Papu parida

Drama Action Others

4.5  

Papu parida

Drama Action Others

ଖୁଚୁରା

ଖୁଚୁରା

3 mins
495



        ସାନୁ, ବ୍ରହ୍ମପୁର ସହରରେ ଜଣେ ସାଧାରଣ ଆଇସକ୍ରିମବାଲା।ବୁଲି ବୁଲି ଆଇସକ୍ରିମ ବିକି ନିଜ ଗୁଜୁରାଣ ମେଣ୍ଟାଏ। ମା'କୁ ସେ ପିଲାଦିନରୁ ଦେଖି ନାହିଁ।ବାପାଙ୍କ ମୃତ୍ୟୁ ପରେ ଗାଁରେ ଥିବା ପୈତୃକ ଜମିଟିକୁ ବିକିଦେଇ ଶୁଦ୍ଧିକ୍ରିୟା କାର୍ଯ୍ୟ କଲା ଏବଂ ନିଜ ସ୍ତ୍ରୀକୁ ଧରି ଚାଲି ଆସିଥିଲା ଯେ ଆଉ ଗାଁକୁ କେବେ ଫେରିନାହିଁ। ସହରରେ ଗୋଟିଏ ଛୋଟ ଘର ଭଡା ନେଇ ରହୁଛି।


       ପ୍ରଥମେ ପ୍ରଥମେ ସବୁ ଠିକ ଥିଲା।ସାନୁ ନିଜର ଗୋଟିଏ ଗାଡି ବି କିଣି ସାରିଥିଲା ଯେଉଁଥିରେ ବୁଲି ସେ ଆଇସକ୍ରିମ ବିକେ। ଲକଡାଉନ ମାଡରେ ବଡ ବଡ ପାହାଡ଼ ଭାଙ୍ଗି ଯାଇଛି ତ ଏ ବାଲି ଗରଡ଼ାଟା କିପରି ବର୍ତ୍ତିଥାନ୍ତା। ଲକଡାଉନ କିଛି ସମୟ ପୂର୍ବରୁ ତା ର ଏକ ପୁଅ ଜନ୍ମ ହୋଇଥିଲା କିନ୍ତୁ ଜନ୍ମ ହେଲା ଦିନଠୁ ତା ସ୍ବାସ୍ଥ୍ୟ କିଛି ଭଲ ରହୁନି। ସେପଟେ ରୋଜଗାର ବନ୍ଦ ଏପଟେ ପୁଅର ଔଷଧ ଖର୍ଚ୍ଚ,ସେ ସଞ୍ଚୟ କରିଥିବା ସବୁ ଟଙ୍କା ସରିଗଲା। କେତେ ଗୋଡ଼ ହାତ ଧରି ,କେତେ କଷ୍ଟରେ ବାକି ବକର କରି ଦି ଓଳି ଦି ମୁଠା ଯୋଗାଡ କରିଛି ତାହା କହିଲେ ସରିବ ନାହିଁ। ଏବେ ଲକଡାଉନ ଉଠିଲା ପରେ ମଧ୍ୟ ଯାହା ରୋଜାଗର ହେଉଛି ସେଥିରୁ ଅଧାରୁ ଅଧିକ କରିଥିବା ଋଣ ଓ ଔଷଧରେ ସରି ଯାଉଛି।କେତେ ଆଉ ବଳୁଛି ଯେ ଖୁସି ଦେଖିବାକୁ ପାଇବ।


      ସବୁ ଦିନ ପରି ଆଜି ମଧ୍ୟ ସକାଳୁ ବାହାରି ପଡିଥିଲା।ଗତ ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବେପାରକୁ ଯାଇ ପାରିନାହିଁ। ଆଜି କିନ୍ତୁ ଟାଣ ଖରା।ଏପଟେ ପୁଅର ଔଷଧ ବି ଦି ଦିନ ହେଲା ସାରିଗଲାଣି। କିପରି ଆଣିବ?ବେପାର ତ ବନ୍ଦ, ସଞ୍ଚୟ ତ କିଛି ନାହିଁ।ପିଲାଟା ଯନ୍ତ୍ରଣାରେ ଛଟପଟ ହୋଉଛି।ତେଣୁ ଗଲାବେଳେ ଔଷଧ ଦୋକାନରୁ ଔଷଧ ନେଇ ଯିବା ପାଇଁ ଶିଘ୍ର ଫେରିବାକୁ ହେବ ବୋଲି ଭାବୁଥିଲା।ଠିକ ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଆଡକୁ ଧାଇଁ ଆସି ବ୍ୟସ୍ତତାରେ କହିଲେ 

"ଭାଇ ! ଭାଇ,ଦୟାକରି ମୋତେ ୫୦୦ ଟଙ୍କାର ଖୁଚୁରା ଦିଅନ୍ତୁ।"

ସାନୁ : ଆରେ ଭାଇ ମୋର ତ ୫୦୦ ଟଙ୍କାର ବେପାର ବି ହୋଇ ନଥିବ ମୁଁ କେଉଁଠୁ ଆଣିବି। ତୁମେ ଆଗକୁ ଯାଅ।

