Pranati Mahapatra

Tragedy Inspirational

2  

Pranati Mahapatra

Tragedy Inspirational

କିଞ୍ଚିତ୍ ସଫଳତା

କିଞ୍ଚିତ୍ ସଫଳତା

3 mins
7.6K


ଅନେକ ଭାବିବା ପରେ ମିତା ଫୋନ୍ କଲା,"କଣ କରୁଛୁ ,ଫୋନ୍ ଧରୁନୁ ?

କ'ଣ ,ମୋ ଉପରେ ରାଗିଛୁ କି?"

 ଅପର ପଟୁ ଉତ୍ତର ଆସିଲା,

"ଆରେ ନା ରେ ମା ,କାହିଁକି ରାଗିବି ଯେ?

କହ କ'ଣ କହିବୁ ।"

ଫୋନ୍ ଧରିବା ଲୋକ ଥିଲେ ମିତାର ମା'।

"ମା'  ତୋ ସାଥିରେ କଥା ହେବାକୁ ହେଲେ ଖୁବ୍ ଚିନ୍ତା କରିବାକୁ ହୁଏ । କାହିଁକି ନା କାଳେ ତୋ ପୁଅମାନେ କିଛି କହିବେ।"

"ଛାଡ୍ ସେ କଥା ,କ'ଣ କହିବୁ କହ।"

ମିତା ମନେ ମନେ ଭାବିଲା ମା ସହ ବି କଥା ହେବାକୁ ମା ପାଖରେ ସମୟ ନାହିଁ। ଛାଡ଼ ...

ମା'ର ଡାକରେ ମିତା ଚିନ୍ତା ରାଜ୍ୟରୁ ଫେରିଲା ।

"ମା ,ତୋର ମନେ ଅଛି ,ମୋ ବାବା ଯେଉଁ ସ୍କୁଲ କରିଥିଲେ।

ଛାଡ ସେ ବେକାର କଥା।"

"ମା ଶୁଣ୍।

ଏଇ ଅଳ୍ପଦିନ ତଳେ ମୁଁ ସେଠିକୁ ଯାଇଥିଲି। ଆଉ ସେଠି ମୋ ବାବାଙ୍କର ଚିହ୍ନ ବର୍ଣ୍ଣ ବି ନାହିଁ । ଭାରି ଦୁଃଖ ଲାଗିଲା।"

"ଘର,ଛୁଆ, ପିଲା କାହାକୁ ନ ଅନାଇ ଦିନରାତି ସେହି ଗୋଟିଏ କଥା। ଘରୁ ଖାଇ ଦେଇ କାହା କଥା ନ ଶୁଣି ସେହି କାମ।କେମିତି ମୋ ଗାଁ ରେ ଉଚ୍ଚ ବିଦ୍ୟାପୀଠ ହେବ।

ରେଭେନ୍ସାର ଉଚ୍ଚ ଡିଗ୍ରୀ ହାସଲ କରିଥିବା ଉଚ୍ଚଶିକ୍ଷିତ କୀର୍ତ୍ତନ ବାବୁଙ୍କ ମୁଣ୍ଡରେ ଢୁକିଛି ବିଦ୍ୟାଳୟର ନିଶା। ସରକାରୀ ଚାକିରି ଛାଡି ଗାଁ କୁ ଚାଲି ଆସିଲେ। ଗାଁ ମାଟିରେ ସ୍କୁଲ କରିବେ ,ଗାଁ ପିଲାମାନେ ୧୦କୋଶ ଯିବେ ନାହିଁ, ଏଇଠି ପାଠ ପଢିବେ।ଏକମାତ୍ର ବାଲ୍ୟବନ୍ଧୁ ସହାୟତାରେ ରାସ୍ତାରେ ବାଉଁଶ ପକେଇ ଗାଡି ମୋଟର ଅଟକାଇ ଯେତିକି ଟଙ୍କା ହେଲା ,ତା ସହ ନିଜ ଘରୁ ସୁନା ଗହଣା ବିକ୍ରୀ କରି ବିଦ୍ୟାଳୟ କଲେ। ମହା ଆନନ୍ଦରେ ପିଲାମାନେ ପାଠ ପଢିଲେ।

