କେମ୍ପୁଲି
କେମ୍ପୁଲି
ମୋର ଡାହାଣ ହାତ କହୁଁଣି ଠାରୁ ବଙ୍କା। ଛୋଟ ଓ ସରୁ ହାତଟି ଦୋହଲୁ ଥାଏ ନଡ଼ ନଡ଼ ହୋଇ। ସମସ୍ତେ ମୋତେ ଡାକନ୍ତି କେମ୍ପୁଲି। କେହି କେହି ଡାକନ୍ତି କେମ୍ପା। ଛୋଟ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ମୋତେ ସଭିଏଁ ଦୟା କରନ୍ତି। ଯେ କୌଣସି କାମ ପଡିଲେ ମୁଁ ଆଗ ଭର ହୋଇ ବାହାରି ପଡେ। ହେଲେ ଲୋକେ ମୋ ମନକୁ ଭାଙ୍ଗି କୁହନ୍ତି ଯା ଯା କେମ୍ପାଟା ତୁ କଣ ପାରିବୁ ଏଇ ତୁ କଣ ପାରିବୁ ମୋତେ ଭାରି ଅସହାୟ କରିଦିଏ। ଗଳି ଯାଏ ତୀର ପରି ମୋ ଛାତିରେ। ମୁଁ କୁହେ ,"କାହିଁକି ପାରିବି ନାହିଁ। ମୋର ବାଁ ହାତ ଠିକ୍ ଅଛି। ସେଥିରେ ମୁଁ ସବୁ କାମ କରି ପାରୁଛି। "ଲୋକେ କୁହନ୍ତି ତୁ ଗଲୁ କେମ୍ପୁଲି ତୋ ଦେଇ ଯାହା ନ ହେବ ଆଗଭର ହୋଇ ବାହାରୁଛୁ କାଇଁକି ତୋ ମା ଆସିବ ଯେ ଲଗେଇବ "ବାଡ଼ି ପଡେ ଲାଗିଛ ମୋ ଛୁଆଟା ପଛେ। ତୁମକୁ ମରଣ ହେଉ ନାହିଁ। ବକଟେ ବୋଲି ଛୁଆ ଠାକୁର ଦେଇ ଛନ୍ତି ଯେ ତୁମେ ସବୁ ଅହନ୍ତା ସାଜିଛ "
ମୋତେ ପେଲି ବିଦା କରି ଦିଅନ୍ତି। ସେମାନଙ୍କ ଦୟା ମୋର ହଜମ ହୁଏନି। ଖୁବ୍ କାନ୍ଦେ। ମୋ କାନ୍ଦ ଦେଖି ପିଲା ମାନେ କୁହନ୍ତି କେମ୍ପୁଲି ହେ ହେ କେମ୍ପା ଟା।
କିନ୍ତୁ ମୋ ମାଆ ମୋତେ କେବେ ଏ ନାଁରେ ଡାକେନି। ମୋତେ ସେ ଡାକେ ରାଜା,ଧନ,ବାପାଟା,ସୁନା,ବାଇଆ ଓ ଗୁଣ୍ଠୁଣୀ। ମୁଁ ଦେଖିବାକୁ ରାଜା ଛୁଆ ପରି,କେବଳ କେମ୍ପା ହାତ ଟି ଯାହା। ମୁଁ ଯେବେ କାନ୍ଦି କାନ୍ଦି କୁହେ ମାଆ ମୋତେ ସମସ୍ତେ କେମ୍ପୁଲି,କେମ୍ପା ଡାକୁଛନ୍ତି,
ଚିଡାଉଛନ୍ତି ମାଆ ମୋତେ କାଇଁ କେମ୍ପୁଲି କଲୁ
ମାଆ ମୋତେ କୋଳେଇ ନେଇ,ଗେଲ କରି ମୁହଁ ଆଉଁସି ଦେଇ କୁହେ କିଏସେ କହୁଛି ତା ନାଁ କହିଲୁ; ଜିଭ ତାର ଯଦି ଟାଣି ନ ଆଣେ। ଛି କି କାଳିଆ ଭୁଷୁଣ୍ଡା ,ପେଟୁଆ,ଦାନ୍ତୁରା ଛୁଆ ଜନ୍ମ କରିଛନ୍ତି ସେମାନେ। ମୋ ରାଜା ତ ଚନ୍ଦ୍ର ଉଦିଆ ପରି। ଅନ୍ଧାର ଘରେ ଝଟକିବ। ତୁ ସେମାନଙ୍କ ଠାରୁ ଢେର ସୁନ୍ଦର ନା ସେଥିପାଇଁ ଦେଖି ସହି ପାରୁ ନାହାନ୍ତି। ବୁଝିଲୁ ବାପା କେମ୍ପା ,କଣା,କୁଜା
