Satyabati Swain

Inspirational

4  

Satyabati Swain

Inspirational

ଖୁସିର ପଣତ

ଖୁସିର ପଣତ

6 mins
514


ସଂଜ ନଇଁ ଆସୁଥିଲା। କଳ୍ପନା ଛକରେ ମୁଁ ବସ୍ କୁ ଅପେକ୍ଷା କରିଥାଏ। ମୋତେ ଘରକୁ ଯିବାର ଅଛି। ବସ୍ ଆସିବା ଡେରି ହେଉଥାଏ। ମୋତେ ଠିଆ ହୋଇ ହୋଇ ବିରକ୍ତ ଲାଗୁଥାଏ।ହଠାତ୍ ଜଣେ ପୋଲିସ ବାବୁ ମୋ ପାଖେ ଅଟକି ଗଲେ। ମୁଁ ଟିକେ ଶଙ୍କି ଗଲି। ପୋଲିସ ଦେଖିଲେ ମୋତେ କାଇଁ ଭାରି ଡର ଲାଗେ। ବାବୁ ଜଣଙ୍କ ତାଙ୍କ ବାଇକରୁ ଓହ୍ଲାଇ ଟୋପି ଉତ୍ତାରୀ ମୋ ପାଦ ଧୂଳି ନେଲେ। ମୁଁ ପଛକୁ ଘୁଞ୍ଚି ଗଲି। ସେ ଟିକେ ହସି କହିଲେ ମୋତେ ଜାଣି ପାରୁ ନାହାନ୍ତି ମାମ୍!ମୁଁ ନରେନ୍ଦ୍ର। ଆପଣଙ୍କର ମାଡ଼ ଏବେ ଯାଏ ମୋର ମନେ ଅଛି ମାମ୍।

ଓହୋ ନରେନ୍ଦ୍ର ।

ହଁ ଆପଣ ଯେଉଁ ନରେନ୍ଦ୍ରକୁ ନିର୍ଘାତ ପିଟି ଥିଲେ। ଯେଉଁ ପାହାର ମୋତେ ନୂଆ ଜୀବନ ଦେଇଥିଲା।

ଆରେ ମୁଁ କଣ ଭୁଲିଛି ନା କଣ?ସେଇ ଘଟଣା ପରା ମୋ ଜୀବନର ପ୍ରଥମ ଓ ଶେଷ ମାଡ଼ ଦେବା ଘଟଣା। ତୁ ତାହେଲେ ପୋଲିସ ଇନ୍ସପେକ୍ଟର ହୋଇ ଗଲୁଣି?

କେବଳ ଆପଣଙ୍କ ପାଇଁ ମାମ୍।ଆପଣ କିନ୍ତୁ ମୋତେ ଚିହ୍ନି ପାରୁ ନାହାନ୍ତି ତାର ଅଭିଯୋଗ।

ନାଇଁରେ ବାବୁ ! ଅନେକ ବୋଧେ ପନ୍ଦର ବର୍ଷ ହୋଇ ଗଲାଣି। ତୋ ଚେହେରାରେ ବହୁତ ପରିବର୍ତ୍ତନ ହୋଇଛି।ତେଣୁ ଚିହ୍ନିବାରେ ଟିକେ ଅସୁବିଧା ହେଲା। ଦୁଃଖ ସୁଖ ହେବା ଭିତରେ ମୋର ମନେ ପଡ଼ିଲା ସବୁ ପ୍ରଥମ ମନ ତଳେ ଗାଢ଼ ରଙ୍ଗ ମାଖେ।ଭୁଲି ହୁଏନି ଜୀବନର ପ୍ରତ୍ୟେକ ପ୍ରଥମ କାର୍ଯ୍ୟ।ପଢା ସରି ଗଲା।ମନ ଥାଏ ଚାକିରୀଟିଏ ପାଇଁ।ବିଶେଷ କରି ଶିକ୍ଷା ବିଭାଗରେ।କାରଣ ବାପାଙ୍କ ଇଛା ଥିଲା ତାଙ୍କ ପିଲା ମାନଙ୍କ ମଧ୍ୟରୁ କେହି ଜଣେ ଶିକ୍ଷା ବିଭାଗରେ ଚାକିରୀ କରୁ।