ହେଲେ ରାଜନୀତି ସେ ସ୍କୁଲରେ ପଶିଗଲା। କିଛି ରାଜନୈତିକ ଲୋକ ନିଜ ବାହାଦୁରି ପାଇଁ ଅନ୍ୟ କିଛି ଲୋକଙ୍କ ସହାୟତାରେ ସେ ବିଦ୍ୟାଳୟରେ ଅଶାନ୍ତ ବାତାବରଣ ସୃଷ୍ଟି କଲେ। ତା ଭିତରେ ତୋ ବାବାଙ୍କ ମୁଣ୍ଡ ସବୁବେଳେ ବିନ୍ଧାବିନ୍ଧି ହୋଇ ଯନ୍ତ୍ରଣା ଦେଲା। ଘରୁ ଡାକ୍ତରଖାନା, ଡାକ୍ତରଖାନାରୁ ସ୍କୁଲ, ବଡ କଷ୍ଟ ପାଇଲେ। ଏସବୁର ସୁଯୋଗରେ ଥିଲେ ସେହି ବ୍ୟକ୍ତି ମାନେ। ଶାରୀରିକ ପୀଡା ତା ସହ ସ୍କୁଲରେ

ଅଶାନ୍ତି । ଆଉ ଯିବାକୁ ଚାହିଁଲେ ନାହିଁ। ଏଣେ ମୁଣ୍ଡରେ କ୍ୟାନ୍ସର ରୋଗର ଅପରେସନ ହେଲା । ତା କିଛି ଦିନ ପରେ ମରିଗଲେ। ଦୁନିଆରୁ ସତେ ଯେମିତି ଅମ୍ଲାନ ପ୍ରଦୀପଟିଏ ସବୁଦିନ ଲାଗି ଲିଭିଗଲା। ତା ପରେ ସମସ୍ତେ ଭୁଲିଗଲେ। ଦୀର୍ଘ ୪୦ବର୍ଷ ପରେ ପୁଣି କାହିଁକି ଏ କଥା?"

ଏକା ନିଶ୍ଵାସେ ଏତକ କହି ଚୁପ୍ ରହିଲେ ମିତାର ମା'। ମିତା ଶୁଣିପାରୁଥିଲା,ମା ସୁଁ ସୁଁ ହୋଇ କାନ୍ଦୁଥିବାର।

"ଆଛା, ତୁ ଏମିତି ହେଉଛୁ ବୋଲି ମୁଁ ତୋତେ କିଛି କହିବାକୁ ଚାହୁଁ ନଥିଲି ।

ମୁଁ କଣ କହୁଛି ଶୁଣି ବୁ କି ନାହିଁ?"

"ହଁ କହ"

  "ସେଠାରେ ମୋର ପ୍ରଥମ କାମ, ମୋ ବାପାଙ୍କର ଫଟୋ ଅଫିସରେ ରହୁ ,ଏବଂ ତାଙ୍କ ପ୍ରତିମୂର୍ତ୍ତି ବିଦ୍ୟାଳୟରେ ସ୍ଥାପିତ କରାଯାଉ । ତେଣୁ ଏଥିପାଇଁ ମୋତେ କମ୍ ପରିଶ୍ରମ କରିବାକୁ ପଡିନାହିଁ।

