ଖୁସି
ଖୁସି
ଆଗେ ଏଠିକୁ କୌଣସି ବସ୍ ଚଳାଚଳ କରୁ ନ ଥିଲା l ଲୋକେ ପାଖ ସହରକୁ ଟ୍ରେକରରେ ଯିବା ଆସିବା କରୁଥିଲେ l ତିନି ଚାରିଟା ମିନି ବସ୍ ଦିନ ସାରା ଚାଲୁଥିଲା l ଏମିତି କିଛି ଗୋଟେ ସମୟ ନିର୍ଘଣ୍ଟ ବି ନ ଥିଲା l ଯେତେବେଳେ ପୁରା ଲୋକ ହୋଇଯାଆନ୍ତି, ଗାଡି ଛାଡେ l ତେଣୁ ହୁଏ ତ ଦଶ ମିନିଟ୍ ହୋଇପାରେ, ନ ହେଲେ ଦୁଇ ଘଣ୍ଟା l ଯାତ୍ରୀଙ୍କ ଭାଗ୍ୟ ଉପରେ ନିର୍ଭର କରେ l ଏମିତି ଅନେକ ବର୍ଷ ତଳେ ଗୋଟିଏ ମିନି ବସ୍ ଭିତରେ ମୁଁ ବସିଥାଏ l ମନେ ମନେ ଭାବୁଥାଏ, ଦଶ ମିନିଟରେ ଛାଡିବ ନା ଦୁଇ ଘଣ୍ଟା ପରେ l ଝର୍କା ପାଖରେ ହାତ ରଖି ଶୋଇବାକୁ ଚେଷ୍ଟା କରୁଥିଲି l ହଠାତ୍ କାହାର ପାଟି ଶୁଣି ଆଖି ଖୋଲିଲି l
ମୁକ ନୁହେଁ କି ଖନା ନୁହେଁ l କିନ୍ତୁ ସ୍ୱର ସ୍ପଷ୍ଟ ନୁହେଁ l ମୁଣ୍ଡ ନୁଖୁରା l ହାତରେ ଗୋଟିଏ ବାଡି l ବୁଝିବାକୁ ଡେରି ହେଲାନି, ଲୋକଟା ଖନା ଆଉ ଛୋଟା ମଧ୍ୟ l ବାରମ୍ବାର ମୋତେ ଏଁ ଏଁ କହି ହାତ ପତେଇ ମାଗୁଥିଲା l ପକେଟ୍ ଦରାଣ୍ଡିଲି l ଖୁଚୁରା ବି ନ ଥିଲା l ପର୍ସ୍ ଖୋଲିଲି l ପୁରୁଣା ଟଙ୍କିକିଆ ନୋଟ୍ ଗୋଟିଏ ଥିଲା l ହାତକୁ ତା’ର ବଢେଇ ଦେଲି l ଦଶ ପଇସା କି ପଚିଶି ପଇସା ଜାଗାରେ ଟଙ୍କାଟିଏ ପାଇ ଖୁସିରେ ଦଉଡିଲା ଚାହା ଦୋକାନ ଆଡକୁ l ଯେମିତି ତା’ର ସାରା ଦିନର ପାରିଶ୍ରମିକ ମିଳିଗଲା l କିଛି ଗୋଟେ ଖାଇ ନେବ l ମୁଁ ଏପଟକୁ ମୁହଁ ବୁଲେଇ ପୁଣି ଶୋଇବାକୁ ଚେଷ୍ଟା କଲି l
ହଠାତ୍ ଜୋରରେ ପାଟି ଶୁଣାଗଲା l ସେଇ ଖନା ଆଁ ଆଁ କରି କ’ଣ ଗୋଟେ ଚିତ୍କାର କରୁଛି l ଜାଣିବାକୁ ପାଇଲି, ସେ ଦୋକାନୀ ଟଙ୍କାଟିକୁ ଫେରେଇ ଦେଇଛି l ପୁରୁଣା ନୋଟ୍ ଚଳିବନି l ତା’ ହାତରୁ ଚାହା ବିସ୍କୁଟ୍ ଛଡେଇ ନେଲା l ସେଇ ପୁରୁଣା ନୋଟ୍ ଧରି ହିଂସ୍ର ଜଙ୍ଗଲୀ ଜାନୁଆର୍ ଭଳି ମୋ ଆଡକୁ ମାଡି ଆସିଲା l ଆଉ ସେହି ଦୁର୍ବୋଧ୍ୟ ଭାଷାରେ ଚିତ୍କାର କରି ଇଙ୍ଗିତରେ କହିବାକୁ ଚାହୁଁଥିଲା, “ଆରେ ମୋତେ ଏଇଟା କ’ଣ ଦେଲୁ ? କାହିଁକି ଦେଲୁ ? ତୁ ଗୋଟେ ବଦମାସ୍............ ତୁ ଗୋଟେ ଠକ.........ତୋ ଯୋଗୁଁ ମୋ ହାତରୁ ସେ ବିସ୍କୁଟ୍ ଚାହା ଛଡେଇ ନେଲା l” ଟିକିଏ ବିବ୍ରତ ହୋଇ ପର୍ସ୍ ଖୋଲିଲି l ଆଉ ଟଙ୍କିକିଆ ବି ନାହିଁ l ଅନନ୍ୟୋପାୟ ହୋଇ ତା’ ହାତରେ ପାଞ୍ଚ ଟଙ୍କିଆ ନୋଟ୍ ଗୋଟିଏ ଧରେଇଦେଲି l ପାଞ୍ଚ ଟଙ୍କିଆ ନୋଟ୍ ଦେଖି ତା’ ଆଖି ଖୁସିରେ ଚମକି ଉଠିଲା l ଯେମିତି ସେ ବିଶ୍ୱାସ କରିପାରୁ ନ ଥିଲା l ସେଇଟାକୁ ମୁଣ୍ଡରେ ଧରି ନାଚିବାକୁ ଲାଗିଲା l ଯେମିତି ତା’କୁ ସାରା ସ୍ୱର୍ଗଟା ମିଳିଗଲା l ସେହି ଖନା ଖନା ସ୍ୱରରେ ଚିତ୍କାର କରି ବସ୍ ଷାଣ୍ଡ୍ ସାରା ଘୁରି ବୁଲିଲା l ସେତେବେଳକୁ ତା’ ହାତରେ ବାଡି ବି ନ ଥିଲା l ଏତେ ଖୁସି ମୁଁ ମୋ ଜୀବନରେ କାହାକୁ କେବେ ବି ଦେଖି ନ ଥିଲି l ଖୁସିର ବିବିଧ ସ୍ତର ମୁଁ ସେ ଦିନ ଅନୁଭବ କଲି l ଯେମିତି ଲାଗିଲା, ସେଟା ପାଞ୍ଚ ଟଙ୍କିଆ ନୋଟ୍ ନୁହେଁ, ପାଞ୍ଚ ଲକ୍ଷ ଟଙ୍କାର ଲଟେରୀ l