ଭାଇ ଦୁଇଜଣ ମଧ୍ୟରୁ ଜଣେ କହିଲା ଚୋପାଟା ମାଷ୍ଟର,ଲେକଚରଙ୍କ ଦରମା ବ୍ୟତୀତ ଉପୁରୀ କିଛି ନାହିଁ।ଦରମା ପାଇଲା ଆଠ ଦିନ ଟିକେ ଭଲରେ ଚଳିବେ,ମାସ ଶେଷ ଆଡକୁ ଟଣା ଟଣି।ମୁଁ ଏମିତି ଚାକିରୀ କରିବି ଯେଉଁଥିରେ ଚାକିରୀରେ ଦରମା ପଇସାରେ ହାତ ବାଜିବନି।ସେ କଲା ବି ପକେଟ ଗରମ ଚାକିରୀଟିଏ ।ଆଉ ସାନ ଭାଇ ଇଞ୍ଜିନିୟର ହୋଇ ସିଙ୍ଗାପୁରରେ ସାରା ଜୀବନକୁ ନାଗରିକତ୍ୱ ଗ୍ରହଣ କରି ନେଇଛି। ଯାହା ବଳି ପଡିଲି ମୁଁ କୋଡ଼ ପୋଛା ଗେହ୍ଲା ଝିଅ ସୋନାକ୍ଷି।ବାପାଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ମୁଁ ଲେକଚର ସିପ୍ ପାଇଁ ୟୁଜିସିରେ ଆବେଦନ କଲି। କୁଆଡୁ କିଛି ଆସିଲା ନାହିଁ।ପ୍ରାଇଭେଟ୍ କଲେଜରୁ ଡକାରା ଆସିଲା। ମୋ ମନ ବଳିଲାନି ନାଁ କୁ ମାତ୍ର ଚାକିରୀ କରି ଘରୁ ନେଇ ଚଳିବାକୁ। ଶେଷରେ ଗୋଟିଏ ହାଇ ସ୍କୁଲରେ ନିଯୁକ୍ତିଟିଏ ଆସିଲା ଭାବିଲି ଜଏନ୍ କରିଯାଏ। କଲେଜରେ ପାଇଲେ ଛାଡି ଦେବି। ସେଇ ସ୍କୁଲ ଜଏନ୍ ର ପ୍ରଥମ ଦିନ।।ଷଷ୍ଠ ଶ୍ରେଣୀରୁ ଦଶମ ଯାଏ ଅଛି।।ମୋତେ ନୂଆ ଭାବି କି କଣ ସାନ କ୍ଲାସରେ ପଢେଇବାକୁ କହିଲେ। ସପ୍ତମ ଶ୍ରେଣୀ ଇଂଗିଲିଶ।।ବିଷୟଟି ସେମାନେ ବି ସ୍ଥିର କଲେ।।ସେ ସ୍କୁଲ ସିଷ୍ଟମ ଏମିତି କି ନୂଆ ଶିକ୍ଷକ ଆସିଲେ ସେ ସମସ୍ତ ବିଦ୍ୟାଳୟ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଥମ କ୍ଲାସଟି ପଢ଼ାଇବ। ମୁଁ ତାଜୁବ ହେଲି।।ଗମେଣ୍ଟ ତ ଚାକିରୀ ଦେଲା ଇଏ ପୁଣି କି ଟେଷ୍ଟ କରିବେ ? ଜୀବନରେ ପ୍ରଥମ ଶିକ୍ଷକ ହିସାବରେ ଶ୍ରେଣୀରେ ପଢାଇବାକୁ ଗଲି। ନର୍ଭସ ଲାଗୁଥାଏ। ହେ ପ୍ରଭୁ ତୁମ ଇଛା କହି କ୍ଲାସକୁ ଗଲି। ଗୁଡ଼ାଏ ପିଲା। ବାଇଶି ଜଣ ଶିକ୍ଷକ ଥାଆନ୍ତି ସେ ସ୍କୁଲରେ। ଘର ଅଭାବ ବୋଲି ସେକ୍ସେନ୍ ହୋଇ ନଥାଏ।

ପିଲା ମାନଙ୍କୁ ଗୁଡ଼୍ ମନିଂ କହି ଟେବୁଲ ଆଗରେ ଠିଆ ହେଲି।ସର୍ବ ପ୍ରଥମେ ମୋ କାନରେ ପଡିଲା"ମେଞ୍ଚେଡି" ଏଇଟା କଣ ପଢେଇଵ""। ପରକୁ ପର "ନହକା ବେତ" ହଲୁଛି ବେ,"ସାଇଜି କେତେ"ପରି ଶବ୍ଦ ମୋ କାନରେ ପଡିଲା।