ଅଜଣା ବ୍ୟକ୍ତି :ଭାଇ ମୁଁ ବି ତୁମ ପରି ଆଇସକ୍ରିମ ବିକ୍ରି କରେ। କିନ୍ତୁ ମୁଁ ମୂଲିଆ ହିସାବରେ।ମୋ ପୁଅର ଦେହ ଭାରି ଖରାପ। ତା ପାଇଁ ଔଷଧ ନ ନେଲେ କଣ ଯେ ହୋଇଯିବ। ମାଲିକ ଆଜି ୭୦୦ ଟଙ୍କା ଦେବି ବୋଲି କହିଥିଲେ। ତାଙ୍କ ପାଖରେ ଖୁଚୁରା ନଥିଲା। କାଳେ ମୁଁ ତାଙ୍କର ୩୦୦ ନେଇଯିବି ବୋଲି ସେ ମୋର ବାକି ପଇସା ରଖି ମତେ ୫୦୦ ଟଙ୍କାର ଖୁଚୁରା ଆଣିବାକୁ ପଠେଇଛନ୍ତି। ଏ ଖରାବେଳେ ଟାରେ ପ୍ରାୟ ଦୋକାନ ବନ୍ଦ ଅଛି ଆଉ ଯେତିକି ଖୋଲା ଅଛି ସେଠାରେ କେହି ବି ଦେଉନାହାନ୍ତି।ଦୟାକରି ଟିକେ ଦେଖ ଭାଇ। ତୁମର ବି ତୋ ମୋ ପରି ଛୁଆ ଥିବେ।

ସାନୁ: ନିଜ ପଇସା ପେଢି ଦେଖି ହଉ ଭାଇ ଦେଖୁଛି। ଦୁଇ ଶହ।ତିନି ଶହ। ଚାରି ଶହ। ଚାରି ଶହ ପଚାଶ।ଚାରି ଶହ ଅଶୀ। ଚାରି ଶହ ଅଶୀ ଅଛି ଭାଇ । କଣ କରିବା?

ଅଜଣା ବ୍ୟକ୍ତି : ହଉ ଭାଇ ସେତିକି ଦେଇ ଦିଅ।ମୋତେ ଶିଘ୍ର ଯିବାକୁ ହେବ।


    ସାନୁ ଚାରି ଶହ ଅଶୀ ଟଙ୍କା ଦେଇ ପାଞ୍ଚଶହ ଟଙ୍କା ଟି ରଖିଲା। ସେ ବ୍ୟକ୍ତି ଜଣଙ୍କ ଧାଇଁ ଧାଇଁ ସେଠୁ ଚାଲିଗଲା। ସାନୁ ମଧ୍ୟ ଗାଡିଟିକୁ ଫେଟ୍ରିରେ ରଖି ଔଷଧ ଦୋକାନକୁ ଗଲା। ସେଠାରେ ଔଷଧ କିଣିବା ପରେ ପାଞ୍ଚଶହ ଟଙ୍କା ଟି ବଢ଼େଇଲା। ଦୋକାନୀ ଟଙ୍କା ଟିକୁ ଭଲ ଭାବେ ନିରୀକ୍ଷଣ କରି କହିଲା

    " ଓ, ବାବୁ ମେଡିସିନ ଗୁଡ଼ିକ ରଖିଦିଅ। ନକଲି ନୋଟ ଦେଇ ମୋତେ ଠକିବୁ ବୋଲି ଭାବୁଛୁ ନା କଣ? ନେ ତୋ ପଇସା।

     ସାନୁ ଉପରେ ଚଡକ ପଡିଗଲା। ସେ ଜାଣି ପାରିଲା ସେ ଯେଉଁ ଅଜଣା ବ୍ୟକ୍ତି ତାକୁ ନକଲି ନୋଟ ଟି ଦେଇ ତାର ସବୁ ପଇସା ଚଳୁ କରିଦେଇଛି। ସେ ବି ବିଶ୍ବାସ ରେ ସେତେବେଳେ ଦେଖି ନଥିଲା।କିନ୍ତୁ ତା ପାଖରେ ତ ଆଉ ପଇସା ନାହିଁ। ଔଷଧ କିପରି ନବ। ଫେଟ୍ରିରୁ ମାଲିକ ବି ଘରକୁ ପଳେଇ ଥିବେ। ଦି ଦିନ ହେଲା ପିଲାଟା ଯନ୍ତ୍ରଣାରେ ଛଟପଟ ହେଉଛି ଔଷଧ ତ କିପରି ବି ନେବାକୁ ପଡିବ ନହେଲେ କଣ ଯେ ହୋଇଯିବ? ସେ ଔଷଧ ଦୋକାନୀକୁ ସବୁ କଥା କହି ଗୁହାରି କଲା, ତା ଗୋଡ଼ ହାତ ଧରିଲା। କିନ୍ତୁ ଦୋକାନୀ ଶୁଣିଲା ନାହିଁ। ସେ କିଛି ଉପାୟ ନ ପାଇ ଔଷଧ ଧରି ଧାଇଁବାକୁ ଚେଷ୍ଟା କଲା କିନ୍ତୁ ଦୋକାନୀ ତାକୁ ଧରି ନିର୍ଧୁମ ପିଟିଲା ଓ ଔଷଧ ଛଡେଇ ନେଲା।


     ଶେଷରେ ସାନୁ ନିରାଶ ହୋଇ ଘରକୁ ଫେରିଲା ତା ପୁଅର ଅବସ୍ଥା ଦେଖିବାକୁ। କିନ୍ତୁ ଘରକୁ ଯିବା ପରେ ସେ ଜାଣିବାକୁ ପାଇଲା ଯେ ସେ କେବଳ ଖୁଚୁରା ଦେଇ ନଥିଲା ତା ସାଙ୍ଗରେ ସେ ନିଜ ପୁଅର ଜୀବନକୁ ମଧ୍ୟ ଖୁଚୁରା ରୂପରେ ଦେଇ ସାରିଥିଲା।ଖୁଚୁରା ଦେବା ଟା ଯେ ତା ପୁଅର ଜୀବନ ।


Rate this content
Log in

Similar oriya story from Drama