,ଅନ୍ଧ,କି ଛୋଟା ହେବାରେ କିଛି ଯାଏ ଆସେନା। ଯଦି ଭଲ ପଢିଲ,ଭଲ ଗୁଣ ଅର୍ଜନ କଲ;ସମସ୍ତେ ତୁମକୁ ପ୍ରଶଂସା କରିବେ। ଆଦର କରିବେ। ରୂପରେ କିଛି ନାହିଁ ଧନ ;ଗୁଣ ଥିବା ଦରକାର। ମୋ ଗୁଣ୍ଠ ତ ଭଲ ପଢୁଛି। ସାଆରେ କହିଛନ୍ତି ତୁ ଏଥର ନିଶ୍ଚୟ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇବୁ। ବାଁ ହାତରେ ହସ୍ତାକ୍ଷର ଲେଖି ତୁ ଜିଲ୍ଲାରେ ଫାଷ୍ଟ ହୋଇଛୁ ଟି। ସେ ଲୋକଙ୍କ କଥା କାଇଁ ଶୁଣୁଛୁ। ଦେଖିବୁ ଦିନେ ସମସ୍ତେ ତୋତେ ରାଜା ବାବୁ ଡାକିବେ।
ମାଅ କଥା ମୋ ଭିତରେ ଶକ୍ତି,ସାହସ ଓ ପ୍ରେରଣା ଯୋଗାଏ। ତା କହିବା ଅନୁସାରେ ମୁଁ ସବୁଥିରେ ଭଲ କରିବାକୁ ଚେଷ୍ଟା କରେ। ମୋ ବାପା ଟଲି ଟାଣନ୍ତି। ଭାରି ଅଭାବୀ ସଂସାର ଆମର। ମାଆ ଘରେ ଗାଈଟିଏ ରଖିଛି। କ୍ଷୀର ବିକା ପଇସାରେ ତେଲ ଲୁଣ ହୋଇଯାଏ। ସେଥିରେ ମୋତେ ଫିଡ୍ସ ମାରେ। ସେ ବାବଦରେ ଔଷଧ ମୋ ପାଇଁ ବନ୍ଧା। କହିବାକୁ ଗଲେ ମୋର ଛୋଟ ଛୋଟ ଖୁସି ପୂରଣ କରିବା ପାଇଁ ମୋ ବାପା ଓ ମାଆଙ୍କୁ ଅନେକ କଷ୍ଟ କରିବାକୁ ପଡେ।
ମାଆର ଗୁହାଳ କାମ କରି ପାଦ ଦିଟା ଖାଇ ଯାଇଛି। ଚପଲ ଟି ଘୋରି ହୋଇ ଛିଣ୍ଡି ଗଲାଣି ମାସେ ହେବ। ଆଜିକାଲି ଟଲି ଭଡା ସେତେ ମିଳୁନାହିଁ। ଲୋକେ ଟଲି ଅଟୋରେ ଜିନିଷ ପତ୍ର ନେବା ଆଣିବା କରୁଛନ୍ତି। ରିକ୍ସା ଟଲିର ଚାହିଁଦା କମି ଗଲାଣି। ଏଣୁ ଦିନକୁ ଦିନ ଚଳିବା ଭାରି କଷ୍ଟ ହେଉଛି। ମୁଁ ଦେଖେ ମାଆ ଗୋଡ଼ରେ ଜରି ବାନ୍ଧି ଗୁହାଳ ପୋଛେ। ବାପା କୁହନ୍ତି ପଇସା ହେଲେ ମାଆ ପାଇଁ ଚପଲ ଆସିବ। କିନ୍ତୁ ଏଇଠି କେତେ ଦିନ ହେବ ଖାଲି ହାତରେ ବାପା ଘରକୁ ଫେରନ୍ତି। ଆଜି ଭଡା ମିଳିଲା ନାହିଁ ବୋଲି କୁହନ୍ତି। ମାଆ କୁହେ ନ ମିଳୁ କାଲି ତ ମିଳିବ।
ଏଇ ମିଳିବା ଆଶାରେ ଆମେ ବଞ୍ଚିଯାଉ ଖୁସି ଖୁସି। ଆମ ଘରେ ଅଭାବ ଅଛି ସତ ଅଶାନ୍ତି ନାହିଁ। ମୋ ମାଆ ବାପାଙ୍କୁ କେବେ ଝିଙ୍ଗାସି କହିବା କିମ୍ବା ବାପା ମାଆକୁ ଗାଳି ଗୁଳଜ କରିବା କେବେ ଦେଖିନି,ଯେମିତି ମୋ ସାଙ୍ଗ ଠୁଲୁ ବାପା ମା ପ୍ରତ୍ୟେହ କଳି କରନ୍ତ
