ମାଆଙ୍କ ପାଖରେ ବସି ପଡିଲି ଓ ଲେଙ୍କୁଡ଼ିଦାଙ୍କ କଥା ପଚାରିଲି !ମା ଏଥରକ ଅତ୍ୟନ୍ତ ଗମ୍ଭୀର ହୋଇ ଗଲେ ଓ ଆରମ୍ଭ କଲେ... "ଆଜିକୁ ତିରିଶ ବର୍ଷ ତଳେ ଆମ ଗାଁରେ ଚଷା ଓ କେଉଟଙ୍କ ଭିତରେ କୌଣସି ସାମାନ୍ୟ କଥାକୁ ନେଇ ବହୁତ ବଡ଼ ଗଣ୍ଡଗୋଳ ହେଲା ! ଯଦିଓ କେଉଟ ଲୋକ ମାନେ ପ୍ରବଳ ପରିଶ୍ରମୀ ଥିଲେ, କିନ୍ତୁ ସେଇ ରକମର ଅଣଶିକ୍ଷିତ ମଧ୍ୟ ଥିଲେ!ହୃଦୟ ଖୋଲା ସରଳ ପ୍ରକୃତିର ଲୋକ ଥିଲେ ସେମାନେ ! ଛନ୍ଦ କପଟ,ପାତର ଅନ୍ତର ଓ ରାଜନୀତି, ଏହାଠାରୁ ଖୁବ ଦୂରରେ ଥିଲେ ସେମାନେ ! ଚଷା ସାହି ଲୋକ ତାଙ୍କର ମହାଜନ ଥିଲେ, ଅର୍ଥାତ ' ଚିଲିକାରୁ ମାଛ ମାରୁ ଥିଲେ କେଉଟ ମାନେ କିନ୍ତୁ ମାଛ ଗୋଦାମ ଥିଲା ଚଷା ଲୋକଙ୍କର ! 'ପ୍ରବଳ ଲାଭ କେବଳ ମହାଜନ ମାନେ ହିଁ ପାଉ ଥିଲେ ! ତଥାପି କିଛି ରାଗ ଅଭିମାନ ନ ଥିଲା ସେମାନଙ୍କର ଏ ଚଷା ଲୋକଙ୍କ ଉପରେ ! ଯାତ୍ରା ମହୋତ୍ସବରେ ପ୍ରବଳ ପଇସା ଖର୍ଚ୍ଚ କରି ଥିଲେ ସେମାନେ ! ତଥାପି ତାଙ୍କୁ ଛୋଟ ଜାତି କହି କେତେକ ଖଳ ଲୋକ ଗାଁଟିକୁ ଖଣ୍ଡ ଖଣ୍ଡ କରି ଦେଲେ ! କେଉଟ ମାନଙ୍କର ଘର ପୋଡି ଦିଅ ଗଲା, ତାଙ୍କ ଫଳନ୍ତି ଜମିରୁ ଫସଲ ଚୋରି କରା ଗଲା , ସେମାନଙ୍କୁ ରାସ୍ତା ଘାଟରେ ମାଡ଼ ମରା ଗଲା, ଥାନା ବଡ଼ ବାବୁଙ୍କୁ ହାତ କରି, ସେମାନଙ୍କ ଭଦ୍ର ଲୋକଙ୍କୁ ରାତା ରାତି ଜେଲ ପଠେଇ ଦିଆ ଗଲା! ଅନେକ ଦିନ ଝଗଡା ଲାଗି ରହିବାରୁ ବ୍ରାହ୍ମଣ, ଧୋବା, ବାରିକ ଆଦି , ଯେଉଁମାନେ ରହୁ ଥିଲେ ତ ଚଷା ସାହି ଭିତରେ, କିନ୍ତୁ କେଉଟମାନଙ୍କର ଯଜମାନୀ କରି ବେସ ଭଲରେ ନିଜର ଘର ପିଲା ଛୁଆ ଚଳେଇ ନେଉ ଥିଲେ, ଅନେକ ଦିନ ଝଗଡା ଲାଗି ରହିବାରୁ ବହୁତ ଲୋକ ଗାଁ ଛାଡି ଏଣେତେଣେ ହୋଇ ଗଲେ ଓ ସେମାନଙ୍କ ଭିତରୁ ଲେଙ୍କୁଡ଼ି ଭାଇନା ଜଣେ ! ଅତି ପରୋପକାରୀ, ତିନୋଟି ପୁଅ ଓ ଗୋଟିଏ ଝିଅ !

