Shanti Mishra

Inspirational Drama

3  

Shanti Mishra

Inspirational Drama

କି ଗୀତ ଗାଉଛି ସମୟ

କି ଗୀତ ଗାଉଛି ସମୟ

6 mins
457



ଆଜି “ମଲେସା” ର ଜନ୍ମଦିନ l ସବୁ ବର୍ଷ ତା ଜନ୍ମ ଦିନରେ ସେ ସ୍ପେସାଲ୍ କେକ୍ ତା ଅଙ୍କଲଙ୍କ ବେକେରୀରୁ ଅର୍ଡର ଦେଇ କି ଆଣେ ଅଫିସ୍ ସାଙ୍ଗ ମାନଙ୍କ ପାଇଁ l ଆଜି ତେଣୁ ସମସ୍ତେ ବଡ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି l ମଲେସାର ଅଙ୍କଲଙ୍କ ବେକେରୀ ସେ ସହରରେ ଭାରି ପ୍ରସିଦ୍ଧ, ବେଶ୍ ଜଣାଶୁଣା l ‘ଭାନିଲା କେକ୍ ‘ ଉପରେ ହୁଇପିଂଗ୍ କ୍ରିମ୍ ର ଏକ ବହଳ ଆସ୍ତରଣ l କ୍ରିମ୍ ରେ ସପୁରୀ, ଷ୍ଟ୍ର ବେରୀ, ବ୍ଲୁ ବେରୀ ଖଣ୍ଡ ଖଣ୍ଡ କଟା ହୋଇ ପଡି କେକ୍ ର ସ୍ବାଦକୁ ଦ୍ବି ଗୁଣିତ କରିଥାଏ l ତେଣୁ ସବୁ ସାଙ୍ଗମାନେ ତାକୁ ଆଗରୁ କହି ଦେଇ ଥାନ୍ତି ସେଇ କେକ୍ ଆଣିବାକୁ l ତା ଜନ୍ମ ଦିନକୁ ଅଫିସ୍ ରେ ସବୁ ସାଙ୍ଗ ସାଥୀ ବେଶ୍ ମନେ ରଖିଥାନ୍ତି ଏଇ ଦିନଟିକୁ l


ଏମିତିରେ ଅଫିସ୍ ର ବୁଲେଟିନ ବୋର୍ଡରେ ଯାହାର ଯୋଉଦିନ ଜନ୍ମଦିନ ସେଦିନ ଲେଖା ହୋଇଥାଏ l ତେଣୁ ସମସ୍ତେ ଜାଣି ପାରି ପରସ୍ପରକୁ ହାପି ବାର୍ଥ୍ ଡେ ଜଣେଇଥାନ୍ତି l କିନ୍ତୁ ‘ମମିତା’ ସମସ୍ତଙ୍କ ଠାରୁ ବେଶୀ ଆଗ୍ରହର ସହିତ ମଲେସାର ଆସିବାକୁ ଚାହିଁଥାନ୍ତି l କାରଣ ତାଙ୍କୁ ଡାଇବେଟିଜ୍ ହେବା ପରଠୁ ଘରକୁ ତାଙ୍କର ଆଉ ମିଠା ପ୍ରାୟ ଆସୁନି l ସ୍ବାମୀ ବିକାଶଙ୍କ କଡା ନଜର ତାଙ୍କ ଉପରେ l ଏମିତିରେ ତାଙ୍କର ମିଠା ପ୍ରତି ବହୁତ ଦୁର୍ବଳତା ପିଲାବେଳୁ l ମିଠା ଦେଖିଲେ ସେ ନିଜକୁ ସମ୍ବରଣ କରି ପାରନ୍ତି ନାହିଁ l ଲାଳ ଆପେ ଆପେ ଗଡି ଆସେ ପାଟିରୁ l