ି। ବାଡ଼ିଆ ପିଟା ହୁଅନ୍ତି। ମୋ ମନରେ କିନ୍ତୁ ଥାଏ ଠାକୁରଙ୍କ ଦୟାରୁ ମୋତେ କିଛି ଟଙ୍କା ମିଳି ଯାଆନ୍ତା କି ମା ପାଇଁ ଚପଲ ଟିଏ କିଣନ୍ତି। ଭାରି କଷ୍ଟ କରୁଛି ମାଆ ଗୁହାଳ କାମ କଲା ବେଳେ। ଜରି ବାନ୍ଧି ଗୁହାଳ ପୋଛୁଛି ମା,ମୁଁ ସହି ପାରୁନାହିଁ।
ଆଜି ଗୋଟେ ଚମତ୍କାର ହୋଇଛି। ସେଇଥି ପାଇଁ ଏକା ନିଃଶ୍ବାସକେ ଦଉଡ଼ି ଆସିଛି ଖୁସିରେ ଆତ୍ମହରା ହୋଇ। ମୁଁ ଖଣ୍ଡେ ଦୂରରୁ ଡାକ ଛାଡ଼ିଲି-
ମାଆ ଏ ମାଆ ଜାଣିଛୁ;କହି ପାରୁନଥିଲି କିଛି। ଧଇଁ ସଇଁ ହୋଇ ଯାଉଥିଲି ଦଉଡ଼ି ଦଉଡ଼ି ଆସି। ଆଣ୍ଠୁରେ ଭରା ଦେଇ ଠିଆ ହୋଇ ଗଲି ଆମ ଦାଣ୍ଡ ଘରେ। ମାଆ ଘରେ ନଥିଲା। ଦୌଡ଼ିଲି ବାରି ଆଡେ। ହେ ହେ ମାଆ....ଓଃ କୁଆଡେ ଯାଇଛୁ ଯେ...
ଖବରଟି ଦେବା ପାଇଁ ଏତେ ଖୁସିରେ ଅଧୀର ଥିଲି ଯେ ଅପେକ୍ଷା ପାଇଁ ଧୈର୍ଯ୍ୟ ନଥିଲା। ମୁଁ ଅତିଶୟ ଖୁସି ହୋଇ ଆସିଲି ଯେ ଣା ମାଆ ନା ବାପା କେହି ଘରେ ନାହାନ୍ତି। ସୁନା ଖୁଡି ଘରକୁ ବୁଲି ଯାଇଥିବ କି ଭାବି ଖୋଜିବାକୁ ଗଲି। ଖୁଡି କହିଲେ ତୁମ ଗାଈ ଫିଟି ଯାଇଛି ପଘାରୁ। ମୋ ମାଆ ଗାଈକୁ ଧରିବା ପାଇଁ ଯାଇଛି। ଏଇ ଆସୁଥିବ।
ମୁଁ ଘରକୁ ଯାଇ ଅପେକ୍ଷା କଲି ମାଆ ଆସିବାକୁ। ଅପେକ୍ଷା ଭାରି ବାଧୁଥାଏ। ଓଃ... ମାଆକୁ ଯେଉଁ ଖବର ଦେବି ଓ ଯାହା ଦେଖାଇବି ସେଥିରେ ମାଆ କେତେ ଖୁସି ହେବ ମୁଁ ଜାଣିନି। କିନ୍ତୁ ମୋ ଖୁସିର କଳନା ନାହିଁ। ମାଆ ବାପା ପାଇଁ କିଛି କରିବାରେ ଏମିତି ଅସୁମାରୀ ଆନନ୍ଦ ମିଳେ!! ମୁଁ କେମ୍ପାକେମ୍ପୁଲି ଟା,ସଭିଙ୍କ ଦୟାର,ଅନୁଗ୍ରହର ପାତ୍ରୀ। ଥଟା କରନ୍ତି ମୋତେ ସମସ୍ତେ। ସେଇ କେମ୍ପୁଲି ସମସ୍ତଙ୍କୁ ପଛରେ ପକାଇ ଜିତିଛି। କି ଖୁସି,କି ଆନନ୍ଦ!!
ମା ଗାଈ ଆଣି ଗୁହାଳେ ବାନ୍ଧି ଆସିଲା। ମୁଁ ମାଆ ବେକରେ ଓହଳି ପଡିଲି। ମାଆ ଆଖି ବୁଜୁ ଗୋଟେ କଥା ଦେବି। ମାଆ ହସି ହସି ଗଡି ଯାଉଥାଏ। ଆରେ ବାଇଆ ଟା କଣ ଦେବୁ ଏମିତି ଆଖି ବୁଝିବି। ଓହୋ ତୁ ଆଖି ବୁଜୁ ତ....
