କି ପ୍ରକାର ଆଖ୍ୟା
କି ପ୍ରକାର ଆଖ୍ୟା
ଜୀବନର ଅସୀମିତ ବ୍ୟସ୍ତତା ଭିତରେ ଆଜି ବୋହୁତ ଦିନ ପରେ କିଛି ପୁରୁଣା ବାନ୍ଧବୀଙ୍କ ସହିତ ଭେଟ ହେଲା । ସତରେ କେତେ ମଧୁର ଥିଲା ସେ କ୍ଷଣ । ଯେଉଁ ଅଭୁଲା କ୍ଷଣରେ ଏକ ଛୋଟିଆ ଚା ଷ୍ଟଲ ନିକଟରେ ଦେଖା ହେଇଗଲେ ମୋର ଅତି ଆପଣାର ତିନି ଜଣ ପୁରୁଣା ବାନ୍ଧବୀ । ସେମାନେ ବୋଧହୁଏ ସେଇ ଚା ଷ୍ଟଲକୁ ଚା ପିଇବା ବାହାନାରେ କିଛି ସମୟ ବିତାଇବାକୁ ଆସିଥିଲେ ।ସେମାନେ ଦୂରରୁ ମତେ ଦେଖି ମୋ ନାଁ ଧରି ଡାକିଲେ । ମୁଁ ସେମାନଙ୍କୁ ଦେଖି ଖୁସିରେ ତାଙ୍କ ନିକଟକୁ ଆସିଲି । ଆମେ ପରସ୍ପରର ଭଲମନ୍ଦ ପଚାରି ବୁଝିଲୁ । ମୁଁ ବିଶେଷ କିଛି କହୁନଥାଏ କେବଳ ସେମାନଙ୍କ କଥା ଧ୍ୟାନରେ ଶୁଣୁଥାଏ । ଶୁଣିବିନି କେମିତି ଯେ, ମୁଁ ପରା ଗୋଟିଏ ଲେଖିକା । ସାମ୍ନାରେ ଘଟୁଥିବା ପ୍ରତ୍ୟେକ ଘଟଣା ଦୁର୍ଘଟଣାକୁ ଜୀବନ୍ତ ରୂପ ଦେବା ହେଉଛି ମୋ ଧର୍ମ ।
ମୋ ଚତୁର୍ପାଶ୍ୱର ଘଟଣାବଳୀରୁ ହିଁ ମୁଁ ଲେଖିବାପାଇଁ ବିଷୟବସ୍ତୁ ପାଇଥାଏ । ସେଇଥିପାଇଁ ତ ମୁଁ ବିଶେଷ କିଛି ନକହି କେବଳ ସେମାନଙ୍କ ବାର୍ତ୍ତାଳାପ ଶୁଣୁଥିଲି । ପ୍ରଥମ ବାନ୍ଧବୀ ଜଣକ ଖୁବ ଖୁସି ଜଣାପଡୁଥିଲେ । ମୁଁ ତାଙ୍କୁ ଏତେ ଖୁସି ହେବାର ରହସ୍ୟ ପଚାରିଲି । ସେ କହିଲେ, ମୁଁ ମୋ ସ୍ଵାମୀଙ୍କୁ ବୋହୁତ ଭଲପାଏ ଓ ଭକ୍ତି କରେ ବୋଲି ମତେ ସମସ୍ତେ ବୋହୁତ ଭଲ ପାଆନ୍ତି । ମୋ ସ୍ୱାମୀଙ୍କର ସବୁ କଥା ମାନିଯାଏ, ତାଙ୍କ ଗୋଡ଼ ଘସିଦିଏ, ଯାହା କିଛି କରେ ତାଙ୍କୁ ପଚାରି ତାଙ୍କ ଉପଦେଶ ମାନି କରେ, ନିଜର ସବୁ ସ୍ୱପ୍ନ ମୋ ସ୍ଵାମୀଙ୍କ ପାଇଁ ତ୍ୟାଗ କରିଦିଏ, ନିଜେ ନଖାଇ ମୋ ଖାଦ୍ୟ ମୋ ସ୍ଵାମୀଙ୍କୁ ଦେଇଦିଏ ସେଥିପାଇଁ ମୋ ଶାଶୁ,ଶ୍ୱଶୁର ମତେ ସଂସ୍କାରି ଝିଅ ଆଉ ପତିବ୍ରତା ବୋଲି କୁହନ୍ତି ଏବଂ ଖୁବ ସ୍ନେହ କରନ୍ତି । ଏସବୁ ଶୁଣି ଦ୍ଵିତୀୟ ବାନ୍ଧବୀ ଜଣକ ଖୁବ ଦୁଃଖ ପ୍ରକାଶ କଲେ । ଏବଂ ତାଙ୍କ ଆଖି ଛଳଛଳ ହେଇଗଲା । ମୁଁ ତାଙ୍କ ଲୁହ ଭିଜା ଆଖିକୁ ଦେଖି ପ୍ରଶ୍ନ କଲି, ଆରେ ତୁମର କଣ ହେଲା ? ତୁମେ ଏତେ ଦୁଃଖୀ କଣ ପାଇଁ ? ମୋ ପ୍ରଶ୍ନ ଶୁଣି ଦ୍ୱିତୀୟ ବାନ୍ଧବୀ ଉତ୍ତରରେ କହିଲେ, ମୁଁ ବି ମୋ ସ୍ଵାମୀଙ୍କୁ ଭଲପାଏ । ମୋ ସ୍ୱାମୀ ମଧ୍ୟ ମତେ ବୋହୁତ ଭଲ ପାଆନ୍ତି, ମୋର ବୋହୁତ ଯତ୍ନ ନିଅନ୍ତି,ମୋର ସବୁ ସ୍ୱପ୍ନକୁ ପୁରା କରିବାକୁ ଚେଷ୍ଟା କରନ୍ତି,ନିଜେ ଭୋକିଲା ରହି ମତେ ଖାଇବାକୁ ଦିଅନ୍ତି,କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ସେ ମୋର ପରାମର୍ଶ ନିଅନ୍ତି । ମତେ ସେ ନିଜର ପୁରା ପୃଥିବୀ ବୋଲି ଭାବନ୍ତି । ଏତିକି କହି ସେ ଚୁପ୍ ରହିଲେ । ମୁଁ ତାଙ୍କୁ କହିଲି, ଏ ତ ବୋହୁତ ଖୁସିର କଥା । ତୁମେ ବୋହୁତ ଭାଗ୍ୟବାନ । ସ୍ଵାମୀଙ୍କ ଠାରୁ ଏତେ ସ୍ନେହ ପାଉଛ, ତେବେ ଦୁଃଖ କାହିଁକି କରୁଛ ? ମୋ ପ୍ରଶ୍ନରେ ମୋର ଦ୍ୱିତୀୟ ବାନ୍ଧବୀ ଉତ୍ତର ଦେଲେ, ସେଇଟା ହିଁ ଦୁଃଖ । ଏସବୁ ଦେଖି ମୋ ଚତୁର୍ପାଶ୍ୱର ଲୋକମାନେ ମୋ ସ୍ଵାମୀଙ୍କୁ ନିନ୍ଦା କରୁଛନ୍ତି,ସ୍ତ୍ରୀ ବୁଦ୍ଧିଆ ବୋଲି କହୁଛନ୍ତି । ମୋ ସ୍ୱାମୀ ଯେତେବେଳେ ମୋର ଉପଦେଶ ଆବଶ୍ୟକ କରୁଛନ୍ତି ସେତେବେଳେ କିଛି ଲୋକ ମୋ ସ୍ଵାମୀଙ୍କୁ ତିରସ୍କାର କରି ସ୍ତ୍ରୀ ର ଗୁଲାମ ବୋଲି ମଧ୍ୟ କହୁଛନ୍ତି । ସେଇଥିପାଇଁ ମୋର ଦୁଃଖ ।
ଏସବୁ ଶୁଣି ତୃତୀୟ ବାନ୍ଧବୀ କହିଲେ,ମୁଁ ଏପର୍ଯ୍ୟନ୍ତ ବିବାହ କରିନି କିନ୍ତୁ କିଛି ଲୋକ ମତେ ବୁଝାଉଛନ୍ତି ନିଜର ସବୁ ସ୍ୱପ୍ନ ପୁରା ହେଲାପରେ ଯାଇ ବିବାହ କରିବୁ । ଆଉ କିଛି ଲୋକ ଉପଦେଶ ଦେଉଛନ୍ତି ଯେ ସ୍ଵାମୀଙ୍କ ପାଇଁ ସବୁକିଛି ତ୍ୟାଗ କରିବୁ । ମୁଁ ସମସ୍ତଙ୍କ କଥା ଶୁଣିଲି । କଣ ସମାଧାନ ଥାଇପାରେ ଏଇ ସମସ୍ୟାର ? ପ୍ରକୃତରେ ଦୋଷୀ କିଏ ଓ ନିର୍ଦୋଷି କିଏ ? କିଏ କାହାର ଉପଦେଶ ମାନିବା ଉଚିତ ? ସତରେ ପାର୍ଥକ୍ୟ ତ ଏଠି ବୋହୁତ କିଛି । ଯଦି ଗୋଟେ ସ୍ତ୍ରୀ କହେ ଯେ ,ମୋ ସ୍ୱାମୀ ହିଁ ମୋର ସବୁକିଛି ତେବେ ସେଇ ସ୍ତ୍ରୀ ସମାଜରେ ପତିବ୍ରତା ନାମରେ ପୂଜାପାଏ କିନ୍ତୁ ଗୋଟେ ସ୍ୱାମୀ ଯେତେବେଳେ କହେ ଯେ ,ମୋ ସ୍ତ୍ରୀ ମୋର ସବୁକିଛି ସେତେବେଳେ ଏ ସମାଜ ଆଖିରେ ସେ ସ୍ତ୍ରୀ ବୁଦ୍ଧିଆ ହେଇଯାଏ । ଏହା କି ପ୍ରକାର ପାର୍ଥକ୍ୟ ? ଗୋଟେ ସ୍ତ୍ରୀ ଯଦି ସ୍ୱାମୀ ପାଇଁ ସବୁ ତ୍ୟାଗ କରେ ତେବେ ସେ ମହାନ । ଆଉ ଯଦି ଗୋଟେ ସ୍ୱାମୀ ତା ସ୍ତ୍ରୀ ପାଇଁ ସବୁକିଛି ତ୍ୟାଗ କରେ ତେବେ ଲୋକମାନେ କୁହନ୍ତି ଯେ, ସ୍ତ୍ରୀ ତା ସ୍ୱାମୀକୁ ମେଣ୍ଢା କରି ରଖିଛି ।
ଯଦି ଗୋଟେ ସ୍ତ୍ରୀ ତାର ସ୍ଵାମୀଙ୍କ ଖୁସିକୁ ପ୍ରାଧାନ୍ୟ ଦିଏ ତେବେ ସେ ସଂସ୍କାରି ବୋହୁ । ଆଉ ଯଦି ଗୋଟେ ସ୍ୱାମୀ ତା ସ୍ତ୍ରୀର ଖୁସିକୁ ପ୍ରାଧାନ୍ୟ ଦିଏ ତେବେ ସେ ସ୍ଵାମୀକୁ କୁହାଯାଏ ଯେ ,ପରଝିଅ କଣ ଏତେ ନିଜର ହେଇଗଲା ? ବାପା,ମାଆ କହିବେ ଯେ ,ଆମ ପୁଅ ଆମର ଥିଲା, ଏଇ ପର ଝିଅଟା ଆସି ଆମ ପୁଅକୁ ଆମଠୁ ଛଡେଇନେଲା । ସ୍ୱାମୀ ଆଉ ସ୍ତ୍ରୀ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ୍ୟ । ଜଣଙ୍କ ବିନା ଜଣେ ଅଧୁରା । ତେବେ ଏତେ ମତ ପାର୍ଥକ୍ୟ କାହିଁକି ? ସ୍ଵାମୀଟିଏ ଯଦି ତା ସ୍ତ୍ରୀର କୌଣସି କଥା ମାନିଯାଏ, ତାର ଉପଦେଶ ଲୋଡେ,ତାକୁ ପ୍ରାଧାନ୍ୟ ଦିଏ ତେବେ ସମାଜରେ ଏତେ ଆଲୋଚନା ହୁଏ କାହିଁକି ? ଈଶ୍ୱରଙ୍କ ସୃଷ୍ଟିରେ ସବୁଠୁ ଘନିଷ୍ଠ ଆଉ ଉର୍ଦ୍ଧରେ ଥିବା ସମ୍ପର୍କ ତ କେବଳ ସ୍ୱାମୀ ଆଉ ସ୍ତ୍ରୀର । ତେବେ ଛାର ମଣିଷ ଈଶ୍ୱରଙ୍କ ସୃଷ୍ଟିକୁ ବଦଳାଇ ପାରିବ କି ?