ତେଣୁ ଅଫିସ୍ ରେ ଯେତେବେଳେ ଯିଏ କେକ୍, ଡୋନଟ୍ ବା ଅନ୍ୟନ୍ୟ ପାଷ୍ଟରି ନେଇ କରି ଆସନ୍ତି ତାଙ୍କର ସେଦିନ ମଜ୍ଜା l ଏମିତିରେ ମଲେସା ସହିତ ତାଙ୍କର ବନ୍ଧୁତା ଦୀର୍ଘ ଦଶ ବର୍ଷର l ତେଣୁ ତାଙ୍କ ଭାଗରେ କେକ୍ ଦୁଇଟା ପିସ୍ ପଡେ l କିନ୍ତୁ ହଠାତ୍ କ୍ରିସ୍ ଆସି କହିଲା ମଲେସା ଆଜି ଅଫ୍ ନେଇଛି ସେ ଆସିବନି l ମନ ଖରାପ ହୋଇଗଲା ହଠାତ୍ କରି ସମସ୍ତଙ୍କର l ବେଶି ଦୁଃଖ ହେଲା ମମିତାଙ୍କର l କାଲିଠୁ ପାଟିରୁ ଲାଳ ଗଡିବା ଆରମ୍ଭ ହୋଇ ଯାଇଥିଲା l ଛାଡ଼, କାମରେ ମନ ଦେଲେ ସେ l କିଛି ଗୋଟେ ଆକସ୍ମିକ ପରିସ୍ଥିତି ଘଟିଥିବ ନିଶ୍ଚୟ l ସେ ଖୁବ୍ କମ୍ ଛୁଟି ନିଏ l କାରଣ ତାର ଟଙ୍କା ବହୁତ ଦରକାର ବୋଲି ସେ ସବୁବେଳେ କହେ l


ତା ପର ଦିନ ମଲେସା କାମକୁ ଆସିଲା ଗୋଟେ ବଡ କେକ୍ ଧରିକି ବି ଆସିଥିଲା l ସମସ୍ତେ ତାକୁ ‘ବି ଲେଟେ ଡ଼ ବାର୍ଥ୍ ଡେ’ କହି ଜନ୍ମ ଦିନର ଶୁଭ କାମନା ଜଣେଇଲେ l ବହୁ ପ୍ରତିକ୍ଷିତ ସ୍ବାଦିଷ୍ଟ କେକ୍ ପାଇଁ ବି ଧନ୍ୟବାଦ ଜଣେ ଇଲେ l କିନ୍ତୁ ସେ ପ୍ରତି ଧନ୍ୟବାଦ ଜଣେଇ କହିଲା ଏ କେକ୍ ତା ଜନ୍ମଦିନ ପାଇଁ ନୁହେଁ, କାଲି ତାର କୋର୍ଟରେ ଡିଭୋର୍ସ ଫାଇନାଲ୍ ହୋଇଗଲା ସେଇଥିପାଇଁ ଏ କେକ୍ l


ଏ କଥାରେ ଅନ୍ୟାନ୍ୟ ସହକର୍ମୀମାନଙ୍କର ସେପରି କିଛି ବିଶେଷ ପ୍ରତିକ୍ରିୟା ହେଲା ଭଳି ଜଣା ପଡିଲା ନାହିଁ l ଏ ଦେଶରେ ଏହା ଏକ ସାଧାରଣ ଘଟଣା l କିଛି ଲୋକ ପରସ୍ପର ଭିତରେ ଟିକେ ଫିସ୍ ଫିସ୍ ହେଲେ ତାପରେ ସମସ୍ତେ ନିଜ ନିଜର କାମରେ ମନ ଦେଲେ l କିନ୍ତୁ ମମିତା ହତବାକ୍ ହୋଇ ଚାହିଁ ରହିଲେ କିଛି ସମୟ ମଲେସାର ମୁହଁକୁ l ସେ ଯାହା ଶୁଣିଲେ ତାହା ଠିକ୍ ଶୁଣିଛନ୍ତି ତ l ପୁଣି ଥରେ ମଲେସାକୁ ପଚାରିବାକୁ ଇଚ୍ଛ ହେଲା ଏ ବିଷୟରେ l ସବୁ ତଥ୍ୟ ଜାଣିବା ପାଇଁ l ଆଗରୁ ମଲେସା ଅନେକ ଥର ତା ସ୍ବାମୀଙ୍କ ସହିତ ଖିଟ୍ ଖିଟ୍ ମନାନ୍ତର ବିଷୟରେ କହିଛି l କିନ୍ତୁ ହଠାତ୍ ଏପରି ଡିଭୋର୍ସ ? ତାର ଏକ ଛଅ ବର୍ଷର ଝିଅ ଟିଏ ବି ଅଛି l


