Parameswar Ojha

Inspirational

3  

Parameswar Ojha

Inspirational

ଖୁସି

ଖୁସି

2 mins
32



ଘର ପାଇଁ ସବୁ ସଉଦା କିଣି ସାରିଲା ପରେ , ଆଉ ପଇସା ବଞ୍ଚିଲାନି । ମନ ଦୁଃଖ ହୋଇଗଲା ବିନୁର ଜୀନୁ ଆଜି ତା ହାତରେ ରାକ୍ଷୀ ବାନ୍ଧିବ ଅତି କମରେ ତାକୁ ପାଞ୍ଚ ଟଙ୍କିଆ ଚକଲେଟ ତ ଦେଇଥାଆନ୍ତା , ସେତକ ବି ହୋଇ ପାରିଲାନି । 

ମୁହଁ ଶୁଖେଇ ଘରେ ପହଞ୍ଚିଲା ବେଳକୁ ଜୀନୁ ତା ପାଖକୁ ଖୁସି ରେ ଦୌଡ଼ି ଆସିଲା । ରାସନ ସଉଦା ଧରିଥିବା ଜରିକୁ ତା ହାତରୁ ନେଇ ଭିତରକୁ ଚାଲିଗଲା । 

ମନ ତଥାପି ଗୁମ୍ ମାରିଛି । ଜୀନୁ ପଚାରିଲା , " କ'ଣ ହେଲାକି ମୁହଁ ଏମିତି ଶୁଖେଇଛୁ ?

ବିନୁ କହିଲା , ତୁ ଆଜି ରାକ୍ଷୀ ବାନ୍ଧିବୁ ତୋ ପାଇଁ ଚକଲେଟ୍ ଆଣିଥାନ୍ତି ଯେ ପଇସା ମୋଟେ ବଞ୍ଚିଲାନି । 

ଜୀନୁ କହିଲା , କିଛି କଥା ନାହିଁ ଏଥରକ ଦେଇନୁ ଆରଥରକୁ ଦେଇ ଦେବୁନି ?.

ଏଥର ଜୀନୁର ପାଳି ସେ ମୁହଁ ଶୁଖେଇ ଛିଡା ହେଲା ।

ବିନୁ ପଚାରିଲା , "ଏବେ ତ ଭଲ କଥା କହୁଥିଲୁ ପୁଣି ତୋର କ'ଣ ହେଲା ?" 

ଜିନୁ ତାପରେ କହିଲା , ' ବାହାରକୁ ଯାଇ ରାକ୍ଷୀ ଆଣି ପାରିନି ବୋଉ ମନାକଲା । ଏ କୋରନା ପାଇଁ ବାହାରକୁ ଛାଡିଲାନି ।

ବିନୁ କହିଲା , "କିଛି କଥା ନାହିଁ ଯାହା ବି ଗୋଟେ ବାନ୍ଧିଦେ ଚଳିବ "

ଜୀନୁ କିଛି ସମୟ ଭାବିଲା , ତାପରେ କପଡା ସିଲେଇ ପାଇଁ ବୋଉ ରଖିଥିବା ସୂତା ବଣ୍ଡଲରୁ କିଛି ସୂତା ବାହାର କଲା ତାପରେ ତାକୁ ଚାରି ଛ ପରସ୍ତ କରି ଦୁଇ ପାପୁଲିରେ ବଳି ଦେଇ ଗୋଟେ ମୋଟା ସୂତା ବନେଇ କି ବିନୁ ହାତରେ ନେଇ ବାନ୍ଧିଦେଲା । 

ତାପରେ ବିନୁକୁ କହିଲା ଏଥର ମୋ ଚକଲେଟ୍ ଦେ ।

ବିନୁ କିଛି ସମୟ ଭାବିଲା ତାପରେ ରୋଷେଇ ଘରକୁ ଯାଇ ଚାହା ବନେଇବା ପାଇଁ ବୋଉ ରଖିଥିବା ଚିନି ଡବାରୁ ମୁଠାଏ ଚିନି ଆଣି ଜୀନୁ ହାତକୁ ବଢ଼େଇ ଦେଇ କହିଲା , " ନେ ଏଥରକ ପାଇଁ ଏଇଥିରେ ଚଳେଇନେ , ଆରଥରକୁ ବଡ଼ ଚକଲେଟଟେ ଦେବି "

ଜୀନୁ ହସି ହସି ଚିନି ମୁଠାକ ପାଟିରେ‌ ପୁରେଇ ଚୋବେଇବାକୁ ଲାଗିଲା ।





Rate this content
Log in

Similar oriya story from Inspirational