ମା ହସି ହସି ଆଖି ବୁଜିଲା। ଇସ୍! ମୋ ମାଆ ମୁହଁକୁ ହସ କି ମାନୁଛି!! ସବୁବେଳେ ମୋ ମା ଏମିତି ହସନ୍ତାନି...
ମୁଁ ଥିରିକି ମାଆ ହାତରେ ଗୋଟେ ଖୋଳ ଥୋଇଦେଲି ଓ କହିଲି ଏଥର ଆଖି ଖୋଲ ଓ ଦେଖେ। ମାଆ ଆଖି ଖୋଲି ଦେଖିଲା ଗୋଟେ ଚପଲ ଖୋଳ ତା ହାତରେ। ଆଶ୍ଚର୍ଯ୍ୟ ହୋଇ ଖୋଳଟି ଖୋଲିଲା ଓ ପ୍ଲାଷ୍ଟିକ ଚପଲ ହଳେ ଦେଖି କହିଲା ତୁ ଏଇଟା କେଉଁଠୁ ଆଣିଲୁ? ପଇସା କିଏ ଦେଲା! ସତ କହ ଧନ।
ଓହୋ ମାଆ ତୁ ଆଗ କହ ତୋତେ ଭଲ ଲାଗୁଛି ନା ନାହିଁ। ପିନ୍ଧିଲୁ ପିନ୍ଧିଲୁ କେମିତି ମାନୁଛି ତୋତେ।
ମାଆ କିନ୍ତୁ କହିଲା ଆଗ କହ କେଉଁଠୁ ଆଣିଲୁ ଏତେ ଗୁଡ଼େ ଟଙ୍କା...
ଏଇ ଆମ ଗରିବ ମାଆ ବାପା ଗୁଡା ସବୁବେଳେ ତତ୍ପର ସଚୋଟ,ସତିଆ,କର୍ମଠ ତାଙ୍କ ପିଲା ହୁଅନ୍ତୁ। ଯାହା ଆମ ବଡ଼ ସମ୍ପଦ।
ମୁଁ କହିଲି ଆଜି ମକର ମେଳା ବୁଲି ଯାଇଥିଲୁ। ଲକ୍ଷ୍ୟ ପରୀକ୍ଷା ଜଣେ କରୁଥିଲା ପାଞ୍ଚ ଟଙ୍କା ନେଇ। ମୋ ସାଙ୍ଗମାନେ ଖେଳିଲେ। କେହି ଜିତିଳେ ନାହିଁ। ମୁଁ ମନ ମାରି ଠିଆ ହୋଇଥିଲି। ଦୋକାନିଟି କହିଲା ତୁମେ ପରୀକ୍ଷା କରିବ ନାହିଁ ତୁମ ଲକ୍ଷ୍ୟ ମୁଁ କହିଲି ମୋ ପାଖେ ପଇସା ନାହିଁ। ସେ କହିଲେ ଠିକ୍ ଅଛି ତୁମେ ତୁମ ସାଙ୍ଗ ମାନଙ୍କ ପରି କେବେ ଜିତିବ ନାହିଁ ଜଣା ଅଛି। ବିନା ପଇସାରେ ଖେଳ। ମୁଁ ନାହିଁ କରୁଥିଲି। ସାଙ୍ଗ ମାନେ କହିଲେ ସେଇଟା କେମ୍ପାଟା ସେ କଣ ଖେଳି ପାରିବ ମାଆ ମୋତେ ଭାରି ବାଧିଲା। ମୁଁ ଦୋକାନୀ ଠାରୁ ଗୋଲେଇ ତାରଟି ନେଇ ପକାଇଲି ଓ ଏକାଥରକେ ସବୁ ବଟଲ ଭିତରେ ଗୋଲେଇ ତାରଟି ପଡିଲା। ମୁଁ ଶହେ ଟଙ୍କା ଜିତିଗଲି ମାଆ। ଦୋକାନୀ ଖୁସି ହୋଇ ମୋତେ ଶହେ ଟଙ୍କା ଦେଲା।
ସେଇ ଟଙ୍କାରେ ତୋ ପାଇଁ ଚପଲ ଆଣିଛି ମାଆ। ମାଆ ଖୁସିରେ ମୋତେ କୋଳେଇ ନେଇ ହସି ହସି କାନ୍ଦି ପକେଇଲା। ମୋ ମୁଣ୍ଡ ଆଉଁସି କହିଲା ମୋ ରାଜା
ମୁଁ ମାଆ ଆଖିରୁ ଲୁହ ପୋଛି ଭାବୁଥିଲି ଲୋକେ ଖୁସିରେ ବି କାନ୍ଦନ୍ତି