Sitaram Budhibaman Behera

Classics

4  

Sitaram Budhibaman Behera

Classics

ଚଇତି ମଲ୍ଲୀ

ଚଇତି ମଲ୍ଲୀ

9 mins
353


ବିନୋଦ ବାବୁ ଆଜି ସୋଇ ପାରିଲେନି ! ଅପଲକ ନୟନରେ ଚାହିଁ ରହିଥିଲେ ଲାଵଣ୍ୟାଙ୍କ ଚୁଡାରେ ଲାଗି ରହି ଥିବା ଚଇତି ମଲ୍ଲୀର ଗଜରାଟିକୁ ! ତାଙ୍କର ଆଜି ଭାରି ଇଛା ହେଉଥିଲା ଲାବଣ୍ୟାଙ୍କ ସହିତ ଖୁବ ଗଫିବାକୁ ! ଆଜିର ଏ ସନ୍ତପ୍ତ ରାତିରେ ତାଙ୍କୁ ଫେରେଇ ନେବାକୁ ଚାହୁଁ ଥିଲେ ସେଇ ଅଭୁଲା ଅତୀତକୁ ! ଯେଉଁଠି ଦିନେ ଚାରିଟା ରାତିରେ ଆଶୁତୋଷ ସାରଙ୍କର ବାଡ଼ ଡେଇଁ ଫୁଲ ତୋଳି ଫେରି ଆସୁ ଆସୁ ଅଚାନକ ଭୁତୁଣୀ ପରି ଚୁଟି ଛାଡି ତାଙ୍କ ସାମ୍ନାରେ ବାଟ ଓଗାଳି ଛିଡା ହୋଇ ଯାଇଥିଲା ଝିଅ ଟିଏ ! ରାଗ ଗର ଗର ହୋଇ କେତେ ଯେ କଣ କହି ଗଲା, ସେ ଜମାରୁ କିଛି ବୁଝି ପାରିଲେନି ! ବରଂ ତାଙ୍କ ଚୋରି ଧରା ପଡି ଯିବାରୁ ଏକ ରକମ ଝାଉଁଳି ଯାଇ ଥିଲେ ସେ ! ଲାଜରେ ତାଙ୍କ ପାଟିରୁ କିଛି କଥା ବାହାରି ନଥିଲା କିନ୍ତୁ ଚୁପ ଚାପ ସେଠାରୁ ଚାଲି ଆସି ଥିଲେ ସେ କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କଲେ ବିନୋଦ ବାବୁ ! କିନ୍ତୁ ନିଦ ଆସୁ ନ ଥିଲା ତାଙ୍କୁ ! ଲାଵଣ୍ୟା କଡ଼ ଲେଉଟାଇବାର ଜାଣି ପାରିଲେ ସେ ! ପୁଣି ଥରେ କଡ଼ ଲେଉଟାଇ ଲାବାଣ୍ୟାଙ୍କ ମୁହଁକୁ ଚାହିଁବାକୁ ଚେଷ୍ଟା କଲେ ! ବେଡ଼ ଲାଇଟର ଅସ୍ପଷ୍ଟ ଆଲୁଅରେ ଲାବାଣ୍ୟାଙ୍କ ମୁହଁ ଯଦିଓ ସ୍ପଷ୍ଟ ଦେଖା ଯାଉ ନଥିଲା, ତଥାପି ତାଙ୍କରି ଆଖି ପତା ତଳେ ଶୁଖି ଯାଇ ଥିବା ଲୁହ ଧାରକୁ ଠିକ ଠଉରେଇ ପାରି ଥିଲେ ସେ ! ଛଟପଟ କରି ଉଠିଲା ତାଙ୍କ ପ୍ରାଣ,କୋହ ଭରି ଆସିଲା ତାଙ୍କ ବିଶାଳ ହୃଦୟରେ ! ଆଉ ନିଜ ଅଜାଣତରେ କେତେବେଳେ ଯେ ତାଙ୍କର ଦୁଇ ଆଖି ପତା ଭିଜି ଆସିଲା, ଆଦୌ ଜାଣି ପାରିଲେନି ସେ !

          ଅତୀତର ସ୍ମୃତିରୁ ବାସ୍ତବିକତାକୁ ଫେରି ଆସି ଥିଲେ ସେ ! ସଂକ୍ରମିତ କରୋନାର କୋକୁଆ ଭୟରେ ସମଗ୍ର ବିଶ୍ୱ ଆଜି କବଳିତ ! ନୀତି ନୂଆ ନୂଆ ଖବର ଦେଖି ଦେଖି ଓ ଶୁଣି ଶୁଣି ସମଗ୍ର ମାନବ ସମାଜ ଆଜି ହତ ପ୍ରଭ ! ସେଥିରୁ ଲାଵଣ୍ୟା ବା' ବାଦ ଯାଇ ଥାନ୍ତେ କି' ଭଳି? ନିଜର ପ୍ରାଣ ଠାରୁ ପ୍ରିୟ ପୁତ୍ର ଇଞ୍ଜିନିୟରିଂ କରିବାକୁ ଯାଇ ଚି଼ନେଇରେ ତାରି ହଷ୍ଟେଲ ଭିତରେ ଫସି ରହିଛି ଲକ ଡାଉନ ଯୋଗୁଁ ! ପ୍ରତ୍ୟେହ ତାହା ସହିତ କଥା ହେଉ ଥିଲେ ମଧ୍ୟ ନିଜକୁ ସେ ବୁଝାଇ ପାରୁ ନାହାନ୍ତି କୌଣସି ଏକ ଅପ୍ରତ୍ୟାଶିତ ଆଶଙ୍କାକୁ ନେଇ ! ପୁଅର ଶୁଭ କାମନା କରି ତାଙ୍କର ଆରାଧ୍ୟା ମାଆ ତାରା ତାରିଣୀଙ୍କ ପାଖରେ କେତେ ଯେ ଅନୁନୟ ବିନୟ ହେଉଛନ୍ତି ସେ କଥା ଏଇ କେଇ ଦିନ ହେଲା ବିନୋଦ ବାବୁ ଠିକ ଠଉରାଇ ପାରୁଥିଲେ ! କିନ୍ତୁ ଲାଵଣ୍ୟା ଯେ ଏତେ ମର୍ମାହତ ହୋଇ ଯିବେ ସେ କଥା କେବେ ବି ଚିନ୍ତା କରି ପାରି ନ ଥିଲେ ସେ ! କାରଣ, ଯେବେଠୁଁ ଲାଵଣ୍ୟାଙ୍କୁ ବୁଝିଛନ୍ତି, ସେ ଠିକ ଜାଣନ୍ତି ଯେ ଲାଵଣ୍ୟା କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ହାର ମାନନ୍ତିନି, ବରଂ ତାର ସଠିକ ମୁକାବିଲା କରି ପାରନ୍ତି ତାହା ପୁଣି ଅତ୍ୟନ୍ତ ଧର୍ଯ୍ୟର ସହିତ ! ଆଉ, କାହାରିକୁ ତାହାର ତିଳେ ମାତ୍ର ଖବର ଲାଗିବାକୁ ଦିଅନ୍ତି ନି ସେ ! ଏଇ କଥା ଭାବୁ ଭାବୁ ପୁଣି ଅତୀତକୁ ଫେରି ଗଲେ ବିନୋଦ ବାବୁ !


ଗାଁ ପାଖ ମହାବିଦ୍ୟାଳୟରୁ ସ୍ନାତକ ଶେଷ କରି ସାରି ବି. ଏ. ଡ଼. କରିବା ଲାଗି, ସମ୍ପର୍କୀୟ ମାମୁଁ ଘରକୁ ଚାଲି ଆସିଥିଲେ

