ଖୁସିର ହସ
ଖୁସିର ହସ


ଆଜି ଅବିନାଶ ବାବୁ ଗର ଗର ହୋଇ ଘରୁ ବାହାରକୁ ଚାଲିଗଲେ । ରତନୀ (ଅବିନାଶ ବାବୁଙ୍କ ଘରର କାମବାଲୀ) ତାଙ୍କୁ ଦେଖି ଡରି ମରି ସିଧା ଆସି ଘରେ ପହଞ୍ଚି କମଳା ଦେବୀଙ୍କୁ କହିଲା ମାଆ,ବଡ ବାବୁ କଣ ରାଗିକି କୁଆଡେ ଯାଉଛନ୍ତି। କମଳା ଦେବୀ ମୁହଁ ଫୁଲେଇ କହିଲେ,ହଁ ମ ତାଙ୍କର ସବୁଦିନ ସେଇକଥା। ମୁଁ ଟିକେ ସାଇପଡିଶା ସାଙ୍ଗମାନଙ୍କ ସହ ବସି କଥା ହେଉଛି ବୋଲି କହିଲେ ଏ ଘରେ କୁଆଡେ ହାଟ ବସଉଛି ମୁଁ । ସେଥିରୁ ମୁଁ ରାଗିକି କହିଲି ଆଜି ରୋଷେଇ କରିବିନି କି ଚା ଦେବିନି, ସେଥିପାଇଁ ରାଗିକି କୁଆଡେ ଯାଇଛନ୍ତି ।
ରତନୀ କହିଲା ଓ ଏଇ କଥା ତାହେଲେ।
କିଛି ଦିନ ହେବ ,ଦିନ ତିନିଟାରୁ ପାଞ୍ଚଟା ପର୍ଯ୍ୟନ୍ତ ପାଖ ପଡିଶା ସ୍ତ୍ରୀ ଲୋକ ଆସି ଅବିନାଶ ବାବୁଙ୍କ ଘରେ ବସି ସାଇର ଝିଅ ବୋହୁଙ୍କ ନାଁରେ ଗପସପ କରୁଛନ୍ତି । କିଛି ଲୋକଙ୍କୁ ତାତ୍ସଲ୍ୟ ମଧ୍ୟକରୁଛନ୍ତି ଯାହାକି ତାଙ୍କ କାନରେ ପଡୁଛି ଓ ସେ ଏହାକୁ ସଜ୍ୟ କରିପାରୁ ନାହାଁନ୍ତି।ବାରମ୍ବାର କହିବା ସତ୍ତ୍ୱେ କମଳା ଦେବୀ ଶୁଣିବାକୁ ନାରାଜ।
ଅବିନାଶ ବାବୁଙ୍କ କହିବା କଥା ଆମର ଝିଅ ,ବୋହୁ ଅଛନ୍ତି ତେଣୁ ଅନ୍ୟର ଘର ବିଷୟରେ ଗପିବା ଭଲ କଥାନୁହେଁ। କେମେବେଳେ ସେଇମାନେ ହିଁ ବୁଲିପଡି ତୁମକୁ କହିଦେବେ ,ସେତେବେଳେ ଭଲ ଲାଗିବ ନାହିଁ । ମାତ୍ର କମଳା ଦେବୀ ତାଙ୍କ ଜିଦିରେ ଅଟଳ।କାରଣ ସେ ନିଜକୁ ସ୍ୱାଧୀନ ବୋଲି ଜଣେଇବାକୁ ଚାହୁଁଥିଲେ।