 ଯା ହେଉ ମୁଁ ସେଠାରେ ଯୋର ଦେଇ କହି ଆସିଥିଲି, ମୋ ବାପାଙ୍କ ସ୍ଵପ୍ନ ସିନା ପୂରଣ ହୋଇଥିଲା, ହେଲେ ତାଙ୍କ ଅସ୍ତିତ୍ୱ ହଜିଗଲା। ମୁଁ ତାଙ୍କ ଫଟୋ ଏବଂ ପ୍ରତିମୂର୍ତ୍ତି କରି ପ୍ରମାଣ କରିଦେବି ଯେ ମୋ ବାବା ଏ ସ୍କୁଲ ପାଇଁ କଣ କରିଛନ୍ତି।"

"ନାହିଁ ନାହିଁ,ତୁ ଆମର ଏତେ ଅଡ଼ୁଆ ଆଡକୁ ଯାଆନା। ସେମାନେ ସବୁ ଭଲ ଲୋକ ନୁହନ୍ତି। ତୋ ବାବାଙ୍କର ଏତେ ବଡ ତ୍ୟାଗ ଭୁଲି ଗଲେ। ତୁ କଣ ସେମାନଙ୍କୁ ପାରିବୁ? ଝିଅ ପିଲାଟା।

 ବାହା ସାହା ହୋଇଛୁ । କାହିଁକି ଏତେ ଅଡ଼ୁଆ କୁ ଯାଉଛୁ କହିଲୁ?"

"ଶୁଣ ମା,ଯେଉଁ ରାଜନୀତି ଚକ୍ରରେ ମୋ ବାବା ଶିକାର ହୋଇ ଅାମକୁ ବାପଛେଉଣ୍ଡ ହେବାକୁ ପଡିଛି, ସେହି ରାଜନୀତିକୁ ମାଧ୍ୟମ କରି ମୁଁ ସବୁ କରିବି। କଳେବଳେ ଅବା ଛଳେଛଳେ।

ଆଉ ସବୁଠାରୁ ବଡ଼ କଥା ହେଲା ଆଜି ମୋ ବାବାଙ୍କ ଫଟୋ ଅଫିସରେ ଟାଙ୍ଗି ଆସିଛି। ଆଜିଠାରୁ ବାବା ସେ ଜାଗାକୁ ପୁଣିଥରେ ପ୍ରବେଶ କରିଗଲେ। ଦେଖ ଏଥର ବାବା କଣ କରୁଛନ୍ତି। ଖୁବ୍ କମ୍ ଦିନ ଭିତରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଦେଖେଇ ଦେବି। ଏବେ ବି ବାବା ତାଙ୍କ ସ୍ଵପ୍ନକୁ ନେଇ ଏଇ ବିଦ୍ୟାଳୟରେ ରହିଛନ୍ତି। କେହି ବି ତାଙ୍କୁ ବିଦା କରି ପାରିବେ ନାହିଁ।"

ଖୁବ୍ ଆତ୍ମତୃପ୍ତିର ଖୁସିରେ ମା କହିଲେ, "ସତରେ ....?

ତୋତେ ଭଗବାନ ସହାୟ ହୁଅନ୍ତୁ। ଆଜି ମୁଁ ବହୁତ ଖୁସି ହୋଇଗଲି ରେ ମା।

ତୋ ବାବାଙ୍କ ଅତୃପ୍ତ ଆତ୍ମା କିଞ୍ଚିତ୍ ଶାନ୍ତି ପାଇ ପାରିଥିବ ନିଶ୍ଚୟ।"

ବାବାଙ୍କ ଆତ୍ମା ଶାନ୍ତି ପାଉ କି ନ ପାଉ ,ମା ତ କିଛି ଶାନ୍ତି ଅନୁଭବ କଲା। ଯା ହେଉ ମୋତେ ତ କିଞ୍ଚିତ୍ ସଫଳତା ମିଳିଲା। ଖୁବ୍ କମ୍ ଦିନ ମଧ୍ୟରେ ବାକି କାମ ନିଶ୍ଚୟ ସାରିବାକୁ ପଡିବ।

  ପ୍ରଣତି ମହାପାତ୍ର

  ବାଲେଶ୍ୱର।


Rate this content
Log in

Similar oriya story from Tragedy