ସେ ! ଘର ଭଡା ଏକ ରକମ ଦେବାକୁ ପଡ଼ୁ ନଥିଲା ତାଙ୍କୁ ! ମାମୁଁ ସେଇ ସାହିର ମନ୍ଦିରରେ ପୂଜାରୀ ହୋଇ ଥିବାରୁ ବେଳେ ବେଳେ ସୋମବାର ସଂକ୍ରାନ୍ତିରେ ଭକ୍ତଙ୍କର ପ୍ରବଳ ଭିଡ଼ ଯୋଗୁଁ ମାମୁଁଙ୍କ ପୂଜା ପାଠରେ ସାହାଯ୍ୟ କରୁ ଥିଲେ ସେ ! କିନ୍ତୁ ଯେଉଁ ଦିନ ସେଇ ଝିଅଟିର ହାତରେ ଧରା ପଡ଼ିଥିଲେ, ଅପରାଧ ବୋଧରେ ଝାଉଁଳି ପଡି ଥିଲେ ସେ ! ମାଇଁଙ୍କୁ ସାଙ୍ଗେ ସାଙ୍ଗେ ସେଇ କଥା କହିଲେ ସେ ! ମାଇଁ ଆଶ୍ୱାସନା ଦେଇ କହିଥିଲେ "ଆଶୁତୋଷ ସାର ବହୁତ ବଢିଆ ଲୋକ, ଏଇ ଗାଁ ପାଖ ମହାବିଦ୍ୟାଳୟ ରେ ପଢ଼ାନ୍ତି,ତାଙ୍କ ସ୍ତ୍ରୀ ପୁର୍ଣିମା ମଧ୍ୟ ଶିକ୍ଷୟତ୍ରୀ, ଆମ ଗାଁ ବିଦ୍ୟାଳୟରେ ପଢ଼ାନ୍ତି ! ସେ ବି ବହୁତ ଭଲ ! ଆଉ ସେଇ ଝିଅ ଲାଵଣ୍ୟା; ତାଙ୍କର ଗେଲ୍ଲୀ ଭଉଣୀ, ବାପ ମାଆ ଛେଉଣ୍ଡ , 2 ରେ ପଢୁଛି ! ପକ୍କା ଚଣ୍ଡୀଟେରେ ବାବା ! ଯେତେବେଳେ ଦେଖ ଭୁତୁଣୀ ପରି ଅଢେଇ ହାତ କଳା ଚୁଟି ଖୋଲି ଅଗଣା ନ ହେଲେ ଛାତ ଉପରେ ବୁଲୁ ଥିବ ! ଆଉ କଲେଜ ଗଲା ବେଳେ ବେଶ ଚିକ୍କଣିଆ ବେଣୀ ବାନ୍ଧି ସେଥିରେ ଚଇତି ମଲ୍ଲୀର ଗଜରା ଲଗେଇ କଲେଜ ଯାଉ ଥିବ ! ହଉ ; ତୁମେ ବ୍ୟସ୍ତ ହୁଅନା ପୁଅ, ମୁଁ ପୁର୍ଣିମାଙ୍କୁ ବୁଝେଇ ଦେବି ଓ ଆଶୁ ସାରଙ୍କୁ ବି କହିବି, ସେମାନେ ଜମାରୁ ତୁମକୁ ଖରାପ ଭାବିବେନି ! ଏଇ ଟିକିଏ କଥାରେ ଏତେ ବ୍ୟସ୍ତ ହୁଅନ୍ତି ନି ବାବା !"ମାଇଁଙ୍କର ଆଶ୍ୱାସନାରେ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ନେଲି !

          ଏହା ଭିତରେ କିଛି ବର୍ଷ ବିତି ଯାଇଥିଲା !

ଟ୍ରେନିଙ୍ଗ ପରେ ବର୍ଷକ ଭିତରେ ମୁଁ ଶିକ୍ଷକତା କରିବାର ସୁଯୋଗ ପାଇ ସାରି ଥିଲି ! ଆମ ଘରେ ବୋହୂ ଖୋଜା ମଧ୍ୟ ଆରମ୍ଭ କରି ଦେଇ ଥିଲେ ! ହଠାତ ଦିନେ ବୋଉ କହିଲେ, ଏଥର ଛୁଟିରେ ବ୍ରହ୍ମପୁର ମାଇଁ ମାମୁଁ ଘର ଆଡ଼େ ଟିକେ ବୁଲି ଆସିଲେ କେମିତି ହୁଅନ୍ତା ? ଅଚାନକ ବ୍ରହ୍ମପୁର କଥା ଶୁଣି ମୁଁ ଚମକି ପଡିଲି ! ଆରେ ସତେ ତ, ଟ୍ରେନିଙ୍ଗ ପରର ବ୍ୟସ୍ତତା ଭିତରେ ମୁଁ ସେ ମାମୁଁ ମାଇଁଙ୍କର କଥା ଏକ ରକମ ଭୁଲି ଯାଇ ଥିଲି ଯେମିତି ! ନିଜକୁ ଦୋଷୀ ମନେ କଲି, କୃତଘ୍ନ ଭାବିଲି ନିଜକୁ ! ମୋ ଲାଗି ଦୀର୍ଘ ତିନି ବର୍ଷ କାଳ ଯେଉଁମାନେ ଅନେକ କିଛି କରି ଥିଲେ ମୁଁ ସେମାନଙ୍କୁ ଏତେ ଜଲ୍ଦି ଭୁଲି ଗଲି ବା କେମିତି ? ସେ ଯାହା ହେଉ ନା କାହିଁକି ଏଥରକ ଦୋଳ ପୂର୍ଣିମା ଛୁଟିରେ ବ୍ରହ୍ମପୁର ଯିବାକୁ ସ୍ଥିର କରି ନେଲି ! ଯାହା କିଛି ମିଠା ସିଠା ଓ ଫଳ ମୂଳ ନେଇ ମାମୁଁ ଘରେ ପହଂଚିବା ପୂର୍ବରୁ ମାମୁଁ ମାଇଁ ଗେଟ ଖୋଲି ମୋ ଆସିବା ବାଟକୁ ଚାହିଁ ରହି ଥିଲେ ଯେମିତି ! ବୋଉ ମୋ ଆସିବା କଥା ଆଗରୁ ସେମାନଙ୍କୁ କହି ଦେଇ ଥିଲା ବୋଧ ହୁଏ ! ରାତିରେ ଖାଇସାରିଲା ପରେ ମାଇଁ କହିଲେ, "କାଲି ସକାଳୁ ଯାଇ ଟିକେ ଆଶୁ ସାରଙ୍କୁ ଦେଖି ଆସିବା,କେମିତି ଅଛନ୍ତି ସେ ? " ଆଶୁତୋଷ ସାରଙ୍କ କଥା ଶୁଣି, ସେଇ ପୁରୁଣା ଫୁଲ ଚୋରି ସ୍ମୃତିଟି ମୋ ମାନସ ପଟରେ ସତେଜ ହୋଇ ଉଠିଲା ଯେମିତି ! ଚଇତି ମଲ୍ଲୀ ଓ ଲାଵଣ୍ୟାର ରାଗ ଗର ଗର ରକ୍ତିମ ଚେହେରାଟି ମୋ ଆଖି ସାମ୍ନାରେ ଝଲସି ଉଠିଲା ! ମୁଁ ମାଇଁଙ୍କୁ ପଚାରିଲି," କାହିଁ ସେମାନେ ଆଉ ଏଠି ରହୁ ନାହାନ୍ତି କି ? " ମାଇଁ ମୋ ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିଲେ କିନ୍ତୁ ତାଙ୍କ ଆଖି ଛଳ ଛଳ ହୋଇ ଉଠି ଥିଲା ଏକ ଅକୁହା ବେଦନାରେ ! ମାମୁଁ ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ କହିଲେ " ବାବା ବିନୋଦ, କାଲି ସକାଳୁ ଯାଇ ଦେଖି ଆସିଲେ ସବୁ ବୁଝି ଯିବନି କି ?ଚାଲ ଚାଲ ,ଶୋଇବା ଚାଲ, ରାତି ଢେର ହେଲାଣି ଯେ...!"ମୁଁ କିନ୍ତୁ ରାତି ସାରା ସୋଇ ପାରିଲିନି ! ଏକ ଅହେତୁକ ଚିନ୍ତାରେ ମୋତେ ଜମାରୁ ନିଦ ହେଲାନି ! ଭୋର ଚାରିଟାରୁ ଉଠି ଦେଖେ ତ' ମାମୁଁଙ୍କ ସାଇ ପଡିଶାରେ ଏକ ବିରାଟ ପାଚେରୀ ଛିଡା ହୋଇଛି ଓ ସାମ୍ନାରେ ବଡ଼ ଗେଟ ଟେ ଲାଗିଛି !