ସେ ବୟସରେ ରକ୍ତ ପୁରା ଗରମ ଥାଏ ।ମୋ ଦେହରେ ଅଶାଳୀନ ଶବ୍ଦ,ବାଜେ କଥା କି କମେଟ ଯାଏନି ।ମୁଁ ପୁରା ନିଆଁ ବାଣ ହୋଇଗଲି।।ଚଢା ଗଳାରେ ରାଗିକି ପଚାରିଲି କିଏ କହିଲା ଏସବୁ। କିଏ ଆଶ୍ଚର୍ଯ୍ୟ! ଧଡ଼ କରି ଠିଆ ହୋଇଗଲା ଗୋଟେ ପିଲା।।ଡର ଭୟ କିଛି ନାହିଁ। କହିଲା" ମୁଁ କହିଛି?କଣ କରିବ?ମାରିବେ?ହାତ ଭାଙ୍ଗି ଦେବି।ମୋ ବାପା ଏ ସ୍କୁଲ କରିଛନ୍ତି।ମୁଁ ଯାହା କଲେ ମୋତେ କେହି କିଛି କୁହନ୍ତିନି।

ସପ୍ତମ ଶ୍ରେଣୀ !ଅଥଚ ପିଲାଟାର ନିଶ ଦାଢ଼ି ଗଜୁରିଲାଣି।ବୟସ ବୋଧେ ଚଉଦ କି ପନ୍ଦର ହେବ। ତା ଚେହେରା ଯାହା କହୁଛି ଦଶମ ପଢିବା କଥା ।କିନ୍ତୁ କାହିଁକି ସପ୍ତମରେ ପଢୁଛି ମୋତେ ବୁଝିବାକୁ ଅଛପା ରହିଲାନି ।

ମୋର କଣ ହେଲା କେଜାଣି ହିତାହିତ ଜ୍ଞାନ ଭୁଲି ଗଲି। ଶ୍ରେଣୀ ଆଗରେ ଥିବା କନିଅର ଗଛରୁ ଡାଳ ଟିଏ ଭାଙ୍ଗି ଆଣି କଷି ଦେଇ ଗଲି ପାହାର ପରେ ପାହାର ଡାଳଟି ଭାଙ୍ଗିବା ପର୍ଯ୍ୟନ୍ତ।ଗୋଡ଼ ତାର ନୋଳା ଫାଟି ଗଲା।ଗୋରା ତକ ତକ ଗାବୁଲିଆ ପିଲାଟା ଥିଲା।

ହେଡ ସାର୍ ଦଉଡ଼ି ଆସିଲେ।।ହାଁ ହାଁ ରୁହନ୍ତୁ ମାମ୍। ମୋତେ ଅଫିସ୍ କୁ ଡାକି ନେଇ କହିଲେ" କଣ କଲେ? ଚାକିରୀଟି ଆପଣଙ୍କର ଗଲା ଜାଣ ।କାହା ଦେହରେ ହାତ ଦେଲେ? ଜାଣନ୍ତି ତା ବାପାକୁ ଏ ଖଣ୍ଡ ମଣ୍ଡଳ ଡରେ।।ଭୟଙ୍କର ପୁଣି ଅତି ଧନୀ ଲୋକଟା। ସେ ଏ ସ୍କୁଲ ପ୍ରେସିଡେଣ୍ଟ ।ଆଜି ବି ଆସିବେ ଆପଣ କେମିତି ପଢ଼ାଇବେ ଦେଖିବାକୁ ।

ମୁଁ ଯଦିଓ ଯାହା କଲି ଭଲ କରି ନାହିଁ ବୁଝିଥିଲି,

ଖରାପ ଲାଗୁଥିଲା ବି।ମାତ୍ର ହେଡ୍ ସାରଙ୍କ କଥା ଶୁଣି ଭାବିଲି କି ଠିକ୍ କରିଛି। ବାପା ଡନ୍ ଓ ପଇସା ଵାଲା ପୁଅ ବୋଲି ସ୍କୁଲ ପରି ପବିତ୍ର ଶିକ୍ଷାନୁଷ୍ଠାନରେ ଅଭଦ୍ରାମି କରିବ?