ମଲେସା ତା କାମରେ ମନ ଦେଲାଣି ତାର କାଲିର କିଛି କାମ ବି ବାକି ଅଛି l ତା ମୁହଁରେ କୌଣସି ସେପରି ଉଲ୍ଲେଖନୀୟ ଭାବାନ୍ତର ନଦେଖି ବାଧ୍ୟ ହୋଇ ମମିତା ବି ତାଙ୍କ କାମରେ ମନଦେଲେ l ପରେ କେବେ ପଚାରିବେ l ମନ ତାଙ୍କର ଏମିତିରେ ବି ଟିକେ ବିଚଳିତ ଅଛି ସପ୍ତାହେ ହେବ l ବୋଉର ଦେହ ଭଲ ନାହିଁ l ସେ ହସ୍ପିଟାଲରେ ଅଛି l ତେଣୁ ସେ ଘରକୁ ଓଡିଶା ଯିବା ପାଇଁ ପ୍ଲାନ୍ କରୁଛନ୍ତି l ଛୁଟି ମାଗିଛନ୍ତି ମ୍ୟାନେଜରକୁ ମାସକ ପାଇଁ l ଟିକେଟ୍ ବି କିଣିବା ପାଇଁ ବୁଝା ବୁଝି କରୁଛନ୍ତି l ଯେତେ ଶୀଘ୍ର ସମ୍ଭବ ସେ ଓଡିଶା ଯିବାକୁ ଚେଷ୍ଟା କରୁଛନ୍ତି l


ତଥାପି ସେ କାମ ମଝିରୁ ମଲେସା ମୁହଁକୁ ମଝିରେ ମଝିରେ ଚାହୁଁ ଥାଆନ୍ତି l ତା ମନ ଭିତରେ ଦୁଖ, କ୍ରୋଧ, ବିଚଳତା ବା ଅନ୍ୟ କିଛି ଭାବନ୍ତର ସୃଷ୍ଟି ହେଉଛି କି ନାହିଁ ଏ ଡିଭୋର୍ସକୁ ନେଇ ସେ ଅନୁମାନ କରିବାକୁ ଚେଷ୍ଟା କରୁଥାନ୍ତି l କିନ୍ତୁ ତା ପ୍ରଶାନ୍ତ ମୁଖ ମଣ୍ଡଳରୁ ଦେଖିଲେ କିଛି ଜାଣିବା ସମ୍ଭବ ହେଉନାହିଁ l ବେଶ୍ ସ୍ବାଭାବିକ କିଛି ସେପରି ବଡ ଧରଣର ଘଟଣା ଘଟି ନାହିଁ ଯେପରି l


ମମିତାଙ୍କ ଜୀବନରେ ଯଦି କେବେ ଦୁର୍ଭାଗ୍ୟରୁ ଏପରି ଭୁଲରେ ଘଟିଯାଏ ସେତ ପାଗଳ ହୋଇ ଯିବେ l ଏତେ ସହଜରେ ଏ ଘଟଣାକୁ ହଜମ୍ କରିବା ପାଇଁ ମମିତାଙ୍କୁ ହୁଏତ ଯୁଗେ ଲାଗିଯିବ l କିନ୍ତୁ ମଲେସାର ନିତ୍ୟ ବ୍ୟବହାରରେ କୌଣସି ସେପରି ବ୍ୟତିକ୍ରମ ସେ ଲକ୍ଷ କରି ପାରୁ ନାହାଁନ୍ତି l ସେହିପରି ହସ ହସ ମୁହଁରେ ସେ କାମ କରିଚାଲିଛି l