 ଚାଲି ଆସିଲେ ଭୁବନେଶ୍ୱର, ମନ୍ଦିରରେ ସାହାଯ୍ୟ କଲେ ତାଙ୍କ ସମ୍ପର୍କୀୟ ଭାଇନାଙ୍କୁ ! ଧୀରେ ଧୀରେ ଛୁଆ ପିଲା ବଡ଼ ହେଲେ, ବାହା ସାହା ହୋଇ ଯିଏ ଯାହାର ରାସ୍ତା ଧରିଲେ କିନ୍ତୁ ଲେଙ୍କୁଡ଼ି ଭାଇନା ନିଜର ସ୍ତ୍ରୀ ଓ ଗୋଟିଏ ନାତିକୁ ନେଇ ରହି ଗଲେ ଏହି ଭୁବନେଶ୍ୱରରେ !ନିଜର ପରୋପକାରୀ ସ୍ଵଭାଵ ଯୋଗୁଁ ଅନେକ ଲୋକଙ୍କର ପ୍ରିୟ ହୋଇ ଗଲେ ସେ ! ପୂଜା ପାଠ କଲେ ଦକ୍ଷିଣା ବିଷୟରେ କେବେ କାହାରି ପାଖରେ ଜମାରୁ ଅଳି କରନ୍ତିନି ! ଯିଏ ଯାହା ଦେଲା ସେଥିରେ ଖୁସ ! ହଁ ସହରର ଚାକଚକ୍ୟତା ଭିତରେ ନିଜକୁ ହଜାଇ ନଦେଇ ମାନବିକତାର ପରାକାଷ୍ଠାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରି ସେଥିରେ ସଫଳ ହୋଇଛନ୍ତି ସେ!

ମାଁ ଟିକିଏ ରହି ଯାଇ ପୁଣି ଆରମ୍ଭ କଲେ " ଆଉ, ଯେଉଁ ଦାନ ଦକ୍ଷିଣା ଜିନିଷ ପତ୍ର ବିଷୟରେ ପଚାରିଲୁ, ସେ କରନ୍ତି କଣ? ପଟିଆରେ ଥିବା ବୃଦ୍ଧା ଆଶ୍ରମରେ ସେ ଗୁଡାକୁ ଦେଇ ଦିଅନ୍ତି," ଅନେକ ସମୟରେ ନାତି ଟୋକାଟିକୁ ଧରି ପରିତ୍ୟକ୍ତ ହୋଇ ପଡି ରହିଥିବା ବୃଦ୍ଧ ପିତା ମାତାଙ୍କ ସହ ସମୟ ବିତାନ୍ତି!ଯେଉଁ ପିତା ମାତାଙ୍କୁ,ପାଶ୍ଚାତ୍ୟ ସଭ୍ୟତାର ଚାକ୍ୟଚକ୍ୟତାରେ ଅନ୍ଧ ହୋଇ ତାଙ୍କର ନିଜ ଆପଣାର ସନ୍ତାନମାନେ ପରିତ୍ୟାଗ କରି ଦେଇ ଛନ୍ତି, ସେମାନଙ୍କର ଦୁଃଖରେ ସୁଖରେ, ରୋଗ ବୈରାଗରେ ସାହାଯ୍ୟ କରନ୍ତି ! କାରଣ ଭାଇନାଙ୍କର ଯଜମାନଙ୍କ ଭିତରୁ ଅନେକ ଏହି ସହରରେ ହାଡ଼ଭଙ୍ଗା ପରିଶ୍ରମ କରି ସନ୍ତାନ ମାନଙ୍କୁ ମଣିଷ କରି ସରିଲା ପରେ, ଏ ବାର୍ଦ୍ଧକ୍ୟ ବୟସରେ କୁଆଡେ ସେମାନଙ୍କର ବୋଝ ହୋଇ ଯାଇଛନ୍ତି !