ହେଡ ସାର୍ ଙ୍କ ମନ ରଖିବା ପାଇଁ କହିଲି ସରି ସାର୍ ।ଏତେବେଳକୁ ସବୁ ବିଦ୍ୟାଳୟ ସଦସ୍ୟ ଓ ପ୍ରେସିଡେଣ୍ଟ ଆସି ଯାଇଥାନ୍ତି। ଭାବିଲି ଯାହା ହେବ ଦେଖା ଯିବ। ଚାକିରୀ ନହେଲା ନାଇଁ। ପେଡି ପୁଟୁଲା ତ କିଛି ଖୋଲିନି।।ନେଇକି ପଳେଇବି ଘରକୁ। ମୋତେ ପଢେଇବାକୁ କହିଲେ A princess marry a sweeper । ସେଥିରେ ଥିଲା lovely ବୋଲି ଗୋଟିଏ ଶବ୍ଦ।।ତାକୁ ଓଡ଼ିଆ ନକହି ପିଲାଙ୍କୁ କେମିତି ବୁଝାଇବ ,କହିଲେ ପଛରେ ବସିଥିବା ପ୍ରେସିଡେଣ୍ଟ।

ମୁଁ ବଗିଚାରୁ କିଛି ଫୁଲ ତୋଳି ଆଣି ପିଲାଙ୍କୁ ବୁଝାଇଥିଲି।ବାକ୍ୟ ରେ କେତେ ପ୍ରକାର ଶବ୍ଦ ଥାଏ ଓ ଏଇଟି କି ପ୍ରକାର ଶବ୍ଦ ସବୁ ଟିକି ନିକି ବୁଝାଇ

ଦେଲି। କାହିଁକି ନା ବ୍ୟାକରଣ ମୋର ଭଲ ହୁଏ ଯେଣୁ।

ସେମାନେ କେତେ ସନ୍ତୁଷ୍ଟ ହେଲେ ମୁଁ ଜାଣିନି। ମୁଁ କିନ୍ତୁ ସ୍ଥିର କରିଥାଏ ଏ ସ୍କୁଲ ମୋ ପାଇଁ ନୁହେଁ।ଫୁଟ୍ ହୁ କେୟାରସ୍।

ଚାରିଟା ବାଜିଲା। ସମସ୍ତ ଶିକ୍ଷକଙ୍କ ମୁହଁ ଶୁଖି ଯାଇଥାଏ।ପ୍ରେସିଡେଣ୍ଟଙ୍କ ପୁଅ ମାଡ଼ ଖାଇଛି। କଣ ହେବ କେଜାଣି ଏଇ ଭୟରେ । ତାଙ୍କ ଭୟକୁ ସତ କରି ପ୍ରେସିଡେଣ୍ଟଙ୍କ ଘରେ କାମ କରୁଥିବା ଲୋକଟିଏ ଆସି କହିଲା"ନିଲୁ ବାବୁ କହିଛନ୍ତି କଟକୀ ମାମ୍ ଙ୍କୁ ନେଇ ହେଡ୍ ସାର୍ ଦେଖା କରିବାକୁ"।। ମୋ ଘର କଟକରେ ବୋଲି ମୋତେ କଟକୀ ମାମ୍ କୁହନ୍ତି। ଯା ସବୁ ସରି ଗଲା ।।ନୂଆ ମାମ୍ ଙ୍କ ଚାକିରୀ ଯିବା ଥୟ ଜାଣ।।ମୋତେ ହେଡ ସାର୍ କହିଲେ"ମୁଁ କଣ କହୁଥିଲି ? ଘରେ ପଶୁ ପଶୁ ଚାଳ ବାଜିଲା ଆପଣଙ୍କର। "

ଚାଲନ୍ତୁ।ନିଲୁ ବାବୁ ଡାକିଲେଣି।କଣ ହେବ କେଜାଣି ଆଜି!

ମୋ ମନ କି ଆତ୍ମା ସ୍ୱିକୃତି ଦେଉ ନଥିଲେ ଯିବା ପାଇଁ।ସବୁ ଶିକ୍ଷକ ମାନେ ଅନୁରୋଧ କଲେ"

ଆପଣ ପିଲା ଲୋକ,ଜାଣି ନାହାନ୍ତି ସେ ଲୋକଟାକୁ

। କିଛି ବି କରି ପାରେ। ପ୍ଲିଜ଼, ଯାଆନ୍ତୁ ସରି ଟିକେ ଆଗତୁରା କହିଦେବେ। ବଂଚିଯିବା ଆମେ ସମସ୍ତେ । ମୋର ଡର ସେତେ ବେଳକୁ କୁଆଡେ ଉଭେଇ ଯାଇଥାଏ ଏହି ମାନସିକତାରେ ଯେ ମୁଁ ଏ ସ୍କୁଲରେ ଚାକିରୀ କରିବି ନାହିଁ। ଆଜି ହିଁ ଘରକୁ ଫେରିଯିବି । ହେଡ ସାର୍ ମୋତେ ନେଇ ଗୋଟିଏ ରାଜ ମହଲ ପରି ଘର ଆଗରେ ପହଞ୍ଚାଇଲେ। ଆଖି ଖୋସି ହୋଇଗଲା ଘରଟିକୁ ଦେଖି।ଦରୁଆନ ସଲାମ ଠୁଙ୍କି ଆମକୁ ଘର ଭିତରକୁ ନେଇଗଲା। ଗମ୍ଭୀର ହୋଇ ବସିଥିଲେ ପ୍ରେସିଡେଣ୍ଟ ମହାଶୟ। ପାଖରେ ତାଙ୍କ ସ୍ତ୍ରୀ। ବସିବାକୁ କହି ଚା ପାଣିର ବ୍ୟବସ୍ଥା କରିବାକୁ ବରାଦ ଦେଲେ।।ମୋତେ ପଚାରିଲେ -ତୁମ ନାଁ କଣ?

ସୋନାକ୍ଷି।

ଜାଣିଛ ତୁମେ ଆଜି କାହାକୁ ମାରିଛ?

ହଁ, ଜଣେ ବଦମାସ୍ ଛାତ୍ରକୁ।

ସେ କାହା ପୁଅ ଜାଣିଛ?

ମୋର ଧର୍ମ ମୋ ଛାତ୍ରକୁ ଜାଣିବା ବାପାଙ୍କୁ ନୁହେଁ ।

ଜାଣ ମୁଁ ଚାହିଁଲେ କିଛି ବି କରି ପାରେ

କାହାର ଆତ୍ମା,ଆଦର୍ଶ,ସ୍ୱାଭିମାନକୁ ମାରି ପାରିବେ ନାହିଁ କିମ୍ବା କାହାର ହୃଦୟରେ ରହି ପାରିବେ ନାହିଁ।

ତୁମେ ଖୁବ ନିର୍ଭୀକ।

ମୋ ବାପାଙ୍କ ଦିଆ ହୁଆ ସଂସ୍କାର ଓ ଶିକ୍ଷା ମୋତେ ଏମିତି କରିଛି।

ମୁଁ ଚାହିଁଲେ ତୁମକୁ ଏ ଚାକିରିରୁ ହାତ ଧୋଇବାକୁ ପଡିବ।

ମୁଁ ସ୍ଥିର କରି ସାରିଛି ଏପରି ସ୍କୁଲ ମୋ ପାଇଁ ଯୋଗ୍ୟ ନୁହେଁ।ଏଠି ମୁଁ ପଢ଼ାଇ ପାରିବି ନାହିଁ।

ଠିକ୍ ଅଛି ମୋ ପୁଅ କାଲି ଠାରୁ ତୁମ ପାଖକୁ ପଢିବାକୁ ଯିବ।

ନା, ମୁଁ ଏପରି ପିଲାକୁ ପଢେଇବା ପାଇଁ ଅଯୋଗ୍ୟ।

କଣ ହେଲା କେଜାଣି ତାଙ୍କ ସ୍ତ୍ରୀ ମୋ ହାତ ଧରି ପକାଇ କାନ୍ଦି ପକାଇଲେ।ତୁମେ ପାରିବ ମା।ମୋ ମନ କହୁଛି,ତୁମେ ମୋ ଅବାଗିଆ ପୁଅଟିକୁ ବାଟକୁ ଆଣି ପାରିବ। କେଉଁଥିରେ ଠାକୁରେ ଅଭାବରେ ରଖି ନାହାନ୍ତି। କେବଳ ଦୁଃଖ ପୁଅଟି ପାଇଁ। ପାଠଶାଠ ପଡୁ ନାହିଁ। ସପ୍ତମ ଶ୍ରେଣୀରେ ରହିଲାଣି ତିନି ବର୍ଷ।।କାହାକୁ ଡରେନାହିଁ, କେଉଁ ସାର୍ ଙ୍କୁ ପସନ୍ଦ କରେ ନାହିଁ। କିନ୍ତୁ ଆଜି ଏତେ ମାଡ଼ ଖାଇ ଆସିଲେ ବି ତୁମକୁ ଗାଳି ଗୁଲଜ କରିନାହିଁ କି ଆମ ପାଖେ ଗୁହାରୀ କରିନି ମାଡ଼ ଖାଇଛି ବୋଲି ବରଂ କହୁଛି ଆମ ସ୍କୁଲ କୁ ଜଣେ ବଢିଆ ନୂଆ ମାମ୍ ଆସିଛନ୍ତି।ଖୁବ ସୁନ୍ଦର ପଢ଼ାଉଛନ୍ତି।