ଅଫିସ୍ ପରିବେଶ ଏତେ ସ୍ବାଭାବିକ ଥିଲା ଯେ ସେ ବି ତା ପର ଦିନକୁ ସେ କଥା ଭୁଲିଗଲେ l ତା ବ୍ୟତୀତ ଦୁଇ ବର୍ଷ ପରେ ଘରକୁ ଯାଉଥିବାର ଖୁସି ଓ ବୋଉର ଦେହ ଖରାପର ଦୁଃଖ ମନ ଭିତରେ ଖୁସି ଆଉ ଦୁଃଖର ଏକ ସଂଘର୍ଷ ସୃଷ୍ଟି କରିଚାଲିଛି l


ଯାହା ହେଉ ସେ ଘରେ ଆସି ସିଧା ହସ୍ପିଟାଲ୍ ବୋଉ ପାଖକୁ ଗଲେ l ବୋଉ ଏବେ ଭଲ ଅଛି l ବ୍ଲଡ୍ ପ୍ରେସର ଅତ୍ୟଧିକ ମାତ୍ରରେ ବଢି ଯାଇ ସାମାନ୍ୟ ହାର୍ଟ ଆର୍ଟକ୍ ଆସି ଯାଇଥିବାରୁ ସେ ଭୀଷଣ ଭାବେ ଅସୁସ୍ଥ ହୋଇ ପଡିଥିଲା lମରୁ ମରୁ ବଂଚି ଯାଇଛି ବୋଲି କହିଲେ ଚଳେ l ମମିତାଙ୍କର ଆସିବା ଖବର ଶୁଣି ଆଉ ଟିକେ ଖୁସିରେ ଭଲ ହୋଇଯାଇଛି ବୋଲି ତାଙ୍କର ମନେ ହେଲା l କିନ୍ତୁ ବୋଉ ଠୁ ଯାହା ସେ ଶୁଣିଲେ ମୁଣ୍ଡ ତାଙ୍କର ଘୁରିଗଲା l


ଭାଉଜ ଘର ଛାଡି ସବୁଦିନ ପାଇଁ ତା ବାପ ଘରକୁ ଚାଲିଯାଇଛି ପାଞ୍ଚ ବର୍ଷର ପୁଅକୁ ନେଇ l ଭାଇ ତା ଅଫିସରେ ଗୋଟେ ଝିଅ ସଙ୍ଗେ ତାର ଅବାଧ ମିଳା ମିଶାର ଖବର ଭାଉଜ କାନରେ ପଡିଥିଲା l ଦୀର୍ଘ ଚାରି ବର୍ଷ ହେବ ଏପରି ଚାଲିଥିଲା l ଭାଉଜ ବହୁତ ଚେଷ୍ଟା କରିଥିଲା ଭାଇକୁ ଫେରେଇ ଆଣିବାକୁ କିନ୍ତୁ ଛଅ ମାସ ତଳେ ଭାଇ ସେ ଝିଅକୁ ବିବାହ କରି ଏବେ ଅଲଗା ରହୁଛି l


ଭାଉଜ ବୋଉର ଭଲ ଯତ୍ନ ନଉଥିଲା l ତାଙ୍କ ଦୁଇ ଜଣଙ୍କ ଭିତରେ ଶାଶୁ ବୋହୁ ନୁହେଁ, ମା ଝିଅର ସଂପର୍କ ଗଢି ଉଠିଥିଲା କହିଲେ ଚଳେ l ଭାଉଜ ବାଧ୍ୟ ହୋଇ ଘର ଛାଡିଲା l ବୋଉ ବି ତାକୁ ଯିବାକୁ ଦେଲା l ସ୍ବାମୀ ଯୋଗୁ ଶାଶୁଘର l ଯଦି ସ୍ବାମୀ ନାହିଁ ସେଠି ସେ କାହିଁ ରହିବ l ବୋଉ ଏବେ ସାନ ଭଉଣୀ ପାଖେ ରହୁଛି l କିନ୍ତୁ ତାକୁ ଝିଅ ଘରେ ରହିବାକୁ ଭଲ ଲାଗୁନି ନିଜ ଘର ଛାଡି l