ସକାଳୁ କିଛି ଫଳ ମୂଳ ନେଇ ମାମୁଁ, ମାଇଁ ଓ ମୁଁ, ଆଶୁତୋଷ ସାରଙ୍କ ଘରକୁ ବାହାରି ଗଲୁ ! ସାହି ପାର ହୋଇ ଆଉ ଗୋଟିଏ ନୂଆ ସାହିରେ ଯେଉଁ ଗେଟ ଖୋଲି ପଶିଲୁ, ତାର ଗେଟ ପାଖରୁ ଚଇତି ମଲ୍ଲୀ ବଗିଚା ଦେଖି ମୋର ଜାଣିବାକୁ ବାକି ରହିଲା ନି ଯେ ଏଇଟା ନିଶ୍ଚୟ ଆଶୁତୋଷ ସାରଙ୍କ ଘର ! ଅଗଣାରେ ପହଂଚି ହତବାକ ରହିଗଲି ମୁଁ ! ଆଶୁତୋଷ ସାର ମୋତେ ଦେଖି ଆନନ୍ଦରେ ପାଛୋଟି ନେବାକୁ ଚାହିଁଲେ ବି

ବି' ଚୌକିରୁ ଉଠି ପରି ନଥିଲେ ସେ ! ଆଶା ବାଡିଟିର ସାହାଯ୍ୟରେ ଛିଡା ହେବାକୁ ଚେଷ୍ଟା କରି ବିଫଳ ହେଲେ ! ମୁଁ ଧାଇଁ ଯାଇ ତାଙ୍କ ପାଦ ସ୍ପର୍ଶ କଲି ଓ ତାଙ୍କୁ ସେହି ଆରାମ ଚେୟାର ରେ ପୁଣି ଥରେ ହାତ ଧରି ବସେଇ ଦେଲି ! ମାଇଁ ଭିତରକୁ ଯାଇ ଆମ ଆସିବା ବିଷୟରେ ପୂର୍ଣିମା ଦିଦିଙ୍କୁ ଜଣାଇଲେ ! ପୂର୍ଣିମା ଦିଦି କିଛି ଚା' ବିସ୍କୁଟ ନେଇ ଅଗଣାକୁ ଆସିଲେ ! ଅନେକ ବିଷୟରେ ଆଲୋଚନା ହେଲା ! ମୋର ଶିକ୍ଷକତା ବିଷୟରେ ଜାଣି ସାର ଓ ଦିଦି ବହୁତ ଖୁସି ହେଲେ ! କିନ୍ତୁ ମୋର ଆଖି ଦୁଇଟି ଖୋଜି ଚାଲିଥିଲା ସେଇ ଚଇତି ମଲ୍ଲୀ ପାଗଳୀ ଝିଅଟିକୁ ! ଅନେକ ବର୍ଷ ହେଲା ତାକୁ ଦେଖି ନଥିଲି ମୁଁ ! ମୋର ମନ କଥା କିନ୍ତୁ ସଠିକ ଠଉରେଇ ନେଇ ଥିଲେ ଆଶୁତୋଷ ସାର ! ସାର ହଠାତ କହିଲେ " ବିନୋଦ ଆମ ନୂଆ ଘର କେମିତି ଲାଗିଲା, ଯାଅ ଟିକେ ଭିତରୁ ବୁଲି ଆସ ! ଏ କଥା ଶୁଣି ମୋର ଆନନ୍ଦର ସୀମା ରହିଲାନି ! ଏ ସୁଯୋଗ ଛାଡି ଥାଆନ୍ତି ବା କି ଭଳି ? ଘର ଭିତରେ ବୁଲି ବୁଲି କେବଳ ଲାଵଣ୍ୟାକୁ ହିଁ ଖୋଜୁ ଥିଲି ! ଶେଷରେ ମନ୍ଦିର ଘର ଭିତରେ ପାତଳୀ ଝିଅଟିକୁ ଦେଖି ହଠାତ ଚିନ୍ହି ପାରିଲିନି ! ଚୁଟି ଗୁଡିକ ପୁଣି ଡାହାଣ କାନ୍ଧ ଦେଇ ଆଗକୁ ପଡି ଥିଲା ତାର ! ମାଆ ତାରା ତାରିଣୀଙ୍କ ଫୋଟୋ ସାମ୍ନାରେ ଏକ ରକମ ଧ୍ୟାନ ମଗ୍ନ ଥିଲା ସେ ! ଏତିକିରୁ ହିଁ ଜାଣିଲି ଯେ, ଏ ଝିଅଟି ଲାଵଣ୍ୟା ଛଡା ଆଉ କେହି ନୁହନ୍ତି ବୋଲି ! ଟିକିଏ ଆଶ୍ଵସ୍ଥ ହେଲି ମୁଁ !