ଆଉ ସେହି ଛୁଆଙ୍କର ସନ୍ତାନମାନେ ସହରୀ ସଭ୍ୟତାର ଚାକଚକ୍ୟତାରେ ନିଜର ମାନ, ପ୍ରତିଷ୍ଠାକୁ ଅନ୍ୟଠାରୁ ବହୁତ ବଡ଼ ଦେଖେଇବାକୁ ଯାଇ, ନିଶା ଶକ୍ତ, ଗୁଣ୍ଡାମୀ, ମାରପିଟ, ରାସ୍ତା ଚଲା ଝିଅ ମାନଙ୍କୁ ଅପ ଶବ୍ଦ କହି, ଥାନା ଫାଣ୍ଡିକୁ ଗଲେ ! ମାଆ ବାପମାନେ ତ' ସେମାନଙ୍କୁ ଥାନାରୁ ମୁକୁଳାନ୍ତି ତାହା ସହିତ ତାର ଜନ୍ମ କୁଣ୍ଡଳୀ ନେଇ ଜ୍ୟୋତିଷ, ଗୁରୁ ବାବା, ଗୁରୁ ମାଁ'ଙ୍କ ପାଖକୁ ଦୌଡନ୍ତି ! ସେମାନେ ମଧ୍ୟ ଠିକ ସମୟରେ ସଠିକ ମନ୍ତ୍ରଣା ଦିଅନ୍ତି ! ଶନି ଦଶା ପଡିଛି, ରାହୁ ଦଶା ଘେରିଛି, ରାହୁ ଚଣ୍ଡାଳ ଦୋଷ ଲାଗିଛି, ପିତୃ ଦୋଷ ହଇରାଣ କରୁଛି, ଅମୁକ ଅମୁକ ଉପାୟ କର ! " କଳା କୁକୁରଙ୍କୁ ଖାଇବାକୁ ଦିଅ, କାଳିଆ ଭାଇନାଙ୍କୁ ଶନିବାର ଦିନ କଳା ଛତା ଓ କଳା ଗାମୁଛା ଦାନ କର, ବହି ଯାଉଥିବା ଜଳରେ ଚନ୍ଦନ କସ୍ତୁରୀ, ବିରି ମାଣ୍ଡିଆ ପ୍ରବାହ କର, କିନ୍ତୁ ଏ ସବୁ ଏକ ବିରାଟ ପୂଜା ଅନୁଷ୍ଠାନ କଲା ପରେ !" ଏ କଥା କହି ସାରି ମାଁ ଏକଦମ ଶାନ୍ତ ହୋଇ ଗଲେ! ମୁଁ ମଧ୍ୟ ସ୍ତବ୍ଧ ହୋଇ ଯାଇଥିଲି ଏ ସବୁ କଥା ଶୁଣି !


ମାଁ ବିଲକୁଲ ଶତ କଥା କହୁ ଥିଲେ ! ତା ପରେ ମୋର ଲେଙ୍କୁଡ଼ିଦାଙ୍କ ପ୍ରତି ଭଲ ପାଇବା ଆହୁରି ବଢ଼ି ଯାଇ ଥିଲା ! ମୁଁ ଅନେକ ସମୟରେ ତାଙ୍କୁ ଯେଉଁଠି ବି ଦେଖୁ ଥିଲି, ପାଦ ଛୁଇଁ ପ୍ରଣାମ କରୁ ଥିଲି ! କାହିଁକି କେଜାଣି ତାଙ୍କ ପ୍ରତି ମୋର ଏକ ପ୍ରକାର ମମତା ବଢ଼ି ଯାଇ ଥିଲା ! ବେଳେ ବେଳେ ପ୍ରଭୂ ଜଗନ୍ନାଥଙ୍କ ପାଖରେ ମୁଣ୍ଡିଆ ମାରି କହୁ ଥିଲି, ଲେଙ୍କୁଡ଼ିଦାଙ୍କ ଭଳି ଆହୁରି ଅନେକ ଲୋକଙ୍କୁ କରି ଦିଅନ୍ତୁ ପ୍ରଭୂ, ଆଉ ଏ ପାଶ୍ଚାତ୍ୟ ସଭ୍ୟତାର ମୋହରେ ଅନ୍ଧ ହୋଇ ମାନବିକତାର ରାସ୍ତା ହୁଡ଼ି ଯାଇଥିବା ମଣିଷ ଗୁଡ଼ାଙ୍କୁ ବୃଦ୍ଧ ପିତା ମାତାଙ୍କ ପ୍ରତି କୃର ନ ହେବାକୁ ସଦବୁଦ୍ଧି ଦିଅନ୍ତୁ ପ୍ରଭୂ !"



Rate this content
Log in

Similar oriya story from Classics