ଏତେ କଥା ଘଟିଗଲା କିନ୍ତୁ କେହି ମମିତାକୁ ଜଣେଇ ନଥିଲେ ଆଗରୁ, ବ୍ୟସ୍ତ ହେବ ବୋଲି l ଏତେ ଦୂରରେ ଅଛି ବୋଲି କଥା ତା ପାଖରୁ ଲୁଚେଇ ରଖିଥିଲେ l ବୋଉର କିନ୍ତୁ ଆଶା ଥିଲା ଭାଇ ସେ ଅବାଟରୁ ନିଶ୍ଚୟ ଦିନେ ଫେରି ଆସିବ l କିନ୍ତୁ ସମସ୍ତଙ୍କ ବୁଝେଇବା ବିଫଳ ହୋଇଯାଇଥିଲା l ସବୁ ଆଡୁ ସମସ୍ତେ ବନ୍ଧୁ ବାନ୍ଧବଙ୍କ ଠୁ ଆରମ୍ଭ କରି ବୋଉ, ଭାଉଜ, ଭଉଣୀ, ଭିଣେଇ, ଭାଇ ଉପରେ ଚାପ ପକେଇବାରୁ ସେ ସେ ଝିଅକୁ ଶୀଘ୍ର କାହାକୁ ନଜଣେଇ ବିବାହ କରିନେଲା l


କେଡେ ଜଲଦି ମାସକ ଛୁଟି ସରି ଆସିଲା l ବୋଉ ପାଇଁ ଦୁଇ ଜଣ ଲୋକ ଜଣେ ରୋଷେଇ ବାସ ଓ ଜଣେ ତାର ଯତ୍ନ ନେବା ପାଇଁ ବ୍ୟବସ୍ଥା କରିଦେଇ ଭଉଣୀର ତତ୍ବାବଧାନରେ ଛାଡିଦେଇ ମମିତା ଆମେରିକା ଫେରିଗଲେ l ଆଉ ଦି ଦିନ ଦେହ ଭଲ ନାହିଁ କହି ଛୁଟି ନେଇ ଘରେ ରହିଲେ l ଦେହ ଯେମିତି ସେମିତି ଥିଲା କିନ୍ତୁ ମନ ଭଲନଥିଲା l ଯେମିତି ହେଉ କାମକୁ ତ ଯିବାକୁ ହେବ l ବାଧ୍ୟ ହୋଇ ତା ପରଦିନ କାମକୁ ଗଲେ l


ମଲେସା ତାଙ୍କୁ ଆଗ ସ୍ବାଗତ ସମ୍ଭାସଣ ଜଣେଇ ଥିଲା (welcome back) କହି l ସେ ବହୁତ ଖୁସି ଥିଲା l କାରଣ ସେ ଏବେ ଆଉ ଜଣେ ପୁରୁଷ ବନ୍ଧୁଙ୍କ ସଙ୍ଗେ ଡ଼େଟିଙ୍ଗ ଆରମ୍ଭ କରିଛି l ଯୋଉଦିନ ମଲେସା ଡିଭୋର୍ସ କରି ଆସି କେକ୍ ବାଣ୍ଟୁଥିଲା ତାକୁ ମମିତା ସେଦିନ ମର୍ଯଦାପୂର୍ଣ୍ଣ ଦୃଷ୍ଟିରେ ଦେଖି ନଥିଲେ ଏପରି ଆସି କେକ୍ ବାଣ୍ଟୁ ଥିବାରୁ l ଆଜି କିନ୍ତୁ ତାଙ୍କ ମନ ପୁରା ବଦଳି ଯାଇଛି l ମଲେସା ଯାହା କରୁଛି, ଠିକ୍ କରୁଛି ବୋଲି ତାଙ୍କର ମନେ ହେଲା l