                  ଆଶୁତୋଷ ସାରଙ୍କ ଘରୁ ଫେରି ତାଙ୍କ ଓ ତାଙ୍କ ପରିବାର ବିଷୟରେ ମାମୁଁ ମାଇଁ ଙ୍କ ଠାରୁ ସବୁ କିଛି ଶୁଣିଲି ! ଯେଉଁ ଆଶୁତୋଷ ସାର ସାହିତ୍ୟର ପ୍ରଫେସର ଭାବରେ ଛାତ୍ର ଛାତ୍ରୀଙ୍କର ଅତି ପ୍ରିୟ ଥିଲେ, ସେ ଦୀର୍ଘ ଦୁଇ ବର୍ଷ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ! ରୋଗ ଟିକୁ ଠିକ କରିବାକୁ ଯାଇ ପୁର୍ଣିମା ଦିଦିଙ୍କର ସବୁ ଗହଣା ଗଣ୍ଠିଠାରୁ ଆରମ୍ଭ କରି ନିଜର ଅତି ପ୍ରିୟ ବାସ ଭବନଟିକୁ ମଧ୍ୟ ବିକ୍ରି କରିବାକୁ ପଡି ଥିଲା ସେମାନଙ୍କୁ ! ବଜାର ଦର ଖୁବ ଅଧିକ ଥିଲେ ମଧ୍ୟ ଦଲାଲ ମାନେ ଅଧିକ ମୁନାଫା କମେଇ ଆଶୁତୋଷ ସାରଙ୍କର ଦୁଃର୍ଦ୍ଦିନର ସୁଯୋଗ ନେଇ ପୂର୍ଣିମା ଦିଦିଙ୍କ ହାତରେ ଅଳ୍ପ ପଇସା ଧରେଇ ଦେଇ, ତାଙ୍କୁ ଘରୁ ବାହର କରି ଦେଇ ଥିଲେ ! ସେହି ସ୍ୱଳ୍ପ ପଇସାରେ ଗାଁ ବାହାରେ ଯଥାସାଧ୍ୟ ଖଣ୍ଡେ ଜାଗା କିଣି , ଯେମିତି ସେମିତି ମୁଣ୍ଡ ଟିକେ ଗୁଞ୍ଜିବାକୁ ଘରଟିଏ ତୋଳି ଦେଲେ ପୁର୍ଣିମା ଦିଦି ! ଦିଦି ପାଖ ସ୍କୁଲରେ ପଢାଉ ଥିଲେ ! ଆଉ ବେଶୀ ଦିନ ଛୁଟି ମିଳିଲାନି ତାଙ୍କୁ ! ଲାଵଣ୍ୟା ଏମ. ଏ. ପଢା ଅଧାରୁ ଛାଡି ଭାଇଙ୍କ ସେବାରେ ଅନବରତ ଲାଗି ରହିଲା ! ଭାଇ ଭାଉଜଙ୍କର ଗେଲ୍ଲୀ ଝିଅଟି ଆଜି ସେମାଙ୍କର ଆଶା ବାଡି ସାଜିଛି ! ତାଙ୍କର ଏ ଦୁଃର୍ଦ୍ଦିନରେ, ଘନ ଘୋର ଅଦିନ ମେଘରେ ଏକ ଶକ୍ତ ଛାଉଣୀ ପାଲଟିଛି ସେ ! ଅନେକ ଦୁଃଖ କଷ୍ଟ ନିଜେ ସହି ଯାଉଛି,ହେଲେ ଚୁଁ ଟିକେ ବି କରୁନି ! ଘର ଦୁଆର, ସାହି ଅଗଣା ଧୁଆ ପୋଛା ଠାରୁ ଆରମ୍ଭ କରି ଭାଇଙ୍କର ଔଷଧ ପଥ୍ୟ ସବୁ କରୁଛି ସେ ! ବେଳେ ବେଳେ ତା ପିଲା ବେଳର ଚଗଲାମୀ କଥା କହି, ଭାଇଙ୍କୁ ହସାଇବାକୁ ଚେଷ୍ଟା କରୁଛି ଓ କେବେ କେମିତି ସେଥିରେ ସଫଳ ମଧ୍ୟ ହୋଇ ଯାଉଛି ! ଭାଇଙ୍କର ଆରୋଗ୍ୟ କାମନା କରି ତାର ଆରାଧ୍ୟା ମାଆ ; ତାରା ତାରିଣୀଙ୍କ ପାଖରେ କେତେ ଯେ ଅନୁନୟ ବିନୟ ନ ହେଉଛି ସେ ? କିନ୍ତୁ ଏ ସବୁ ସତ୍ୱେ ଚଇତି ମଲ୍ଲୀର ଲୋଭକୁ ଛାଡି ପାରିନି ସେ ! ବାଡ଼ିର ଅଧାରୁ ଅଧିକ ଜାଗାରେ କେବଳ ମଲ୍ଲୀ ଗଛ ହିଁ ମଲ୍ଲୀ ଗଛ ଲଗେଇ ତାର ସଠିକ ଯତ୍ନ ନେଉଛି !

         ଏକ ଭାରାକ୍ରାନ୍ତ ମନ ନେଇ ଗାଁକୁ ଫେରି ଆସିଲି ମୁଁ ! କିଛି ଦିନ ଭିତରେ ମାଇଁ ଲାବାଣ୍ୟାଙ୍କ ସହିତ ମୋ ବାହାଘର ପ୍ରସ୍ତାବ ନେଇ ଆଶୁତୋଷ ସାରଙ୍କ ଘରକୁ ଗଲେ ! କିନ୍ତୁ ଲାଵଣ୍ୟା ଜିଦ ଧରିଲା ଯେ, ଭାଇ ଭାଉଜଙ୍କୁ ଛାଡି ସେ କୁଆଡେ ହେଲେ ଯାଇ ପାରିବିନି ! କିନ୍ତୁ ମୋର ଲାଵଣ୍ୟାକୁ ବାହା ହେବାର ଏକା ଜିଦ ଦେଖି ମୋ ବାପା ବୋଉ ଖବର ପଠେଇଲେ ଯେ, " ବିଭାଘର ପରେ ବି ତୁମେ ତୁମର ଭାଇଙ୍କର ଯତ୍ନ ନେଇ ପାରିବ !" ତା ପରେ ଆଶୁତୋଷ ସାର ଓ ପୂର୍ଣିମା ଦିଦିଙ୍କର ଅଟଳ ନିଷ୍ପତି ଆଗରେ ପୁର୍ଣିମାଙ୍କୁ ହାର ମାନିବାକୁ ପଡିଲା ଏବଂ ଆମର ବିବାହ ସମ୍ପର୍ଣ୍ଣ ହେଲା !