କିଛି ଦିନ ଏପରି ଚାଲିଲା।ତାଙ୍କ ପୁଅ ଓ ବୋହୁ ଛୁଟି ଥିବାରୁ ଆସି ପହଞ୍ଚଲେ। ଶାଶୁଙ୍କର ଏହି ଘଟଣା ଦେଖି ବୋହୁ ମଧ୍ୟ ସେଥିରେ ଯୋଗଦେଲା। ଶେଷରେ ଏପରି ହେଲା ସାଇ ପଡିଶା କମଳା ଦେବୀଙ୍କ କଥା ନଶୁଣି ତାଙ୍କ ବୋହୁ କଥାରେ ବେଶୀ ଧ୍ୟାନ ଦେଲେ । ଏହା କମଳା ଦେବୀଙ୍କୁ ନାପସନ୍ଦ ହେଲା। ସେ ମନେ ମନେ ପଡିଶା ସ୍ତ୍ରୀ ଲୋକଙ୍କ ଉପରେ ରାଗିବା ସହ ନିଜ ବୋହୁ ଉପରେ ବି ଗର ଗର ହେଲେ। ଅବିନାଶ ବାବୁ ସବୁ ଦେଖି ଚୁପ ଥାନ୍ତି। ମାତ୍ର ମଝିରେ ମଝିରେ ବୋହୁ ସହ କଣ କଥା ହୁଅନ୍ତି ସେ ଜାଣି ପାରନ୍ତି ନାହିଁ।
ଦିନକର କଥା ହଠାତ ଅବିନାଶ ବାବୁ ଆସି କହିଲେ,କମଳା ଗତ କାଲି ତୁମେ କାହା ଘର ବୋହୁ ବିଷୟରେ କଥା ହେଉଥିଲ ସେ ସବୁ ଜାଣିପାରିଛି ।ସେ ତୁମ ନାଁ ରେ ଅଦାଲତରେ ଅଭିଯୋଗ କରିଛି।ପିଅନଟା ଦେଖାହେଲା ସେ କହୁଥିଲା।ଏହା ଶୁଣି କମଳା ଦେବୀଙ୍କ ପିଳେହି ପାଣି ।ସିଧା ସିଧା କହିଲେ ମୁଁ ତ ସେଠାରେ ନଥିଲି,ତୁମ ସୁନାନାଖି ବୋହୁ ସେଠାରେ ଥିଲା।ଏହା ଶୁଣି ଅବିନାଶ ବାବୁ କହିଲେ ସେ ତ କାଲି ପଳେଇବ ,ଏଠାରେ ରହିଯିବ ତୁମେ ତେଣୁ ପୋଲିସ ଆସି ତୁମକୁ ଧରିବ।
ଏହା ଶୁଣି କମଳା ଦେବୀ ଦୌଡି ଯାଇ ବୋହୁକୁ କହିଲେ ,ତୁ ଏଥର ବୁଝୁ ,ମୁଁ ଆଉ ଘରକୁ କାହାକୁ ଡାକିବିନି ,ମୋର ଭୂଲ ହୋଇଗଲା।ତୁ ଟିକେ ତୋ ଶଶୁରଙ୍କ ରାଗ ଶାନ୍ତ କରି ସମାଧାନ କର।ଏତିକି କହି ବୁଲି ପଡିଲା ବେଳକୁ ପଛରେ ଅବିନାଶ ବାବୁ ଛିଡା ହୋଇ ହସୁଥିଲେ।
କାରଣ ବୁଝି ନପାରି କମଳା ଦେବୀ ଆଶ୍ଚର୍ଯ୍ୟ ହେବାରୁ ,ସବୁ କଥା ଅବିନାଶ ବାବୁ କହିଲେ।ଅଭିଯୋଗ କଥା ମିଛ।ମାତ୍ର ଏପରି ହୁଏ।ତୁମେ ବୁଝିଲନି ବୋଲି ମତେ ଏଥିରେ ବୋହୁକୁ ସାମିଲ କରିବାକୁ ପଡିଲା।ଏହା ଶୁଣି କମଳା ଦେବୀ ଟିକେ ଆଶ୍ୱସ୍ତ ହେବା ସହ ଦୀର୍ଘ ଶ୍ୱାସ ପକାଇ କହିଲେ ଆଜିଠୁ ଏଘରେ ତୁମ କହିବା ଜନିତ ହାଟ ବନ୍ଦ।
ଏହା ଶୁଣି ସମସ୍ତେ ଏକ ଖୁସିର ହସ ହସିଲେ ।