ଇଏ ହେଉଛି ହେଉଛି ସେଇ ନରେନ୍ଦ୍ର। ଏତେ ଭଲ ପାଇଁ ଗଲା ଯେ ସୋନାକ୍ଷି ମାମ୍ ଖୋଜୁଛନ୍ତି କେହି କହିଦେଲେ ସାଙ୍ଗେ ସାଙ୍ଗେ ଆସି ହାଜର। ସ୍କୁଲର ଅନ୍ୟ ଶିକ୍ଷକ ମାନେ ଆଶ୍ଚର୍ଯ୍ୟ ହୁଅନ୍ତି ନରେନ୍ଦ୍ରର ଏପରି ପ୍ରିବର୍ତ୍ତନରେ। ପିଲାଟିର ମନେ ରଖିବା ଶକ୍ତି ପ୍ରଖର ଥିଲା। ବାଟ ଯାହା ପାଉ ନଥିଲା। ସକାଳ ସନ୍ଧ୍ୟା ସବୁ ବେଳେ ସେ ମୋ ପାଖକୁ ପଢିବାକୁ ଆସିଲା। ପୁରା ମୂଳରୁ ତାକୁ ଗଢିବାକୁ ପଡ଼ିଲା। ମୁଁ ବୁଝାଉଥିବା ବେଳେ ସେ ହାଁ କରି ଅନେଇଥିବ। ସତେକି ମୋ କଥା ସେ ପାଟି ପଟେ ଗିଳି ପକାଉଛି। ମୁଁ ତାକୁ କୁହେ ଆରେ ପାଟି ବନ୍ଦ କର,ନ ଲେ ମାଛି ପଶିଯିବ। ହସି ଉଠେ ସାରା କ୍ଲାସ। ଖୁବ କମ ସମୟ ମଧ୍ୟରେ ସବୁ ଛାତ୍ର ଛାତ୍ରୀଙ୍କ ପ୍ରିୟ ମାମ୍ ବନିଗଲି। ମୋ ମନରେ ଏଯାଏ ପ୍ରଶ୍ନଟିଏ ଉଙ୍କି ମାରେ ନରେନ୍ଦ୍ର ଖରାପ ପିଲା ନା ତା ଚାରିପାଖ ଲୋକେ ତାକୁ ଖରାପ କରିଥିଲେ,ନିଜ ମତଲବ ପାଇଁ । ଖୁସିରେ ଓ ଗର୍ବରେ ମୋ ଛାତି ଚଉଡା ହୋଇ ଯାଉଥିଲା ନରେନ୍ଦ୍ରକୁ ପୋଲିସ ପୋଷାକରେ

ଦେଖି।ନରେନ୍ଦ୍ର ଡାକୁଥିଲା ଆସନ୍ତୁ ମାମ୍ ମୁଁ ଆପଣଙ୍କୁ ଘରେ ଛାଡ଼ି ଦେଇ ଆସିବି ।

ଉଁ- ହୁଁ ଅନ ଡ଼ିୟୁଟି ଅଫିସର ଏବେ ତୁ।ଯା ଦେଶ ପାଇଁ କିଛି କର ମୋ ଯିବା ପାଇଁ ବସ୍ ଅଛି ତ।ମୁଁ କହିଲି।

ନରେନ୍ଦ୍ର ହସି ହସି କହିଲା ଆପଣ ଏବେ ବି ସେମିତି ଅଛନ୍ତି ଆଦର୍ଶର ମୂର୍ତ୍ତି ହୋଇ।ମୋ ମନ ଚାହୁଁଥିଲା ଆପଣ ଅନ୍ତତଃ ଥରେ ମୋତେ ଏ ପୋଷାକରେ ଦେଖନ୍ତେ କି ? ମୁଁ ଆଜି ଭାରି ଭାରି ଖୁସି ମାମ୍। ମୁଁ ବି ରେ ନରେନ୍ଦ୍ର।ତୁ ବୁଝି ପାରିବୁ ନାହିଁ ମୋ ଖୁସିର ପଣତ କେତେ ଲମ୍ବା ଲାଗୁଛି ଆଜି ତୋ ପାଇଁ।


Rate this content
Log in

Similar oriya story from Inspirational