          ଲାଵଣ୍ୟା ଆମ ଘରକୁ ବୋହୂ ହୋଇ ଆସିଲେ ! ମାଆ ତାରା ତାରିଣୀଙ୍କ ଫୋଟୋ ସାଙ୍ଗରେ ଆଣିବାକୁ ଭୁଲି ନଥିଲେ ସେ ! ନୀତି ପ୍ରତିଦିନ ପୂଜା କରୁ ଥିଲେ ତାଙ୍କୁ ! ଇତି ମଧ୍ୟରେ କ୍ରମାଗତ ଔଷଧ ଓ ସଠିକ ପଥ୍ୟ ବ୍ୟବହାର ଦ୍ୱାରା ଆଶୁତୋଷ ସାର ସମ୍ପୂର୍ଣ ଭଲ ହୋଇ ଗଲେ ! ଘର ବାହାରର ସମସ୍ତ ଦାଇତ୍ୱ ତୁଲାଇବା ସତ୍ୱେ, ଚଇତି ମଲ୍ଲୀ ଲାଗି ଦୁର୍ବଳତାଟିକୁ ଛାଡି ପରି ନ ଥିଲେ ସେ ! ଏହା ମଧ୍ୟରେ ଆମେ ଦୁଇଟି ସନ୍ତାନର ଜନକ ଜନନୀ ହୋଇ ସାରିଥିଲୁ ! ତଥାପି କେବେ କେମିତି ଚଇତି ମଲ୍ଲୀର ଗଜରାଟିଏ ଘରକୁ ନେଇ ଆସିଲେ, ଖୁସିରେ ଝୁମି ଉଠନ୍ତି ସେ ! ଆଉ ତାଙ୍କର ସେ ଅସୀମ ଖୁସିରେ ସାମିଲ ହୋଇ ଯାଏ ମୁଁ ! ତାଙ୍କର ସେ ଆନନ୍ଦ ଭରା ଚେହେରାଟିକୁ ଦେଖି ଦେଖି ମୁଁ ମୋର ସାରା ଦିନର କ୍ଲାନ୍ତି ଭୁଲି ଯାଏ ! 

           ଆଜି ବାଡିରୁ ଚଇତି ମଲ୍ଲୀ ତୋଳି ମୋ ଝିଅ ମନସୀ ତା ମାଆ ପାଇଁ ସୁନ୍ଦରିଆ ଗଜରାଟିଏ ତିଆରି କରି ତାଙ୍କ ଜୂଡାରେ ବାନ୍ଧି ଦେଇଛି ! କିନ୍ତୁ କରୋନା ମହାମାରୀର ଭୀଷଣ ପ୍ରକୋପରେ ନିଜ ପୁଅ ବିଷୟରେ ଚିନ୍ତା କରି କରି ଚଇତି ମଲ୍ଲୀର ସ୍ପୃହା ଯେମିତି ଭୁଲି ଯାଇଛନ୍ତି ସେ !

                  ଚଇତି ମଲ୍ଲୀ ଓ ଲାବାଣ୍ୟାଙ୍କ ବିଷୟରେ ଭାବି ଭାବି କେତେବେଳେ ଯେ ନିଦ ଲାଗି ଗଲା, ସେ କଥା ଜାଣି ପାରଲେନି ବିନୋଦ ବାବୁ ! ସକାଳୁ ଉଠି ସେଇ ବାସି ଚଇତି ଗଜରାଟିକୁ ନିଜ ହତ ମୁଠାରେ ଶକ୍ତ ଭାବେ ଚାପି ଧରି ଘର ବାହାରକୁ ଚାଲି ଗଲେ ସେ ! ଗଜରାଟିକୁ ବହୁତ ଦୁରକୁ ଫିଙ୍ଗି ଦେଇ ସହଳ ସହଳ ନିଜର ନିତ୍ୟ କର୍ମ ସାରି, ବଜାରକୁ ବାହାରି ଗଲେ କିଛି ସଉଦା ପତ୍ର କିଣିବାକୁ ! କାରଣ କେତେବେଳେ ଯେ ପୋଲିସ ଵାଲା ଆସି ଦୋକାନ ବଜାର ବନ୍ଦ କରି ଦେବେ ସୋସିଆଲ ଡିଷ୍ଟାସିଂ ମେଣ୍ଟେନ କରିବା ଆଳରେ, ତାହା କେହି କେବେ କହି ପାରିବେନି !