ସଂସାରକୁ ଥରେ ଆସିଛ l ମୁଲ୍ୟବାନ ଏ ମଣିଷ ଜୀବନ ବି ଥରେ ମିଳିଛି l ତାକୁ ଜଣଙ୍କର ଅବିବେକିତା ଅବିଚାର ପାଇଁ ଏମିତି ନଷ୍ଟ ନକରି ପୁଣି ଥରେ ବଂଚି ଶିଖିବା ଉଚିତ୍ l ଆମେରିକା ଫେରିବା ପୂର୍ବରୁ ସେ ଭାଉଜକୁ ଦେଖା କରିବାକୁ ଯାଇଥିଲେ l ତାର ଉଦାସ ମୁଖ ମଣ୍ଡଳରେ ଦୁଃଖ, ଲୁହ ବ୍ୟତୀତ ଆଉ କିଛି ନଥିଲା l ମମିତାକୁ ଦେଖି ଲୁହର ଝରଣା ତାର ପ୍ରଖର ହୋଇ ଯାଇଥିଲା l ଭାଉଜ ସେ ଘରକୁ ଦଶ ବର୍ଷ ହେବ ଆସିଥିଲା କେତେ ସ୍ବପ୍ନ କେତେ ଖୁସି ମନରେ l କେବେ ବି ଭାବି ନଥିବ ଏପରି ଭାବେ ଫେରିଯିବ ବୋଲି l


ସେଦିନ ଅଫିସରୁ ଫେରି ସେ ଭାଉଜକୁ ବୁଝେଇ ସୁଦୀର୍ଘ ଏକ ପତ୍ର ଲେଖିଥିଲେ l ଭାଇ ବିନା ସେ ବି ବଂଚି ଶିଖିବା ଉଚିତ୍ l ଝୁରି ଝୁରି ପଛ କଥାକୁ, ନିଜକୁ କ୍ଷୁର୍ଣ୍ଣ କରିବାର କିଛି ମାନେ ନାହିଁ l ଏପରି ଏକ ନିର୍ଦୟୀ ମଣିଷ ପାଇଁ ତାର ମୁଲ୍ୟବାନ ସମୟ ଲୁହ ଢାଳି ଅପଚୟ କରିବା ଉଚିତ ନୁହେଁ l ପ୍ରଥମେ ସେ ଭାଇକୁ ଡିଭୋର୍ସ କରି ତାର ଯାହା ଆଇନଗତ ପ୍ରାପ୍ୟ ନେଇ ନବା ଉଚିତ୍ l ତାପରେ ଯଦି ଭଲ ପୁରୁଷ କେହି ମିଳନ୍ତି ବିବାହ କରିବାକୁ, ତେବେ ପଶ୍ଚାତାପ ଯେପରି ସେ ନହୁଏ l


ସେ ଏ ଚିଠି ନଣନ୍ଦ ଭାବରେ ନୁହେଁ ଜଣେ ହିତାଙ୍କାକ୍ଷୀ ଭଉଣୀ ଭାବରେ ଲେଖୁଛନ୍ତି l ଆର୍ଥିକ ବା ଅନ୍ୟ ଯେ କୌଣସି ସାହାଯ୍ୟ ତାର ଦରକାର ସେ ନିଃସଙ୍କୋଚରେ ତାର ମନ କଥା ତାଙ୍କୁ ଲେଖିପାରେ l ଭାଇ ଯାହା କରିଛି ତାହା ଠିକ୍ ନୁହେଁ ସତ ଯେହେତୁ ସେ ତାର ଭାଇ ତାକୁ ସେ ଘୃଣା କରି ପାରିବେନି ସତ କିନ୍ତୁ ଏତିକି ଭାଉଜ ପାଇଁ ସେତ କରିପାରିବେ l ମାନବିକତା ଦୃଷ୍ଟିରୁ l ସମୟ ସବୁ ବେଳେ ସମସ୍ତଙ୍କ ପାଇଁ ମଧୂର ସଂଗୀତ ଗାଏ ନାହିଁ l ବେଳେ ବେଳେ ବେସୁରା କର୍ଣ୍ଣକଟୁ ସଂଗୀତ ବି ଗାଏ l ସେଥିରେ ଅଭ୍ୟସ୍ତ ହେବା ବି ଉଚିତ୍ l ନଚେତ୍ ସମୟ ସହିତ ତାଳ ମିଳେଇ ଚାଲିବା ଅସମ୍ଭବ ହୋଇପଡିବ l



Rate this content
Log in

Similar oriya story from Inspirational