         ଆଜି କିନ୍ତୁ ଆଶ୍ଚର୍ଯ୍ୟର କଥା,ବଜାରରୁ ଫେରିବା ମାତ୍ରେ ତାଙ୍କ ହାତ ମୁଠାରୁ ଚଇତି ମଲ୍ଲୀର ଗଜରାଟିକୁ ଅଚାନକ ହସି ହସି ଛଡାଇ ନେଲେ ଲାଵଣ୍ୟା ! ପୂଜା ଘରେ ପଶି ଯାଇ ମାଆ ତାରା ତାରିଣୀଙ୍କ ପାଖରେ ରଖି ଦେଇ ଆନନ୍ଦରେ କଣ ସବୁ ଗୁଣୁ ଗୁଣୁ ହୋଇ କହି ଚାଲି ଥିଲେ; ବିନୋଦ ବାବୁ କିଛି ବୁଝି ପାରିଲେନି ! ଝିଅକୁ କଥା କଣ ପଚାରିବାରୁ, ଝିଅ କହିଲା " ବାବା ; ଭାଇର ଫୋନ ଆସିଥିଲା,ସେ କହୁଥିଲା ତା ହଷ୍ଟେଲରୁ ଦୁଇ ଜଣ ପିଲା ବାହାରକୁ ଯାଇ ଥିଲେ କିଛି କିଣିବାକୁ,କିନ୍ତୁ ପୋଲିସ ଵାଲା ତାଙ୍କଠାରୁ ବାଇକ ଛଡେଇ ନେଇ ତାଙ୍କୁ ପୋଲିସ ଭ୍ୟାନରେ ବସେଇ, ତାଙ୍କ ହଷ୍ଟେଲରେ ଛାଡି ଦେଇ ଗଲେ ଏବଂ ତାଗିଦ କରି ଦେଇ ଗଲେ ଯେ "ଯିଏ ବାହାରକୁ ଯିବ ଏ ଲକଡାଉନ ଭିତରେ ତାକୁ ହାଜତରେ ପୁରେଇ ଦେବେ ଓ ହଷ୍ଟେଲ ସୁପ୍ରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଜେଲ କରି ଦେବେ ! ଏ କଥା ଶୁଣିଲା ପର ଠାରୁ ମାମା ବହୁତ ଖୁସି ଜଣା ପଡୁଛନ୍ତି ବାବା, ମୁଁ କିନ୍ତୁ ଜମାରୁ କିଛି ବୁଝି ପାରୁନି ବାବା ?" ବିନୋଦ ବାବୁ ଝିଅକୁ କହିଲେ " ମୁଁ ତୁମକୁ ପରେ ବୁଝେଇ ଦେବି ମାଆ, ତୁମେ ଏବେ ଯାଅ !"

            ବିନୋଦ ବାବୁ ଗୋଡ଼ ହାତ ଧୋଇ ପୂଜା ଘରେ ପଶି ଲାବାଣ୍ୟାଙ୍କ ପାଖରେ ବସି ପଡିଲେ ଓ ମାଆ ତାରା ତାରିଣୀଙ୍କୁ ପ୍ରଣାମ ଜଣାଇ ଧନ୍ୟବାଦ ଅର୍ପଣ କଲେ ! ଯାହା ଟିକିଏ ପୂର୍ବରୁ ତାଙ୍କ ଧର୍ମ ପତ୍ନୀ ଲାଵଣ୍ୟା କରି ଆସୁଥିଲେ ସେଇ ଚଇତି ମଲ୍ଲୀର ଗଜରାଟିକୁ ମାଆଙ୍କ ପାଖରେ ଲଗେଇ ଦେଇ ! ଦୁହେଁ ଦୁହିଁଙ୍କୁ ଚାହିଁଲେ ଅଶେଷ ଆତ୍ମ ସନ୍ତୋଷରେ ! କାରଣ, ସେମାନେ ଜାଣିଥିଲେ ଯେ ତାଙ୍କ ପୁଅ ଦୁଷ୍ଟ ନ ହେଲେ ବି' ଛୁଟି ଦିନରେ ବାଇକଟି ନେଇ ବାହାରକୁ ଚାଲି ଯାଏ ଯେ ଘରେ ପଶିବାକୁ ନାଁ ମଧ୍ୟ ନିଏନି ! କିନ୍ତୁ ଏବେ ଏମାନେ ଟିକେ ଚିନ୍ତା ମୁକ୍ତ ! କାରଣ, ହଷ୍ଟେଲରୁ ବାହାରକୁ ନ ଯାଇ ତାଙ୍କ ପୁଅ ଏ ଲକଡାଉନର ଏକ ହିତ୍ସା ପାଲଟି ଯାଇଛି ଓ ଏ ମହାମାରୀ କରୋନାର କବଳରୁ ଦୂରରେ ରହି ପାରିଛି !

         ପୁଣି ଥରେ ସପତ୍ନୀକ ମାଆ ତାରା ତରିଙ୍କୁ ପ୍ରଣାମ ଜଣାଇ ପୂଜା ଘରୁ ବାହାରି ଆସିଲେ ଏକ ଦୃଢ଼ ବିଶ୍ୱାସରେ ।


Rate this content
Log in

Similar oriya story from Classics